‘ସଂକଳ୍ପ’ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଚତୁର୍ଥ ସଂଧ୍ୟାରେ ନାଟକ ‘ଅନୁପମା’ ମଂଚସ୍ଥ
ରାଉରକେଲା : ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ, ଓଡିଶା ସରକାର ଏବଂ ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସାଂସ୍କୃତିକ କଳା ପରିଷଦ ‘ସଂକଳ୍ପ’ ରାଉରକେଲା ଦ୍ୱାରା ଆୟୋଜିତ ୧୮ତମ ରାଜ୍ୟସ୍ତରୀୟ ଓଡିଆ ନାଟକ ମହୋତ୍ସବ ଆଜି ଚତୁର୍ଥ ସଂଧ୍ୟାରେ ସ୍ଥାନୀୟ ସିଭିକ୍ ସେଂଟରଠାରେ ସୁନାବେଡାର ଗୋଲ୍ଡେନ ମିଗ୍ କଳା ପରିଷଦ ପକ୍ଷରୁ ନାଟକ ‘ଅନୁପମା’ ମଂଚସ୍ଥ ହୋଇଯାଇଛି। ନାଟକଟିକୁ ପ୍ରଭାକର ପାତ୍ର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସମୀର ମହାପାତ୍ର। ସଂଗୀତରେ ଜ୍ୟୋତି ରଂଜନ ଜେନା, ଆଲୋକ ରେ ସାଗର ସ୍ୱରୂପ ସ୍ୱାଇଁ, ମଂଚଶିଳ୍ପୀ ଅମୂଲ୍ୟ ବିଶୋଇ, ରୂପସଜ୍ଜା ହରିହର ବଳ, ମଂଚ ପରିଚାଳନା ମାନସ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ। ବିଭିନ୍ନ ଭୂମିକାରେ ରଜତ ରଂଜନ ଦାସ, ଅଂଜନ ମହାପାତ୍ର, କୁମାରୀ ମମତା ରାଣୀ ମଲ୍ଲିକ, ଡି. କ୍ରିଷ୍ଣା, ଡି. ରାଜେଶ୍ୱରୀ, ଅମରେନ୍ଦ୍ର ହୋତା, ଉମେଶ ଗୌଡ ଅଂଶଗ୍ରହଣ କରିଥିଲେ। ଅନୁପମା ନାଟକ ଏମିତି ଜଣେ ସାଧାରଣ ମଣିଷର କାହାଣୀ, ଯେ ନିଜର ଦୁଃଖକୁ ହସ ଆଡରେ ଲୁଚାଇ ଅନ୍ୟମାନଙ୍କ ଜୀବନରେ ଆଶା, ସାହସ ଓ ଖୁସିର ଦୀପ ଜଳାଇ ଥାଏ। ହସ, ତ୍ୟାଗ, ପ୍ରେମ, ମାନବିକତା ଓ ଜୀବନର ପ୍ରକୃତ ଅର୍ଥକୁ ଖୋଜିବାର ଏକ ଅନୁଭବ। ଏହିଭଳି ବିଷୟବସ୍ତୁକୁ ନେଇ ନାଟକଟି ଗତିଶୀଳ ହୋଇଛି । ଆଜିର ନାଟକ ମଂଚସ୍ଥ ପୂର୍ବରୁ ଆୟୋଜିତ ସଭାରେ ରାଉରକେଲା ଇସ୍ପାତ କାରଖାନାର ମହାପ୍ରବନ୍ଧକ ତଥା ସଂଚାର ମୁଖ୍ୟ ଅର୍ଚ୍ଚନା ଶତପଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଚିକିତ୍ସକ, ଖ୍ୟାତନାମା କବି ଓ ନାଟ୍ୟକାର ଡାକ୍ତର କୃପାସିନ୍ଧୁ ନାୟକ ଓ ବିଶିଷ୍ଟ ଶିଳ୍ପପତି, ସମାଜସେବୀ ତଥା ଅଖିଳ ଭାରତ ବ୍ୟବସାୟୀ ମହାସଂଘର ଅଧ୍ୟକ୍ଷ ବ୍ରିଜ ମୋହନ ଅଗ୍ରୱାଲ ବରେଣ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ‘ସଂକଳ୍ପ’ର ସଭାନେତ୍ରୀ ଡଃ କିଶୋରୀ ଦାଶ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂକଳ୍ପର କାର୍ଯ୍ୟନିର୍ବାହୀ ସଭ୍ୟ ଦୀପକ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟତମ ଉପଦେଷ୍ଟା ତଥା ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ପ୍ରଶନ୍ନ କୁମାର ଦାଶ ମଂଚାସୀନ ଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ କାର୍ଯ୍ୟନିର୍ବାହୀ ସଭ୍ୟ ପ୍ରବୀର କୁମାର ଜେନା ସଂଯୋଜନା କରିଥିଲେ। ନାଟକର ନିର୍ଦ୍ଦେଶକଙ୍କୁ ‘ସଂକଳ୍ପ’ସମ୍ମାନରେ ଓ ନାଟ୍ୟକାର ପ୍ରଭାକର ପାତ୍ରଙ୍କୁ ଚିତ୍ତ ରଣା ସ୍ମୃତି ସମ୍ମାନରେ ସଂବର୍ଦ୍ଧିତ କରାଯାଇଥିଲା। ସମସ୍ତ ଅଭିନେତା ଅଭିନେତ୍ରୀ ଓ ଅଂଶଗ୍ରହଣକାରୀମାନଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନ ପକ୍ଷରୁ ଗଣପତି ରଣା, ପ୍ରିୟଦର୍ଶନ ରାଉତ, ଅକ୍ଷୟ ଧଳ, ଦିପ୍ତି ରଂଜନ ବାରିକ, ବସନ୍ତ କୁମାର ଦାସ, ରଶ୍ମୀ ରେଖା ଦାସ, ରାନୁ ମହାପାତ୍ର, ପ୍ରବିର ମିଶ୍ର, ହେମନ୍ତ ବେହେରା, ରମେଶ ଚନ୍ଦ୍ର ସେଠୀ, ଶରତ ଚନ୍ଦ୍ର ଦାଶ, ବଟକୃଷ୍ଣ ଶତପଥୀ, ସଂଜୟ ମହାନ୍ତି, କୁଞ୍ଜନଲାଲ ବୋଷ ଓ ପ୍ରକାଶ ସାହାଣୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ସଂକଳ୍ପର ପ୍ରତିଷ୍ଠା, ପରିଚାଳନା ଓ ପ୍ରଗତିରେ ବିଶେଷ ସହାୟକ ହୋଇ ଇହ ଲୋକ ତ୍ୟାଗ କରିଥିବା ପାଂଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଅତିଥିମାନେ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

