ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ

ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ,

ବାଲିଗୁଡ଼ା, ୭/୧୧: (ମନିସ ): ସରକାରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ରାଣୀପଙ୍ଗା ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାଲି ଗ୍ରାମର ଜଣେ ମେଟ୍‌ ଆମନ ପ୍ରଧାନଙ୍କୁ କୋଟଗଡ଼ ପୁଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ଜେଲ୍‌ ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କୋଟଗଡ଼ ବ୍ଲକ ରାଣୀପଙ୍ଗା ପଞ୍ଚାୟତର ଗୁହେରଗାଁ, ପାଙ୍ଗାଲି ଓ ରାଣୀପଙ୍ଗା ଗ୍ରାମରେ ଚାଲିଥିବା ଆବାସ ଗୃହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ସ୍ଥିତି ସମୀକ୍ଷା କରିବାକୁ ଯାଇଥିଲେ ଏଡିଓ ଆନନ୍ଦ ବେହେରଦଳେଇ ଓ ପିଇଓ ରଞ୍ଜନ ପ୍ରଧାନ। ଏହି ସମୟ ରେ ପାଙ୍ଗାଲି ଗ୍ରାମର ମେଟ୍‌ ଆମନ ପ୍ରଧାନ ହଠାତ୍ ପଛପଟୁ ଆସି ଏଡିଓଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଏଡିଓଙ୍କ ବାମ କାନରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଏଭଳି ଘଟଣାକୁ ନେଇ ଏଡିଓ ଓ ଏଡିଓ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଏନେଇ ଜିପିଡିଓ ଲଳିତ ମୋହନ ସାହୁଙ୍କ ସମେତ ବିଡିଓଙ୍କୁ ଲିଖିତ ଭାବେ ଅବଗତ କରାଯିବା ସହ କୋଟଗଡ଼ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦାଏର କରାଯାଇଥିଲା।

ଅଭିଯୋଗ ଆଧାରରେ କୋଟଗଡ଼ ପୁଲିସ କେସ୍‌ ନଂ. ୨୦୧/୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ର ଧାରା ୧୨୬(୨), ୨୯୬, ୧୦୯(୧), ୧୩୨ ଓ ୩୫୧(୩) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାରୀ ଅଧିକାରୀ ଜିତେନ୍ଦ୍ର ବେହେରା ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରି ଅଭିଯୁକ୍ତ ଆମନ ପ୍ରଧାନଙ୍କୁ ତାଙ୍କ ଘରୁ ଗିରଫ କରିଥିଲେ। ସରକାରୀ ଯୋଜନାର କାର୍ଯ୍ୟ ତଦାରଖ ଓ ସମୀକ୍ଷା କରିବାକୁ ଯାଉଥିବା କର୍ମଚାରୀଙ୍କ ଉପରେ ଏଭଳି ଆକ୍ରମଣ ଘଟଣା ସରକାରୀ କାର୍ଯ୍ୟର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। କ୍ଷେତ୍ରସ୍ତରରେ ଦାୟିତ୍ୱ ନିର୍ବାହ କରୁଥିବା କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ରିପୋର୍ଟ :-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ଅକ୍ଷର ବ୍ରହ୍ମ ପୀଠକୁ ପରିଦର୍ଶନ କଲେ ଏସ ସି ଏସ ଟି କମିଶନର

masiha

ଓଡ଼ିଶା ନାଟ୍ୟ ଦିବସ ଆମ ଗର୍ବ ଓ ଗୌରବର ପର୍ବ : କଳାକାର ମହାସଂଘ

Sunil Chandra Nayak

ଆହାରଵନ୍ଧ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଷୋହଳ ପ୍ରହର‌ ନାମଯଞ

masiha

Leave a Comment

error: Content is protected !!