ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନେଇ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ
ସୁନ୍ଦରଗଡ଼ ୦୭/୧୧, ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ, ୧ ଜାନୁୟାରୀ ୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ଅତିରିକ୍ତ ଜିଲ୍ଲାପାଳ ସୂରଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ହେବାକୁ ଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।
ବୈଠକରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନର ବିସ୍ତୃତ କାର୍ଯ୍ୟସୂଚୀ ଓ ଏହାର ବିଭିନ୍ନ ପର୍ଯ୍ୟାୟରେ ନିର୍ଦ୍ଧାରିତ ସମୟସୀମା ସମ୍ପର୍କରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସେମାନଙ୍କର ସହଯୋଗ କାମନା କରାଯାଇଥିଲା।
ସେହିଭଳି ଜିଲ୍ଲାର ୮ଗୋଟି ମତଦାନ କେନ୍ଦ୍ରରେ ୧୨୦୦ରୁ ଅଧିକ ଭୋଟର ଥିବାରୁ ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଏହାର ଯୁକ୍ତିସଂଗତ ପୁନର୍ବିନ୍ୟାସ ଆବଶ୍ୟକ। ସେହି ମତଦାନ କେନ୍ଦ୍ରଗୁଡ଼ିକ ହେଉଛି ସେକ୍ଟର ୧୪, ବ୍ଲକ ସି ( ୧୨୦୨ ଭୋଟର), ସେକ୍ଟର-୭, ବ୍ଲକ ସି ( ୧୨୨୦ ଭୋଟର),
ମଧୁସୂଦନପାଲି ( ୧୨୧୬ ଭୋଟର), କ୍ୱାରୀ ସାଇଡିଂ -୨(୧୨୧୯ ଭୋଟର), ଛେଣ୍ଡ ହାଉସିଙ୍ଗ କଲୋନୀ( ୧୩୨୭ ଭୋଟର), ଖରିଆବହାଲ କୋଏଲ ବ୍ୟାଙ୍କ୍ ( ୧୩୧୦ ଭୋଟର), ପ୍ଲାଣ୍ଟ ସାଇଟ୍ (୧୨୪୦ ଭୋଟର), ରାଜଗାଙ୍ଗପୁର (୧୨୨୦ ଭୋଟର)।
ଉପରୋକ୍ତ ୮ଗୋଟି ମତଦାନ କେନ୍ଦ୍ରର ପୁନର୍ବିନ୍ୟାସ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ପରେ ବୈଠକରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ। ଏଥିସହ ଉକ୍ତ ୮ଟି ମତଦାନ କେନ୍ଦ୍ର ବ୍ୟତୀତ ଅନ୍ୟ କୌଣସି ମତଦାନ କେନ୍ଦ୍ରର ପୁନର୍ବିନ୍ୟାସ କରାଯିବ ନାହିଁ ବୋଲି ସମସ୍ତେ ସର୍ବସମ୍ମତିକ୍ରମେ ସହମତ ହୋଇଥିଲେ।
ସେହିଭଳି ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଅନୁଯାୟୀ, ୦୧.୦୧.୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) କାର୍ଯ୍ୟକ୍ରମର ବିଭିନ୍ନ ପର୍ଯ୍ୟାୟ ନିମ୍ନଲିଖିତ ସମୟସୂଚୀ ଅନୁଯାୟୀ ସମ୍ପାଦିତ ହେବ।
୨୦ ନଭେମ୍ବର ୨୦୨୬ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଂଗତ ପୁନର୍ବିନ୍ୟାସ, ନଭେମ୍ବର ୩୦ରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶନ, ୨୦୨୬ ନଭେମ୍ବର ୩୦ରୁ ଡିସେମ୍ବର ୩୦ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ ଅବଧି, ୨୦୨୭ ଜାନୁୟାରୀ ୧୬ ସୁଦ୍ଧା ଦାବି ଓ ଆପତ୍ତିଗୁଡ଼ିକର ଫଇସଲା, ସେହିଭଳି ୨୦୨୭ ଜାନୁୟାରୀ ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କରାଯିବ।
ଏହି ସଂଶୋଧନ ପ୍ରକ୍ରିୟାକୁ ସଠିକ୍, ସ୍ୱଚ୍ଛ ଓ ସମୟବଦ୍ଧ ଭାବେ ସମ୍ପନ୍ନ କରିବା ନିମନ୍ତେ ସମସ୍ତ ରାଜନୈତିକ ଦଳ, ସେମାନଙ୍କର ପ୍ରତିନିଧି ଏବଂ ସାଧାରଣ ଭୋଟରମାନଙ୍କର ସକ୍ରିୟ ସହଯୋଗ କାମନା କରାଯାଇଛି। ସେହିଭଳି ଏହି ଏସ ଏସ ଆର ପ୍ରକ୍ରିୟା ସମ୍ପର୍କରେ ଅଧିକ ବିବରଣୀ ତଥା କୌଣସି ସୂଚନା ନିମନ୍ତେ ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବର ୧୯୫୦କୁ ମଧ୍ୟ ଯୋଗାଯୋଗ କରିପାରିବେ।
ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ପ୍ରଧାନ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଜୟନାରାୟଣ ତ୍ରିପାଠୀ, ପର୍ଶୁରାମ ସରାଫ, ରାଧାମୋହନ ପଟେଲ, ଭେଷଜ ରଥ, ଅଜିତ ପ୍ରସାଦ, ପ୍ରଭାତ ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

