ଦୁଇ ଦ୍ବିଦିବସୀୟ ଏମଏସଏମଇ ସଚେତନତା କାର୍ଯ୍ୟକ୍ରମ.
ରାଉରକେଲା,:ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ସେଲ୍ ଏବଂ ଶାଖା ଏମଏସଏମଇ-ଡିଏଫଓ, ରାଉରକେଲାର ମିଳିତ ଆନୁକୂଲ୍ୟରେ ଅଗଷ୍ଟ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ସେକ୍ଟର-୧୯ ସ୍ଥିତ ସିଭିକ ସେଣ୍ଟରଠାରେ ଏମଏସଏମଇ ମାନଙ୍କ ପାଇଁ ଏକ ବ୍ୟବସାୟିକ ସୁଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୁଡିକୁ ବଡ଼ ସାର୍ବଜନିକ କ୍ଷେତ୍ର ଅନୁଷ୍ଠାନ ସହିତ ଯୋଡି କ୍ରୟ ଓ ଯୋଗାଣ ସୁଯୋଗ ସମ୍ପର୍କରେ ସଚେତନ କରାଇବା। ପ୍ରଥମ ଦିନର ଉଦଘାଟନୀ ଅଧିବେଶନରେ ଶାଖା ଏମଏସଏମଇ-ଡିଏଫଓ, ରାଉରକେଲାର ସହକାରୀ ନିର୍ଦ୍ଦେଶକ ଏସ୍. କେ. ପତି ସ୍ୱାଗତ ଭାଷଣ ଦେଇଥିଲେ। ସେହି ଅନୁଷ୍ଠାନର ନିର୍ଦ୍ଦେଶକ ଡ ଏସ୍. କେ. ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରେ ସମ୍ମାନିତ ଅତିଥି ଭାବେ ଏନଏସଆଇସି, ରାଉରକେଲାର ବରିଷ୍ଠ ଶାଖା ପ୍ରବନ୍ଧକ ଦୁର୍ଗା ମାଧବ ନାୟକ ଏବଂ ସମ୍ବଲପୁର ଏସଏମଇ ଶାଖାର ଏଜିଏମ୍ ବିଶ୍ୱଜିତ ଦାସ ଯୋଗ ଦେଇଥିଲେ। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ନିର୍ଦ୍ଦେଶକ ପ୍ରଭାରୀ ଆଲୋକ ବର୍ମା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍ବୋଧନ ଦେଇ କହିଥିଲେ ଯେ ପରଷ୍ପର ସହଭାଗିତା ଆତ୍ମନିର୍ଭରଶୀଳ ଭାରତ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏଭଳି ସୁଯୋଗ କୁ ଆରଏସପି ସବୁବେଳେ ପ୍ରୋତ୍ସାହିତ କରିଆସିଛି। ଶେଷରେ ଶ୍ରୀ ପତି ଧନ୍ୟବାଦ ଅର୍ପଣ କରିଥିଲେ।
ଉଦଘାଟନୀ ପରେ ସମସ୍ତ ଅତିଥିମାନେ ପ୍ରଦର୍ଶନୀ ଷ୍ଟଲ ଗୁଡିକ ପରିଦର୍ଶନ କରିଥିଲେ। ପରେ ବୈଷୟିକ ଅଧିବେଶନରେ ବ୍ୟବସାୟ ସୁଯୋଗ ଉପରେ ଆଲୋଚନା କରାଯାଇଥିଲା । ଶ୍ରୀ ପତି ଙ୍କ ସଂଯୋଜନାରେ ବିଭିନ୍ନ ଅନୁଷ୍ଠାନର ଅଧିକାରୀମାନେ ଏମଏସଏମଇ ଉଦ୍ୟୋଗୀମାନଙ୍କୁ ବ୍ୟବସାୟ ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କ୍ରମରେ ଆରଏସପି ସାମଗ୍ରୀ ପରିଚାଳନା ବିଭାଗ ର ଡିଏମ ଏମ୍ ଚନ୍ଦ୍ରକୁମାର ଆରଏସପି ସହ ଏମଏସଏମଇ ମାନଙ୍କ ପାଇଁ ବ୍ୟବସାୟ ସୁଯୋଗ,ବଡମାଳ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ର ପ୍ରବନ୍ଧକ ଲଲିନ୍ଦ୍ର କୁମାର ନାୟକ ଅର୍ଡିନାନ୍ସ କାରଖାନା ସହ ଏମଏସଏମଇ ମାନଙ୍କ ପାଇଁ ବ୍ୟବସାୟ ସୁଯୋଗ, ନାଲକୋ ଭୁବନେଶ୍ୱରର ସାମଗ୍ରୀ ବିଭାଗର ମହାପ୍ରବନ୍ଧକ ଶଶି କେ ରଞ୍ଜନ ନାଲକୋ ସହ ଏମଏସଏମଇ ମାନଙ୍କ ପାଇଁ ବ୍ୟବସାୟ ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଏମଏସଏମଇ ଗୁଡିକୁ ଟେଣ୍ଡର ପ୍ରକ୍ରିୟା, ଗୁଣବତ୍ତା ମାନଦଣ୍ଡ ଏବଂ ଆରଏସପି, ଅର୍ଡିନାନ୍ସ ଫ୍ୟାକ୍ଟ୍ରି ଓ ନାଲକୋ ସହିତ ଭବିଷ୍ୟତ ବ୍ୟବସାୟ ସୁଯୋଗ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

