ଗୋଲାମୁଣ୍ଡା ବ୍ଲକ ସାଂସଦ ପ୍ରତିନିଧି ହେଲେ ପ୍ରସନ୍ନ କୁମାର ରାଉତ
ଗୋଲାମୁଣ୍ଡା, ୧୦/୧୧ (ମ ନି ସ): କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ବ୍ଲକରେ ସାଂସଦଙ୍କ ପ୍ରତିନିଧି ନିଯୁକ୍ତି ପ୍ରକ୍ରିୟାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଗୋଲାମୁଣ୍ଡା ବ୍ଲକ ପାଇଁ ବରିଷ୍ଠ ବିଜେପି ନେତା ପ୍ରସନ୍ନ କୁମାର ରାଉତଙ୍କୁ ସାଂସଦ ପ୍ରତିନିଧି ଭାବେ ମନୋନୀତ କରାଯାଇଛି। କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଆନୁଷ୍ଠାନିକ ଭାବେ ଏହି ନିଯୁକ୍ତି ଘୋଷଣା କରିଛନ୍ତି।ସାଂସଦଙ୍କ ଏହି ନିଷ୍ପତ୍ତି ପରେ ଗୋଲାମୁଣ୍ଡା ବ୍ଲକର ରାଜନୈତିକ ଓ ସାଂଗଠନିକ ମହଲରେ ଏକ ନୂତନ ଉତ୍ସାହ ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ଦଳୀୟ ସଂଗଠନ ସହ ଜଡ଼ିତ ରହି ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିଆସୁଥିବା ଶ୍ରୀ ରାଉତଙ୍କୁ ଏହି ଦାୟିତ୍ୱ ମିଳିବାକୁ ସ୍ଥାନୀୟ ଦଳୀୟ କର୍ମୀ ଓ ସମର୍ଥକମାନେ ସ୍ୱାଗତ କରିଛନ୍ତି।ସାଂସଦଙ୍କ ପ୍ରତିନିଧି ଭାବେ ଶ୍ରୀ ରାଉତଙ୍କ ଉପରେ ଏବେ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଜନସମସ୍ୟା, ଉନ୍ନୟନମୂଳକ କାର୍ଯ୍ୟ ଓ ଲୋକଙ୍କ ଅଭାବ ଅସୁବିଧା ସମ୍ପର୍କରେ ସାଂସଦଙ୍କୁ ଅବଗତ କରାଇବାର ଗୁରୁଦାୟିତ୍ୱ ରହିବ। ବିଶେଷକରି ଗ୍ରାମାଞ୍ଚଳରେ ରାସ୍ତାଘାଟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଗମନାଗମନ, କୃଷି ଓ ଜଳସେଚନ ଭଳି ମୌଳିକ ସମସ୍ୟାଗୁଡ଼ିକୁ ସାଂସଦଙ୍କ ଦୃଷ୍ଟିକୁ ଆଣିବା ସହ ସେଗୁଡ଼ିକର ସମାଧାନ ଦିଗରେ ସମନ୍ୱୟ ରକ୍ଷା କରିବା ତାଙ୍କ ପ୍ରମୁଖ କାର୍ଯ୍ୟ ହେବ ବୋଲି ଆଶା ପ୍ରକାଶ ପାଇଛି।ଏହି ଦାୟିତ୍ୱ ପାଇବା ପରେ ପ୍ରସନ୍ନ କୁମାର ରାଉତ ସାଂସଦ ମାଳବିକା ଦେବୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ତାଙ୍କ ଉପରେ ଭରସା ପ୍ରକାଶ କରି ଏହି ଗୁରୁଦାୟିତ୍ୱ ଦେଇଥିବାରୁ ସେ ସାଂସଦଙ୍କୁ ଧନ୍ୟବାଦ ଜଣାଇବା ସହ ଗୋଲାମୁଣ୍ଡା ବ୍ଲକର ସାଂଗଠନିକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ଏବଂ ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ନିଜର ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ସାଂସଦ ପ୍ରତିନିଧି ନିଯୁକ୍ତିକୁ ନେଇ ସ୍ଥାନୀୟ ବିଜେପି ନେତା, କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି। ଆଗାମୀ ଦିନରେ ଶ୍ରୀ ରାଉତଙ୍କ ନେତୃତ୍ୱ ଓ ସମନ୍ୱୟ ମାଧ୍ୟମରେ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଜନସମସ୍ୟା ସାଂସଦଙ୍କ ନିକଟରେ ଉପସ୍ଥାପିତ ହେବା ସହ ଅଞ୍ଚଳର ବିକାଶମୂଳକ କାର୍ଯ୍ୟକୁ ନୂତନ ଗତି ମିଳିବ ବୋଲି ଆଶା କରାଯାଉଛି।

