ରାଉରକେଲା ପୋଲିସ ଦ୍ୱାରା ଘରୁ ସ୍ଵର୍ଣ୍ଣ ଅଳଙ୍କାର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ : ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରାଯିବା ସହ ଚୋରି ସମ୍ପତ୍ତି ଉଦ୍ଧାର
ରାଉରକେଲା ୧୦/୧୧, ରାଉରକେଲା ପୋଲିସ ପକ୍ଷରୁ ତିନୋଟି ଚୋରି ମାମଲାର ଚିହ୍ନଟ କରାଯିବା ସହିତ ପରସ୍ପର ସଂଲଗ୍ନ ଗ୍ୟାଙ୍ଗ ଏବଂ ଘର ଚୋରି ଅପରାଧର ସମ୍ପୃକ୍ତିକୁ ଉନ୍ମୋଚନ କରାଯାଇଛି। ଛେଣ୍ଡ ଥାନା ପକ୍ଷରୁ ମାମଲା ନମ୍ବର ୨୩୭/୨୦୨୫, ୧୧୧/୨୦୨୬ ଓ ୨୦୩/୨୦୨୬ ତଦନ୍ତ ସମୟରେ ଏକ ବଡ଼ ସଫଳତା ହାସଲ କରାଯାଇଛି।
ସୂଚନା ଅନୁସାରେ ଗତ ୦୯.୧୦.୨୦୨୫ ତାରିଖ ଦିନ ରାଉରକେଲାର ଛେଣ୍ଡର କ୍ୱାର୍ଟର ନଂ.ଏଲସିଆର-୫୭୨ରେ ନରେଶ ଚନ୍ଦ୍ର ପାଣିଙ୍କ ପୁଅ ଦୀପକ କୁମାର ପାଣି (୪୬) ଛେଣ୍ଡ ଥାନାରେ ଅଭିଯୋଗ କରିଥିଲେ ଯେ, କିଛି ଅଜଣା ଅପରାଧୀ ତାଙ୍କ ଘରୁ ଚୋରି କରିଛନ୍ତି। ଏହି ଏତାଲା ପରେ ପୋଲିସ୍ ପକ୍ଷରୁ ତୁରନ୍ତ ଏକ ମାମଲା ରୁଜୁ କରାଯାଇଥିଲା ଏବଂ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରାଯାଇ, ବୈଷୟିକ ବିଶ୍ଳେଷଣ, ସିସି ଟିଭି ଫୁଟେଜ୍ ପରୀକ୍ଷା ଏବଂ ଗୁଇନ୍ଦା ସୂଚନା ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିଲା। ବିଶ୍ୱସ୍ତ ଗୁଇନ୍ଦା ସୂଚନା ଏବଂ ତୁରନ୍ତ ତଦନ୍ତ ମାଧ୍ୟମରେ ପୋଲିସ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ରାଉରକେଲା ଛେଣ୍ଡ ଧାମରା ବସ୍ତିରେ ରହୁଥିବା ସତ୍ୟେନ୍ଦ୍ର କୁମାର (୩୬) ହୋଇଥିବା ବେଳେ ସେ ବିହାର ପାଟନା ଜିଲ୍ଲାର ବାର୍ହା ଥାନା ଅଞ୍ଚଳ ବାସିନ୍ଦା, ଦ୍ବିତୀୟ ଅଭିଯୁକ୍ତ ହେଲେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଡେଲି ମାର୍କେଟ ରୋଜି ହୋଟେଲ ଗଳିର ସିମରନ୍ ଓରଫ୍ ନାନକ ସିଂହ (୨୮) ଏବଂ ତୃତୀୟ ଅଭିଯୁକ୍ତ ହେଲେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଡିଲକ୍ସ ହୋଟେଲ ଲେନର ବିବେକ ପ୍ରସାଦ (୪୫)। ଏମାନେ ସମସ୍ତେ ତିନୋଟି ଚୋରି ମାମଲାରେ ଜଡିତ।
ପୋଲିସ ପକ୍ଷରୁ ନିରନ୍ତର ପଚରାଉଚରା ସମୟରେ ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ଯେ, ସେମାନେ କିଛି ଚୋରି ସୁନା ମୁଥୁଟ୍ ଫିନକର୍ପ ଲିମିଟେଡରେ ଜମା କରି ସେଠାରୁ ସୁନା ଋଣ ପାଇଥିଲେ। ପୋଲିସ୍ ପକ୍ଷରୁ ରାଉରକେଲା ମୁଥୁଟ୍ ଫିନକର୍ପ ଲିମିଟେଡ୍ ଶାଖା ୧୦ରୁ ସୁନା ଅଳଙ୍କାର ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତି ସହିତ ଚୋରି ସମ୍ପତ୍ତିର ଗ୍ରହଣକାରୀ ହୋଇଥିବାରୁ ବିବେକ ପ୍ରସାଦଙ୍କ ନାମ ମଧ୍ୟ ପ୍ରକାଶ କରିଥିଲେ। ପୋଲିସ ତାଙ୍କୁ ଗିରଫ କରିଛି।
ପୋଲିସର ତଦନ୍ତ ସମୟରେ ଜଣାପଡ଼ିଛି ଯେ ଅଭିଯୁକ୍ତ ସତ୍ୟେନ୍ଦ୍ର କୁମାର ଏବଂ ସିମରନ୍ ଓରଫ୍ ନାନକ ସିଂହ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ରାଉରକେଲାର ବିଭିନ୍ନ ପୋଲିସ ଥାନାରେ ପୂର୍ବରୁ ଅନେକ ଜଘନ୍ୟ ଅପରାଧିକ ମାମଲାରେ ଜଡିତ ରହିବା ସହ ଅନେକ ଥର ଜେଲ୍ ମଧ୍ୟ ଯାଇଛନ୍ତି।
ରାଉରକେଲା ପୋଲିସ ପକ୍ଷରୁ ଅନ୍ୟାନ୍ୟ ସମାନ ଅପରାଧରେ ଅଭିଯୁକ୍ତଙ୍କ ସମ୍ପୃକ୍ତି ସହିତ ଅଧିକ ଚୋରି ସମ୍ପତ୍ତି ଉଦ୍ଧାର ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ଆଜି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରାବଣୀ ନାୟକ, ପାନପୋଷ ଏସଡିପିଓ ସୁଶାନ୍ତ କୁମାର ଦାସ, ଛେଣ୍ଡ ଥାନା ଆଇଆଇସି ବିକ୍ରମ କୁମାର ଭୂୟାଁ ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀ।
ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ହିରୋ ମାଏଷ୍ଟ୍ରୋ ସ୍କୁଟି ଯାହାର ପଞ୍ଜିକରଣ ନମ୍ବର ଓଡି ୧୪ଏମ୍ ୭୨୯୨, ଗୋଟିଏ ସୁନା ହାର ହାର ଯାହାର ଓଜନ ପ୍ରାୟ ୩୦.୭୦୦ଗ୍ରାମ୍, ଗୋଟିଏ ସୁନା ହାର ପ୍ରାୟ ୧୭.୭୧୨ ଗ୍ରାମ୍, ମୁଦ୍ରା ଆକୃତିର ତରଳା ସୁନା ଓଜନ ପ୍ରାୟ ୩୦ ଗ୍ରାମ୍, ଗୋଟିଏ ଏଚସିଏଲ କମ୍ପାନୀର ଲାପଟପ୍, ଗୋଟିଏ ଲାଲ ରଙ୍ଗର ହୋଣ୍ଡା ସାଇନ୍ ବାଇକ୍ ଯାହାର ପଞ୍ଜିକରଣ ନମ୍ବର ଓଡି-୧୪ଟି- ୬୦୭୮ ଏବଂ ଗୋଟିଏ ଓପୋ ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ଅଭିଯୁକ୍ତ ସତ୍ୟେନ୍ଦ୍ର କୁମାରଙ୍କ ନାମରେ ପୂର୍ବରୁ ଉଦିତନଗର ଥାନାରେ ଗୋଟିଏ ଏବଂ ଛେଣ୍ଡ ଥାନାରେ ୩ଟି ମାମଲା ରହିଛି। ସେହିପରି ଅଭିଯୁକ୍ତ ସିମରନ ଓରଫ୍ ନାନକ ସିଂହଙ୍କ ନାମରେ ପୂର୍ବରୁ ରାଉରକେଲାର ବିଭିନ୍ନ ଥାନାରେ ୮ଟି ମାମଲା ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଛେଣ୍ଡ ଥାନାରେ କେସ୍ ନଂ. ୨୩୭, ତାରିଖ ୦୯.୧୦.୨୦୨୫, ବିଏନ୍ଏସ୍ ଧାରା -୩୩୧(୪)/୩୦୫କୁ ବି.ଏନ୍.ଏସ୍. ଧାରା ୩୩୧(୪)/୩୦୫/୩୧୭(୨)/୩(୫)କୁ ସ୍ଥାନାନ୍ତରିତ କରାଯାଇଛି। ଛେଣ୍ଡ ପି.ଏସ୍. ମାମଲା ନଂ ୧୧୧ ତାରିଖ ୦୬.୦୪.୨୦୨୬ ରୁଜୁ ମାମଲାକୁ ବିଏନ୍ଏସ୍ ଧାରା -୩୩୧(୪)/୩୦୫କୁ ବିଏନ୍ଏସ୍ ଧାରା ୩୦୫/୩୩୧(୪) ୩(୫)କୁ ସ୍ଥାନାନ୍ତରିତ କରାଯାଇଛି।
ସେହିପରି ଛେଣ୍ଡ ଥାନା ମାମଲା ନଂ- ୨୦୩, ତାରିଖ ୨୪.୦୭.୨୦୨୬ ବିଏନ୍ଏସ୍ ଧାରା ୩୦୫/୩୩୧(୪)କୁ ବିଏନ୍ଏସର ୩୦୫/୩୩୧(୪)/୩୧୭(୨)/୩(୫)କୁ ସ୍ଥାନାନ୍ତର କରାଯାଇଛି।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

