ଆଗାମି ୫୦ ବର୍ଷକୁ ଆଖିରେ ରଖି ଉଦଳା ସହର ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟର ପ୍ଲାନ ;
ସହର ମଧ୍ୟରୁ ଯାନବାହନ ଚଳ ପ୍ରଚଳ କମାଇବା ପାଇଁ ତିଆରି ହେବ ବାଇପାସ ରୋଡ଼
ରାଇରଙ୍ଗପୁର – ତା.୧୧/୧୧ ; ମୟୁରଭଞ୍ଜ ଜିଲ୍ଲା,ଉଦଳା ବିଜ୍ଞାପିତ ଅଂଚଳ ଘୋଷିତ ହେବାର ୫୩ ବର୍ଷ ବିତିଗଲାଣି । ଇତି ମଧ୍ୟରେ ଏହାର ରଜତ ଜୟନ୍ତି ଓ ସୁବର୍ଣ୍ଣ ଜୟନ୍ତି ଉତ୍ସବ ବେଶ ଧୁମ ଧାମରେ ପାଳନ ହୋଇଗଲାଣି । ସହର ମଧ୍ୟରେ ଦିନକୁ ଦିନ ବଢ଼ୁଥିବା ଲୋକ ସଂଖ୍ୟା ସାଙ୍ଗକୁ ଯାନ ବାହନ ଓ ଆବଶ୍ୟକତା ମଧ୍ୟ ସେହି ପରିମାଣରେ ବଢ଼ିବାରେ ଲାଗିଛି । ଫଳରେ ଏହାର ମାଷ୍ଟର ପ୍ଲାନ ବର୍ତମାନ ଜରୁରି ହୋଇ ପଡ଼ିଛି । ମାଷ୍ଟର ପ୍ଲାନ ସକାଶେ ପ୍ରସ୍ତୁତ ହୋଇଥିବା ନକ୍ସା ଓ ଲୋକଙ୍କ ଆବଶ୍ୟକତାକୁ ନେଇ ତିଆରି ହୋଇଥିବା ଯୋଜନାର ରୁପରେଖ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ପାଇଁ ଆଜି ନଭେମ୍ବର ୧୧ ତାରିଖ ବୁଧବାର ଦିନ ସ୍ଥାନୀୟ ସନ୍ଧାନ ଗୃହ ପରିସରରେ ନିର୍ବାହୀ ଅଧିକାରୀ ପ୍ରିୟରଂଜନ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବିଧାୟକ ଭାସ୍କର ମଢ଼େଇ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସହରି ବିକାଶ ଯୋଜନାରେ ରାଜ୍ୟ ସରକାର ପ୍ରଦାନ କରୁଥିବା ଅର୍ଥରାଶି ସମ୍ପର୍କରେ ଅବଗତ କରାଇଥିଲେ । ନଗରପାଳ ପ୍ରମିଳା ପଣ୍ଡା ଉଦଳା ସହରକୁ ସବୁଦିଗରୁ ସରସ ସୁନ୍ଦର କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଖଲାଡ଼ି ପଂଚାୟତର ସରପଂଚ ସସ୍ମିତା ବାରିକ, ଉଦଳାର ଆଡ଼ିସନାଲ ତହସିଲଦାର ବିଜେଶ ପରିଡ଼ା ପ୍ରମୁଖ ମଂଚାସୀନ ଅତିଥି ଭାବରେ ଯୋଗ ଦେଇ ଚାଲିଥିବା ମାଷ୍ଟର ପ୍ଲାନକୁ ସଫଳ କରିବା ପାଇଁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ମାଷ୍ଟର ପ୍ଲାନର ମାନଚିତ୍ର ଦେଖାଇ ସେଫାଳି ସେନାପତି, ଫାଲଗୁନି ଜେନା, ବିବେକ ଦାସମହାପାତ୍ର, ବାଦଲ କୁମାର ପ୍ରଧାନ ଓ ଆଶାଜଇଲାଇ ସାହା ପ୍ରମୁଖ ପ୍ଲାନର ରୁପରେଖ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ । ଆଗାମି ଦିନରେ କାର୍ଯ୍ୟକାରି ହେବାକୁ ଯାଉଥିବା ଏହି ପ୍ଲାନର ରୁପରେଖ ବିଷୟରେ କାହାର କିଛି ଆପତି ଅଭିଯୋଗ ଥିଲେ ସିଧାସଳଖ ନିର୍ବାହୀ ଅଧିକାରୀଙ୍କୁ ଜଣାଇପାରିବେ ବୋଲି ବ୍ୟକ୍ତ କରିଥିଲେ । ଉଦଳା ବ୍ଲକର ପୁର୍ବତନ ଅଧ୍ୟକ୍ଷ ଶରତ ଚନ୍ଦ୍ର ଦାସ, ପୁର୍ବତନ ନଗରପାଳ ସୌଭାଗ୍ୟ କୁମାର ସାହୁ, ସ୍ୱେଛାସେବି ସଂଗଠନ ‘ଷ୍ଟାର’ର ଗଦାଧର ଦାଶ, ଉଦଳା ଥାନାର ଆଇଆଇସି ବନମାଳି ବାରିକ, ଜଙ୍ଗଲ ବିଭାଗର ରେଂଜ ଅଫିସର ସୁଶାନ୍ତ କୁମାର ବାଗ, ସିଆରସିସି ଗୌର କିଶୋର ବିନ୍ଧାଣି, ୱାଟକୋ ବିଭାଗର ସୁଧାଂଶୁ ଶେଖର ମହାପାତ୍ର, ଏମ୍ଏସ୍ଏମ୍ଇ ର ଆସିଷ୍ଟାଣ୍ଡ ଇଣ୍ଡଷ୍ଟ୍ରିଜ ଅଫିସର ସବିତା ନାୟକ ଙ୍କ ସମେତ ବିଭିନ୍ନ ୱାଡ଼ର ମେମ୍ବର, ଗଣମାଧ୍ୟମର ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ସଂଜୟ କୁମାର ପାଢ଼ି ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ରାଇରଙ୍ଗପୁର, -୧୦/୧୧ – ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗମ୍ଭାରିଆ ବଡ଼ ପୋଲ ନିକଟସ୍ଥ ଶ୍ମଶାନରେ ଥିବା ଏକ ଗଛରୁ ମଙ୍ଗଳବାର ସକାଳେ ଜଣେ ୧୮ ବର୍ଷୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ସ୍ଥାନୀୟ ସ୍ୱର୍ଗତ ସରୋଜ ସର୍ଦାରଙ୍କ ପୁଅ ଅଭିଷେକ ସର୍ଦାର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକେ ଗଛରେ ଅଭିଷେକଙ୍କ ମୃତଦେହ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କିଛି ଦିନ ତଳେ ବାପାଙ୍କ ଦେହାନ୍ତ ପରେ ଅଭିଷେକ ହିଁ ନିଜ ମା’, ଭାଇ ଓ ଭଉଣୀଙ୍କ ଭରଣପୋଷଣର ଏକମାତ୍ର ସାହାରା ଥିଲେ। ଏହା ଆତ୍ମହତ୍ୟା ନା ଅନ୍ୟ କିଛି କାରଣ ରହିଛି, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

