ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- କମୁଛି ଚାହିଦା,ତଥାପି କୌଳିକ ବୃତ୍ତିକୁ ବଞ୍ଚାଇଛନ୍ତି କୁମ୍ଭକାର , ୨- ଦୀପ ଆଲୋକର ପର୍ବ ଦୀପାବଳୀ  ବଡ ବଡୁଆ ହୋ – ଅନ୍ଧାରରେ ଆସି ଆଲୋକରେ ଯାଅ , ୩- ସାପୁଆ ସ୍ଵଜଳ ଅଭିଯାନର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ, ୪- ଦନ୍ତାହାତୀ ‘ଟୁଙ୍ଗୁରୁ’କୁ ଚିଡ଼ାଇବା ଘଟଣା ଜଣେ ଗିରଫ,ଜଣେ ଫେରାର୍ , ୫- କଳାଙ୍ଗ ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ , ୬-ଜଙ୍ଗଲ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳ ଉଦଘାଟନ , ୭- ଯନ୍ତାରିବୋଲ ଇସ୍କନ ଆଶ୍ରମରେ ଗିରିରାଜ ଗୋବର୍ଦ୍ଧନଙ୍କ ଅନ୍ନକୂଟ ମହୋତ୍ସବ ପାଳିତ , ୮- ଉଭାୟ ପକ୍ଷ ର ଗଣ୍ଡଗୋଳ କୁ ଥାନା ରେ ଏତଲା , ୯- ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ବୈଠକ , ୧୦- ସଂସ୍କାର ପବ୍ଲିକ ସ୍କୁଲର ସଂସ୍କାର ଜୟ ଅଫ ଗିଭିଂ , ୧୧- ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ MY Bharat ଯୁବ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ ୧୨-ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ-୨୦୨୬ ପାଳିତ , ୧୩- ହିନ୍ଦୋଳରେ ବିଜେଡିର ସାଙ୍ଗଠନିକ ବୈଠକ, ୩୫ଟି ପଞ୍ଚାୟତ ପାଇଁ ନୂତନ ସଭାପତି ଚୟନ , ୧୪- ନିଶାମୁକ୍ତ ଯୁବ ସମାଜ ଓ ବିକଶିତ ଭାରତ ସଚେତନତା କାର୍ଯ୍ୟକ୍ରମ , ୧୫- ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ 

କମୁଛି ଚାହିଦା,ତଥାପି କୌଳିକ ବୃତ୍ତିକୁ ବଞ୍ଚାଇଛନ୍ତି କୁମ୍ଭକାର

ଢେଙ୍କାନାଳ – ଆଲୋକର ପର୍ବ ଦୀପାବଳି ପାଇଁ ପୁରପଲ୍ଲୀରେ ଆନନ୍ଦର ପରିବେଶ। ହେଲେ ଦୀପାବଳିରେ ମାଟି ଦୀପର ଚାହିଦା କ୍ରମେ କମିବାରେ ଲାଗିଛି। ଯୁବପିଢ଼ି ବିଭିନ୍ନ ପ୍ରକାର ସାଜସଜ୍ଜା ଲାଇଟ୍,ରଙ୍ଗ-ବେରଙ୍ଗର ଲିଚୁ ଲାଇଟ୍ ଓ ପ୍ଲାଷ୍ଟିକ୍ ଦୀପକୁ ଅଧିକ ପସନ୍ଦ କରୁଛନ୍ତି। ତଥାପି ପରମ୍ପରା ଓ ପୂଜା ପାଇଁ ଆଜି ମଧ୍ୟ ଅନେକ ଲୋକ ମାଟି ଦୀପ କିଣିବାକୁ ପସନ୍ଦ କରୁଛନ୍ତି। ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଘଟିପିରି ପଞ୍ଚାୟତ ବୃନ୍ଦାବନପୁର ଗାଁର କୁମ୍ଭାରଶାଳରେ ଏବେ ବି କାରିଗରମାନେ ମାଟିର ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ବିଭିନ୍ନ ପର୍ବପର୍ବାଣୀରେ ମାଟି ସାମଗ୍ରୀ ତିଆରି ହେଉଥିବା ବେଳେ ଦୀପାବଳି ଆସିଲେ ମାଟି ଦୀପ ତିଆରିରେ ବ୍ୟସ୍ତ ରୁହନ୍ତି କାରିଗର। ମାଟି ଦୀପର ଦର ୨ ଟଙ୍କାରୁ ୫ ଟଙ୍କା ଯାଏଁ ରହିଥାଏ। ଢେଙ୍କାନାଳ ସହରର କୁମ୍ଭାର ସାହି,କାମାକ୍ଷାନଗର,କଙ୍କଡ଼ାହାଡ଼,ପରଜଙ୍ଗ ଅଞ୍ଚଳ ତଥା ବାହାର ଅଞ୍ଚଳର ଲୋକେ ଏଠାକୁ ଆସି ସୁଲଭ ମୂଲ୍ୟରେ ଦୀପ ନେଇଥାନ୍ତି। ପୁରୁଣା କୌଳିକ ବୃତ୍ତିକୁ ଆଜି ବି ବଞ୍ଚାଇ ରଖିଛନ୍ତି କିଛି କାରିଗର। ଢେଙ୍କାନାଳ ବଜାରର କୁମ୍ଭାର ସାହି,ବୃନ୍ଦାବନପୁର ଓ କଙ୍କଡ଼ାହାଡ଼ ଝିଲ୍ଲୀ ଗାଁର ଶାନ୍ତନୁ ବେହେରା,ଗିରିଧାରୀ ବେହେରା,ଗୁରୁଚରଣ ବେହେରା,ତ୍ରିନାଥ ବେହେରା,ପରମାନନ୍ଦ ସାହୁ,ପଙ୍କଜ ବେହେରା ପ୍ରମୁଖ ମାଟିଦୀପ,ହାଣ୍ଡି,ମାଟିପାତ୍ର,କଳସ,ମାଟି ଘୋଡ଼ା ଆଦି ତିଆରି କରୁଛନ୍ତି। ଗାଁର ଭଗବାନ ବେହେରା,ଧନେଶ୍ୱର ସାହୁ,ରବି ନାରାୟଣ ବେହେରା ପୂଜା-ପର୍ବରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ତିଆରି କରି ରୋଜଗାରକ୍ଷମ ହୋଇପାରିଛନ୍ତି। ସେହିପରି କଣ୍ଟାପାଳ ପଞ୍ଚାୟତର ଗୋତମରା ଗାଁର ଅଭିମନ୍ୟୁ ବେହେରା,କଣ୍ଟାପାଳ କଲୋନୀ-୪ର ଅକ୍ଷୟ ରଣା ନିଜର କୌଳିକ ବୃତ୍ତି ଜାରି ରଖିଛନ୍ତି। ଏମାନେ କୁମ୍ଭକାର ଡୋଲିଆ,କଙ୍କଡ଼ାହାଡ଼,ଯାଜପୁର ଜିଲ୍ଲାର ଟାଟା ମାଇନ୍ସ ହାଟରେ ନିଜ ହାତ ତିଆରି ମାଟି ସାମଗ୍ରୀ ବିକ୍ରି କରୁଛନ୍ତି। ତେବେ ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳୁ ନଥିବା କାରିଗରମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର କୁମ୍ଭକାରଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ଦୀପ ଆଲୋକର ପର୍ବ ଦୀପାବଳୀ
 ବଡ ବଡୁଆ ହୋ – ଅନ୍ଧାରରେ ଆସି ଆଲୋକରେ ଯାଅ 

ଢେ଼ଙ୍କାନାଳ – ଓଡ଼ିଶାର ଏକ ଅନନ୍ୟ ପରମ୍ପରା ଯାହା ଦୀପାବଳି ସମୟରେ ପାଳନ କରାଯାଏ। “ବଡ ବଡୁଆ ହୋ ଡାକ”ର କାହାଣୀ ଓ ମହତ୍ତ୍ୱ ପରମ୍ପରା : “ବଡ ବଡୁଆ ହୋ ଡାକ”ହେଉଛି ପିତୃପୁରୁଷ ବା ପୂର୍ବଜମାନଙ୍କୁ ଆବାହନ କରିବା ଏବଂ ସେମାନଙ୍କୁ ସମ୍ମାନ ଜଣାଇବାର ଏକ ପ୍ରଥା । ଓଡ଼ିଆ ପରିବାରମାନେ ଦୀପାବଳି ସନ୍ଧ୍ୟାରେ ଘରର ଦୁଆରମୁହଁରେ କାଉଁରିଆ କାଠି ଜାଳି ଆକାଶକୁ ଦେଖାଇ ଥାଆନ୍ତି ଏବଂ ଏକ ନିର୍ଦ୍ଦିଷ୍ଟ ମନ୍ତ୍ର ପାଠ କରନ୍ତି। ମନ୍ତ୍ର: “ବଡ଼ବଡୁଆ ହୋ,ଅନ୍ଧାରରେ ଆସ ଆଉ ଆଲୋକରେ ଯାଅ ଶ୍ରୀମନ୍ଦିରର ବାଇଶି ପାହଚେ ଗଡ଼ାଗଡ଼ାଉ ଥାଅ କରିବାକୁ ତୁମ ଶ୍ରାଦ୍ଧ ତର୍ପଣ, ଆସି ଅଛି ଆଜି ସେହି ସୁଦିନ ଭକ୍ତି ଶ୍ରଦ୍ଧାଅଞ୍ଜଳି ଆମ,ଘେନ ହେଉ କରୁ ଅଛୁ ପ୍ରଣାମ ତୁମେ ଗଙ୍ଗା ଯାଅ ଗୟା ଯାଅ କାଶୀ ବାରଣାସୀ ଯାଅ ପୁରୀ ଧାମ ଆସି,ମହାପ୍ରସାଦ ଖାଇ କୋଟି ପୁଣ୍ୟ ନେଇ ଆର ବରଷକୁ ଆସ । କାହାଣୀ ଓ ବିଶ୍ୱାସ : ପିତୃପୁରୁଷଙ୍କ ପ୍ରତ୍ୟାବର୍ତ୍ତନ : ହିନ୍ଦୁ ଶାସ୍ତ୍ର ଅନୁଯାୟୀ,ମହାଳୟା ସମୟରେ ପିତୃପୁରୁଷମାନେ ପିତୃଲୋକରୁ ମର୍ତ୍ତ୍ୟଲୋକକୁ ଆସିଥାଆନ୍ତି ଏବଂ ଦୀପାବଳି ଦିନ ସେମାନେ ନିଜ ଅଭିମୁଖେ ଫେରିଯାଆନ୍ତି। ଅନ୍ଧକାରମୟ ରାସ୍ତାରେ ସେମାନଙ୍କୁ ଆଲୋକର ବାଟ ଦେଖାଇବା ପାଇଁ କାଉଁରିଆ କାଠି ଜାଳି ଏହି ମନ୍ତ୍ର ପାଠ କରାଯାଏ। ଏହାଦ୍ୱାରା ସେମାନଙ୍କ ଆତ୍ମାକୁ ଶାନ୍ତି ମିଳେ ଏବଂ ସେମାନେ ଜନ୍ମ ଓ ମୃତ୍ୟୁ ଚକ୍ରରୁ ମୁକ୍ତି ପାଇଥାନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି: ଏହି ପରମ୍ପରା ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଗଭୀର ଭାବେ ଜଡିତ । ଏହି ମନ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ପୂର୍ବଜମାନେ ମହାପ୍ରସାଦ ଖାଇ ପୁରୀ ମନ୍ଦିରର ବାଇଶି ପାହାଚରେ ମୁକ୍ତି ପାଆନ୍ତୁ। ଅନେକ ଲୋକ ଦୀପାବଳି ଦିନ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଏହି ରୀତିନୀତି ପାଳନ କରନ୍ତି। ସାଧବ ପୁଅଙ୍କ କାହାଣୀ (ଐତିହାସିକ): କେତେକ ବିଶ୍ୱାସ କରନ୍ତି ଯେ ଏହି ପ୍ରଥା ପ୍ରାୟ ୩୫୦ ଖ୍ରୀଷ୍ଟପୂର୍ବରୁ ଆରମ୍ଭ ହୋଇଥିଲା,ଯେତେବେଳେ ଓଡ଼ିଶାର ସାଧବ (ବଣିକ) ମାନେ ସମୁଦ୍ରପଥରେ ବାଣିଜ୍ୟ କରିବାକୁ ଯାଉଥିଲେ। ସେମାନଙ୍କ ଫେରିବା ସମୟକୁ ସ୍ୱାଗତ କରିବା ପାଇଁ ଏହି ରୀତିନୀତି ପାଳନ କରାଯାଉଥିଲା। ପାରିବାରିକ ବନ୍ଧନ : ଏହା କେବଳ ଏକ ରୀତିନୀତି ନୁହେଁ,ବରଂ ପରିବାରର ଜୀବିତ ସଦସ୍ୟ ଏବଂ ସ୍ୱର୍ଗତ ଆତ୍ମାମାନଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କର ପ୍ରତୀକ । ଏହିଦିନ ପରିବାରର ସମସ୍ତେ ଏକାଠି ହୋଇ ପୂର୍ବଜମାନଙ୍କୁ ସ୍ମରଣ କରନ୍ତି ଏବଂ ସେମାନଙ୍କର ଆଶୀର୍ବାଦ ଲୋଡ଼ନ୍ତି।

ସାପୁଆ ସ୍ଵଜଳ ଅଭିଯାନର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ

ଢେଙ୍କାନାଳ – ମହାନଦୀର ଉପନଦୀ ‘ସାପୁଆ’ ପୁନର୍ଜୀବନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ‘ସାପୁଆ ସ୍ଵଜଳ ଅଭିଯାନ’ର ଏକ ସ୍ୱତନ୍ତ୍ର ଅଧିବେଶନ ବିଷ୍ଣୁପୁରସ୍ଥ ନୀଳକଣ୍ଠେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନରେ ସାପୁଆର ଉତ୍ପତ୍ତି ସ୍ଥଳ ହିନ୍ଦୋଳ ଦଣ୍ଡିରି ଠାରୁ ମୁହାଣ ଆଠଗଡ଼ ପର୍ଯ୍ୟନ୍ତ ଏକ ବିଶାଳ ଜନଜାଗରଣ ସୃଷ୍ଟି କରିବା ଉପରେ ଉପସ୍ଥିତ କର୍ମକର୍ତ୍ତା ଗୁରୁତ୍ୱ ଦେଇଥିଲେ। ଗତ ଅଗଷ୍ଟ ମାସରେ ସାପୁଆରେ ହୋଇଥିବା ଭୟଙ୍କର ବନ୍ୟାରେ ଧନଜୀବନ ନଷ୍ଟ ହେବା ମାଧ୍ୟମରେ’ସାପୁଆ’ତାର ସ୍ଥିତି ସମ୍ପର୍କରେ ଚେତେଇ ଦେଇଛି ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ। ତେଣୁ ଆସନ୍ତା ବର୍ଷାଋତୁ ପୂର୍ବରୁ ଏହାର ପ୍ରତିକାର ପାଇଁ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସାପୁଆ ପୁନରୁଦ୍ଧାର ସମ୍ପର୍କରେ ଦାବିପତ୍ର ଦେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଥିନିମନ୍ତେ ଆସନ୍ତା ନଭେମ୍ବର ପ୍ରଥମ ୧୧ ତାରିଖ,ବୁଧବାର ଦିନ ଏକ ସାଧାରଣ ଜନସଭା ଆୟୋଜନ କରିବା,ଭାପୁର ସାପ୍ତାହିକ ହାଟ, ନୂଆହାଟ ଠାରେ ପଥପ୍ରାନ୍ତ ସଭା ଆୟୋଜନ କରିବା,ମହାବିଦ୍ୟାଳୟ ଓ ଯୁବକସଂଘ ସ୍ତରରେ ଯୁବସଚେତନତା ଆଦି ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅଧିବେଶନରେ ପୂର୍ବତନ ପ୍ରଧାନଶିକ୍ଷକ ତଥା ‘ଆମ ଛଦେଶ’ସଂକଳକ ଗତିକୃଷ୍ଣ ବିଶ୍ୱାଳ,ସମାଜସେବୀ ପ୍ରାଣବନ୍ଧୁ ନାୟକ, ଅବସର ପ୍ରାପ୍ତ ସୈନିକ ଅଖିଳ ମହାପାତ୍ର,ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ ଧନଞ୍ଜୟ ଧଳ,ସମାଜସେବୀ ଆର୍ଯ୍ୟେନ୍ଦୁ ବିଶ୍ୱଜିତ ଜେନା,ଦେବବ୍ରତ ମହାପାତ୍ର,ପ୍ରକାଶ ମହାପାତ୍ର,ସନ୍ତୋଷ ମହାରଣା ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ‘ସାପୁଆ ସ୍ଵଜଳ ଅଭିଯାନ’ର ଆବାହକ ତଥା ‘ବିଶ୍ବ ଓଡ଼ିଶା’ ସମ୍ପାଦକ ମନୋଜ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଏହି ଅଭିଯାନର ରୂପରେଖ,ପରବର୍ତ୍ତୀ ପଦକ୍ଷେପ,ସାପୁଆ ନଦୀର ଭୌଗୋଳିକ ତଥ୍ୟ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ ଯେ,ମହାନଦୀର ଉପନଦୀ ‘ସାପୁଆ’ ଏବେ ଏକ ମୃତନଦୀ ହେବାକୁ ଯାଉଛି। ଏହା ହିନ୍ଦୋଳ ବ୍ଳକର ଦଣ୍ଡିରି ଏକ ପାହାଡ଼ରୁ ବାହାରି ରାସୋଳ,ନବକିଶୋରପୁର,ଗଣ୍ଡାନାଳି ଗ୍ରାମପଞ୍ଚାୟତ; ଓଡ଼ାପଡ଼ା ବ୍ଳକର କୋତ୍ତମ,ଘଟିପିରି, ଗୋବିନ୍ଦପ୍ରସାଦ ଗ୍ରାମପଞ୍ଚାୟତ; ଢେଙ୍କାନାଳ ସଦର ବ୍ଲକର କାକୁଡ଼ିଭାଗ,ଭାପୁର,ମଧୁସାହୁପାଟଣା,ଚନ୍ଦ୍ରଶେଖରପ୍ରସାଦ,ବାଲ୍ୟମ୍ବା,ଧୀରପାଟଣା,ଶଙ୍କରପୁର ଗ୍ରାମପଞ୍ଚୟତ; ଆଠଗଡ଼ ବ୍ଲକର ଅଚଳକୋଟ,ଭିରୁଡ଼ା,ଗୋଡ଼ିଝରିଆ,ଇଚ୍ଛାପୁର,ଅରଖପାଟଣା,ଖୁଣ୍ଟକଟା,ସମସରପୁର,ଷଠିଲୋ ବାସୁଦେବପୁର,ତାଳଖମାରି,କନ୍ତୋଲ,ଯୋରନ୍ଦା,ସର୍ପେଶ୍ବର ଗ୍ରାମପଞ୍ଚାୟତ ଦେଇ ମହାନଦୀରେ ମିଶିଛି। ଲକ୍ଷାଧିକ ଜନସାଧାରଣ କୃଷି,ଗୋପାଳନ,ପାନୀୟଜଳ,ସ୍ନାନ-ଶୌଚ ଆଦି ପାଇଁ ସାପୁଆ ନଦୀ ଉପରେ ନିର୍ଭର କରନ୍ତି। ଏହି ଅଞ୍ଚଳର ଜନଗଣଙ୍କ ପାଇଁ ସାପୁଆ ନଦୀ ଏକ ଜୀବନରେଖା। ଏହି ଅଞ୍ଚଳର କୃଷକମାନଙ୍କ ନିମନ୍ତେ ସାପୁଆ ନଦୀର ଜଳ ଏକମାତ୍ର ସେଚନ ଉତ୍ସ। ଦିନ ଥିଲା ସାପୁଆ ନଦୀ ବର୍ଷସାରା ଜଳସ୍ରୋତରେ ପରିପୂର୍ଣ୍ଣ ଥିଲା। ସାପୁଆ ନଦୀର ଜଳଧାରା,ବାଲୁକା ଶଯ୍ୟା ଏହାର ଉପକୂଳ ଅଧିବାସୀମାନଙ୍କ ପାଇଁ ଥିଲା ପ୍ରକୃତିର ଅବଦାନ । ପଥିକ,ପର୍ଯ୍ୟଟକ ମାନଙ୍କ ପାଇଁ ଥିଲା ଏକ ସୌନ୍ଦର୍ଯ୍ୟର ଗନ୍ତାଘର ଏଇ ସାପୁଆ। ମାତ୍ର ସମୟକ୍ରମେ ସାପୁଆ ନଦୀର ବାଲୁକା ଶଯ୍ୟା ଆଜି ଅନ୍ତର୍ଦ୍ଧାନ । ତାର ସ୍ଥାନ ନେଇଛି କେଉଁଠି କେଉଁଠି ମାଟି କାଦୁଅର କୁଦ,ଅଥବା କାଶତଣ୍ଡି ଘାସର ବୁଦା। ସାପୁଆର ବିସ୍ତୀର୍ଣ୍ଣ ଜଳଧାର ଏବେ ସଙ୍କୁଚିତ ହୋଇ ଏକ ନାଳରେ ପରିଣତ ହୋଇଯାଇଛି। ନଦୀ ଗର୍ଭରେ ବାଲୁକା ଶଯ୍ୟା ନଥିବାରୁ ଏହାର ଜଳଧାରଣର କ୍ଷମତା ଧୀରେ ଧୀରେ କମିଯାଉଛି। ତେଣୁ ନଦୀର ପାର୍ଶ୍ବବର୍ତ୍ତୀ ଜମିର ଭୂତଳ ଜଳସ୍ତର ତଳକୁ ଖସିଯାଇଛି। ଫଳରେ ପାର୍ଶ୍ଵବର୍ତ୍ତୀ ବୃକ୍ଷଲତା ଓ କୃଷିକ୍ଷେତ୍ର ମନ୍ଦ ପ୍ରଭାବିତ ହେଉଛି। ସେହିପରି ବର୍ଷା ଦିନରେ ନଦୀରେ ପ୍ରବାହିତ ଜଳ ସବୁ ମହାନଦୀକୁ ଚାଲିଯାଉଥିବାରୁ ଏବଂ ଏହାକୁ ଧରିରଖିବାରେ ନଦୀରେ କୌଣସି ବନ୍ଧ ବାଡ଼ର ବ୍ୟବସ୍ଥା ନଥିବାରୁ ବର୍ଷାୠତୁ ଚାରିମାସ ବ୍ୟତୀତ ଅନ୍ୟଦିନରେ ନଦୀ ଶୁଖିଲା ପଡୁଛି। ୨୦୦୫ ମସିହା ପର୍ଯ୍ୟନ୍ତ ଯେଉଁ ସାପୁଆ ଏକ ଚଳଚଞ୍ଚଳ ନଦୀ ଥିଲା ତାହା ଏଇ ୨୦ ବର୍ଷ ଭିତରେ ଏକ ନାଳରେ ପରିଣତ ହୋଇଗଲାଣି। ଯେଉଁ ସାପୁଆର ଖୋଲାଜଳ ସିଧାସଳଖ ପାନୀୟ ଜଳ ଭାବରେ ବ୍ୟବହାର ହୋଇପାରୁଥିଲା,ଆଜି ସେଠାରେ ହାତପାଦ ଧୋଇବାକୁ ମୁନ୍ଦାଏ ପାଣି ନାହିଁ। ଏହି ଅବସ୍ଥାରେ ଯଦି କୌଣସି ସୁଧାର ଅଣାନଯାଏ,ତେବେ ସାପୁଆନଳୀ ଆସନ୍ତା ୫-୧୦ ବର୍ଷ ଭିତରେ ଏକ ନର୍ଦ୍ଦମାରେ ପରିଣତ ହୋଇ ଗାଁଗଣ୍ଡାର ଅଳିଆ ଆବର୍ଜନାର କୁଣ୍ଡ ପାଲଟିଯିବ ଏଥିରେ ସନ୍ଦେହ ନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜଳସମ୍ପଦ ବିଭାଗର ନାନାଦି ଯୋଜନା ଥିଲେ ମଧ୍ୟ ଉପଯୁକ୍ତ କାର୍ଯ୍ୟନ୍ଵୟନ ଅଭାବ ହେତୁ କୃଷକଟିଏ ତାର ଜଳ ଅଧିକାରରୁ ବଞ୍ଚିତ ହେଉଛି। ସାପୁଆର ଉତ୍ପତ୍ତି ସ୍ଥଳରେ ସାପୁଆ ବନ୍ଧ ନିର୍ମାଣ ହୋଇଥିଲେ ମଧ୍ୟ ତାର ସୁଫଳ ସାପୁଆ କୂଳର ସମସ୍ତ ଅଧିବାସୀ ଲାଭକରି ପାରୁନାହାଁନ୍ତି। ବରଂ ଏହାର ପରିଚାଳନା ଜନିତ କୁଫଳ ସାପୁଆକୁ ଶୁଷ୍କ କରିଦେଉଛି। ସାପୁଆରେ ଗୋଡିଝରିଆଠାରେ ଏକମାତ୍ର ଆଡ଼ିବନ୍ଧ (ଆନିକଟ) ନିର୍ମାଣ ହୋଇଛି। ମାତ୍ର ସମଗ୍ର ସାପୁଆ ଅଞ୍ଚଳରେ ଆବଶ୍ୟକତା ଦୃଷ୍ଟିରୁ ପ୍ରତି ୫.କି.ମି.ସେ ଆଡ଼ିବନ୍ଧ ସବୁ ନିର୍ମାଣ ଦେବା ଉଚିତ । ସାପୁଆ ଉପରେ ଯେଉଁ କେତୋଟି ପୋଲ ନିର୍ମାଣ ହୋଇଛି। ତାହାର ତଳେ ବନ୍ଧ ବ୍ୟବସ୍ଥା କରାଯାଇପାରିଲେ ଅଳ୍ପ ଖର୍ଚ୍ଚରେ ପାଣି ଅଟକାଇ ରଖାଯାଇ ପାରନ୍ତା (ଉଦାହରଣ ସୁରୂପ – କଦଳୀପାଳ) ମାତ୍ର ଏ ଦିଗରେ ବିଭାଗୀୟ ଇଚ୍ଛାଶକ୍ତିର ଅଭାବ ରହିଛି। ଏହିଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ବିଗତ ଦିନରେ ଛଦେଶ ସାହିତ୍ୟ ସଂସଦ ବାର୍ଷିକ ସାରସ୍ଵତ ଉତ୍ସବରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ କହିଥିଲେ ଯେ,ସାପୁଆର ପୁନରୁଦ୍ଧାର ପାଇଁ ସରକାର ଚିନ୍ତା କରୁଛନ୍ତି। ଏଥିରେ ସ୍ଥାୟୀ ଆଡ଼ିବନ୍ଧ କରି ଜଳ ସେଚନପ୍ରକଳ୍ପ ନିର୍ମାଣ କରାଯିବ,ଛଦେଶକୁ ବ୍ଲକ,ଭାପୁର ଫାଣ୍ଡିକୁ ଥାନା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ନା ପୂର୍ବ ସରକାରୀ କଲା ନା ବର୍ତ୍ତମାନ ସରକାର । ମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତିକୁ ପ୍ରାୟ ତିନି ବର୍ଷ ବିତିଯାଇଛି ଏବଂ ଭୟଙ୍କର ବନ୍ୟା ଆସି ସପ୍ତାହକାଳ ଛଦେଶବାସୀ ବିଛିନ୍ନ ହୋଇରହିଲେ ମଧ୍ୟ ସରକାରଙ୍କ କୌଣସି ତତ୍ପରତା ଦେଖାଯାଉନାହିଁ। ଆସନ୍ତା ହେବାକୁଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରକାରୀ ବିରୋଧୀ ମତ ପ୍ରକାଶ ପାଇବା ଆଶଙ୍କାକୁ ଏଡ଼ାଇ ଦିଆ ଯାଇ ପାରିବ ନାହିଁ।

ଦନ୍ତାହାତୀ ‘ଟୁଙ୍ଗୁରୁ’କୁ ଚିଡ଼ାଇବା ଘଟଣା ଜଣେ ଗିରଫ,ଜଣେ ଫେରାର୍ 

ଢ଼େଙ୍କାନାଳ – ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ୍ ଅଧୀନ ପାଟଲା ଓ ଡେଙ୍ଗୁବୁରି ଅଞ୍ଚଳରେ ଗୋଠଛଡ଼ା ଦନ୍ତାହାତୀ ‘ଟୁଙ୍ଗୁରୁ’ର ଲାଙ୍ଗୁଡ଼ ଟାଣିବା ଓ ଦାନ୍ତ ଝିଙ୍କି ଚିଡ଼ାଉଥିବା ଘଟଣାରେ ବନ ବିଭାଗ ତଦନ୍ତ ଆରମ୍ଭ କରିଛି। ଜଣେ ଯୁବକଙ୍କୁ ଗିରଫ ରଖିଥିବା ବେଳେ ସେ ନାବାଳକ ବୋଲି କୁହାଯାଉଛି। ଅନ୍ୟ ଜଣେ ଯୁବକ ଫେରାର୍ ହୋଇଯାଇଛି। ବିଭାଗ ପକ୍ଷରୁ ଅଟକ ଥିବା ଯୁବକର ଆଧାରରେ ପ୍ରମାଣପତ୍ର ଓ ଅନ୍ୟାନ୍ୟ ପ୍ରମାଣପତ୍ର ଯଞ୍ଚ କରାଯଉଛି। ଦୋଷୀ ବିରୁଦ୍ଧରେ ଆଇନ ଅନୁଯାୟୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଢେଙ୍କାନାଳ ଡିଏଫ୍‌ଓ ଲଳିତ ପାତ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,ଗତ ଗୁରୁବାର ଅପରାହ୍ନରେ ପାଟଲା କରଙ୍ଗା ସାହି ଶ୍ମଶାନ ନିକଟରେ ଏବଂ ଶୁକ୍ରବାର ଡେଙ୍ଗବୁରୀ ସାହି ନିକଟରେ‘ଟୁଙ୍ଗୁରୁ’ର ଲାଙ୍ଗୁଡ଼ ଓ ଦାନ୍ତ ଝିଙ୍କି ତାକୁ ଦୁଇ ଯୁବକ ଚିଡ଼ାଉଥୁବା ଭିଡିଓ କ୍ଲିପ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବନ ବିଭାଗ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଚଳାଇଛି।

କଳାଙ୍ଗ ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

ଢେଙ୍କାନାଳ /ଓଡାପଡ଼ା – ମଙ୍ଗଳବାର ଦିନ କଳାଙ୍ଗ ଗ୍ରାମରେ ଗିରି ଗୋବର୍ଦ୍ଧନ ପୂଜା ପ୍ରତିଷ୍ଠାନ ପକ୍ଷରୁ ମହା ଆଡମ୍ବରରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ଆବହମାନ କାଳରୁ ଏହି ପୂଜା ପାଳିତ ହୋଇ ଆସୁଥିବା ବେଳେ ୨୦୦୭ ମସିହାରୁ ଗ୍ରାମବାସୀଙ୍କ ଦ୍ୱାରା ଗଠିତ ଗିରିଗୋବର୍ଦ୍ଧନ ପୂଜା କମିଟି ପକ୍ଷରୁ ଏହା ବେଶ୍ ଧୁମ୍-ଧାମରେ ପାଳିତ ହୋଇ ଆସୁଛି। ଏହି ଅବସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଗ୍ରାମ ରାଧାକୃଷ୍ଣ ମନ୍ଦିରରୁ ସୁସଜ୍ଜିତ ବିମାନରେ ମନ୍ଦିର ଠାରୁ ପ୍ରାୟ ୧ କିଲୋମିଟର ଦୂର ଗୋବର୍ଦ୍ଧନ ପାହାଡ଼ ଉପରକୁ ଭଜନ କୀର୍ତ୍ତନ ସହ ନିଆ ଯାଇଥିଲା। ସେଠାରେ ପ୍ରଭୁଙ୍କର ବିଭିନ୍ନ ରୀତିନୀତି ଅନୁଯାୟୀ ପୂଜା-ପାଠ ଅନୁଷ୍ଠିତ ହୋଇଥିଲା। ଏହା ଫଳରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଭକ୍ତି ଉଲ୍ଲାସରେ ପୂଜାର୍ଚ୍ଚନା କରିଥିଲେ। ପ୍ରାୟ ୧୫୦୦ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜକ ସମୀର ନନ୍ଦ,କର୍ତ୍ତା ଭାଗୀରଥି ସାମଲ,ମୁଖ୍ୟ ଦାୟିତ୍ୱରେ ଶତ୍ରୁଘ୍ନ ସାମଲ,ଗ୍ରାମ ସଭାପତି ଅନ୍ତର୍ଯ୍ୟାମୀ ସାମଲ,କୋଷାଧ୍ୟକ୍ଷ କବିନ୍ଦ୍ର ସାମଲ ଓ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

ଜଙ୍ଗଲ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳ ଉଦଘାଟନ 

କାମାକ୍ଷାନଗର- କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ର ପାକଟମୁଣ୍ଡା ଓ ତୁମୁସିହା ଠାରେ ଜଙ୍ଗଲ ବିଭାଗ ପକ୍ଷରୁ ପର୍ଯ୍ୟଟନ ସ୍ଥଳ ଉଦଘାଟନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଙ୍ଗଲ ରେ ପର୍ଯ୍ୟଟନ ସ୍ଥଳ କରାଯିବା ଫଳରେ ଜଙ୍ଗଲ ର ସୁରକ୍ଷା ହୋଇପାରିବା ସହିତ ବଣ ଭୋଜି ପାଇଁ ବହୁ ସଂଗଠନ ଆସିବାରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ଅନୁଗୋଳ ଆଞ୍ଚଳିକ ବନ ସଂରକ୍ଷକ ସଞ୍ଜୟ କୁମାର ସ୍ୱାଇଁ ଯୋଗଦେଇ ଏଭଳି ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ରେ ବିଭାଗୀୟ ସ୍ତରରେ ନିଆଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରି ପ୍ରତ୍ୟେକ ବ୍ୟକ୍ତି ବିଶେଷ ଏଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର, ସହକାରୀ ବନ ସଂରକ୍ଷକ ନିଁଳେନ୍ଦ୍ର ନାରାୟଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ l ପାକଟମୁଣ୍ଡା ଠାରେ କୋଡିଏ ଲକ୍ଷ୍ୟ ବ୍ୟୟ ଅଟକଳ ରେ ପିଣ୍ଡି ନିର୍ମାଣ କରାଯାଇଥିବା ବେଳେ ତୁମୁସିଂହା ଠାରେ ଦଶ ଲକ୍ଷ୍ୟ ବ୍ୟୟ ଅଟକଳରେ ପର୍ଯ୍ୟଟନ ସ୍ଥଳ ନିର୍ମାଣ ହୋଇଥିବାର ଜଣାଯାଇଛି l ହେଲେ ଉଭୟ ପର୍ଯ୍ୟଟନ ସ୍ଥଳ ରେ ନିର୍ମାଣ କରାଯାଇଥିବା ପିଣ୍ଡି ଗୁଡିକ ମାତ୍ର ଦଶ ଲକ୍ଷ୍ୟ ମଧ୍ୟରେ ଖର୍ଚ୍ଚ କରାଯାଇଥିବାର ଉପସ୍ଥିତ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଆଲୋଚ୍ୟ ର ବିଷୟ ହୋଇଛି l

ଯନ୍ତାରିବୋଲ ଇସ୍କନ ଆଶ୍ରମରେ ଗିରିରାଜ ଗୋବର୍ଦ୍ଧନଙ୍କ ଅନ୍ନକୂଟ ମହୋତ୍ସବ ପାଳିତ

କାମାକ୍ଷାନଗର- କାମାକ୍ଷାନଗର ବ୍ଲକ କାନପୁର ପଞ୍ଚାୟତ ଅନ୍ତର୍ଗତ ଯନ୍ତାରିବୋଲସ୍ଥିତ ଇସ୍କନ ଆଶ୍ରମରେ ଶ୍ରୀଶ୍ରୀ ଗିରିରାଜ ଗୋବର୍ଦ୍ଧନଙ୍କ ଅନ୍ନକୂଟ ମହୋତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଇସ୍କନ ପକ୍ଷରୁ ଏହି ପୂଜାର ଆୟୋଜନ କରାଯାଇଥିଲା।ଏହି ଉତ୍ସବ ପୂର୍ବରୁ ମନ୍ଦିର କମିଟି ପକ୍ଷରୁ ଶ୍ରୀ ବଳଭଦ୍ର ଦାସଙ୍କ ସହଯୋଗରେ ମନ୍ଦିର ପରିସରକୁ ସଫେଇ କରାଯାଇଥିଲା। ଭଜନ ଓ ସଂକୀର୍ତ୍ତନ ମାଧ୍ୟମରେ ମନ୍ଦିର ବେଢ଼ାକୁ ପରିଷ୍କାର କରାଯିବା ସହ ନିକଟସ୍ଥ ପାହାଡ଼ ଶିଖରରେ ଗୋବର ଲେପନ କରାଯାଇ ଏକ ସୁନ୍ଦର ବେଦୀ ନିର୍ମାଣ କରାଯାଇଥିଲା।ମଙ୍ଗଳବାର ପ୍ରଭାତରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବନ୍ଦନା ଓ ପୂଜାର୍ଚ୍ଚନା ପରେ ପାହାଡ଼ ଶିଖରରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରିବା ସହ ପାହାଡ଼ ଶିଖରରୁ ମନ୍ଦିରର ମନୋରମ ପ୍ରାକୃତିକ ପରିବେଶକୁ ଉପଭୋଗ କରିଥିଲେ। କାମାକ୍ଷାନଗର ସମେତ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚି ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ।ଏହି ଅବସରରେ ଏନ୍‌ଏସି ନଗରପାଳ, ସମସ୍ତ କାଉନସିଲର, ବିଭିନ୍ନ ବିଭାଗର କର୍ମଚାରୀ, ଜନପ୍ରତିନିଧି ଓ ସାଧାରଣ ଜନତାଙ୍କ ସମେତ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଇସ୍କନ କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟମାନେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ ଶ୍ରଦ୍ଧାଳୁଙ୍କ ସେବା ଓ ଆତିଥ୍ୟ ପ୍ରଦାନ କରିଥିଲେ।

ଉଭାୟ ପକ୍ଷ ର ଗଣ୍ଡଗୋଳ କୁ ଥାନା ରେ ଏତଲା 

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କୁନୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁନୁଆ ଗ୍ରାମରେ ନଣଦେଇ ବରପରୀକ୍ଷିତ ରାଉତ ଙ୍କ ସହିତ ଶଳା ଭାଉଜ ଗୀତାଞ୍ଜଳି ଜେନା ର ଗଣ୍ଡଗୋଳ ହୋଇଥିଲା!ନଣଦେଇ ବର ଙ୍କ ଠାରୁ ଶଳା କିଛି ଟଙ୍କା ଧାର ସୂତ୍ର ରେ ନେଇଥିଲେ!ନଣଦେଇ ବରବାରମ୍ବାର ଶଳା କୁ ଫୋନ କରିବା ପରେ ନଣଦେଇ ବର ହାରାଶ ହୋଇ ଅପେକ୍ଷା ରେ ଥିଲେ ବୋଲି ରାସୋଳ ପୋଲିସ ମତାମତ ଦେଇଥିଲେ!ଢେଙ୍କାନାଳ ରେ ଗଜଲଷ୍ମୀପୂଜା ହେଉଥିବା ସମୟ ରେ ନଣଦେଇ ବର ଓ ନଣଦ ଦୁଇ ଜଣ ଆସିଲେ ଶଳା ଭାଉଜ ଘରକୁ ବୁଲିବା ପାଇଁ!ବୁଲି ଆସିବା ଭିତରେ ଉଭାୟ ପକ୍ଷ ର ସେହି ଟଙ୍କା କୁ ନେଇ ବଚସା ହୋଇଥିଲା!ତାହାର କିଛି ସମୟ ପରେ ଉଭାୟ ପକ୍ଷ ରୁ ହାତାହାତି ହୋଇବା ଦ୍ଵାରା ଖଣ୍ଡିଆ ହୋଇଥିଲା!ଏଣୁ ଶଳାଭାଉଜ ପ୍ରଥମେ ଆସି ରାସୋଳ ଥାନା ରେ ଅଭିଯୋଗ କରିବା ପରେ ତାର କିଛି ସମୟ ପରେ ନଣଦେଇ ବର ଆସି ରାସୋଳ ଥାନା ରେ ଅଭିଯୋଗ କରିଥିଲେ!ଏଣୁ ରାସୋଳ ଥାନା ଉଭୟ କୁ ଡାକ୍ତର ଚେକିଂ ପାଇଁ ପଠାଇ ଦେଇଥିଲେ!ରାସୋଳ ଥାନା ଭାରପ୍ରାପ୍ତ ଅଧିକାରୀ ଉଭୟ ପକ୍ଷ ର ଦୁଇ ଟି କେଶ ରୁଜୁ କରିଥିଲେ!ପ୍ରଥମେ ଶଳା ଭାଉଜ ଦେଇଥିବା କେଶ ନମ୍ବର 312/26ରେ ରୁଜୁ କରିଥିଲେ!ତାପରେ ନଣଦେଇ ବର ଦେଇଥିବା କେଶ ନମ୍ବର 313/26ରେ ରୁଜୁ କରିଥିଲେ!ରାସୋଳ ଭାରପ୍ରାପ୍ତ ଅଧିକାରୀ ମତାମତ ଦେଇଥିଲେ ଉଭୟ ପକ୍ଷ ର କେଶ କୁ ନେଇ ଇଂଭେଷ୍ଟିଙ୍ଗ ଜାରି ରହିଛି!ଆଉ ମଧ୍ୟ୍ୟ ରାସୋଳ ଭାରପ୍ରାପ୍ତ ଅଧିକାରୀ ବିଶ୍ୱରଂଜନ ମହାନ୍ତି ମତାମତ ଦେଇଥିଲେ ଖୁବ ଶୀଘ୍ର ଘଟଣା ର ପର୍ଦାଫାଶ ହେବ!ଦୋଷୀ କୁ ମଧ୍ୟ ଦଣ୍ଡ ମିଳିବ!

ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ବୈଠକ

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ତାରିଣିପଶି ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର ସଂସ୍ଥା (ଜଷ୍ଟ ରାଇଟ ଫର ଚିଲଡ୍ରେନ) ଆନୁକୁଲ୍ୟରେ ଗ୍ରାମସ୍ତରୀୟ ଶିଶୁ କଳ୍ୟାଣ ଓ ସୁରକ୍ଷା କମିଟିର ଏକ ସଚେତନତାମୂଳକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସାହାୟାକା ସୁମିତ୍ରା ଦେହୁରୀ ତତ୍ବାବଧାନରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ସମାଜରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମୂଲେ ନିରାକରଣ କରିବା ଏବଂ ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ଓ ସୁନିଶ୍ଚିତ କରିବା ଥିଲା ଏହି ବୈଠକର ମୂଳ ଲକ୍ଷ୍ୟ।ଉକ୍ତ ବୈଠକରେ ଗ୍ରାମଅଙ୍ଗନାୱାର୍ଡ,ୱାର୍ଡ ମେମ୍ବର,ଗ୍ରାମର ,ସକ୍ରିୟ ମହିଳା, ଆଶା କର୍ମୀ, କିଶୋର ବାଳକ, କିଶୋରୀ ବାଳିକା, ଭାବେ ଉପସ୍ଥିତ ରହି ସମାଜିକ ଦାୟିତ୍ୱବୋଧର ପରିଚୟ ପ୍ରଦାନ କରିଥିଲେ। ବୈଠକରେ ବାଲ୍ୟ ବିବାହର ଭୟାବହ କୁପରିଣାମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅପରିପକ୍ୱ ବୟସରେ ବିବାହ ହେବା ଫଳରେ କିଶୋରୀମାନଙ୍କ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହେବା, ଶିକ୍ଷାରୁ ବଞ୍ଚିତ ହେବା, ମାତୃମୃତ୍ୟୁ ଓ ପୌଷ୍ଟିକ ଅଭାବ ପରି ଗୁରୁତର ସମସ୍ୟା ଦେଖା ଦେବା ଆଦି ବିଷୟରେ ଆଲୋଚନା କରା ଯାଇଥିଲା।ଏହା ସହିତ ବାଲ୍ୟ ବିବାହ ନିଷେଧ ଆଇନ ଓ ଏହା ସହ ସଂପୃକ୍ତ ଦଣ୍ଡ ବିଧାନ ବିଷୟରେ ମଧ୍ୟ ସମସ୍ତଙ୍କୁ ସଚେତନ କରାଯାଇଥିଲା। ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି କୁପ୍ରଥା ବିରୋଧରେ ସଜାଗ ରହିବା ସହ ଯେକୌଣସି ବାଲ୍ୟ ବିବାହ ସମ୍ପର୍କିତ ସୂଚନା ତୁରନ୍ତ ପ୍ରଶାସନ କିମ୍ବା ସମ୍ପର୍କିତ ବିଭାଗକୁ ଜଣାଇବା ପାଇଁ ଆହ୍ୱାନ ଦିଆଯାଇଥିଲା। Emergency no 1098 କଲ କରିବେ କୁହା ଯାଇଥିଲା ବୈଠକର ଶେଷ ପର୍ଯ୍ୟାୟର ସମସ୍ତ ଉପସ୍ଥିତ ବ୍ୟକ୍ତି ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ଏକତ୍ରିତ ଭାବେ ଶପଥ ଗ୍ରହଣ କରିଥିଲେ। ସମାଜରେ ସଚେତନତାର ଆଲୋକ ପ୍ରଜ୍ୱଳିତ କରି ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ସୁରକ୍ଷିତ ଓ ଶିକ୍ଷିତ ପରିବେଶ ସୃଷ୍ଟି କରିବାର ସଙ୍କଳ୍ପ ସହିତ ବୈଠକଟି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା।

ସଂସ୍କାର ପବ୍ଲିକ ସ୍କୁଲର ସଂସ୍କାର ଜୟ ଅଫ ଗିଭିଂ

 କାମାକ୍ଷାନଗର – କାମାକ୍ଷାନଗର ଉପଖଣ୍ଡ ରହଣୀ ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାନ୍ତନୁ ଚାଟାର୍ଜୀଙ୍କ ସଭାପତିତ୍ବରେ ସଂସ୍କାର ପବ୍ଲିକ ସ୍କୁଲ ,ଖାରବେଳ ଏକାଡେମୀ, ପାଠକ ବିଚାର ମଞ୍ଚର ମିଳିତ ଉଦ୍ୟମରେ ମକୁଆକାଟେଣୀ ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବାଘବସା ଗ୍ରାମରେ “ସଂସ୍କାର ଜୟ ଅଫ ଗିଭିଙ୍ଗ” ସଚେତନତା ଓ ସେବାଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାମାଜିକ ତଥା ସଚେତନତାମୂଳକ ନାଟକ ଏବଂ ଉତ୍କୃଷ୍ଟ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ କାମାକ୍ଷାନଗର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମେଜର ପ୍ରଭାତ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣରେ କହିଥିଲେ ” ମଣିଷ ହୋଇ ଜନ୍ମ ନେବା ଏକ ପ୍ରାକୃତିକ ଘଟଣା, କିନ୍ତୁ ମଣିଷ ପାଇଁ ବଞ୍ଚିବା ହେଉଛି ଏକ ମହାନ ସାଧନା।” ଏହିଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିତ୍ୱର ବିକାଶ ସହ ସମାଜର ଉନ୍ନତି ଦିଗରେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଦୁର୍ଗାଚରଣ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ଶୁଭମୟ ନନ୍ଦ , ଵିଶିଷ୍ଟ ଲେଖିକା ତଥା ସମାଜସେବୀ ଶ୍ରୀମତୀ ସରିତା ସିଂ ମହାନ୍ତି, ସୈନିକ ସଂଘର ସହ ସମ୍ପାଦକ ଅଶୋକ କୁମାର ସାହୁ, ମକୁଆକାଟେଣୀ ଗ୍ରାମପଞ୍ଚାୟତର ସରପଞ୍ଚ ଦିପାମଞ୍ଜରି ସାହୁ ଏବଂ ଖାରବେଳ ଏକାଡ଼େମୀର ଅଧକ୍ଷ ଡ଼କ୍ଟର ଅନିଲ କୁମାର ଜେନା ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମାନଙ୍କୁ ନିଜ ପାଖ ପଡ଼ୋଶୀଙ୍କ ଅସୁବିଧା ସମୟରେ ହାତ ବଢ଼ାଇବା ସହ ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ମନୋଭାବ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଉପସ୍ଥିତ ଅତିଥି, ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଏହି ଗ୍ରାମର ୨୦୦ରୁ ଊର୍ଦ୍ଧ୍ଵ ବୃଦ୍ଧଓବୃଦ୍ଧା, ଗ୍ରାମର ପୁରୁଷ ମହିଳା ଏବଂ କୋମଳମତି ଶିଶୁ ମାନଙ୍କୁ କମ୍ବଳ, ଶୀତବସ୍ତ୍ର, ପୋଷାକ, ଖାଦ୍ୟ ସାମଗ୍ରୀ, ପାଠୋପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବଣ୍ଟନ କରିଥିଲେ। ପରିଶେଷରେ ବିଦ୍ୟାଳୟର ଟ୍ରଷ୍ଟି ଶ୍ରୀ ପ୍ରସନ୍ନ କୁମାର ସାହୁ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଧନ୍ୟବାଦ ଜଣାଇଥିଲେ।

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ MY Bharat ଯୁବ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ

ଢେଙ୍କାନାଳ- ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନାଗରିକ ଦାୟିତ୍ୱବୋଧ ଓ ମତଦାନ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ MY Bharat, ଢେଙ୍କାନାଳ ପକ୍ଷରୁ ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଅବସରରେ MY Bharat Youth Icon ଅଭିଷେକ ପଣ୍ଡା ଯୋଗଦେଇ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ସହ ‘Your Vote, Your Voice’ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ମତଦାନ କେବଳ ଜଣେ ନାଗରିକଙ୍କ ଅଧିକାର ନୁହେଁ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ କର୍ତ୍ତବ୍ୟ ବୋଲି ସେ ଉଲ୍ଲେଖ କରିଥିଲେ। ଯୁବପିଢ଼ି ନିଜର ମତଦାନ ଅଧିକାର ସମ୍ପର୍କରେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ସଚେତନ କରିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।

ଏଥିସହିତ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR), ଭୋଟର ପଞ୍ଜୀକରଣ, ଭୋଟର ପରିଚୟପତ୍ର ଏବଂ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରୀମାନଙ୍କୁ ସରଳ ଭାବରେ ବୁଝାଇଥିଲେ। ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଯୁବସମାଜର ସକ୍ରିୟ ଭାଗୀଦାରିର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଶକୁନ୍ତଳା ଜେନା, MY Bharatର ବିପ୍ରବର ବେହେରା ଅତିଥି ଭାବେ ଯୋଗଦେଇ ଯୁବଶକ୍ତିର ସାମର୍ଥ୍ୟ, ସାମାଜିକ ଦାୟିତ୍ୱବୋଧ ଓ ଦେଶ ଗଠନରେ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ସ୍ମୃତିରଞ୍ଜନ ସାହୁ, ସୌମ୍ୟାଶ୍ରୀ ମିଶ୍ର, ଜ୍ଞାନରଞ୍ଜନ ନାଠୀ ଏବଂ ରୁନିତା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ-୨୦୨୬ ପାଳିତ

ସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ଓ ଚାଷୀଙ୍କ ଆର୍ଥିକ ସମୃଦ୍ଧି ପାଇଁ ମାଣ୍ଡିଆ ଚାଷ ଉପରେ ଗୁରୁତ୍ୱ

ଢେଙ୍କାନାଳ-୬ ନଭେମ୍ବର ୨୦୨୬: ଶ୍ରୀ ଅନ୍ନ ଅଭିଯାନର ଅଂଶସ୍ୱରୂପ ଆଜି ମହିଷାପାଟଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ-୨୦୨୬ ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ପ୍ରତାପ ପ୍ରୀତିମୟ, ମହିଷାପାଟ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ହେମନ୍ତ କୁମାର ପଢ଼ିହାରୀ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପୁହାଣ କହିଥିଲେ ଯେ, ସ୍ୱାସ୍ଥ୍ୟ ହିଁ ଆମର ପ୍ରକୃତ ସମ୍ପଦ ଏବଂ ମାଣ୍ଡିଆ ହେଉଛି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକ ମୂଲ୍ୟବାନ ନିବେଶ। ମାଣ୍ଡିଆକୁ ଆଧାର କରି ବିଭିନ୍ନ ପ୍ରକାରର ଖାଦ୍ୟ ଓ ଉତ୍ପାଦ ପ୍ରସ୍ତୁତିର ବ୍ୟାପକ ସୁଯୋଗ ରହିଛି। ତେଣୁ ଧାନ ଓ ଡାଲିଜାତୀୟ ଫସଲ ସହିତ ମାଣ୍ଡିଆକୁ ମଧ୍ୟ ଚାଷୀମାନେ ନିଜର ପ୍ରମୁଖ ଫସଲ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ କହିଥିଲେ ଯେ, ବିଶେଷକରି ଯୁବପିଢ଼ିଙ୍କ ଦୈନନ୍ଦିନ ଖାଦ୍ୟ ଥାଳିରେ ମାଣ୍ଡିଆକୁ କିପରି ସ୍ଥାନ ଦିଆଯାଇପାରିବ, ତାହା ବର୍ତ୍ତମାନର ଏକ ବଡ଼ ଆହ୍ୱାନ। ଆମର ପାରମ୍ପରିକ ଖାଦ୍ୟାଭ୍ୟାସକୁ ପୁନର୍ବାର ଦୈନନ୍ଦିନ ଜୀବନରେ ସାମିଲ କରିପାରିଲେ ଏହା ସମସ୍ତଙ୍କ ପାଇଁ ଅନେକ ସ୍ୱାସ୍ଥ୍ୟଗତ ଲାଭ ଆଣିଦେବ।

କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି ନିଜ ବକ୍ତବ୍ୟରେ ପ୍ୟାକେଟ୍‌ ଓ ପ୍ରକ୍ରିୟାକୃତ ଖାଦ୍ୟର ବ୍ୟବହାର କମାଇବା ସହ ଏହାର ବିକଳ୍ପ ଭାବେ ମିଲେଟ୍‌ ଭିତ୍ତିକ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ହେମନ୍ତ କୁମାର ପଢ଼ିହାରୀ କହିଥିଲେ ଯେ, ମାଣ୍ଡିଆ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସୁଛି। ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍‌ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ସହାୟକ ମୂଲ୍ୟ ବୃଦ୍ଧି ସହ ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ଏହି ସୁଯୋଗର ସଦୁପଯୋଗ କରି ଚାଷୀମାନେ ମାଣ୍ଡିଆ ଚାଷକୁ ଅଧିକ ଗୁରୁତ୍ୱ ଦେବା ସହ ଏହାକୁ ଏକ ବିଶ୍ୱସ୍ତରୀୟ ଖାଦ୍ୟ ଭାବେ ପରିଚିତ କରାଇବାକୁ ସେ ଆହ୍ୱାନ ଦେଇଥିଲେ।ଉଲ୍ଲେଖଯୋଗ୍ୟ ଯେ, ମାଣ୍ଡିଆ ସମେତ ବିଭିନ୍ନ ମିଲେଟ୍‌କୁ ପୁଷ୍ଟିକର ଖାଦ୍ୟ ଭାବେ ଲୋକପ୍ରିୟ କରିବା, କୃଷକଙ୍କ ଆୟ ବୃଦ୍ଧି କରିବା ଏବଂ ଜଳବାୟୁ ଅନୁକୂଳ କୃଷିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକାରୀ ହେଉଛି। ମାଣ୍ଡିଆରେ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି, ମୂଲ୍ୟଯୁକ୍ତ ଉତ୍ପାଦର ବିକାଶ, ଚାଷ ଓ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଏବଂ ପାରମ୍ପରିକ ଖାଦ୍ୟ ସଂସ୍କୃତିର ପୁନରୁଦ୍ଧାର ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ। ଏହା ମାଧ୍ୟମରେ ପୁଷ୍ଟି ସୁରକ୍ଷା ସହ କୃଷକଙ୍କ ଜୀବିକାକୁ ସୁଦୃଢ଼ କରିବା ଏବଂ ପରିବେଶ ଅନୁକୂଳ କୃଷି ବ୍ୟବସ୍ଥାର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି।

ହିନ୍ଦୋଳରେ ବିଜେଡିର ସାଙ୍ଗଠନିକ ବୈଠକ, ୩୫ଟି ପଞ୍ଚାୟତ ପାଇଁ ନୂତନ ସଭାପତି ଚୟନ

ଢେଙ୍କାନାଳ – ଆଗାମୀ ଦିନରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ଆଜି ହିନ୍ଦୋଳ ବ୍ଲକ ଅନ୍ତର୍ଗତ ସାତମାଇଲଠାରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ଶ୍ରୀ ମହେଶ ସାହୁଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଯୋଗଦେଇଥିଲେ। ବୈଠକରେ ହିନ୍ଦୋଳ ବ୍ଲକର ସମସ୍ତ ୩୫ଟି ପଞ୍ଚାୟତ ପାଇଁ ୩୫ ଜଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପଞ୍ଚାୟତ ସଭାପତି ଭାବେ ଚୟନ କରାଯାଇ ସେମାନଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ନବନିଯୁକ୍ତ ପଞ୍ଚାୟତ ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଥିଲା।

ଏହି ଅବସରରେ ଶ୍ରୀ ମହେଶ ସାହୁ ନିଜ ଅଭିଭାଷଣରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ବ୍ୟାପକ ଓ ମଜଭୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଜୁ ବାବୁଙ୍କ ଆଦର୍ଶ ଓ ନବୀନ ପଟ୍ଟନାୟକଙ୍କ ଜନମୁଖୀ ଚିନ୍ତାଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ବର୍ତ୍ତମାନର ବିଜେପି ସରକାରଙ୍କ ବିଫଳତା ଓ ଦୁର୍ନୀତି ବିରୋଧରେ ଜନମତ ସୃଷ୍ଟି କରିବାକୁ ସେ ନବନିଯୁକ୍ତ ସଭାପତିମାନଙ୍କୁ ଆହ୍ୱାନ ଦେଇଥିଲେ। ଏଥିସହ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ଗାଁ ଗାଁରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଥିଲେ।

ଏହି ସାଙ୍ଗଠନିକ ବୈଠକରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ, ବ୍ଲକ ସଭାପତି ଦେବୀ ପ୍ରସାଦ ପଟ୍ଟନାୟକ, ଓଡ଼ାପଡ଼ା ବ୍ଲକ ସଭାପତି ଜତି ନାୟକ, ରାଜ୍ୟ ପରିଷଦ ସଦସ୍ୟ ଅଶୋକ ନାୟକ, ରାଜ୍ୟ ସମ୍ପାଦିକା ମମତା ସାହୁ, ଜିଲ୍ଲାପରିଷଦ ସଦସ୍ୟ ମମତାଞ୍ଜଳି ବେହେରା ଓ ହିନ୍ଦୋଳ ବ୍ଲକ ମହିଳା ସଭାପତି ଯୋଗମାୟା ଗଡ଼ନାୟକଙ୍କ ସମେତ ବହୁ ବରିଷ୍ଠ ଓ ପୁରୁଖା ଦଳୀୟ କାର୍ଯ୍ୟକର୍ତ୍ତା, ସରପଞ୍ଚ, ସମିତି ସଭ୍ୟ ଏବଂ ହିନ୍ଦୋଳ ବ୍ଲକ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ବୈଠକରେ ଆଗାମୀ ଦିନରେ ଓଡ଼ାପଡ଼ା ବ୍ଲକର ସମସ୍ତ ପଞ୍ଚାୟତ ସଭାପତିଙ୍କୁ ନେଇ ଅନ୍ୟ ଏକ ସାଙ୍ଗଠନିକ ବୈଠକ ଆୟୋଜନ କରାଯିବ ବୋଲି ଘୋଷଣା କରାଯାଇଥିଲା।

ମୋଟାମୋଟି ଭାବେ, ହିନ୍ଦୋଳରେ ୩୫ଟି ପଞ୍ଚାୟତ ପାଇଁ ନୂତନ ସଭାପତି ଚୟନ ମାଧ୍ୟମରେ ବିଜେଡି ନିଜର ସାଙ୍ଗଠନିକ ଶକ୍ତି ବୃଦ୍ଧି ଓ ତୃଣମୂଳ ସ୍ତରରେ ଦଳକୁ ଅଧିକ ସକ୍ରିୟ କରିବା ଦିଗରେ ପଦକ୍ଷେପ ନେଇଛି।

ନିଶାମୁକ୍ତ ଯୁବ ସମାଜ ଓ ବିକଶିତ ଭାରତ ସଚେତନତା କାର୍ଯ୍ୟକ୍ରମ

କାମାକ୍ଷାନଗର – ମଠକରଗୋଳା ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା (NSS) ଶାଖା ପକ୍ଷରୁ “ନିଶାମୁକ୍ତ ଯୁବ ସମାଜ ଓ ବିକଶିତ ଭାରତ” ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାଶ ଉଦ୍‌ଘାଟନ କରିଥିଲେ। ପ୍ରଫେସର ଦାଶ ନିଶାମୁକ୍ତ ସମାଜ ଗଠନର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଯୁବପିଢ଼ିଙ୍କୁ ମାଦକଦ୍ରବ୍ୟ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଏକ ସୁସ୍ଥ, ସଚେତନ ଓ ବିକଶିତ ଭାରତ ଗଠନରେ ଯୁବସମାଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଉପସ୍ଥିତ ଅନ୍ୟାନ୍ୟ ଅତିଥି ଭାବେ ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର, ଅଧ୍ୟାପିକା ସବିତା ଦେହୁରୀ , ଅଧ୍ୟାପିକା ସ୍ଵପ୍ନିତ ରାଉତ, ଅଧ୍ୟାପିକା ଅର୍ଚ୍ଚିତା ମୋହାମାନ୍ସିଂ ନିଶା ସେବନର କୁପରିଣାମ ସମ୍ପର୍କରେ ନିଜର ମତାମତ ରଖିବା ସହ ଛାତ୍ରଛାତ୍ରୀମାନଙ୍କୁ ସମାଜରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବାକୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମଟିକୁ ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସୋମନାଥ ପଣ୍ଡା ସଂଯୋଜନା କରିଥିଲେ। ଶେଷରେ ସମସ୍ତ ଛାତ୍ରଛାତ୍ରୀ ନିଶାମୁକ୍ତ ରହିବା ସହ ଏକ ନିଶାମୁକ୍ତ ସମାଜ ଓ ବିକଶିତ ଭାରତ ଗଠନରେ ସହଯୋଗ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଅଧ୍ୟାପକ ମଧୋଇ ଭୁଏ ଏବଂ ମନୋରଞ୍ଜନ ବେହେରା ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଥିଲେ।

“ନିଶାକୁ ନା, ଜୀବନକୁ ହଁ” — ଏହି ବାର୍ତ୍ତା ସହ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା।

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ 

କାମାକ୍ଷାନଗର -କଙ୍କଡାହାଡ଼ ବ୍ଳକର ବିଭିନ୍ନ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି ପରଜଙ୍ଗ ବିଧାୟକ ବିଭୂତିଭୂଷଣ ପ୍ରଧାନ। କଙ୍କଡାହାଡ଼ କେରଯୋଳି ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରୋଡ଼ଙ୍ଗ ଠାରୁ ଘୁଟୁରିଗାଁ ରାସ୍ତାର ୧୧.୯୧ କୋଟି ଅଟକଳରେ ନିର୍ମାଣ ହେବାକୁ ଥିବା ନୂତନ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସେହିପରି ବାମ ପଞ୍ଚାୟତରେ ୮୯ ଲକ୍ଷ ଟଙ୍କାର ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଠାରୁ ଚାଉଳିଆଝରଣ ରାସ୍ତା ନିର୍ମାଣ,ବ୍ଳକ ମହକୁମା କଙ୍କଡାହାଡ଼ଠାରେ ୮.୯୩ କୋଟି ଟଙ୍କାରେ ଅଟଳ ବସଷ୍ଟାଣ୍ଡ ନିର୍ମାଣ ପାଇଁ ବିଧାୟକ ଭୂମିପୂଜା କରିଛନ୍ତି। ଦୀର୍ଘ ବର୍ଷର ଦାବି ବସଷ୍ଟାଣ୍ଡ୍ ନିର୍ମାଣ ହେବାକୁ ଯାଉଥିବାରୁ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା,ବ୍ଳକ ଅଧ୍ୟକ୍ଷା ଚାରୁଲତା ମିଶ୍ର,ବିଡ଼ିଓ ଯଶୋବନ୍ତ ଦେହୁରୀ,ଜିଲ୍ଲା ପରିଷଦ ସଦସ୍ୟ ରୀନା ହେସା,ବାମ ସରପଞ୍ଚ ଫକୀର ଚରଣ ମହାନ୍ତ,କେରଯୋଳି ସରପଞ୍ଚ ରାଜକିଶୋର ସାହୁ,ବାମ ସମିତି ସଦସ୍ୟା ଲକ୍ଷ୍ମୀ ହେସା,ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶିବଜ୍ୟୋତି ସାହୁ,ସହକାରୀ ନିର୍ବାହୀଯନ୍ତ୍ରୀ ନିରଞ୍ଜନ ବେହେରା,କନିଷ୍ଠଯନ୍ତ୍ରୀ ପୁରୁଷୋତ୍ତମ ଗଡ଼ନାୟକ,କଙ୍କଡ଼ାହାଡ଼ ମଣ୍ଡଳ ବିଜେପି ସଭାପତି ଶୁଭେନ୍ଦୁ ପାଳ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ମିଳନୀ କକ୍ଷରେ ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମରେ ୧୬୫ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ଓ ପୁସ୍ତକ ବଣ୍ଟନ

Sunil Chandra Nayak

ବିଜାତଳା ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପେରେଣ୍ଟସ ଏଜ ପାଟନର କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରବି ଚାଷ ଜଳସେଚନ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ୩ ପଞ୍ଚାୟତର ଚାଷି

masiha

Leave a Comment

error: Content is protected !!