ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାରମ୍ପରିକ ଶ୍ରୀଅନ୍ନ ବିହନ ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ – ‘ସିଡ୍ ଚାମ୍ପିୟନ୍’ ସମ୍ମାନରେ ସମ୍ମାନିତ ହେଲେ ନବରଙ୍ଗପୁରର ଶଙ୍କର ପଟ୍ଟନାୟକ

ପାରମ୍ପରିକ ଶ୍ରୀଅନ୍ନ ବିହନ ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ – ‘ସିଡ୍ ଚାମ୍ପିୟନ୍’ ସମ୍ମାନରେ ସମ୍ମାନିତ ହେଲେ ନବରଙ୍ଗପୁରର ଶଙ୍କର ପଟ୍ଟନାୟକ 

ନବରଙ୍ଗପୁର:(୧୦ ନଭେମ୍ବର ୨୦୨୬)(ରବି ନାରାୟଣ ମହାନ୍ତି)ପାରମ୍ପରିକ ଶ୍ରୀଅନ୍ନ ବିହନ ସଂରକ୍ଷଣ, ଦେଶୀୟ ବିହନ ପ୍ରଜାତିର ସୁରକ୍ଷା ତଥା କୃଷି ଜୈବ ବିବିଧତାର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ମୋଡ଼େଇଗାଁ ଗ୍ରାମର ଅବସରପ୍ରାପ୍ତ ସରକାରୀ ଶିକ୍ଷକ ଶ୍ରୀ ଶଙ୍କର ପଟ୍ଟନାୟକ ‘ସିଡ୍ ଚାମ୍ପିୟନ୍’ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ମେଫେୟାର କନଭେନସନ୍‌ ଠାରେ ନଭେମ୍ବର ୧୦ ଓ ୧୧ ତାରିଖରେ ଆୟୋଜିତ ‘ଶ୍ରୀଅନ୍ନ ଓ ଦେଶୀୟ ବିହନ ପ୍ରଜାତିର ସୁଦୃଢ଼ ବିହନ ବ୍ୟବସ୍ଥା’ ଶୀର୍ଷକ ରାଜ୍ୟସ୍ତରୀୟ ସମ୍ମିଳନୀରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।ପ୍ରାୟ ୭୦ ବର୍ଷ ବୟସ୍କ ଶ୍ରୀ ପଟ୍ଟନାୟକ ୨୦୧୪ ମସିହାରୁ ପାରମ୍ପରିକ ମାଣ୍ଡିଆ ବିହନର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ତାଙ୍କର ଦୀର୍ଘ ବର୍ଷର ନିଷ୍ଠାପର ପ୍ରୟାସ ଫଳରେ ସେ ୧୫ ପ୍ରକାର ପାରମ୍ପରିକ ମାଣ୍ଡିଆ ଏବଂ ୬ ପ୍ରକାର ଅଣ-ମାଣ୍ଡିଆ ଶ୍ରୀଅନ୍ନର ଦେଶୀୟ ବିହନ ସଂରକ୍ଷଣ କରିବାରେ ସଫଳ ହୋଇଛନ୍ତି। ସଂରକ୍ଷିତ ମାଣ୍ଡିଆ କିସମ ମଧ୍ୟରେ ଭାଲୁ ମାଣ୍ଡିଆ, କେଏମ୍‌ଆର୍-୨୦୪, ବଡ଼ ମାଣ୍ଡିଆ, ସାନ ମାଣ୍ଡିଆ, ମାମି ମାଣ୍ଡିଆ, ଜାମୁ ମାଣ୍ଡିଆ, ଅର୍ଜୁନ ମାଣ୍ଡିଆ, ଦଶହରା ମାଣ୍ଡିଆ ଓ ମାଛ ଡିମ୍ବ ମାଣ୍ଡିଆ ଭଳି ଅନେକ ପାରମ୍ପରିକ ପ୍ରଜାତି ରହିଛି। ସେହିପରି ସୁଆଁ, ବାଜରା, ବ୍ରାଉନ୍ ଟପ୍ ମିଲେଟ୍, ପ୍ରୋସୋ ମିଲେଟ୍ ଓ ବାର୍ଣ୍ଣୟାର୍ଡ ମିଲେଟ୍ ଆଦି ଅଣ-ମାଣ୍ଡିଆ ଶ୍ରୀଅନ୍ନର ବିହନ ମଧ୍ୟ ସେ ସଂରକ୍ଷଣ କରିଛନ୍ତି।ବିହନ ସଂରକ୍ଷଣ ସହିତ ଶ୍ରୀ ପଟ୍ଟନାୟକ ନିଜସ୍ୱ ଚାଷଜମିରେ ଶ୍ରୀଅନ୍ନ ଅଭିଯାନ ଅନ୍ତର୍ଗତ ପିଭିଟି ପଦ୍ଧତିରେ ୧୦ଟି ପୃଥକ୍ ପ୍ଲଟ୍ ପ୍ରସ୍ତୁତ କରି ବିଭିନ୍ନ ପାରମ୍ପରିକ ମାଣ୍ଡିଆ କିସମର ଚାଷ, ପ୍ରଦର୍ଶନ ଓ ସଂରକ୍ଷଣ କରୁଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ଦେଶୀୟ ବିହନର ଗୁଣବତ୍ତା ଓ ବିବିଧତାକୁ ସୁରକ୍ଷିତ ରଖିବା ସହ ଆଗାମୀ ପିଢ଼ି ପାଇଁ ଏହାର ଉପଲବ୍ଧତା ସୁନିଶ୍ଚିତ କରିବା ଦିଗରେ ସେ ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖୁଛନ୍ତି। ପାରମ୍ପରିକ କୃଷି ପଦ୍ଧତି, ଦେଶୀୟ ବିହନ ଓ କୃଷି ଜୈବ ବିବିଧତାର ସୁରକ୍ଷା ପ୍ରତି ଶ୍ରୀ ପଟ୍ଟନାୟକଙ୍କ ନିଷ୍ଠା, ଅଧ୍ୟବସାୟ ଓ ନିରନ୍ତର ଉଦ୍ୟମ ନିଶ୍ଚିତ ଭାବେ ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ। ତାଙ୍କର ଏହି ସଫଳତା ଅନ୍ୟ ଚାଷୀମାନଙ୍କୁ ପାରମ୍ପରିକ ବିହନ ସଂରକ୍ଷଣ, ଶ୍ରୀଅନ୍ନ ଚାଷର ପ୍ରସାର ଏବଂ କୃଷି ଜୈବ ବିବିଧତାର ସୁରକ୍ଷା ଦିଗରେ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆଜି ପ୍ରବାଦପୁରୁଷ ବିଜୁବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ପାଳନ ସମାରୋହ

masiha

ଚିତ୍ରଶିଳ୍ପୀ ସଂଘ ର ନୂତନ କର୍ମକର୍ତ୍ତା ଚୟନ

masiha

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶିକ୍ଷାବିତ୍ ପବିତ୍ର କୁମାର ପ୍ରଧାନଙ୍କ ବିୟୋଗରେ ଶୋକ 

masiha

Leave a Comment

error: Content is protected !!