ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ ପୂର୍ବରୁ ବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା ଆୟୋଜିତ
ନବରଙ୍ଗପୁର:(୧୧ ନଭେମ୍ବର ୨୦୨୬)(ରବି ନାରାୟଣ ମହାନ୍ତି)ମହାନ ସ୍ୱାଧୀନତା ସଂଗ୍ରାମୀ, ଆଦିବାସୀ ଜନନାୟକ ତଥା ଅମର ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ ଉପଲକ୍ଷେ ଆଜି ନବରଙ୍ଗପୁରସ୍ଥିତ ଜେ.ଇ.ଏଲ୍.ସି. ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରବନ୍ଧ ଲିଖନ ଓ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ଶହୀଦ ଲକ୍ଷ୍ମଣ ନାୟକଙ୍କ ଅଦମ୍ୟ ଦେଶପ୍ରେମ, ସାହସିକତା, ଆତ୍ମତ୍ୟାଗ ଓ ମାତୃଭୂମିର ସ୍ୱାଧୀନତା ପାଇଁ ତାଙ୍କର ଅବିସ୍ମରଣୀୟ ସଂଘର୍ଷମୟ ଜୀବନଗାଥାକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିସହିତ ନୂତନ ପିଢ଼ିଙ୍କ ମଧ୍ୟରେ ଜାତୀୟତାବୋଧ, ଦେଶପ୍ରେମ, ସାମାଜିକ ଚେତନା ଓ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନବୋଧ ଜାଗ୍ରତ କରିବା ଦିଗରେ ଏହି ଆୟୋଜନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଥିଲା। ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱତଃସ୍ଫୂର୍ତ୍ତ ଓ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ସେମାନେ ନିଜର ଲେଖନୀ ଦକ୍ଷତା, ଐତିହାସିକ ଜ୍ଞାନ ଓ ଚିନ୍ତନଶୀଳତାର ପରିଚୟ ଦେଇଥିବାବେଳେ ବିତର୍କ ପ୍ରତିଯୋଗିତାରେ ଯୁକ୍ତି, ତଥ୍ୟ ଉପସ୍ଥାପନ ଓ ଅଭିବ୍ୟକ୍ତି କୌଶଳ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଭଳି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ଚିନ୍ତନ, ଆତ୍ମବିଶ୍ୱାସ, ଯୁକ୍ତିପୂର୍ଣ୍ଣ ମତ ଉପସ୍ଥାପନ ଓ ବୌଦ୍ଧିକ ବିକାଶରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।ସୂଚନାଯୋଗ୍ୟ ଯେ, ଆସନ୍ତା ୨୨ ନଭେମ୍ବର ୨୦୨୬ ତାରିଖରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଜିଲ୍ଲାସ୍ତରରେ ପାଳନ କରାଯିବ। ଏହି ଅବସରରେ ଆଜି ଅନୁଷ୍ଠିତ ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମାରୋହର ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯିବ।ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନ, ଆଦର୍ଶ ଓ ଆତ୍ମବଳିଦାନ ଆଜି ମଧ୍ୟ ଦେଶର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଅକ୍ଷୟ ଉତ୍ସ। ତାଙ୍କର ଅମର ସ୍ମୃତିକୁ ଜୀବନ୍ତ ରଖିବା ସହ ତାଙ୍କ ଆଦର୍ଶକୁ ନୂତନ ପିଢ଼ି ମଧ୍ୟରେ ପ୍ରସାର କରିବା ଏହି ଜୟନ୍ତୀ ପାଳନର ମୂଳ ଲକ୍ଷ୍ୟ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

