ମାଁ ମହାକାଳୀ ପୂଜାକୁ ଜିଲ୍ଲା କିନ୍ନର ସଂଘକୁ ନିମନ୍ତ୍ରଣ
(ସାମାଜିକ ସମାନତା, ଏକତା ଓ ଭାଇଚାରାର ନିଆରା ପ୍ରୟାସ)
ନବରଙ୍ଗପୁର :(୧୧|୧୧)(ରବି ନାରାୟଣ ମହାନ୍ତି)ସାମାଜିକ ସମାନତା, ଏକତା, ଭାଇଚାରା ଓ ସମାବେଶୀ ଚିନ୍ତାଧାରାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛି ଉମରକୋଟ ସହର ନିକଟସ୍ଥ ଗ୍ରାମ ନମ୍ବର ୫୨ର ଶ୍ରୀ ଶ୍ରୀ ଶ୍ରୀ ମାଁ ମହାକାଳୀ ପୂଜା କମିଟି । ଜିଲ୍ଲାର ସର୍ବବୃହତ୍ ପୂଜା ଭାବେ ପରିଚିତ ମାଁ ମହାକାଳୀଙ୍କ ପୂଜା ଅବସରରେ ପୂଜା କମିଟି ପକ୍ଷରୁ ଜିଲ୍ଲା କିନ୍ନର ସଂଘକୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ସମାଜର ପ୍ରତ୍ୟେକ ବର୍ଗଙ୍କୁ ସମ୍ମାନ ଓ ମର୍ଯ୍ୟାଦା ଦେବା ସହ ଧାର୍ମିକ ଓ ସାଂସ୍କୃତିକ ଉତ୍ସବରେ ସମସ୍ତଙ୍କୁ ସାମିଲ କରିବାର ଏହି ପ୍ରୟାସ ଏକ ଉଦାହରଣୀୟ ପଦକ୍ଷେପ। ଜିଲ୍ଲା କିନ୍ନର ସଂଘକୁ ନିମନ୍ତ୍ରଣ କରିବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ପୂଜା କମିଟି ପକ୍ଷରୁ ମତ ପ୍ରକାଶ ପାଇଛି। ଏହି ନିମନ୍ତ୍ରଣକୁ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଆନନ୍ଦର ସହିତ ସ୍ୱାଗତ କରାଯାଇଛି। ସମାଜରେ କିନ୍ନରମାନଙ୍କୁ ସମାନ ସମ୍ମାନ ଓ ଅଧିକାର ଦେବା ସହିତ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବାର ଏଭଳି ପ୍ରୟାସ ସାମାଜିକ ସଦ୍ଭାବନାକୁ ଆହୁରି ସୁଦୃଢ଼ କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ମୁଖ୍ୟ ପରାମର୍ଶଦାତା ଜଗନ୍ନାଥ ମହାପାତ୍ର, ଉପଦେଷ୍ଟା ଅଧିବକ୍ତା ଶ୍ରୀନିବାସ ପଟ୍ଟନାୟକ, ପ୍ରୋଜେକ୍ଟ ଲିଡର ଏମ୍. ବାଲା କୃଷ୍ଣ ରାଓ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ମହିଳା ଉପଦେଷ୍ଟା ଶର୍ମିଷ୍ଠା ଦେଓ, ଅଧିବକ୍ତା କିଶୋରୀ ପଟ୍ଟନାୟକ, ଅଧ୍ୟାପିକା ଡକ୍ଟର ସଂଯୁକ୍ତା ପଣ୍ଡା, ପ୍ରିନ୍ସିପାଲ ସ୍ୱର୍ଣ୍ଣଲତା ପଟ୍ଟନାୟକ, ସମାଜସେବୀ ନୀନୀବାବୁ ତ୍ରିପାଠୀ, ଅଧ୍ୟାପକ ଅଖିଳ ଭଟ୍ଟ, ସମାଜସେବୀ ଦୁର୍ଗା ପାଢ଼ୀ, ଇଞ୍ଜିନିୟର ଚନ୍ଦନା ମଲ୍ଲିକ, ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମକି କିନ୍ନର ଓ ସହସମ୍ପାଦକ ପ୍ରୀତି କିନ୍ନର ପ୍ରମୁଖ ଏହି ନିମନ୍ତ୍ରଣକୁ ନେଇ ଆନନ୍ଦ ପ୍ରକାଶ କରିବା ସହ ପୂଜା କମିଟିକୁ ଧନ୍ୟବାଦ ଜଣାଇଛନ୍ତି।ଏଭଳି ଏକ ମହତ୍ ପଦକ୍ଷେପ ସମାଜରେ ସମାନତା, ମାନବିକତା ଓ ଭାଇଚାରାର ବାର୍ତ୍ତା ପ୍ରସାର କରିବା ସହ ଅନ୍ୟ ପୂଜା କମିଟିମାନଙ୍କ ପାଇଁ ମଧ୍ୟ ପ୍ରେରଣା ଦାୟକ ହୋଇପାରିଛି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

