ନନ୍ଦିଗୋର ବିଦ୍ୟାଳୟ ରେ ପାଠ ପଢା ପାଇଁ କମିଟି ସ୍ତରରେ ନିଷ୍ପତ୍ତି
ଆସିକା :(୧୧/୧୧/୨୬)(ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ନନ୍ଦୀଗୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢା ନେଇ ଲାଗିରହିଥିବା ଅନିଶ୍ଚିତତା ଦୂର ହୋଇଯାଇଛି । ଆଜି ବିଦ୍ୟାଳୟ ପରିସରରେ ଏ ବି ଇ ଓ ସୌରୀ ଶଙ୍କର ବେହେରା, ସି ଆର ସି ସି ରଞ୍ଜନ କୁମାର ନାୟକ, ପି ଟି ଏ ସଭାପତି ପ୍ରକାଶ କୁମାର ଗୌଡ, ଗ୍ରାମ୍ୟ କମିଟି ସଭାପତି କେଶବ ସାହୁ, ପ୍ରଧାନ ଶିକ୍ଷକ ଅନିଲ କୁମାର ସେଠୀ, ଅଭୟ ସାହୁ, ସୁଦର୍ଶନ ପଣ୍ଡା,ପୂର୍ବତନ ସରପଞ୍ଚ ଶିବରାମ ଵାଡତ୍ୟା, ଉପେନ୍ଦ୍ର ସାହୁ, ଲିଙ୍ଗରାଜ ଗୌଡ, ବିପ୍ର ଚରଣ ସାହୁ, ସୂର୍ଯ୍ୟ ନାରାୟଣ ବେହେରା, ରବି ନାରାୟଣ ପତି ପ୍ରମୁଖ ଶତାଧିକ ଲୋକଙ୍କ ଉପସ୍ଥିତିରେ ନନ୍ଦିଗୋର ବିଦ୍ୟାଳୟରେ ଭଲ ଅବସ୍ଥାରେ ଥିବା ତିନୋଟି ଶ୍ରେଣୀ ଗୃହ ଓ ଅସ୍ଥାୟୀ ଭାବରେ ପ୍ରସ୍ତୁତ ହୋଇଥିବା ଡ୍ରାମା ମଣ୍ଡପ ଓ ଦୁଇଟି ବାରଣ୍ଡାରେ ପିଲାଙ୍କୁ ଶିକ୍ଷାଦାନ ପାଇଁ ନିଷ୍ପତି ନିଆଯାଇଥିଲା । ବାଲ ବାଟିକା ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୪୮ ଜଣ ଛାତ୍ରଛାତ୍ରୀ ଏଠାରେ ପାଠପଢ଼ୁ ଥିବା ବେଳେ ଅର୍ଣବ ବନ୍ୟାରେ ବିଦ୍ୟାଳୟର ଚାରିଟି ଶ୍ରେଣୀ ଗୃହ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ଏଣୁ ନିକଟସ୍ଥ ପୁଟୁ ବିଦ୍ୟାଳୟରେ ଅସ୍ଥାୟୀ ଭାବରେ ପାଠ ପଢ଼ିବା ପାଇଁ ଡି ପି ସି ଚିଠି କରିଥିଲେ । ଏଥିରେ ଗାଁ ଲୋକେ ଓ ଅବିଭାବକ ମାନେ କ୍ଷୁବ୍ଧ ହୋଇ ନିଜ ନିଜର ପିଲାଙ୍କୁ ଶିକ୍ଷାଦାନ ପାଇଁ ଛାଡ଼ି ନଥିଲେ । ଜହାକୁନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜିର ବୈଠକରେ ସହମତି ପରେ ଦିର୍ଘ୍ 23 ଦିନ ବନ୍ଦ କରିବା ପରେ ବିଦ୍ୟାଳୟରେ ପାଠ ପଢା ଆରମ୍ଭ ହୋଇଛି। ଆଜି ପଞ୍ଚମ,ଷଷ୍ଠ,ସପ୍ତମ ଓ ଅଷ୍ଟମ ଶ୍ରେଣୀର 82 ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଆସନ୍ତା କାଲି ସମସ୍ତ ଶ୍ରେଣୀର ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଆସିବେ ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି ।
ବିନା ସୂଚନାରେ ମହାନଦୀ କେନାଲ ରେ ଆସିଲା ପାଣି,ଚାଷୀ ଆତଙ୍କିତ
ଆସିକା :(୧୧/୧୧/୨୬)(ଶିବ ଶଙ୍କର ମିଶ୍ର ) ଅର୍ଣ୍ଣବ ବାତ୍ୟା ପ୍ରଭାବରେ ହୋଇଥିବା ବନ୍ୟା ଦ୍ଵାରା ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକରେ ବେଶ କ୍ଷୟ କ୍ଷତି ହୋଇଛି। ଘର ଦ୍ୱାର, ରାସ୍ତାଘାଟ ଠାରୁ ଚାଷ ଜମି ଜଳମଗ୍ନ ହେବାରୁ ଚାଷୀର ମେରୁଦଣ୍ଡ ଦୋହଲି ଯାଇଛି। ବିଶେଷ କରି ଋଷିକୁଲ୍ୟା ମୂଖ୍ୟ କେନାଲ ଓ ମହାନଦୀ କେନାଲରେ ଘାଇ ସୃଷ୍ଟି ହେବାରୁ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଥିଲା । ବନ୍ୟାର ଦଶ ଦିନ ପରେ ଧୀରେ ଧୀରେ ପାଣି କମିବାରୁ ଚାଷୀ ଉଜୁଡ଼ା କ୍ଷେତରୁ ଯାହାକିଛି ବଞ୍ଚି ରହିଛି ତାକୁ କାଟିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆସନ୍ତା 13 ତାରିଖ ବେଳକୁ ଅନ୍ୟ ଏକ ଲଘୁଚାପ ବର୍ଷା ହେବାର ସମ୍ଭାବନା ରହିଥିବା ଜାଣିବା ପରେ ଚାଷୀ ମନରେ ଛନକା ପଶିଛି। ସମ୍ପ୍ରତି ଦୋ ଛକିରେ ଚାଷୀ ରହିଥିବା ବେଳେ ମାଧବରିଡ଼ା ରୁ ଜାନବିଲି ଅନିକାଟ କୁ ଆସିଥିବା ମହାନଦୀ କେନାଲ ରେ ମଙ୍ଗଳବାର ଦିନ ପୁଣି ପାଣି ବିନା ସୂଚନାରେ ଅଚାନକ ଆସି ଯିବାରୁ ଜଗମୋହନ ପଞ୍ଚାୟତ ର ନାନ୍ଦିଗୋର ଓ ପୁଟୁ ଗ୍ରାମର ପ୍ରାୟ ଶହେ ଏକର ଧାନ ବିଲ ଜଳମଗ୍ନ ହୋଇଯାଇଛି। ଯାହାକୁ ନେଇ ଉଭୟ ଗ୍ରାମର ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଗତ ଅର୍ଣବ ବନ୍ୟା ପାଣିରେ ମହାନଦୀ କେନାଲ ରେ ନନ୍ଦିଗୋର ଗାଁ ଉପର ମୁଣ୍ଡରେ ବାର ନାଳିଆ ଠାରେ 40 ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ ଜାହାଡ଼ା ଗାଁ ନିକଟରେ 50 ଫୁଟର ଘାଇ ସୃଷ୍ଟି ହୋଇଛି। ଏଯାବତ ଏହାର ମରାମତି ହୋଇପାରିନାହିଁ। ଏପରି ସ୍ଥଳେ ପୁଣି କେନାଲରେ ପାଣି ଆସିବା ଫଳରେ ଘାଇ ମୁହଁରେ ପାଣି ଯାଇ ଶହ ଶହ ହେକ୍ଟର ଧାନ ଜମି ପୁଣି ଜଳମଗ୍ନ ହୋଇଯାଇଛି। ଖବର ପାଇ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଜାହାଡ଼ା ରାଜସ୍ଵ ନିରୀକ୍ଷକ ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି । ଘଟଣା ସମ୍ପର୍କରେ ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ସଞ୍ଜୀବ ସାହୁଙ୍କ ସହ ଯୋଗାଯୋଗ ବେଳେ ସାହସପୁର ନିକଟରେ କେନାଲ ଗେଟ ଅଜଣା ବ୍ୟକ୍ତି ଖୋଲି ଦେବାରୁ କେବଳ ବଳକା ପାଣି ପ୍ରବାହିତ ହେଉଥିଲା,ଏହାକୁ ତୁରନ୍ତ ବନ୍ଦ କରିବା ସହ ସ୍ଥିତି ଉପରେ ନଜର ରଖାଯାଇଛି, ଖୁବ ଶୀଘ୍ର ପାଣି କମିବ ବୋଲି ପ୍ରକାଶ କରିଛନ୍ତି। ଅନ୍ଯ ପଟରେ ଚାଷୀ ମାନଙ୍କ କହିବା କଥା ବନ୍ୟା ପାଣିରେ ଜାହା ନଷ୍ଟ ହୋଇଥିଲା ତାହା ଶୁଖିବା ବେଳକୁ ଯାହାକିଛି ଅମଳ ହେବ ତାହା କାଟି ନେବାପାଇଁ ଉଦ୍ୟମ କରିବା ବେଳେ ପୁଣି ଭଙ୍ଗା କେନାଲରେ ପାଣି ଆସିବା ଯୋଗୁଁ ଆମର ବର୍ଷକର ଫସଲ ଉଜୁଡ଼ି ଗଲା ଏଣୁ ସରକାର ତୁରନ୍ତ ଆମକୁ କ୍ଷତି ପୂରଣ ଦିଅନ୍ତୁ।
ଜିଲ୍ଲା ସ୍ତରୟ ସୁରଭି ରେ ଧରାକୋଟ ବ୍ଲକର ଦଶ ଛାତ୍ର ଛାତ୍ରୀ ପୁରସ୍କୃତ
ଆସିକା :(୧୧/୧୧/୨୬)(ଶିବ ଶଙ୍କର ମିଶ୍ର ) ଗଞାମ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଧରାକୋଟ ବ୍ଲକ ଛାତ୍ର ଛାତ୍ରୀ ବିଭିନ୍ନ ବିଭାଗରେ ଭାଗନେଇ ସଫଳତାର ସହ ଦଶଟି ପୁରସ୍କାର ହାସଲ କରିଛନ୍ତି । ଛତ୍ରପୁର ସ୍ଥିତ ପି ଏମ ଶ୍ରୀ ଅଂସ୍ଲୋ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଧରାକୋଟ ବ୍ଲକର ମୁଣ୍ଡମରାଇ ସୋମନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆଶିଷ କୁମାର ମିଶ୍ର ବକୃତା ରେ ପ୍ରଥମ , ଅନନ୍ତ ନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଦିବ୍ୟପ୍ରଭା ଦାସ ଦ୍ୱିତୀୟ ସ୍ଥାନ,ଜଗମୋହନ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ସୁଚିସ୍ମିତା ତ୍ରିପାଠୀ ସଙ୍ଗୀତ ରେ ଦ୍ୱିତୀୟ ସ୍ଥାନ, ସୋମନାଥ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଦିବ୍ୟାଙ୍ଗ ଛାତ୍ର ଚିରଞ୍ଜିବୀ ବେହେରା ସଙ୍ଗୀତ ରେ ଦ୍ୱିତୀୟ ସ୍ଥାନ, କଳାସୂତା ବିଦ୍ୟାଳୟର ପୂଜାରିଣୀ ରାଉତ ପିଏମ୍ ପୋଷଣ ଚିତ୍ରକଳା ରେ ଦ୍ୱିତୀୟ, ସରଧାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଦିବ୍ୟସା ମାଲିକ ପି ଏମ ପୋଷଣ ଶିଳ୍ପକଳା ତୃତୀୟ ସ୍ଥାନ, ସୋମନାଥ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଗୋପାଳ ପ୍ରଧାନ ସୃଜନଶୀଳ ରେ ତୃତୀୟ ସ୍ଥାନ, ମାଧ୍ୟମିକ ବିଦ୍ୟାଳୟ ଢ଼ଉଗାଁ ର ତୁଳସି ସ୍ୱାଇଁ ସୁତ୍ରଲିଖନ ରେ ତୃତୀୟ, ଓଡିଶା ଆଦର୍ଶ ବିଦ୍ୟାଳୟ କୁଷଗୁମା ର ଅମିତ କୁମାର ପଟ୍ଟନାୟକ ଚିତ୍ର ରେ ତୃତୀୟ ସ୍ଥାନ ହାସଲ କରିଥିଲେ । ସର୍ବମୋଟ ୧୦ ଛାତ୍ରଛାତ୍ରୀ ମଧ୍ୟରୁ ଜଣେ ରାଜ୍ୟସ୍ତରୀୟ ପାଇଁ ମନୋନୀତ ହୋଇଛନ୍ତି । ଏ ଡି ଇ ଓ ପ୍ରଭାତୀ ମହାପାତ୍ର ଓ ଡି ପି ସି ସରୋଜ ମୋହନ ପାଳ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।ଗାଇଡ ଶିକ୍ଷକ ଭାବରେ ରଶ୍ମିତା ରାଉଳ , ସନ୍ତୋଷ କୁମାର ସାହୁ ଙ୍କ ସହିତ ସି ଆର ସି କିରଣବାଳା ନାୟକ ଓ ଏ ବି ଇ ଓ ସୌରିସଙ୍କର ବେହେରା ଉପସ୍ଥିତ ଥିଲେ ।

