ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମତ୍ସବ ଉପଲକ୍ଷେ ରକ୍ତଦାନ ଶିବିର
ଢେଙ୍କାନାଳ, ୨୩/୧୧: ଢେଙ୍କାନାଳ ସହର ପି.ଡବ୍ଲୁ.ଡି. ରୋଡସ୍ଥିତ ସତ୍ୟସାଇ ବାବା ସମିତି ପକ୍ଷରୁ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ସକାଳ ୯ ଘଟିକା ଠାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ସହରର ବହୁ ଯୁବକଯୁବତୀମାନେ ଓ ସାଇଭକ୍ତମାନେ ରକ୍ତଦାନ କରିଥିଲେ । ଏହି ଜନ୍ମୋତ୍ସବରେ ପ୍ରାତଃ ଘ.୪.୪୫ମି. ଠାରୁ ଓଁକାର ସୁପ୍ରଭାତମ୍, ଷୋଡଶ ଉପଚାର ପୂଜା ଓ ହୋମଯଜ୍ଞ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଦିବା ଘ.୧୨.୩୦ ମି. ସମୟରେ ନାରାୟଣ ସେବା ବସ୍ତ୍ରଦାନ କରାଯାଇଥିଲା । ଦିବା ୧ ଘଟିକାରେ ସମୁହ ପ୍ରସାଦସେବନ କରାଯାଇଥିଲା । ସଂଧ୍ୟା କାର୍ଯ୍ୟକ୍ରମରେ ୧୦୧ ଦୀପଦାନ କରାଯିବା ପରେ ଭଜନ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାତ୍ର ଘ.୮.୧୦ ମି. ସମୟରେ ବାବାଙ୍କ ପାଖରେ ଆରତି କରାଯାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା ବୋଲି ଆବାହକ ତପନ କୁମାର ସାହୁ ସୂଚନା ଦେଇଥିଲେ ।
କାର୍ତ୍ତିକ ସୋମବାର ବଡ ଓଷା ରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା
କାର୍ତ୍ତିକ ମାସର ଶେଷ ସୋମବାର ବଡ ଓଷା ଅବସରରେ ଢେଙ୍କାନାଳ ଜିଲ୍ଲାର ଭାଗୀରଥି ସାଗର କୂଳରେ ଅବସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଭକ୍ତି ଓ ଶ୍ରଦ୍ଧାର ସହ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପ୍ରଭାତରୁ ବାବାଙ୍କ ମଙ୍ଗଳ ଆଳତି, ମହାସ୍ନାନ, ବେଲପତ୍ର ଅର୍ପଣ ସହ ବିଭିନ୍ନ ପ୍ରକାରର ପୁଷ୍ପ ଓ ଭୋଗ ଲାଗି କରାଯାଇଥିଲା।
ସେହିପରି ମଧ୍ୟାହ୍ନରେ ଅନ୍ନଧୂପ ନୀତି ସମ୍ପନ୍ନ ହୋଇଥିବା ବେଳେ ସନ୍ଧ୍ୟାରେ ଆଳତି ଓ ଘର୍ଷଣୀ ନୀତି ପରେ ବାବାଙ୍କୁ ମନୋରମ ମେଳା ବେଶରେ ସଜ୍ଜିତ କରାଯାଇଥିଲା। ଏଥିସହ ଚୁଡ଼ା ଘଷା ଓ ପଣା ଭୋଗ ମଧ୍ୟ ଲାଗି କରାଯାଇଥିଲା।
ପୂଜକ ତୁଷାର ରଞ୍ଜନ ମିଶ୍ର ଓ ବିଭୂତି ଭୂଷଣ ପଣ୍ଡାଙ୍କ ଦ୍ୱାରା ସମସ୍ତ ପୂଜାବିଧି ସମ୍ପନ୍ନ ହୋଇଥିଲା।
କାର୍ତ୍ତିକ ସୋମବାର ଓ ବଡ ଓଷା ଏହି ପବିତ୍ର ସଂଯୋଗରେ ବାବାଙ୍କ ଦର୍ଶନ ପାଇଁ ପୀଠରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।
ଶୁଭମ୍ ପାଣି ଙ୍କ ରିପୋର୍ଟ୍

