କାର୍ତ୍ତିକ ପୂର୍ଣ୍ଣିମା ରେ ଧରାକୋଟ ଅଞ୍ଚଳର ଅଷ୍ଟଶମ୍ଭୁ ଙ୍କ ପୀଠ ରେ ଭିଡ଼
ଆସିକା : (୨୪/୧୧/୨୬)( ଶିବ ଶଙ୍କର ମିଶ୍ର ) ପବିତ୍ର କାର୍ତ୍ତିକ ମାସର ଶେଷ ଦିବସ ପୂର୍ଣ୍ଣିମା ତିଥିରେ ଧରାକୋଟ ଅଞ୍ଚଳର ପ୍ରସିଦ୍ଧ ଅଷ୍ଟ ଶମ୍ଭୁ ଶୈବପୀଠ ଗୁଡିକରେ ପ୍ରବଳ ମାତ୍ରାରେ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଛି। ଭୋର ଚାରିଟା ସମୟରୁ ଋଷିକୁଲ୍ୟା ନଦୀର ଉତ୍ତର ବାଙ୍କ ହନୁମାନ ଦ୍ୱାର,ଧରାକୋଟ, ମୁଣ୍ଡମରାଇ, ପଙ୍କଳ ବାଡ଼ି, ଦଶମାଇଲି, ଯାହାଡ଼ା, ରେଡ୍ଡୀ ଦାମୋଦର ପଲ୍ଲୀ ଗ୍ରାମର ନଦୀ କୂଳରେ ପୁରୁଷ ଓ ମହିଳା ମାନେ ପୂଜା ଅର୍ଚ୍ଚନା କରିବା ସହ ବୋଇତ ଭସାଣ କରିଥିଲେ । ଏହାପରେ ଅଷ୍ଟଶମ୍ଭୁ ପୀଠ ଚନ୍ଦ୍ରକଳ୍ପେଶ୍ୱର, ବୈଦ୍ୟନାଥ, ଲୋକନାଥେଶ୍ୱର, ମୁକ୍ତେଶ୍ୱର, ନୀଳକଣ୍ଠ ସ୍ୱର, ଗଙ୍ଗାଧରେ ସ୍ୱର, ବାଲୁଙ୍କେସ୍ୱର, ସ୍ୱପ୍ନେଶ୍ୱର ଙ୍କ ପୀଠରେ ଶହ ଶହ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହାଛଡ଼ା କପିଳେଶ୍ୱର, ବାଲୁଙ୍କେଶ୍ୱର, ଧବଳେଶ୍ୱର,ବିଶ୍ୱେଶ୍ୱର,ସୁବର୍ନେଶ୍ୱର, ମହା ଲିଙ୍ଗେଶ୍ୱର ଙ୍କ ପୀଠରେ ମଧ୍ୟ ଭିଡ ଜମିଥିଲା । ପୂର୍ଣ୍ଣିମା ତିଥିରେ ଧରାକୋଟ ଜଗନ୍ନାଥ ମନ୍ଦିରରେ ତିନି ଠାକୁର ପ୍ରଭାତରୁ ରାଜ ରାଜେଶ୍ୱର ବେଶ ଓ ସନ୍ଧ୍ୟାରେ ଫୁଲ ବେଶରେ ସଜ୍ଜିତ ହୋଇଥିଲେ । ଏହି ଅବସରରେ ବିଭିନ୍ନ ଗାଁ ଗଣ୍ଡାରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଧରାକୋଟ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ଅଷ୍ଟ ପ୍ରହରୀ ନାମଯଜ୍ଞ ରେ ହରିପୁର ନୂଆଁ ସାହିର ମହିଳା ସଂକୀର୍ତ୍ତନ, ଯାନବିଲି ମହିଳା ସଂକୀର୍ତ୍ତନ ଦଳ, କୋଦଳା ମରଦ ମେଖ ମହିଳା ସଂକୀର୍ତ୍ତନ ଦଳ ସହ ଶୁଣ୍ଢି ପଲ୍ଲୀ, ବଡ଼ଦାଣ୍ଡ ସାହି, କାନ ଗିରିଡି ଦଳ ହରିନାମ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ। ଏଥିରେ ଦିଲ୍ଲୀପ ସ୍ୱାଇଁ, ପଦ୍ମ ଚରଣ ବାରିକ, ସୋମନାଥ ମହାନ୍ତି, ସୁରେନ୍ଦ୍ର ନାୟକ,ରାଜେନ୍ଦ୍ର ବେହେରା, ରାଜେନ୍ଦ୍ର ସ୍ୱାଇଁ, ଶ୍ୟାମ ସୁନ୍ଦର ତ୍ରିପାଠୀ, ରବି ମହାପାତ୍ର , ମିନକେତନ ସ୍ୱାଇଁ ଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ ପ୍ରଦାନ କରିଥିଲେ।
ସତ୍ୟସାଇ ବାବାଙ୍କ ଜୟନ୍ତୀ ପାଳନ
ଆସିକା : (୨୪/୧୧/୨୬) (ଶିବ ଶଙ୍କର ମିଶ୍ର ) ଯୁଗାବତାର ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ 101 ତମ ଜନ୍ମ ଉତ୍ସବ ଧରାକୋଟ ସତ୍ୟସାଇ ସେବା ଗ୍ରୁପ ତରଫରୁ ଆଡ଼ମ୍ବର ସହିତ ପାଳିତ ହୋଇଯାଇଛି। ଏଥିପାଇଁ ଧରାକୋଟ ବଡ଼ଦାଣ୍ଡ ସାହିରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଭାତରୁ ଓଁକାର, ସୁ ପ୍ରଭାତମ,ନଗର ସଂକୀର୍ତ୍ତନ, ଷୋଡଶ ଉପଚାର ପୂଜା,1008 ବିଲ୍ୱ ପତ୍ର ଅର୍ପଣ ପରେ ଅଷ୍ଟୋତ୍ତର ନାମ ପଠନ ସହ ଭଜନ ଜଣାଣ ଗାନ କରାଯାଇଥିଲା । ସନ୍ଧ୍ୟାରେ ଅନୁଷ୍ଠିତ ପ୍ରବଚନ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଇଁ ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଡ ବିମଳ ପ୍ରସାଦ ପଟ୍ଟନାୟକ, ସମାଜ ସେବୀ ଗୋପାଳ କୃଷ୍ଣ ଜେନା, ସୁନିଲ କୁମାର ଚୌଧୁରୀ ଓ ପ୍ରବଚକ ପ୍ରଫେସର ରଘୁନାଥ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଜନ୍ମଦିନ କେକ କାଟିବା ସହ ବାବାଙ୍କ ଆଦର୍ଶ, ସମାଜ ସଂସ୍କାର, ତ୍ୟାଗପୂତ ଜୀବନୀ ଓ ମହତ ବାଣୀ ର ପ୍ରଚାର ପ୍ରବଚନ ଦ୍ଵାରା କରିଥିଲେ । ଶେଷରେ ଗୁରୁ ଲୋକନାଥ ଦାସ ଙ୍କ ନିର୍ଦ୍ଦେଶନାରେ କୁନି କୁନି ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଧରାକୋଟ ଅଞ୍ଚଳର ଶହଶହ ସାଇ ପ୍ରେମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସାଇ କୃପା ଲାଭ କରିବା ସହ ପ୍ରସାଦ ସେବନ କରିଥିଲେ। ସତ୍ୟସାଇ ସେବା ଗ୍ରୁପର ସମସ୍ତ ସଦସ୍ୟ ଏଥିରେ ସାମିଲ ହୋଇଥିଲେ।

