ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ଗ୍ରାମବାସୀଙ୍କ ସମର୍ଥନ :
ବେଆଇନ ଗଞ୍ଜେଇ ଚାଷ ଉପାଡ଼ି ଜମିରେ ଚାଲିଲା ବୃକ୍ଷରୋପଣ
କନ୍ଧମାଳ , ୨୯/୧୧: (ମନିସ): ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ଏବେ ଗ୍ରାମବାସୀ ନିଜେ ଆଗକୁ ଆସିଛନ୍ତି। ବେଆଇନ ଗଞ୍ଜେଇ ଚାଷରୁ ଦୂରେଇ ଏକ ସୁସ୍ଥ ସମାଜ ଗଠନ ସହ ପରିବେଶ ସୁରକ୍ଷା ଏବଂ ସବୁଜିମା ବୃଦ୍ଧି ପାଇଁ
କନ୍ଧମାଳ ଜିଲ୍ଲାର ଦୁଇଟି ଗ୍ରାମରେ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ। ଗ୍ରାମବାସୀ ନିଜ ଆଡ଼ୁ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରି ସେହି ଜମିରେ ବିକଳ୍ପ ଭାବେ ବୃକ୍ଷରୋପଣ କରିଛନ୍ତି। ସୂଚନା ଅନୁଯାୟୀ, ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ପଞ୍ଚାୟତର ବାଲକିଦାଡ଼ି ଗ୍ରାମବାସୀ ନିଜ ନିଜ ଜମିରେ ହୋଇଥିବା ପ୍ରାୟ ୩ ଏକର ପରିମିତ ଅଞ୍ଚଳର ବେଆଇନ ଗଞ୍ଜେଇ ଗଛକୁ ସ୍ୱେଚ୍ଛାକୃତ
ଭାବେ ଉପାଡ଼ି ଦେଇଛନ୍ତି। ଏହାପରେ ଉକ୍ତ ଜମିରେ ବିଭିନ୍ନ ପ୍ରକାରର ଚାରା ରୋପଣ କରି ପରିବେଶ ସୁରକ୍ଷା ସହ ଆଇନସମ୍ମତ ଜୀବିକା ଆପଣାଇବାକୁ ସଂକଳ୍ପ ନେଇଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’କୁ ସଫଳ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ମଧ୍ୟ ଗ୍ରାମବାସୀ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ରାଇକିଆ ଥାନା ଅନ୍ତର୍ଗତ କଟେଡ଼ିକିଆ ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଓ ଗ୍ରାମର ବିଭିନ୍ନ କମିଟିର ସଦସ୍ୟମାନେ ମିଳିତ ଭାବେ ଆଗେଇ ଆସି ପ୍ରାୟ ୫ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ସ୍ୱେଚ୍ଛାକୃତ ଭାବେ ନଷ୍ଟ କରିଛନ୍ତି। ଗଞ୍ଜେଇ ଚାଷ ହଟାଇବା ପରେ ସେହି ଜମିରେ ବିକଳ୍ପ ବୃକ୍ଷରୋପଣ କରିଛନ୍ତି। ଏହି ପଦକ୍ଷେପରେ ମହିଳା ଗୋଷ୍ଠୀଙ୍କ ସକ୍ରିୟ ଭୂମିକା ବେଶ୍ ଗୁରୁତ୍ୱ ବହନ କରୁଛି। ବେଆଇନ ଗଞ୍ଜେଇ ଚାଷକୁ ରୋକିବା କେବଳ ପୁଲିସ ଓ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ଏଥିରେ ଜନସାଧାରଣଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ। ଏହି ଦୁଇ ଗ୍ରାମର ଲୋକଙ୍କ ସ୍ୱେଚ୍ଛାକୃତ ପଦକ୍ଷେପ ଗ୍ରାମାଞ୍ଚଳରେ ଜନସଚେତନତା ସୃଷ୍ଟି କରିବା ସହ ଅନ୍ୟ ଗ୍ରାମଗୁଡ଼ିକ ପାଇଁ ମଧ୍ୟ ଏକ ଉଦାହରଣ ସୃଷ୍ଟି କରିଛି। ନିଶା ଚାଷରୁ ମୁକ୍ତି, ବିକଳ୍ପ ଜୀବିକା ଓ ସବୁଜ ପରିବେଶ ଗଠନ ଦିଗରେ ଏଭଳି ସାମୂହିକ ପ୍ରୟାସ ଆଗାମୀ ଦିନରେ କନ୍ଧମାଳ କୁ ନୂଆ ଦିଗ ଦେଖାଇବ ବୋଲି ଆଶା କରାଯାଉଛି।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

