ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଆଡେ ଗଲା ୨ହଜାର ଟଙ୍କିଆ ନୋଟ?

ଦେଶରେ ୨୦୦୦ ଟଙ୍କିଆ ସଂଖ୍ୟା ହ୍ରାସ

ସବୁଠୁ ଅଧିକ ୫୦୦ ଟଙ୍କିଆ, ଦ୍ବିତୀୟ ସ୍ଥାନରେ ୧୦ ଟଙ୍କିଆ….

୨୦୧୬ ନଭେମ୍ବର ୮ରେ ମୋଦୀ ସରକାର ଦେଶରେ ପ୍ରଚଳନରେ ଥିବା ହଜାରେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟକୁ ଅଚଳ କରି‌ ଦେଇଥିଲେ। ତାହା ସ୍ଥାନରେ ନୂଆ ୨୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟ୍ ବଜାରକୁ ଆଣିଥିଲେ। ତେବେ ବଜାରରୁ ଦ୍ରୁତଗତିରେ ୨୦୦୦ ଟଙ୍କିଆ ନୋଟ୍‌କୁ ପ୍ରତ୍ୟାହାର କରି ନିଆଗଲାଣି। ବର୍ତ୍ତମାନ ମାତ୍ର ୨୧୪ କୋଟି ସଂଖ୍ୟକ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରେ ରହିଛି ଯାହାକି ଦେଶରେ ପ୍ରଚଳିତ ମୋଟ ମୁଦ୍ରାର ୧.୬ ପ୍ରତିଶତ। ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଏହି ସ୍ଥିତି ରହିଥିଲା ବୋଲି ଶୁକ୍ରବାର ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟରୁ ଜଣାଯାଇଛି।

ମୂଲ୍ୟ ଦୃଷ୍ଟିରୁ ଦେଖିଲେ ଦେଶରେ ମୋଟ ମୁଦ୍ରାରେ ୨୦୦୦ ଟଙ୍କିଆ ନୋଟ୍‌ର ପ୍ରତିଶତ ୨୨.୬ ପ୍ରତିଶତ ରହିଥିଲା। ୨୦୨୧ ମାର୍ଚ୍ଚବେଳକୁ ଏହା ୧୭.୩ ପ୍ରତିଶତକୁ ଏବଂ ୨୦୨୨ ମାର୍ଚ୍ଚ ବେଳକୁ ୧୩.୮ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ୨୦୨୨ ମାର୍ଚ୍ଚ ଶେଷ ବେଳକୁ ଦେଶରେ ମୋଟ ୧୩,୦୫୩ କୋଟି ସଂଖ୍ୟକ ବିଭିନ୍ନ ମୂଲ୍ୟର ନୋଟ୍‌ ପ୍ରଚଳନରେ ରହିଛି। ୨୦୨୧ ମାର୍ଚ୍ଚ ଶେଷରେ ଏହି ସଂଖ୍ୟା ୧୨,୪୩୭ କୋଟି ରହିଥିଲା। ଫଳରେ ବର୍ଷକରେ ସମୁଦାୟ ନୋଟ୍‌ସଂଖ୍ୟାରେ ୬୧୬ କୋଟି ବୃଦ୍ଧି ଘଟିଛି।

୨୦୨୦ ମାର୍ଚ୍ଚ ସୁଦ୍ଧା ଦେଶରେ କିନ୍ତୁ ଦେଶରେ ୨୭୪ କୋଟି ସଂଖ୍ୟକ ୨୦୦୦ ଟଙ୍କିଆ ନୋଟ୍ କାରବାର ହେଉଥିଲା, ଯାହା କି ମୋଟ ମୁଦ୍ରାର ୨.୪ ପ୍ରତିଶତ। ୨୦୨୧ ମାର୍ଚ୍ଚ ବେଳକୁ ଏହା ୨୪୫ କୋଟି ସଂଖ୍ୟାକୁ ବା ମୋଟ ବ୍ୟାଙ୍କ ନୋଟର ୨ ପ୍ରତିଶତକୁ ଏବଂ ୨୦୨୨ ମାର୍ଚ୍ଚ ବେଳକୁ ଏହା ୨୧୪ କୋଟି ସଂଖ୍ୟାକୁ ବା ମୋଟ ମୁଦ୍ରାର ୧.୬ ପ୍ରତିଶତକୁ ହ୍ରାସ ପାଇଛି। ସଂଖ୍ୟା ଦୃଷ୍ଟିରୁ ପ୍ରଚଳ‌ନରେ ୫୦୦ ଟଙ୍କିଆ ମୁଦ୍ରା ସବୁଠୁ ଅଧିକ ପ୍ରଚଳିତ ହେଉଛି। ସମୁଦାୟ ନୋଟ୍‌ରେ ଏହାର ଅଂଶ ୩୪.୯%। ଏହା ପଛକୁ ୧୦ ଟଙ୍କିଆ ନୋଟର ଅଂଶ ୨୧.୩% ରହିଛି।

୨୦୨୧ ମାର୍ଚ୍ଚ ଶେଷରେ ଦେଶରେ ପ୍ରଚଳିତ ହେଉଥିବା ମୋଟ ମୁଦ୍ରାର ମୂଲ୍ୟ ୨୮.୨୭ ଲକ୍ଷ କୋଟି ଟଙ୍କା ରହିଥିଲାବେଳେ ୨୦୨୨ ମାର୍ଚ୍ଚ ଶେଷବେଳକୁ ଏହା ୩୧.୦୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ମୂଲ୍ୟଦୃଷ୍ଟିରୁ ମୋଟ ମୁଦ୍ରାରେ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟର ଅଂଶ ୮୭.୧%କୁ ବୃଦ୍ଧି ପାଇଛି ଯାହାକି ୨୦୨୧ ମାର୍ଚ୍ଚ ଶେଷରେ ୮୫.୭%ରେ ରହିଥିଲା। ମୂଲ୍ୟ ଓ ସଂଖ୍ୟା ଦୃଷ୍ଟିରୁ ଦେଶରେ ପ୍ରଚଳିତ ବ୍ୟାଙ୍କ ନୋଟ୍ ସଂଖ୍ୟା ୨୦୨୧-୨୨ ଆର୍ଥିକ ବର୍ଷରେ ଯଥାକ୍ରମେ ୯.୯ ପ୍ରତିଶତ ଏବଂ ୫%ବୃଦ୍ଧି ଘଟିଛି। କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷରେ ଏଥିରେ ଯଥାକ୍ରମେ ୧୬.୮% ଏବଂ ୭.୨% ବୃଦ୍ଧି ଘଟିଥିଲା। ପ୍ରଚଳନରେ ଥିବା ମୁଦ୍ରା କହିଲେ ଉଭୟ ବ୍ୟାଙ୍କ ନୋଟ୍ ଏବଂ କଏନକୁ ବୁଝାଇଥାଏ। ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ୨ ଟଙ୍କା, ୫ ଟଙ୍କା, ୧୦ ଟଙ୍କା, ୨୦ ଟଙ୍କା, ୫୦ ଟଙ୍କା, ୧୦୦ ଟଙ୍କା, ୨୦୦ ଟଙ୍କା, ୫୦୦ ଟଙ୍କା ଏବଂ ୨୦୦୦ ଟଙ୍କା ନୋଟ ଜାରି କରୁଛି। ସେହିଭଳି ୫୦ ପଇସା, ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା, ୧୦ ଟଙ୍କା ଏବଂ ୨୦ ଟଙ୍କାର କଏନ ବି ଜାରି କରୁଛି।

ଵିଦ୍ୟାଧର ସାହୁଙ୍କ ସଂଗୃହୀତ ରିପୋର୍ଟ….

Related posts

କୁମାର ପୂର୍ଣ୍ଣିମା ଓ ଓଡିଆ ପରମ୍ପରା ତଥା ପର୍ବପର୍ବାଣି ଆମ ପରିଚୟ

Sunil Chandra Nayak

କମି ଆସିଲାଣି କାଠ ଗଣ୍ଡିରେ ହେଉଥିବା ପାରମ୍ପାରିକ ଧାନ ମଳା ପଦ୍ଧତି

Sunil Chandra Nayak

ନର୍ଲା ବ୍ଲକ୍ ର ଚାରୋଟି ସ୍ଥାନରେ ଲାଗିଥିବା ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!