ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଭାରତ କଥା……..୮

ମହାଭାରତ କଥା……..୮

 

ଯୁଦ୍ଧ କ୍ଷେତ୍ରରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କି ଉପଦେଶ ଦେଇଥିଲେ

 

         ଅର୍ଜୁନ କମ୍ପିତ ଗଳାରେ କହିଲେ, ହେ କୃଷ୍ଣ , ତୁମେ କଅଣ ବୁଝିପାରୁ ନାହଁ ଯେ ମୋ ସମ୍ମୁଖରେ ଦଣ୍ଡାୟମାନ ଥିବା ମୋର ପିତାମହ ଭୀଷ୍ମଙ୍କ କୋଳରେ ତାଙ୍କ ସ୍ନେହ ଆଦର ପାଇ ଆମେ ପାଞ୍ଚଭାଇ ବଡ଼ ହୋଇଛୁ । ତୁମେ କଅଣ ଜାଣି ନାହଁ ଯେ ଏଠାରେ ହାତରେ ଧନୁ ଧରି ଛିଡା ହୋଇଥିବା ଦ୍ରୋଣାଚାର୍ଯ୍ଯ ହେଉଛନ୍ତି ମୋର ପରମପୂଜ୍ଯ ଗୁରୁ । ତା’ ଛଡା ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ହେଉଛନ୍ତି ମୋର ଭାଇ । ଏମାନଙ୍କ ସହିତ ଯୁଦ୍ଧ କରିବାକୁ ମୋ ହାତ ଯାଉନାହିଁ । ଏମାନଙ୍କୁ ହତ୍ଯା କରି ମୁଁ ପାପ ଅର୍ଜନ କରିବାକୁ ଚାହେଁ ନାହିଁ । ମୁଁ ଯୁଦ୍ଧ କରିବି କିପରି ? ଏହା କହି ଅର୍ଜୁନ ନୀରବରେ ବସି ରହିଲେ । ଶ୍ରୀକୃଷ୍ଣ ବିସ୍ମିତ ନୟନରେ ଅର୍ଜୁନଙ୍କର ଏହି କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥା ଦେଖି କହିଲେ, ହେ ଅର୍ଜୁନ, ଏପରି ସମୟରେ ତୁମଠାରେ ଏପ୍ରକାର କ୍ଳୀବତ୍ବ ଆଦୌ ଶୋଭାପାଉ ନାହିଁ । ଏହା ହେଉଛି ଏକ ଧର୍ମ ଯୁଦ୍ଧ, ଧର୍ମ ଓ ଅଧର୍ମ ମଧ୍ୟରେ ଏକ ଯୁଦ୍ଧ, ନ୍ଯାୟ ଓ ଅନ୍ଯାୟ ମଧ୍ୟରେ ଏକ ଯୁଦ୍ଧ । ତୁମେ ଯୁଦ୍ଧରୁ ଓହରି ଯିବାର ଅର୍ଥ ଅନ୍ଯାୟ ନିକଟରେ ମଥାନତ କରିବା । ତୁମ ପରି ଜଣେ ମହାପରାକ୍ରମୀଶାଳୀ ଯୋଦ୍ଧା ପକ୍ଷେ କଅଣ ଶୋଭା ପାଏ ? ହେ ଅର୍ଜୁନ, ହୃଦୟର ଏପରି ତୁଚ୍ଛ ଦୁର୍ବଳତାକୁ ପରିହାର କରି ଉଠ ଆଉ ବୀର ଦର୍ପରେ ଯୁଦ୍ଧ କର । ଯୁଦ୍ଧରେ ପ୍ରାଣ ହରାଇଲେ ସ୍ବର୍ଗପ୍ରାପ୍ତି ହେଵ, ଆଉ ଜୟ ଲାଭ କଲେ ରାଜ୍ୟ ଭୋଗ କରିବ । ତୁମର କର୍ତ୍ତବ୍ୟରେ ତିଳେମାତ୍ର ତ୍ରୁଟି କର ନାହିଁ । ଜାଣି ରଖ ଯେ ତୁମେ ହେଉଛ କ୍ଷତ୍ରିୟ । ଏହା ଶୁଣି ଅର୍ଜୁନ କହିଲେ, ହେ ସଖା, ବର୍ତ୍ତମାନ ମୋର ବୁଦ୍ଧିବୃତ୍ତି କେଉଁଆଡେ ଲୋପ ପାଇଯିବାର ମନେ ହେଉଛି । ମୁଁ କଅଣ କରିବି କିଛି ଭାବି ପାରୁନାହିଁ । ମୋତେ ଭୀରୁତା ଗ୍ରାସ କରିଛି । ତେଣୁ କଅଣ ମୋ ପକ୍ଷେ କଲ୍ଯାଣକର ହେବ ତାହା ମୋତେ ବୁଝାଇ ଦିଅ । ମୁଁ ତୁମର ଶିଷ୍ଯତ୍ବ ଗ୍ରହଣ କଲି । ଦୁଇ ସେନାର ମଧ୍ୟ ଭାଗରେ ଥାଇ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜ୍ଞାନଗର୍ଭକ ଉପଦେଶମାନ ଦେବାକୁ ଆରମ୍ଭ କଲେ,ଯାହାକି ସକଳ ଶାସ୍ତ୍ର ଓ ବେଦବେଦାନ୍ତର ସାରକଥା ଶ୍ରୀମଦଭଗବତଗୀତା ନାମରେ ଯୁଗ ଯୁଗ ଧରି ପରିଚୟ ଲାଭକରିଛି ।

      ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ଯେଉଁମାନଙ୍କ ପାଇଁ ଶୋକ କରିବା ସମ୍ପୂର୍ଣ୍ଣ ରୂପେ ନିରର୍ଥକ , ତୁମେ ସେହିମାନଙ୍କ ପାଇଁ ଆଖିରୁ ଲୁହ ଗଡାଇ କାନ୍ଦୁଛ ? ବିଜ୍ଞଲୋକମାନେ ଜିବୀତ ମୃତ କାହାରି ପାଇଁ ଶୋକ କରନ୍ତି ନାହିଁ । ଆତ୍ମା ବାସ କରୁଥିବା ମନୁଷ୍ୟର ଶରୀର ହିଁ ନାଶବାନ । ଆତ୍ମାର ମୃତ୍ୟୁ ନାହିଁ । ଆତ୍ମା ହେଉଛି ଅଜ,ଅମର ଓ ଅବିନାଶୀ । ଆତ୍ମାକୁ କୌଣସି ଶସ୍ତ୍ର ଛେଦନ କରିପାରେ ନାହିଁ ; ଅଗ୍ନି ଦାହ କରିପାରେ ନାହିଁ ,ଜଳ ଭିଜାଇପାରେ ନାହିଁ କିମ୍ବା ପବନ ଶୁଖାଇପାରେ ନାହିଁ । ଆତ୍ମା ଯେଉଁ ଶରୀରରେ ବାସ କରେ ତାହା ବାଲ୍ଯ,ଯୌବନ ଓ ଜରା ଅବସ୍ଥା ଭୋଗ କରେ ନାହିଁ । ମନୁଷ୍ୟର ଦେହାନ୍ତ ପରେ ଏହା ଅନ୍ୟ ଶରୀର ପ୍ରାପ୍ତ ହୋଇଥାଏ । ଆଉ କେହି ଯଦି ଭାବୁଥାଏ ଆତ୍ମାକୁ ହତ୍ଯା କରାଯାଇପାରେ କିମ୍ବା କେହି ଯଦି ଆତ୍ମାକୁ ହତ୍ଯାକାରୀ ବୋଲି ଭାବୁଥାଏ,ସେମାନେ ସମସ୍ତେ ହେଉଛନ୍ତି ଅଜ୍ଞ କାରଣ ଆତ୍ମା ହେଉଛି ଏପରି ଏକ ତତ୍ତ୍ବ ଯାହାକି ହତ୍ଯା କରେ ନାହିଁ କି କାହାରି ଦ୍ବାରା ନିହତ ହୋଇପାରେ ନାହିଁ । ଆତ୍ମା ହେଉଛି ଶାଶ୍ୱତ, ନିତ୍ଯ ଓ ପୁରାତନ । ତେଣୁ ତୁମେ ଆତ୍ମାକୁ ଏପ୍ରକାର ବୋଲି ଜାଣି ବୃଥାରେ ଏମାନଙ୍କ ପାଇଁ ଶୋକ କରିବା ଉଚିତ୍ ନୁହେଁ । ଯାହା ଅନିବାର୍ଯ୍ଯ ସେଥିଲାଗି ଶୋକ କରିବା ବିଜ୍ଞତାର କାର୍ଯ୍ୟ ନୁହେଁ । ହେ ପାର୍ଥ, ତୁମେ ନିଜର କର୍ତ୍ତବ୍ୟ ଦୃଷ୍ଟିରୁ କୌଣସି ପ୍ରକାରେ ଭୟଭୀତ ନ ହୋଇ ଯୁଦ୍ଧ କର । ଏହି ପ୍ରକାର ଯୁଦ୍ଧ ଭାଗ୍ଯବାନ କ୍ଷତ୍ରିୟମାନେ ହିଁ ପାଇଥାନ୍ତି । ତୁମେ ଵର୍ତ୍ତମାନ ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲେ ତୁମକୁ ଜଣେ ଭୀରୁ ବୋଲି ଭାବି ଶତ୍ରୁପକ୍ଷ ଘୋର ନିନ୍ଦା ଓ ଭର୍ତ୍ସନା କରିବେ । ତୁମ ପରି ଜଣେ ବୀର ଯୁଦ୍ଧରୁ ଓହରିଯିବା ମରଣଠାରୁ ମଧ୍ୟ ଅଧିକ ଦୁଃଖଦାୟକ ହେଵ । ସୁତରାଂ ଉଠ,ଆଉ ଦୃଢ ନିଶ୍ଚୟ ହୋଇ ଯୁଦ୍ଧ କର । ତୁମେ କହୁଛ ଯେ ଏମାନଙ୍କୁ ତୁମେ ହତ୍ଯା କରିବ ନାହିଁ କିନ୍ତୁ ଏମାନେ ପୂର୍ବରୁ ମରିସାରିଛନ୍ତି ଵୋଲି ଜାଣି ରଖ । ତୁମେ କର୍ମର ଫଳ କଥା ଚିନ୍ତା ନ କରି ନିଜର କର୍ତ୍ତବ୍ୟ କର୍ମ କରିଯାଅ । କେଵଳ ନିମିତ୍ତମାତ୍ର ହୋଇ ତୁମକୁ ଯୁଦ୍ଧ କରିବାକୁ ପଡିବ । ଅର୍ଜୁନ ନୀରବରେ ଶ୍ରୀକୃଷ୍ଣଙ୍କର ଉପଦେଶ ଶୁଣିବାରେ ଲାଗିଥାନ୍ତି । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଲକ୍ଷ୍ଯ କରି ଜଗତବାସୀଙ୍କୁ ଏହି କାଳଜୟୀ ଉପଦେଶ ଦେଇଥିଲେ । ସେ ଉପଦେଶ ଛଳରେ ଜ୍ଞାନଯୋଗ,କର୍ମଯୋଗ, ଭକ୍ତିଯୋଗ ଏବଂ ରାଜଯୋଗ ସମ୍ପର୍କରେ ବିଶଦ୍ ବ୍ଯାଖ୍ଯା କରିଥିଲେ । କ୍ରମଶଃ…..

ସଂଗ୍ରହକାରୀ–ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ-ମୋ ଅନୁଷ୍ଠାନ, ଆଳଦା, ଖଇରା,ବାଲେଶ୍ଵର

Related posts

କଳାହାଣ୍ଡି କୁଲତା ସମାଜର ଦ୍ୱିତୀୟ ବାର୍ଷିକ ଅଧିବେଶନ ଅନୁଷ୍ଠିତ 

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ଦିଗିସଲପା ଝିଅ ଯୁକ୍ତ ଦୁଇ ବିଜ୍ଞାନ ରେ ଓଡ଼ିଶାରେ ତୃତୀୟ : ଛୁଟୁଛି ଶୁଭେଚ୍ଛା ର ସୁଅ

Sunil Chandra Nayak

ଦାୟିତ୍ୱ ଗ୍ରହଣ କଲେ ଗଗନଧୂଳି ସେବା ସମବାୟ ସମିତି ସଭାପତି

Sunil Chandra Nayak

Leave a Comment

error: Content is protected !!