ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ନିରବ ସ୍ୱାକ୍ଷର 

ନିରବ ସ୍ୱାକ୍ଷର 

 

     ବେଣୁଧର ସୂତାର

 

ସ୍ୱପ୍ନ ସୁଖ ପାରାବାରେ

ମମତା ମଙ୍ଗଳ ତୀରେ

ଦେଖୁଛି ମୁଁ ଅସରନ୍ତି      

                 ଚାରୁ ବର୍ଣ୍ଣମାଳା

ପ୍ରକୃତି ସୁଷମା ବୋଳା 

ମାଧୁର୍ଯ୍ୟର ମଧୁଶାଳା

ଦୂରଶ୍ୟାମ ବନାନୀର

                ଶିଖରୀ ମେଖଳା ।।

ମମତାର ଆଦ୍ୟବିନ୍ଦୁ

ନିଗୁଢ଼ ରହସ୍ୟ ସିନ୍ଧୁ

ଗାଏ ସଦା ମଙ୍ଗଳର

                ଦିବ୍ୟ ସୂକ୍ତିନାମା

ରୁଚିର ମଧୁର ମୟ

ଏସୃଷ୍ଟିର ପରିଚୟ

ସର୍ବସଂହା ଶାଶ୍ବତୀ ର

                ପ୍ରଶାନ୍ତ ନୀଳିମା ।।

ପବିତ୍ର ମହକଭରା

ଅମୃତର ମଧୁଧାରା

ନୈସର୍ଗୀକ ପ୍ରକୃତିର

               ସୁଷମା କଲ୍ଲୋଳ

ମଧୁର ମୂର୍ଛନା ତୋଳି

ଜୀବନର ପଦ୍ୟାବଳୀ

ତୃପ୍ତିର ସଙ୍ଗୀତ ଗାଏ

                ନିଖଳ ଭୂଗୋଳ ।।

ପୁଲକିତ ମିଠା ସୁରେ

ସୁନ୍ଦର ସପନ ପୁରେ

ଚମକ ଚାନ୍ଦିନୀ ଶୋଭା

                 ମେଦିନୀ ବକ୍ଷରେ

ଫୁଲଫୁଟା ମିଠା ସଞ୍ଜ

ମୋହନ ବିଳାସ କୁଞ୍ଜ

ମନୋହର ମହାବେଶ

               ସୃଜନ ଲକ୍ଷ୍ୟରେ ।।

ଶ୍ୟାମଳ କେଦାର ହସ 

ଫୁଲେ ଫୁଲେ ମଧୁବାସ

ଅମୃତ ଝରା ଲାବଣ୍ୟ

                ଲଳିତ ବିସ୍ତାର

ଏ ଧରଣୀ ବିଶ୍ୱରାଣୀ

ସଭିଙ୍କୁ କରିଛି ଋଣି

ନିଖଳ ଜନନୀ ସେତ

                ପବିତ୍ର ଉଦାର ।।

ସମର୍ପିତ ଅନୁରାଗେ

ହୃଦୟେ ମମତା ଜାଗେ

ପରିଭାଷା ନାହିଁ ତାର

                   ଯୁଗ ଯୁଗାନ୍ତର

ମମତା ପୀୟୂଷେ ଭରା

ଅନନ୍ତ ଅକ୍ଷୟ ଧାରା

ପ୍ରାଣ ପ୍ରାଚୁର୍ଯ୍ୟରେ ଲେଖା

                  ନିରବ ସ୍ବାକ୍ଷର ।।

ପ୍ରାଣର ସୁଧା ପସରା 

ଅପରୂପା ବସୁନ୍ଧରା

ଦିବ୍ୟ ଶାନ୍ତି ପ୍ରୀତିମୟ

                 ସୃଷ୍ଟିର ଆଧାର

ମାଆ ସେତ ଚିରନ୍ତନୀ

ଜୀବନ ଓଁକାର ଧ୍ୱନି

ପାବନ ପୟରେ ମୋର

               କୋଟି ନମସ୍କାର ।।

 

କେଶଦୁରାପାଳ କେନ୍ଦୁଝର

 

Related posts

ଉମାକାନ୍ତ ଦାସ ଙ୍କ କବିତା ସମୟ

ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବେସରକାରୀ ସଂସ୍ଥା ର ରାଜ୍ ?

Sunil Chandra Nayak

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ଗୁରୁ

Sunil Chandra Nayak

Leave a Comment

error: Content is protected !!