ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ହାଉ ପଳେଇବ

ହାଉ ପଳେଇବ

 

ଅପର୍ତ୍ତି ସେଠୀ

 

ଯେଉଁ ଟମାଟର ଗତ ହାଟପାଳି 

        ପଞ୍ଚସ୍ତରୀ ଛୁଇଁଥିଲା,

ଏ ପାଳିରେ ଦେଖ ଚାଳିଶିହୋଇଲା

         ଭାଉ ତାର କମିଗଲା।

ଏମିତିତ ପ୍ରତି ଜିନିଷର ଭାଉ

          ପ୍ରତିକ୍ଷଣେ ବଦଳୁଛି

ଆଜି ଯାର ଭାଉ ଆକାଶ ଛୁଇଁଛି

          କାଲି ବି କମିଯାଉଛି।

ଏଇତ ଜୀବନ ଏ ସଂସାର ହାଟେ

          ବାଟଟି ତଳ ଉପର,

ଆଜି ଯିଏ ରାଜା କାଲି ସେ ଫକିର

          ବିଚିତ୍ର ଏହି ସଂସାର।

କାହା ଭାଉ ଏଠି କେବେ ବଢିଯିବ

          କେବେ ପୁଣି କମିଯିବ,

ଯ’ରେ ଜନମ‌ ମ’ ରେ ମରଣ

          ଏ ଦୁଇ ପରା ବାସ୍ତବ।

ପରିବର୍ତ୍ତନ ତ ସଂସାର ନିୟମ

          ଆଜି ଦିନ କାଲି ନାହିଁ,

ତେଣୁ ସୁଖଦୁଃଖ ହାତ ଧରି ପଥ

          ଚାଲିବାକୁ ହେବ ଭାଇ।

ହେଉ କୋଟିପତି କିମ୍ବା ରୋଡ୍‌ପତି

           ମଲାପରେ କିନ୍ତୁ ଏକ,

ଶବ ବୋଲି ମାତ୍ର ଦୁଇଟି ଅକ୍ଷର

           ଜାଣିବ ସାରା ଜଗତ।

ଆସିଲା ବେଳରେ ଲଙ୍ଗଳା ଆସିଲେ

           ଯିବା ପୁଣି ଖାଲି ହାତେ,

ଆତ୍ମୀୟ ସ୍ଵଜନ‌ ପ୍ରିୟ ପରିଜନ

           ଯିବେ କିବା ଆମ ସାଥେ?

ଯିଏ ଅର୍ଜିଥିଲା ଅଜସ୍ର ସମ୍ପତ୍ତି

           ତା’ ପାଇଁ ଦି’ହାତେ ମାଟି,

ଯିଏବି ଦରିଦ୍ର ଥିଲା ଭୂମିହୀନ

            ତା’ପାଇଁ ଦି’ ହାତେ ମାଟି ।

ଦି’ହାତ ମାଟିର ମାଲିକ ବୋଲାଇ

           ବଡିମା‌ ଦେଖାଇବାରେ,

କେଉଁ ଫଳ ଏଠି ମିଳିବ ବାବୁରେ

           ଦେହୁଁ ଜୀବ ଛାଡ଼ିଗଲେ?

ମୋରମୋର ବୋଲି ଯାହାକୁ କହିବା

           ସିଏବି ହାତ ଛାଡ଼ିବ,

ଅଢେଇଦିନର ଆୟୂଷକୁ କାହିଁ

          ଏତେ ବିଶ୍ଵାସ କରିବ?

ମୁଁ ବଡ଼ ବାବୁ ତାକୁ ଛୋଟ ଭାବୁ

           କେଉଁ ପ୍ରାର୍ଥକ୍ଯକୁ‌ ନେଇ,

ଏ ଭବ ସଂସାରେ ଧନ ଯ‌ଉବନ

            ମାତ୍ର ଦୁଇଦିନ ପାଇଁ।

କାହିଁ ପାଇଁ ମନ କରୁଏତେ ଟାଣ

            ଦେଖାଉଛୁ ପୁଣି ଭାଉ,

ହାଉ‌ ପଳେଇଲେ‌ ଭାଉ ଛାଡିଯିବ

            ଭାଗ୍ୟଟି ସାଧିବ‌ ଦାଉ।

ମୁଁ’ବୋଲି ଆଉ ନ ଥିବ ସେବେଳେ‌

            ଓଁ’ ରେ ମିଳେଇଯିବ,

ମର୍ତ୍ତ୍ୟରେ ଜନମ‌ ହୋଇଲେ ଦେବତା

            ଅବଶ୍ୟ ଦିନେ ମରିବ।

ମରଣକୁ ସଦା ସ୍ମରଣ କରିଲେ

            ମୃତ୍ୟୁ ଡରେଇ‌ ନ ପାରେ,

ସତ୍ୟ ପଥେ ଗଲେ ଦୁନିଆଁ ଦିଶିବ‌

            ସୁନ୍ଦର ଏ ନେତ୍ରଡୋଳେ। 

ତେଣୁ ଆରେ ମନ କର ଗଣ୍ଠିଧନ

           ଏକା ସେହି ରାମ ନାମ,

ରାମ ନାମ ସତ୍ୟ ହରିନାମ ସତ୍ଯ

           ଏ ଶେଷ ଗୀତଟି ଜାଣ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

 

Related posts

ରିଜର୍ଭ ବ୍ୟାଙ୍କ ଦ୍ୱାରା ଜନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ସୁନ୍ଦରୀ ଝିଅ ବୋହୂ ହେବାପରେ

Sunil Chandra Nayak

ମାଣ୍ଡେଲ ଠାରେ ଭାଗବତ ପ୍ରବଚନ ଓ କବିତା ଆସର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!