ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ।। ମାଟି ।।

।। ମାଟି ।।

 

                  କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ଏଇ ମାଟି ପାଇଁ

ଚାଲିଅଛି ଏଠି

            ଯେତେ ନାରକୀୟ ଲୀଳା,

ଦେଖି ଦେଖି ଆଜି

ଅବଶ ହେଲାଣି

           ଏଇମୋର ବେନି ଡୋଳା ।।

ମାଟି ପଡ଼ିଅଛି

ମାଟିର ଜାଗାରେ

            ଏଇମିତି ଯୁଗ ଯୁଗ,

ଜନମେ ଜନମେ

ଜନମି ମଣିଷ

             କରୁଅଛି ତାକୁ ଭୋଗ ।।

ଏ ମାଟି ମମତାମୟୀ,

ସବୁତ ସନ୍ତାନ

ପ୍ରତିବାଦ ଅବା

             କରିବ ସେ କାହାପାଇଁ ।।

 

ତଥାପି ମଣିଷ

ଅନ୍ଧତମସେ

             ଧାଉଁ ଅଛି ଦେଖ ଦେଖ,

ଅବାନ୍ତର ଏକ

ଖିଆଲି ସପନେ

             ବଢ଼ାଉଛି ନିଜ ଟେକ ।।

ଏ ମାଟି ବୁକୁରେ

କେତେ ଯେ ମଣିଷ

             ଶରୀର ହୋଇଲା ମାଟି,

ଗଣି କିଏ ତାର

ହିସାବ ରଖିଛି

             କହିବାକୁ ଗୋଟିଗୋଟି,

ଏ ମାଟି ମମତାମୟୀ,

ସବୁରି ଭାରାକୁ

ମୁଣ୍ଡ ପାତି ସେ

             ନିରବରେ ଯାଏ ସହି ।।

 

ମାଟି ତ ମାଗିନି

ରକ୍ତ କାହାର

             ପିଇବାକୁ ମନଭରି,

ଆରେ ବର୍ବର

ତାହା ଲାଗି କିଆଁ

             ସୋଦର କୁ ଦିଅ ବଳି ।।

ମାଟି ତ କହିନି

ମୋହପାଇଁ ତୁମେ

              ମାନବିକତା କୁ ଭୁଲି,

ଅନ୍ଧ ପରାଏ

ଆତ୍ମୀୟ-ବୁକେ

              ଚ଼ଳାଇ ଦେବାକୁ ଛୁରୀ ।।

ଏ ମାଟି ମମତାମୟୀ,

ସଭିଙ୍କ ପାଇଁ ତା

ଅନ୍ତର ଝୁରେ

              ଦରଦ ପଡ଼ଇ ଝରି ।।

 

ଏଇ ମାଟି ପରା

ପୂତ-ପବିତ୍ର

              ଶାକ୍ୟସିଂହ ର ମାଆ,

ଏଇ ମାଟି ପରା

ସୃଷ୍ଟିର-ଉତ୍ସ

              ସକଳ ଜୀବର ସାହା ।।

ଯୁଗ ଯୁଗ ଧରି

ଏ ମାଟି ଦେଇଛି

              ଆଶ୍ରୟ ତାର କୋଳେ,

ଏ ମାଟି ସହିନି

ଅନ୍ୟାୟ ଏକା-

              ପୁଣ୍ୟ କୁ ସହିପାରେ।।

ଏ ମାଟି ର ବୁକୁପରେ,

ପୁଣ୍ୟବନ୍ତ ସେ

ଲେଖିଦେଇ ପାରେ

              ନାଆଁ ଟି ତା ସ୍ବର୍ଣ୍ଣାକ୍ଷରେ।।

             

କୁମାର ପୁର । ଅନନ୍ତ ପୁର ।
ବାସୁଦେବ ପୁର । ଭଦ୍ରକ ।

Related posts

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ହେ ବିଘ୍ନେଶ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବାଲେଶ୍ବର – ପ୍ରତିଭା ପୂଜନ ଅନୁଷ୍ଠାନର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!