ବାଲେଶ୍ବର,୨୨/୬/୨୨- ସରକାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଜଳ ସଙ୍କଟ ହେଉନାହିଁ ଦୂର । ମୁଣ୍ଡରେ ଗରା ମୁଣ୍ଡେଇ ବ୍ଲକ ଅଫିସ୍ ଆସୁଛନ୍ତି ବସ୍ତିବାସିନ୍ଦା । ପାଣି ନେଲେ କରିବେ ରୋଷେଇ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ୩ ନମ୍ବର ୱାର୍ଡ ଆଦିବାସୀ ସାହିରେ । ସାହିରେ ପ୍ରାୟ ୮୦ ପରିବାରରେ ୪୦୦ଶହରୁ ଉର୍ଦ୍ଧ୍ବ ଲୋକ ବାସକରନ୍ତି । ଉକ୍ତ ୱାର୍ଡରେ ୨ଟି ନଳକୂପ ଅଛି । ସେଥିମଧ୍ୟରୁ ଗୋଟିଏ ଦୀର୍ଘଦିନ ହେବ ଖରାପ, ଅନ୍ୟଟିରେ ଖରାଦିନ ଆରମ୍ଭରୁ ଜଳସ୍ତର କମିଯାଉଛି । ଯେତେ ମାଡିଲେବି ବାହାରୁ ନାହିଁ ପାଣି । ଜୀବନ ବଞ୍ଚାଇବା ପାଇଁ ଗ୍ରାମବାସୀ ମାନେ ନିକଟସ୍ଥ ଦୂଷିତ ଚୂଆପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଯେଉଁଥି ପାଇଁ ଅନେକ ଲୋକ ରୋଗରେ ପଡୁଛନ୍ତି । ଏଥିପାଇଁ ବାରମ୍ବାର ବିଡିଓଙ୍କୁ ଜଣାଇଥିଲେ ମଧ୍ୟ ବିଭାଗ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହିଁ । ସେଥିପାଇଁ ଆଜି ବାସିନ୍ଦା ଆଦିବାସୀ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ମୁଣ୍ଡରେ ଗରା ମୁଣ୍ଡେଇ ଖରାରେ ଚାଲି ଚାଲି ବ୍ଲକ କାର୍ଯ୍ୟାଳୟକୁ ଆସିଛନ୍ତି ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ଭେଟିବା ପାଇଁ ।
ଜେଇଙ୍କୁ ପଠାଇ ସଠିକ୍ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଲେ । ତଥାପି ଲୋକମାନେ ବ୍ଲକ କାର୍ଯ୍ୟାଳୟ ଛାଡି ଯାଇନଥିଲେ । ନିଜର ହକ୍ ଆଦାୟ ପାଇଁ ବସି ରହିଥିଲେ । ଏଠାରେ ପ୍ରଶ୍ନ ଉଠେ ସରକାରଙ୍କ ବସୁଧା ଯୋଜନା କାହା ପାଇଁ ? ଯଦି ଏ ଯୋଜନ ସମସ୍ତଙ୍କ ପାଇଁ ବ୍ଲକ କାର୍ଯ୍ୟାଳୟ ଭିତରେ ଏ ଦୃଶ୍ୟ କାହିଁକି ? ବାଉଁଶଗଡିଆ ପଞ୍ଚାୟତର ସମାଜସେବୀ ଦୈତାରି ପଣ୍ଡା ଏହାର ନେତୃତ୍ୱ ନେଇଥିଲେ । ଏଥିରେ ଆଦିବାସୀ ବସ୍ତିର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ନିରୀହ ଲୋକ ସାମିଲ ଥିଲେ ।।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ