ଭାରତୀୟ ନୌସେନାର ଆଣ୍ଟି ସିପ୍ ମିସାଇଲର ସଫଳ ପରୀକ୍ଷଣ । ବାଲେଶ୍ୱର ସ୍ଥିତ ଇଣ୍ଟରିମ ଟେଷ୍ଟ ରେଞ୍ଜରୁ ଆଜି ଭାରତୀୟ ନୌସେନାର ସିକିଙ୍ଗ୍ ୪୨ବି ହେଲିକପ୍ଟରରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ନିର୍ମାଣ କରାଯାଇଛି । ଏହି ପରୀକ୍ଷଣ ବେଳେ ନୌସେନାର ବରିଷ୍ଠ ଅଧିକାରୀ ଓ ଡିଆରଡିଓର ବୈଜ୍ଞାନିକମାନେ ଉପସ୍ଥିତ ଥିଲେ ।ଏହା ଭାରତୀୟ ନୌସେନା ପାଇଁ ବିକଶିତ ହୋଇଥିବା ପ୍ରଥମ ସ୍ୱଦେଶୀ ଜାହାଜ ବିଧ୍ୱଂସୀ ମିସାଇଲ ସିଷ୍ଟମ । ମିସାଇଲ ପ୍ରଥମରୁ ନିଜ ମାର୍ଗରେ ଆଗକୁ ବଢ଼ିବା ସହିତ ସମ୍ପୂର୍ଣ୍ଣ ସଠିକ୍ତାର ସହ ଲକ୍ଷସ୍ଥଳରେ ପହଞ୍ଚିଥିଲା । ପରୀକ୍ଷଣକୁ ସମ୍ପୂର୍ଣ୍ଣ ସନ୍ତୋଷଜନକ ବୋଲି କହିଛି ଡିଆରଡିଓ । ଏହି ପରୀକ୍ଷଣର ଏକ ଭିଡିଓ ମଧ୍ୟ ଟ୍ୱିଟର ମାଧ୍ୟମରେ ନୌସେନା ପକ୍ଷରୁ ଜାରି କରାଯାଇଛି ।ଏହି ମିସାଇଲ ନେଇ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରାଯାଇଛି । ଏଥିମଧ୍ୟରେ ହେଲିକପ୍ଟର ପାଇଁ ସ୍ୱଦେଶ ଭାବରେ ବିକଶିତ ଲଞ୍ଚର ଅନ୍ୟତମ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମେ ପ୍ରୟୋଗାତ୍ମକ ଉଡ଼ାଣ ପରୀକ୍ଷଣ ନେଇ ଡିଆରଡିଓ, ଭାରତୀୟ ନୌସେନା ଏବଂ ଏଥିରେ ଜଡ଼ିତ ପୂରା ଟିମ୍କୁ ଅଭିନନ୍ଦନ ଜଣାଇଥିଲେ । ଭାରତୀୟ ନୌସେନା ବିଶେଷଭାବେ ହିନ୍ଦ ମହାସାଗର ଅଞ୍ଚଳରେ ଭାରତର ସମୁଦ୍ରତଟକୁ ପ୍ରଭାବି ଢଙ୍ଗରେ ସୁରକ୍ଷିତ କରିବା ପାଇଁ ସମଗ୍ର ଯୁଦ୍ଧ କ୍ଷମତାକୁ ଲଗାତାର ବୃଦ୍ଧି କରିବାରେ ଲାଗିଛି ।
ଅନ୍ୟପକ୍ଷରେ ଏହି ସଫଳତା ନେଇ ଡିଆରଡିଓ ଏବଂ ଭାରତୀୟ ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଵିଦ୍ୟାଧର ସାହୁଙ୍କ(ସଂଗୃହୀତ)ରିପୋର୍ଟ….