ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ବିଶ୍ୱାସରେ ଭରେ ବିଶ୍ବମୟତା

ବିଶ୍ୱାସରେ ଭରେ ବିଶ୍ବମୟତା

 

  ବେଣୁଧର ସୂତାର

 

ତ୍ରିଗୁଣ ମାୟାର ମିଠା ସମ୍ମୋହନ

ଏମାୟା ସଂସାର ଗୋଲକଧନ୍ଦା

ନାହିଁ ଅନୁରାଗ ସେନେହ ସରାଗ

ମାୟା ମହଲରେ ଏମନ ଛନ୍ଦା ।।

 

ଅଢେ଼ଇ ଦିନର ଜୀବନ ଯାତରା

ମୃତ୍ୟୁର କଠୋର କଟାକ୍ଷ କୋଳେ

ଏଧରା ଅଙ୍ଗନେ ସୁଖଦୁଃଖ ପର୍ବ

ଭାଗ୍ୟ ଭାଗଫଳ କରମ ବଳେ ।।

 

ଭୋଗଅନୁଭୋଗ ସଂସାରସମ୍ଭୋଗ

ପାପ ପିଆଲାର ପାର୍ଥିବ ରାସ

ବେଦନା ବହ୍ନିରେ ଜଳଇ ଆୟୁଷ

କାମନାର ବିଷ ନହୁଏ ଶେଷ ।।

 

ବିଭୂ ପ୍ରେମସ୍ରୋତ ପାବନ ଅମୃତ

ଚିନ୍ମୟ ଚରଣେ ଲଗାରେ ମନ

ଭାଗ୍ୟର ବିଧାତା ଗତି ମୁକ୍ତି ଦାତା

ସେଇପରା ଷଡ ଐଶ୍ୱର୍ଯ୍ୟ ଧନ ।।

 

ଅନ୍ତର ଆତ୍ମାର ପୂତ ଅନ୍ତଃସ୍ୱର

ପ୍ରଣବର ଦିବ୍ୟ ସୁର ମଧୁର

ମନମନ୍ଦିରରେ ଝଲସି ଉଠଇ

ଲଳିତ ଲାବଣ୍ୟ ରୂପ ସୁନ୍ଦର ।।

 

ମୋକ୍ଷ ମୁକ୍ତିର ନିର୍ବିକଳ୍ପ ସତ୍ତା

ଦେଖାଇ ଦିଅନ୍ତି ନୂତନ ଦିଶା

ଅନନ୍ତ ପ୍ରେମର ଅମୃତ ସରଣୀ

ଶୂନ୍ୟତାରେ ପୂର୍ଣ୍ଣ ହୃଦୟ ଭାଷା ।।

 

ଭାବ ସୁରଭିର ଅମୃତ ଲହରି

ଭକ୍ତି ଛନ୍ଦମୟ ମଧୁର ତାନ

ହୃଦୟ ମନ୍ଦିର ତନ୍ମୟ ଅଧୀର

ମଧୁ ମୂର୍ଛନା ର ଚାରୁ ନିଃସ୍ବନ ।।

 

ଓଁକାର ଧ୍ୱନିର ପୂତ ଆବାହନୀ

ପୁଲକିତ କରେ ହୃଦୟ କନ୍ଦ

ଧୂପ ଆଳତିର ମଧୁର ପ୍ରଣତି

ଶାଶ୍ୱତ ପ୍ରେମର ତନ୍ମୟ ଛନ୍ଦ ।।

 

ପବିତ୍ର ଅନ୍ତରେ ବିଭୂ ବନ୍ଦନାର

ଅମୃତ ଅର୍ଚ୍ଚନା ପୂତ ଭାବନା

ଜୀବନ ଚର୍ଯ୍ୟାର ପବିତ୍ର ସାଧନେ

ଭକ୍ତି ଚେତନାର ମଧୁ ମୂର୍ଛନା ।।

 

ଆଧ୍ୟାତ୍ମିକତାର ଭାବ ମନୋହର

ବିନ୍ଦୁରୁ ବିସର୍ଗ ଚିନ୍ମୟ ସତ୍ତା

ବିଭୂପ୍ରୀତି ଭାବ ଶାଶ୍ୱତ ବିଭବ

ବିଶ୍ୱାସରେ ଭରେ ବିଶ୍ୱମୟତା ।।

କେଶଦୁରାପାଳ  କେନ୍ଦୁଝର

 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ :ଦୂର୍ନୀତିନିବାରଣ ସପ୍ତାହ ଅବସରରେ ସାଧୁତା ର ଶପଥ ପାଠ

Sunil Chandra Nayak

ସାନ୍ତାଳ ଇଞ୍ଜିନିୟରସ ଓ୍ବେଲଫେୟାର ଏସୋସିଏସନ ପକ୍ଷରୁ ବୃକ୍ଷରୋପଣ ଓ ଆଦର୍ଶ ଗ୍ରାମ ପ୍ରତିଷ୍ଠା ନେଇ ବୈଠକ

Sunil Chandra Nayak

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ପାର୍ବଣେ ନବଦୁର୍ଗା 

Sunil Chandra Nayak

Leave a Comment

error: Content is protected !!