ରୂପସୀ ଋତୁପର୍ଣ୍ଣା
କାଙ୍ଗାଳୀ ଚରଣ ସେଠୀ
ବୈଶାଖରେ ତୁମେ ଦଗ୍ଧ ଫୁଲ ବନ
ହୃଦୟର ଦାବାନଳେ
ଜ୍ୟେଷ୍ଠରେ ତୁମ ଯନ୍ତ୍ରଣା ଜୁଇରେ
ଯଉବନ ଜଉ ଜଳେ
ଗ୍ରୀଷ୍ମରେ ସ୍ଵେଦ ବିନ୍ଦୁ
ଅନଙ୍ଗ ଅନଳେ ଅଙ୍ଗାର କର
ମଧୁ ଚନ୍ଦ୍ରିକାର ଇନ୍ଦୁ ।
ଆଦ୍ୟ ଆଷାଢ଼ରେ ଅସରା ଅସରା
ଅନୁତାପ ଅଶ୍ରୁଧାର
ଭରା ଶ୍ରାବଣରେ ଭିଜିଯାଏ ତମ
ପ୍ରଣୟର ଇସ୍ତାହାର
ବର୍ଷା ବାସନ୍ତୀ ରାତି
ଝିଙ୍କାରୀ ସ୍ଵର ଝଙ୍କାର ତୋଳେ
ଶ୍ୟାମଳ ଶୃଙ୍ଗାର ପ୍ରୀତି ।
ଭରା ଭୋଦୁଅରେ ଭାବ ପୀରତିରେ
ଭାରି ହୁଏ ତନୁ ସାରା
ଆଶ୍ଵିନରେ ତୁମେ ଆଙ୍କି ଦେଇପାର
ରମ୍ୟ ରୁଚିର ଧରା
ଶରତ ଶେଫାଳୀ ଟିଏ
ପ୍ରେମ ପ୍ରବାସରେ ବିରହ ଯନ୍ତ୍ରଣା
ହୃଦୟକୁ ଦହି ଦିଏ ।
କୁଆଁରୀ କାର୍ତ୍ତିକ କାକର ବିନ୍ଦୁରେ
ସକାଳ ମୁକୁତା ଛୁଆଁ
ମାର୍ଗଶିର ମାସେ ଦିଶଇ ତୁମର
ଗଙ୍ଗଶିଉଳିର ଗାଆଁ
ଶିଶିରର ରାଜିନାମା
ଅନନ୍ୟା ନାୟିକା ମୁଗ୍ଧା ମାଳବିକା
ଅନୁଭବେ ଅନୁପମା ।
ପୌଷ ଶୀତରେ ତୁମ ପଣତରେ
ଫସିଯାଏ ଶୀତ ରାତି
ମାଘର ମଥାରେ ସ୍ୱପ୍ନ ସିଞ୍ଚି ଦିଅ
ତୁମେ ସୀମନ୍ତିନୀ ସ୍ଵାତୀ
ବୟସର ଶୀତଋତୁ
ସବୁଜ ସ୍ଵପ୍ନରେ ନୀଳ ଦୁଃଖ ତୁମ
ବୋକ ଦେଉଥାଏ କିନ୍ତୁ ।
ଫାଜିଲ ଫଗୁଣ ଫିରିକି ଫୁଲରେ
ମାରିଦିଏ କାମଶର
ଚୋରା ଚଇତିରେ ଚମ୍ପା ଚମେଲି ଗୋ ! ତୁମକୁ ମୋ ଇନ୍ତେଜାର
ମଧୁ ବସନ୍ତର ବେଶ
ମହୁଆ ମାଦକେ ମତୁଆଲା ତୁମେ
ଛଅ ଋତୁ ବାରମାସ ।