ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ରୂପସୀ ଋତୁପର୍ଣ୍ଣା

ରୂପସୀ ଋତୁପର୍ଣ୍ଣା

କାଙ୍ଗାଳୀ ଚରଣ ସେଠୀ

 

ବୈଶାଖରେ ତୁମେ ଦଗ୍ଧ ଫୁଲ ବନ

    ହୃଦୟର ଦାବାନଳେ

ଜ୍ୟେଷ୍ଠରେ ତୁମ ଯନ୍ତ୍ରଣା ଜୁଇରେ

   ଯଉବନ ଜଉ ଜଳେ 

   ଗ୍ରୀଷ୍ମରେ ସ୍ଵେଦ ବିନ୍ଦୁ

ଅନଙ୍ଗ ଅନଳେ ଅଙ୍ଗାର କର

    ମଧୁ ଚନ୍ଦ୍ରିକାର ଇନ୍ଦୁ ।

ଆଦ୍ୟ ଆଷାଢ଼ରେ ଅସରା ଅସରା

   ଅନୁତାପ ଅଶ୍ରୁଧାର

ଭରା ଶ୍ରାବଣରେ ଭିଜିଯାଏ ତମ

  ପ୍ରଣୟର ଇସ୍ତାହାର

   ବର୍ଷା ବାସନ୍ତୀ ରାତି

ଝିଙ୍କାରୀ ସ୍ଵର ଝଙ୍କାର ତୋଳେ

   ଶ୍ୟାମଳ ଶୃଙ୍ଗାର ପ୍ରୀତି ।

ଭରା ଭୋଦୁଅରେ ଭାବ ପୀରତିରେ

   ଭାରି ହୁଏ ତନୁ ସାରା

ଆଶ୍ଵିନରେ ତୁମେ ଆଙ୍କି ଦେଇପାର

  ରମ୍ୟ ରୁଚିର ଧରା

   ଶରତ ଶେଫାଳୀ ଟିଏ

ପ୍ରେମ ପ୍ରବାସରେ ବିରହ ଯନ୍ତ୍ରଣା

   ହୃଦୟକୁ ଦହି ଦିଏ ।

କୁଆଁରୀ କାର୍ତ୍ତିକ କାକର ବିନ୍ଦୁରେ

   ସକାଳ ମୁକୁତା ଛୁଆଁ

ମାର୍ଗଶିର ମାସେ ଦିଶଇ ତୁମର

   ଗଙ୍ଗଶିଉଳିର ଗାଆଁ

    ଶିଶିରର ରାଜିନାମା

ଅନନ୍ୟା ନାୟିକା ମୁଗ୍ଧା ମାଳବିକା

    ଅନୁଭବେ ଅନୁପମା ।

ପୌଷ ଶୀତରେ ତୁମ ପଣତରେ

   ଫସିଯାଏ ଶୀତ ରାତି

ମାଘର ମଥାରେ ସ୍ୱପ୍ନ ସିଞ୍ଚି ଦିଅ

   ତୁମେ ସୀମନ୍ତିନୀ ସ୍ଵାତୀ

   ବୟସର ଶୀତଋତୁ

ସବୁଜ ସ୍ଵପ୍ନରେ ନୀଳ ଦୁଃଖ ତୁମ

   ବୋକ ଦେଉଥାଏ କିନ୍ତୁ ।

ଫାଜିଲ ଫଗୁଣ ଫିରିକି ଫୁଲରେ

   ମାରିଦିଏ କାମଶର

ଚୋରା ଚଇତିରେ ଚମ୍ପା ଚମେଲି ଗୋ ! ତୁମକୁ ମୋ ଇନ୍ତେଜାର

   ମଧୁ ବସନ୍ତର ବେଶ

ମହୁଆ ମାଦକେ ମତୁଆଲା ତୁମେ

   ଛଅ ଋତୁ ବାରମାସ ।

 

   

  କାଙ୍ଗାଳୀ ଚରଣ ସେଠୀ

              ଯାଜପୁର

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା ରାମ ବନବାସ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ରୁପ୍ରା ପେକ୍ସ୍ ର ସଭାପତି ଭାବରେ ସରୋଜ ରାଉତ ନିର୍ଦ୍ଵନ୍ଦରେ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!