ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ବର୍ଷା ବସୁମତୀ

  ବର୍ଷା ବସୁମତୀ

    ବେଣୁଧର ସୂତାର

 

ବଉଳ ଫୁଲର ମୁଗ୍ଧ ମହକରେ

ହସଇ ଧରଣୀ ରାଣୀ

ଭିଜା ମନେ ଯାର ମୁକୁଳା ମହ୍ଳାର

ଭାବ ବିହ୍ୱଳିତ ଠାଣି

ପ୍ରୀତି ଅନୁରାଗ ଗୀତି

ବିଦଗ୍ଧ ମନରେ ପ୍ରୀତିମଧୁ ଧାରେ

ଲୁହରେ ପଖଳା ସ୍ମୃତି ।।

 

ଏଧରଣୀ ଅଙ୍ଗେ ଭିଜା ଋତୁ ରଙ୍ଗେ

ଲୋଡିବା ପଣର ମୋହ

ମହକେ ବସୁଧା ସଂଚରିତ ସୁଧା

ପୀରତି ପଖଳା ଦେହ

ମିଳନର ମଧୁଲେଖା

ନୀଳ ତୃଷ୍ଣାତୀରେ ଅଳସ ତନୁରେ

ଅୟୁତେ ସ୍ୱପ୍ନ ମଖା ।।

 

ସମୟ ବୁକୁରେ ଲୁଚି ରହିଥିବା

ମାଟିର ସପନ ଯେତେ

ମନଠୁ ହୃଦୟ ଦୂରତା ମାପିବା

କି ରହସ୍ୟମୟ ସତେ

ମିଳନର ମଧୁ ନିଶା

ପ୍ରଣୟ ପ୍ରସୂନ ମୋହ ମହକରେ

ଆଦ୍ୟ ମଧୁ ପରିଭାଷା ।।

 

ନିୟତି ଚକ୍ରର ମଧୁର ନିୟମେ

ବସୁମତୀ ଋତୁମତୀ

ଆକାଶ ପୃଥିବୀ ମହା ମିଳନର

ଗହନ ଗୋପନ ପ୍ରୀତି

ମହ ମହ ବାସେ ଧରା

ଶାଶ୍ୱତ ପ୍ରୀତିର ପ୍ରେମମୟ ସୂତ୍ର

ମଉସୁମୀ ବର୍ଷାଧାରା ।।

 

ପିଆସୀ ଅନ୍ତର ଯନ୍ତ୍ରଣାର ଭାର

ନୈରାଶ୍ୟର ଚିତ୍ରଲିପି

ନବ ପ୍ରଣୟର ଆଶା ଅଭିସାର

ବୈଶାଖୀ ବେଦନା ମାପି

ପରିପୂର୍ଣ୍ଣ ମନୋରଥ

ଆଦ୍ୟ ଆଶାଢ଼ର ବରଷାର ଧାର

ପ୍ରୀତିର ରେଶମୀ ପଥ ।।

 

ପ୍ରେମେ ପୁଲକିତ ତନୁ ରୋମାଞ୍ଚିତ

ବନାନୀର ତରୁଲତା

ସୃଜନର ସୁରେ ଏ ସୃଷ୍ଟି ମଧୁର

ମୁଗ୍ଧ ଭାବପ୍ରବଣତା 

ଛନ୍ଦମୟ ତନୁତୀରେ

ନବ ନୀଳିମାର ନବ କାନ୍ତି ଭରେ

ପ୍ରୀତିର ବର୍ଷା ନୀରେ ।।

 

ଆହାକି ମଧୁର ସୃଷ୍ଟି ର ଲହର

 ରୂପକାନ୍ତି ମନୋହର

ନଭେ ନବଘନ ପୀୟୂଷ ପ୍ଳାବନ

ସୌଦାମିନୀ ରୂପଝର

ସଞ୍ଜୀବନୀ ସୁଧା ରସ

ଭାବସମ୍ମୋହନେ ପ୍ରୀତିମଧୁ ପାନେ

ଏସୃଷ୍ଟିର ମହା ବେଶ ।।

କେଶଦୁରାପାଳ  କେନ୍ଦୁଝର

 

Related posts

ପାଇଖାନା କାନ୍ଥ ପଡି ବାଳକର ମୃତ୍ୟୁ

Sunil Chandra Nayak

ମାମି ପାତ୍ର ଙ୍କ ଗଳ୍ପ ଅକୁହା କଥା

Sunil Chandra Nayak

କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ବିଧାୟକ କଲେ ବନ୍ଧୁ ମିଳନ

Sunil Chandra Nayak

Leave a Comment

error: Content is protected !!