ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ନିଅଇଁଠା କେଉଁ ପଦ?

ନିଅଇଁଠା କେଉଁ ପଦ?

ଅପର୍ତ୍ତି ସେଠୀ

କି ଚିଜ ତୁମକୁ ଦେବି ହେ ଠାକୁରେ

        ସବୁ ତ ଅଇଁଠା ଏଠି,

ଅଇଁଠା ଦରବ ତୁମକୁ ଯାଚିଲେ

        ପାପେ‌ ହେବିନି କି ଘାଣ୍ଟି?

ଭାବିଥିଲି ତୋତେ କ୍ଷୀର ଟିକେ ଦେବି

        ବାଛୁରୀ ମୁହଁ ମାରିଛି,

ଗୁଡ କିମ୍ବା ଚିନି ଦେବାକୁ ଚାହିଁଲେ

         ପିମ୍ପୁଡ଼ି ତାକୁ ଚାଖିଛି।

ସରାଗରେ‌ ଫୁଲ ତୋଳି ତୁମ ପଦେ

          ଆନନ୍ଦେ ଟେକିଲା ବେଳେ,

ମନେ ପଡିଯାଏ ଦୁଷ୍ଟ ଭ‌ଅଁରଟା

          ଚୁମ୍ଵିଥିବ‌ କେତେବେଳେ।

କେଉଁ ଫଳ ଦେବି କୁହ ହେ ଠାକୁର

           ସିଏ କି ପବିତ୍ର ଥିବ,

ସେ ଫଳେ କା’ ଦାନ୍ତ ବାଜିବା‌ ନ ଥିବ

           ସେ କଥା କିଏ କହିବ?

ପୁଷ୍କରିଣୀ ଅବା ନଦୀଜଳ ଟୋପେ

           ତୁମକୁ ଯଦି ଟେକିବି,

ଜୀବଜନ୍ତୁ ମୁହଁ ମାରି କି ନାହାଁନ୍ତି

           ତାକୁ କି ଫାଙ୍କି ପାରିବି?

ଲବଣୀ ପ୍ରିୟ ହେ କି ଲବଣୀ ଦେବି

           ଅଇଁଠା କି ସିଏ ନୁହେଁ,

ମହୁ ଯଦି ଟିକେ ସମର୍ପିବି‌ ତାକୁ

           ମହୁମାଛି ଚାଖିଥାଏ‌।

ଗୀତପଦେ ଲେଖି ତୋତେ ଶୁଣେଇବି

           କେତେଥର ଭାବିଅଛି, 

ଯେଉଁ ଶବ୍ଦ ଦେବି କବିଙ୍କ ଲେଖନୀ

           ଆଗରୁ ତାକୁ ଛୁଇଁଛି।

ଭଜନଟି ଯଦି ଗାଇବି‌ ପ୍ରଭୁ ହେ

          ଓଠ ଜିଭ ଲାଗିଯିବ,

ଅଇଁଠା ଗୀତକୁ ତୋତେ ଶୁଣେଇଲେ

           ମନ କି ମୋର ବୁଝିବ?

କ୍ଷୀର ତ ଅଇଁଠା ନୀର ତ ଅଇଁଠା

           ଆବର‌ ଅଇଁଠା ବେଦ,

ସବୁ ଯଦି ଏଠି ଅଇଁଠା ଠାକୁରେ

           ନିଅଇଁଠା କେଉଁ ପଦ? 

ନିରାମିଷ ଆଉ ନିଅଇଁଠା କିଏ

           କୁହ ହେ ପ୍ରଭୁ ବୁଝାଇ,

ଜଳ ପାଦୁକାକୁ ପରୀକ୍ଷା କରିଲେ

           ତହିଁକି ଜୀବାଣୁ ନାହିଁ?

ଜିଭ ଲାଗିଗଲା ଶବ୍ଦ ସୃଷ୍ଟି ହେଲା

           ସିଏ ବି ଅଇଁଠା ହେଲା,

ଯାହା ମୁଁ ଦେଖିଲି ସବୁ ପ୍ରଭୁ ଏଠି

            ଅଇଁଠା ପ୍ରାୟେ ଲାଗିଲା।

ଅଇଁଠା ଖିଆ ହେ ମୋ ପ୍ରାଣ ଠାକୁର

           ଶବରୀ ଅଇଁଠା ଖାଇ,

ଭକତର‌ ଟାଣ ରଖିଅଛ ପ୍ରଭୁ

        ଆହେ ତ୍ରୈଲୋକ୍ୟ ଗୋସାଇଁ‌।

ଅକର୍ମରେ ବାସୁଦେବ ପ୍ରୀତି ପୁଣି

          କର୍ମ କଲେ କ୍ଷୟ ଯାନ୍ତି,

ଏହି ତତ୍ତ୍ଵସାର‌ ଗୁଢ ରହସ୍ୟକୁ‌ 

          ସୁଜ୍ଞାନୀ ଏକା ଜାଣନ୍ତି।

ଅକର୍ମ ସେଇଠି ଆତ୍ମା ପରମାତ୍ମା

         ଯହିଁ ଅଦୃଶ୍ଯେ ମିଶନ୍ତି,

ସେଥିରେ ଅଇଁଠା ତିଳେ ନାହିଁ ବୋଲି

         ଶାସ୍ତ୍ର ପ୍ରମାଣ ଦିଅନ୍ତି।

ଭାବବିନୋଦିଆ ହେ ଭାବ ଠାକୁର

         ଭାବ ଭକତି‌ ମୋ ଘେନ,

ହୃଦରୁ ସେ ଭାବ ନିଅଇଁଠା ଭୋଗ

         କରୁଛି ପ୍ରଭୁ ଅର୍ପଣ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

    

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଆଜାଦି କା ଅମୃତ ମହୋତ୍ସବରେ ମହାପୁରୁଷଙ୍କ ଫଟୋ ପ୍ରଦର୍ଶନ

Sunil Chandra Nayak

ମାଓବାଦୀ ଗୁଳିରେ ସହିଦ ଯବାନଙ୍କ ବଳିଦାନ ବ୍ୟର୍ଥ ଜିବନି, ଶେଷ ପର୍ଯ୍ୟନ୍ତ ଲଢେଇ ହେବ- ଆଇଜି ଅପରେସନ ଅମିତାଭ ଠାକୁର

Sunil Chandra Nayak

Leave a Comment

error: Content is protected !!