ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଆନିମଲ୍‌ ହେଲ୍ପ ଲାଇନ

 ଟୋଲ୍ ଫ୍ରି ନଂ- ୧୯୬୨ରେ ମିଳିବ ସେବା…..

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲାଇନ୍ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ (State Animal Helpline) ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ପ୍ରତ୍ୟେକ ନାଗରିକ ସମ୍ବେଦନଶୀଳ ହୋଇ ସେମାନଙ୍କ ସେବା ଯୋଗାଇଦେବା ଆବଶ୍ୟକ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବୁଲା ଓ ଅସହାୟ ପ୍ରାଣୀମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ସହରାଞ୍ଚଳରେ ହେଲ୍‌ପ ଲାଇନ ୟୁନିଟ୍‌ ସହିତ ପ୍ରାଣୀ ଆମ୍ବୁଲାନ୍‌ସ ଓ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ଏଥିପାଇଁ କାମ କରୁଥିବା ଅଣ-ସରକାରୀ ଅନୁଷ୍ଠାନ ଗୁଡିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ଦ୍ବାରା ଏହି ପଶୁ ମାନଙ୍କ ସେବା ଆହୁରି ତ୍ବରାନ୍ବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ଏବଂ ପ୍ରାଣୀସଂପଦ ବିଭାଗର କର୍ମଚାରୀ ମାନଙ୍କୁ ଏଥିରେ ତୁରନ୍ତ ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ବୁଲା ପ୍ରାଣୀ ମାନଙ୍କ ଚିକିତ୍ସା ଓ ସେବା ପାଇଁ ଜାରୀ ହୋଇଥିବା ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ୧୯୬୨ ଦିନରାତି ଚବିଶ ଘଣ୍ଟା କାର୍ଯ୍ୟକାରୀ ହେବ। ଏହାଦ୍ବାରା ଜରୁରୀ ସମୟରେ ପ୍ରାଣୀମାନଙ୍କୁ ଚିକିତ୍ସା ସେବା ମିଳିପାରିବ। ସେହିପରି ଟେଲି ଭେଟେରିନାରୀ ସେବା ବ୍ୟବସ୍ଥାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମତ୍ସ୍ୟ ଓ ପ୍ରାଣୀସଂପଦ କାର୍ଯ୍ୟକ୍ରମ ଗୁଡିକ ରାଜ୍ୟର ଚାଷୀ ମାନଙ୍କ ରୋଜଗାର ବୃଦ୍ଧି କରିବାରେ ସହାୟକ ହୋଇଛି ଏବଂ ରାଜ୍ୟ ସରକାର ସେମାନଙ୍କ ପ୍ରାଣୀସଂପଦକୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଅନେକ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଟେଲି ଭେଟେରିନାରୀ ସେବା ବ୍ୟବସ୍ଥା ଦ୍ବାରା ଏହି କାର୍ଯ୍ୟକ୍ରମ ଆହୁରି ଦୃଢ ହେବା ସହିତ ପ୍ରାଣୀପାଳକ ମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇପାରିବ ।

ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ଟୋଲ୍‌ ଫ୍ରି ନମ୍ବର ୧୯୬୨ କିମ୍ବା ୧୫୫୩୩୩ ଜରିଆରେ ଫୋନ କରି ତୁରନ୍ତ ସହାୟତା ମିଳିପାରିବ। ରାଜ୍ୟର ୧୧ଟି ସହରରେ ଆନିମଲ୍‌ ଆମ୍ବୁଲାନ୍‌ସ ବ୍ୟବସ୍ଥା ରହିଛି ଏବଂ ସବୁ ବ୍ଲକ୍‌ରେ ପ୍ରାଣୀସେବା କେନ୍ଦ୍ରର ସୁବିଧା ମଧ୍ୟ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସଂପଦ ମ୍ୟାପିଂ ସିଷ୍ଟମ (Fisheries & Animal Resources Mapping System)ର ଶୁଭାରମ୍ଭ ମଧ୍ୟ କରିଛନ୍ତି। ୫-ଟି ଉପକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟର ସବୁ ପ୍ରାଣୀ ଚାଷ ୟୁନିଟ୍‌ ଗୁଡିକର ଜିଓ ଟ୍ୟାଗିଂ ଓ ମ୍ୟାପିଂ କରାଯିବ ଏବଂ ଏହାକୁ WEB-GIS ପ୍ଲାଟଫର୍ମରେ ଦେଖାଯାଇ ପାରିବ। ଏହାଦ୍ବାରା ସ୍ବଚ୍ଛତା ଓ ଉତ୍ତରଦାୟୀତା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ଏହି ଅବସରରେ BAIF Institute ସହିତ ଏକ ବୂଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା । ଏହି ବୁଝାମଣା ଅନୁଯାୟୀ ରାଜ୍ୟରେ ୧୫୦୦ କୃତ୍ରିମ ପ୍ରଜନନ ଟେକ୍‌ନିସିଆନ ନିୟୋଜିତ ହେବେ । ଏହାସହିତ ଗୋପାଳପୁର ଠାରେ ଭେକ୍‌ଟି ଯାଆଁଳ ହାଚେରୀ ପ୍ରତିଷ୍ଠା ପାଇଁ ରାଜୀବ ଗାନ୍ଧୀ ସେଣ୍ଟର ଫର ଆକ୍ବା କଲ୍‌ଚର ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । ଭେକ୍‌ଟୀ ମାଛର ଚାହିଦା ବହୁତ ଅଧିକ ଥିବାରୁ ଏହା ମାଛଚାଷୀ ମାନଙ୍କର ରୋଜଗାର ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗ ପକ୍ଷରୁ ରାଜ୍ୟର ପ୍ରାଣୀସଂପଦର ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକ୍ରମ ପ୍ରାଣୀପାଳକ ମାନଙ୍କର ରୋଜଗାର ବୃଦ୍ଧିରେ ସହାୟକ ହେବ ବୋଲି ପ୍ରକାଶ କରି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀ ଆର. ରଘୁପ୍ରସାଦ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ମିଶନ ଶକ୍ତି କମିଶନର-ତଥା-ସଚିବ ଏବଂ ବିଭିନ୍ନ ଜିଲ୍ଲାରେ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରିତୟନି ଆଇଟିଆଇରେ ଛାତ୍ରଙ୍କୁ ମାଡ଼ ଓ ଶିକ୍ଷାଦାନ ଅନିୟମିତତା ନେଇ ମୟୁରଭଞ୍ଜ ବନ୍ଦ

Sunil Chandra Nayak

ରଞ୍ଜନ କୁମାର ବ୍ରହ୍ମା ଙ୍କ କବିତା ଶୁଣିବା ହେଉ ମଣିମା 

Sunil Chandra Nayak

ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଗୁରୁତର

Sunil Chandra Nayak

Leave a Comment

error: Content is protected !!