ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଦାରେ ପଡିଲା ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମର ଅବ୍ୟବସ୍ଥା , ଭୋକରେ ଡହଳ ବିକଳ ହୋଇ ଫେରିଲେ ଛାତ୍ରଛାତ୍ରୀ

ରାଉରକେଲା – ଗତକାଲି ଗୁରୁଣ୍ଡିଆ ବ୍ଲକ ବାଙ୍କୀ ପଞ୍ଚାୟତ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ହୋଇଥିବା ବ୍ୟାପକ ଅବ୍ୟବସ୍ଥା ଆଜି ପଦାରେ ପଡ଼ିଥିବା ବେଳେ ଏହାକୁ ନେଇ ସୃଷ୍ଟି ହୋଇଥିବା ଭୟଙ୍କର ଅସନ୍ତୋଷ ମଧ୍ୟ ପରିଲକ୍ଷିତ ହୋଇଛି | ମୁଖ୍ୟତଃ କାର୍ଯ୍ୟକ୍ରମକୁ ଦୂରଦୂରାନ୍ତରୁ ଆସିଥିବା କୋମଳମତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇନଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ଦିନ ତମାମ ଭୋକରେ ଡହଳ ବିକଳ ହୋଇ ଘରକୁ ଫେରିବା ଘଟଣାକୁ କେନ୍ଦ୍ର କରି ଉକ୍ତ ଅସନ୍ତୋଷ ସୃଷ୍ଟିହୋଇଛି। ଚାନ୍ଦିପୋଷ, କୁଚେଇତା ଏବଂ ବାଙ୍କୀ ପଞ୍ଚାୟତ ଅଞ୍ଚଳର ୨୦ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅବିଭାବକ ଅଭିଭାବିକା ମାନଙ୍କ ଠାରୁ ଆସିଥିବା ଅଭିଯୋଗ ଅନୁସାରେ ଗୁରୁଣ୍ଡିଆ ବିଡ଼ିଓ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଚିଠି ମାଧ୍ୟମରେ ନିବେଦନ କରିଥିବା ବେଳେ ତିନୋଟି ପଞ୍ଚାୟତର ଶିକ୍ଷକ ଶିକ୍ଷୟିତ୍ରୀ ଓ ସିଆରସିସି ମାନେ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାକୁ ସମସ୍ତ ପ୍ରକାର ସହାୟତା କରିଥିଲେ । ଏପରିକି ରବିବାର ହୋଇଥିଲେ ସୁଦ୍ଧା କୋମଳମତି ଛାତ୍ରଛାତ୍ରୀ ମାନଙ୍କୁ ଧରି ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ସକାଳ ୯ ଟା ଭିତରେ ପହଞ୍ଚିଥିଲେ । ତେବେ ଶିକ୍ଷା ବିଭାଗର ସହଭାଗୀତା ଯୋଗୁଁ ହିଁ କାର୍ଯ୍ୟକ୍ରମ ସଫଳ ହୋଇଥିବା ବେଳେ ଅପରାହ୍ନ ୧ ଟାରେ କାର୍ଯ୍ୟକ୍ରମ ସମାପ୍ତ ହେଲାପରେ ଦୂରଦୂରାନ୍ତରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ନଦେଇ ପଠେଇ ଦିଆଯାଇଥିଲା।ଏହାଯୋଗୁଁ ସକାଳରୁ ବାହାରି ବହୁ ଦୂରଦୂରାନ୍ତରୁ ଆସିଥିବା ଛାତ୍ରଛାତ୍ରୀ ମାନେ ଦିନ ତମାମ ଉପାସରେ ରହି ଭୋକରେ ଡହଳ ବିକଳ ହୋଇଥିବା ବେଳେ ସେମାନଙ୍କ ଭିତରୁ ୪ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଖରାପ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଗୁରୁଣ୍ଡିଆ ବ୍ଲକ ପ୍ରଶାସନର ଏଭଳି ଅସୌଜନ୍ୟତା ଏବଂ ଦାୟିତ୍ୱହୀନତାକୁ ନେଇ ମାଧୁ ଓରାମ, ରମେଶ ପୁରନ, ରାମ ସିଂ, ସୁଜାତା କେର୍କେଟା, ଫୁଲମନୀ ଭୂମିଜ ପ୍ରମୁଖ ସ୍ଥାନୀୟ ଅଞ୍ଚଳର ଅଭିଭାବକ, ଅଭିଭାବିକା ମାନେ କଠୋର ଭାଷାରେ ନିନ୍ଦା କରିଥିବା ବେଳେ ଭବିଷ୍ୟତରେ ଆଉ କୌଣସି ସରକାରୀ କାର୍ଯ୍ୟକ୍ରମରେ ଆମ ପିଲାମାନଙ୍କୁ ଛାଡ଼ିବୁ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି । ତାସହିତ ସେମାନେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କରିଥିବା ବେଳେ ଏଭଳି ଅବ୍ୟବସ୍ଥାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉତ୍ତରଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି | ଏ ସମ୍ୱନ୍ଧରେ ଗୁରୁଣ୍ଡିଆ ବିଡ଼ିଓଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ତମ୍ବାଛଡା ଜ୍ଞାନ ମନ୍ଦିର ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ

Sunil Chandra Nayak

ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳନ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Sunil Chandra Nayak

Leave a Comment

error: Content is protected !!