ଲାଞ୍ଜିଗଡ଼,୦୭/୦୬(ମ.ନି.ସ)-ଦୁଇଟି ବାଇକ୍ ରେ ଥିଲେ ତିନିଜଣ ଲୋକ ! ବସ୍ତାରେ ଭରି ନେଉଥିଲେ ଦୁଇଟି ଛେଳି ! ବାଇକ୍ ର ଗତି ଓ ଛେଳିଙ୍କ ରଡ଼ି ତଥା ବାଇକ ଆରୋହୀଙ୍କ ହାବଭାବ ଦେଖି ଲୋକଙ୍କ ସନ୍ଦେହ ହେଲା ! ଲୋକେ ବାଇକକୁ ଅଟକାଇଲେ, ପଚରାଉଚୁରା କଲାବେଳେ ସେମାନେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ! ଏପରିକି ଦୁଇଟି ବାଇକ୍ ମଧ୍ୟରୁ ଜଣେ ବାଇକ୍ ଆରୋହୀ ଲୋକଙ୍କଠାରୁ ପଳାଇଯାଇଥିବାବେଳେ ଅନ୍ୟ ଦୁଇଜଣ ପଳାଇ ପାରିନଥିଲେ ! ଫଳରେ ଛେଳି ଚୋରି ସନ୍ଦେହ ବଢ଼ିଥିଲା ! ଶେଷରେ ଗାଁ ଲୋକେ ରୁଣ୍ଡ ହୋଇ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛେଳି ଚୋରି ସନ୍ଦେହରେ ଦୁଇଜଣ ବ୍ୟକ୍ତି, ବସ୍ତାରେ ଭର୍ତ୍ତି ହୋଇଥିବା ଦୁଇଟି ଛେଳି, ଗୋଟିଏ ବାଇକ୍ ଓ ମୋବାଇଲ୍ ଜବତ କରିଥିବା ଜଣାପଡ଼ିଛି ! ଏପରି ଏକ ଅଭାବନୀୟ ଘଟଣା ଘଟିଛି ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଭୁର୍ଟିଗଡ଼ଠାରେ ! ଭୁର୍ଟିଗଡ଼ ପଞ୍ଚାୟତର କଟୋଡ଼ି ଗାଁ ପଟୁ ଆଜି ସନ୍ଧ୍ୟାରେ ଦୁଇଟି ବାଇକରେ ତିନିଜଣ ଲୋକେ ଯାଉଥିବାବେଳେ ଗୋଟିଏ ବାଇକରେ ବସ୍ତାରେ ଭରାଯାଇ ଦୁଇଟି ଛେଳି ନେଉଥିବା ଲୋକେ ଦେଖିଥିଲେ ! ତେବେ ସନ୍ଦେହ ହେବାରୁ ପଚରାଉଚୁରା ପରେ ସେମାନଙ୍କୁ ପୁଲିସକୁ ଡାକି ଜିମା ଦେଇଥିବା ଜଣାପଡ଼ିଛି ! ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ ସଦଳବଳେ ପହଞ୍ଚି ଦୁଇଟି ଛେଳି, ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତି ଏବଂ ଗୋଟିଏ ବାଇକ୍ ଓ ମୋବାଇଲ୍ ଜବତ କରିଥିବା ଜଣାପଡ଼ିଛି ! ତେବେ ଦୁର୍ଗମ ଭୁର୍ଟିଗଡ଼ ଅଞ୍ଚଳରେ ବେଶ୍ କିଛି ଦିନ ହେଲା ଛେଳି ଚୋରି ହେଉଥିବା ଅଭିଯୋଗ ହେଉବେଳେ ବହୁ ଦିନ ପରେ ଏଇ ରେକେଟ୍ ର ଦୁଇଜଣ ପୁଲିସ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି ! ଏ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ଦୁଇଜଣ ସନ୍ଦିଗ୍ଧଙ୍କୁ ପଚରାଉଚୁରା କରୁଥିବା ଜଣାପଡ଼ିଛି !
ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।