ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ଶତପଥୀ ଙ୍କ କବିତା ଚା ପିଆଲାରେ ଝଡ

     ଚା ପିଆଲାରେ ଝଡ

ଦିନେ ସକାଳେ ଦାଣ୍ଡ ପିଣ୍ଡାରେ ବସି
     ଚାହା କପେ ପିଉଥିଲି।
ଖବରକାଗଜ ହାତେ ଥିଲା ମୋର
     ତାଜା ତଥ୍ୟ ପଢୁଥିଲି।।
ମୋ ସାଙ୍ଗ ଗଉରା ଧଇଁ ସଇଁ ହୋଇ
      ମୋ ପାଖେ ପହଞ୍ଚିଗଲା।
ଘୋର କଳିକାଳ ମାଡି ଆସିଲାଣି
    ଧୀରେ ଧୀରେ ସେ କହିଲା।।
କି ଘଟଣା ଆଜି ଘଟିଛି ତୋସାଥେ
    ଏପରି କିଆଁ କହୁଛୁ ?
ମନ କଥା ଫେଡି କହ ସବୁ ମତେ 
     ସାଙ୍ଗ ଯଦି ତୁ ଭାବୁଛୁ।।
କଥା ମୋର ଶୁଣି ଗଉରା କହିଲା
      ଚାହା କପ୍ ଟିଏ ପାଇଁ।
ଅଶ୍ରାବ୍ୟ ଭାଷାରେ ମୋବୋହୁ ଗରଜିଲା
   କାନ ହେଲା ଝାଇଁ ଝାଇଁ।।
ଆରେ ରଇଜଳା ନିଆଁଲଗା ବୁଢା
      ପୋଡାମୁହାଁ ଚୁଲିପଶା।
କେଉଁ ସାହସରେ ଚାହା ତୁ ମାଗୁଛୁ ?
    ଅଣ୍ଟିରେ ନାହିଁ ପଇସା।।
ବାଡିପଶା ଯୋଗନିଖିଆ ହାରାମି
     ଡଙ୍କୁଣିଖିଆ ଭଡୁଆ।
କୁଳୁବୁଡା, ଘୋଡାମୁହାଁ ସମ୍ପିଗଲା
    ଯେମିତି ମୁଁ ତା ବେଠିଆ।।
ମୋ ଘଇତା ଟଙ୍କାରେ ତୋ ଆଖି କିଆଁ
      ଯମ ନଉନାହିଁ ତତେ।
ଜମି ବାଡି କୋଠା ଯାହା ବି କରିଛୁ     
ନିଅଣ୍ଟ ସେସବୁ ମତେ।।
ଚାକିରି କରିଥିଲୁ ପେନସନ ନାହିଁ
    ଖାଇବୁ କେମିତି କହ ?
ଥୋବରା ମୁହଁକୁ ଲାଜ ନାହିଁ ଟିକେ
   ଚା,ରେ ରହିଛି ଲୟ !
ମୋର ପୁଅ ପରା ଘଇତା ତାହାର
     ସେ କଥା କି ଗଲା ଭୁଲି !
ଲାଜକଥା ଗୁଡା କା ଆଗେ କହିବି
     ତୋ ପାଶେ ଆସିଲି ଚାଲି।।
ମୋ ବୋହୂକୁ କହିଲି ଚା ସାଥେ ସିଏ
    ମୁଢି ମିକ୍ସକର୍ ଦେଲା।
ଗଉରାକୁ ମତେ ପ୍ରଣାମ କରି ସେ
    ଘର ଭିତରକୁ ଗଲା।।
ଆବାକାବା ହୋଇ ଚାହିଁଲା ଗଉରା
   କହିଲା ଇଏ କି ପାଲା ?
ମୋ ଘରେ କଳିଯୁଗ ରାଜ୍ କରୁଛି
      ଏଠି ସତ୍ୟଯୁଗ ହେଲା !
କୁଟା ଖଣ୍ଡକ ତୁ ଦିଖଣ୍ଡ କରୁନା
     ପେନସନ ନାହିଁ ତୋର।
ଘରେ ଖଟିଖଟି ପ୍ରାଣ ଯାଏ ମୋର
    ତଥାପି ନାହିଁ ଆଦର।।
ମନଦୁଃଖେ ପଚାରିଲି ଗଉରାକୁ
   ତୋପୁଅ ଏହା ଜାଣେ କି ?
ସବୁ ଜାଣି ଯଦି ପତ୍ନୀ ପ୍ରେମେ ଅନ୍ଧ
    ତୋ ଔରସୁ ଜନ୍ମ ସେ କି ?
ହିଞ୍ଜଡ଼ା ଅଥବା ମରଦ ସେ ଅଟେ
     ପଚାରେ ପୁଅକୁ ତୋର।
ବାପା ଦୁଃଖ ଦେଖି ବୁଜେ ଯିଏ ଆଖି
    ନର୍କରେ ସ୍ଥାନ ତାହାର।।
ତୋ ଯୁଆନ ବେଳ କଥା ମନେ ପକା
     ମାଇଗୁଲିଆ ତୁ ଥିଲୁ।
ମାଇପ କଥାରେ ନାଚୁଥିଲୁ ତୁହି
    ବାପା ବୋଉ କାଲୁବାଲୁ।।
ତୁ ଯାହା ଭୋଗୁ ତୋ କୁଳାଙ୍ଗାର ପୁଅ
     ଆଉ ଶହେଗୁଣା ଭୋଗିବ।
ବୋହୂର ଛାଞ୍ଚୁଣି ମାଡେ ତା ପିଠିରୁ
     ରକତ ଧାର ବୋହିବ।।
କଳିଯୁଗ ନାମ କହି ହୁଅ ପାରି
    ନିଜକୁ ସଜାଡ ନାହିଁ !
ଯେମିତି କର୍ମକୁ ସେମିତିଆ ଫଳ
    ଭୁଲିଗଲୁ ସାଙ୍ଗ ତୁହି।।
ମୋ ସାଙ୍ଗ ଗଉରା ତା ଦୋଷ ଜାଣିଲା
    ପାଠକେ ଯାଅ ସୁଧୁରି।
ନେଡି ଗୁଡ କହୁଣିକୁ ବୋହିଗଲେ
    ସାହା ହେବେ ନାହିଁସ ହରି।।

ମମତା ଶତପଥୀ

କେନ୍ଦ୍ରାପଡା

Related posts

ପୁଅକୁ ନେଇ ଚିନ୍ତାରେ ପରିବାର , ଚିକିସ୍ସା  ସୁବିଧା ଯୋଗାଇ ଦେବା ନିମନ୍ତେ ପରିବାରବର୍ଗଙ୍କ ଦାବୀ 

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରେମର ପ୍ରାଣ

Sunil Chandra Nayak

କୋକସରା ଫେନ୍ସି ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ନଗଦ ଲୁଟ ,ପୁଲିସର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!