ଭବାନୀପାଟଣା ମ ନି ସ:- ଗତ ୨୦.୧୨.୨୦୨୧ ତାରିଖ ଦିନ ସନ୍ଧ୍ୟା ୬.୦୦ଘଣ୍ଟା ସମୟରେ ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତା ରେ ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ଯୋଗ୍ୟ କଳାକାର ଚୟନ ପ୍ରକ୍ରିୟା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଯୋଗ୍ୟ କଳାକାର ମାନଙ୍କ ସାର୍ଟିଫିକେଟ ଯାଞ୍ଚ ସହ ବ୍ଲକ ସ୍ତରରେ ଅଡିସନ ମାଧ୍ୟମରେ କଳାକାରମାନଙ୍କୁ ଚୟନ କରିବା।ଏଥିପାଇଁ ସଂପୃକ୍ତ ବ୍ଲକ ର ବିଡ଼ିଓ , ମ୍ୟୁନିସିପାଲଟି ଇଓ ବ୍ଲକ କଳାକାର ସାଂସ୍କୃତିକ ସଂଘ ଉପ ସଭାପତି,ବର୍ଷୀୟାନ କଳାକାର ଟିମ୍ ଗଠନ ପୂର୍ବକ କଳାକାର ଚୟନ କରି ଆସନ୍ତା ୨୭ସୁଦ୍ଧା ରିପୋର୍ଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ୩୦୬୪ ଜଣ କଳାକାର ଭତ୍ତା ପାଇଁ ଆବେଦନ କରିଛନ୍ତି କିନ୍ତୁ କେବଳ ୧୩୩୦ ଜଣଙ୍କୁ ଚୟନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଯେଉଁ ବୟସାଧିକ କଳାକାରଙ୍କ କୌଣସି ଯୋଗ୍ୟତା ସାର୍ଟିଫିକେଟ ନାହିଁ ସେମାନଙ୍କୁ ସଂପୃକ୍ତ ଗ୍ରାମର ସରପଞ୍ଚ କଳାକାର ମାନ୍ୟତା ସାର୍ଟିଫିକେଟ ପ୍ରଦାନ କରିବେ କିନ୍ତୁ ସେମାନଙ୍କୁ ମନୋନୟନ କମିଟି ଆଗରେ ନିଜର କଳା ପ୍ରଦର୍ଶନ କରିବାକୁ ହେବ ।ସଭାରେ ଅଭିଯୋଗ ଥିଲା ଯେ ଦୁଇ ତିନୋଟି ବ୍ଲକରେ ପ୍ରାୟ ଅର୍ଦ୍ଧା ତିକ ଆବେଦନକାରୀ ବେନାମୀ ଯୋଗ୍ୟତା ସାର୍ଟିଫିକେଟ ପ୍ରଦାନ କରିଛନ୍ତି ସେଗୁଡିକ ଯାଞ୍ଚ କରି ସେମାନଙ୍କୁ ନାକଚ କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଥିଲେ। ସଭାଟିକୁ ପରିଚାଳନା କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଅର୍ପିତା ବେହେରା। ସଭାରେ ଉପ ଜିଲ୍ଲାପାଳ ଭବାନୀପାଟଣା/ ଧର୍ମଗଡ ,ସମସ୍ତ ବିଡ଼ିଓ,ବ୍ଲକ କଳା ସାଂସ୍କୃତିକ ସଂଘ ଉପ ସଭାପତି,ଜିଲ୍ଲା କଳା ସାଂସ୍କୃତିକ ସଂଘ ଉପସଭାପତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ,କଳାହାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।
previous post