ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଖାଲ ଚନ୍ଦ୍ର ସ୍ବାଇଁ ଙ୍କ ଗଳ୍ପ କହିବା କରିବା ଭିତରେ ବହୁତ ଫରକ

କହିବା କରିବା ଭିତରେ ବହୁତ ଫରକ

    ଗୁରୁ ସତ୍ୟାନାଶ ପ୍ରବଚକ ଭାବରେ ଭାରି ଜଣାଶୁଣା।

ସେ ଦିନ ଏକ ପ୍ରବଚନ ସଭାର ଆୟୋଜନ ସରିଥାଏ। ତାଙ୍କ ପ୍ରବଚନ ଶୁଣିବା ପାଇଁ ,କାହିଁ କୁଆଡୁ ଲୋକ ଆସି ଜମା ହେଇ ସାରିଲେଣି। ଗୁରୁ ସତ୍ୟାନାଶଙ୍କର ପ୍ରଧାନ ଶିଷ୍ୟ, ବୋଲକରା ସଭାର ଆୟୋଜନ କରିସାରିଥାନ୍ତି।ଆଗରେ ହଜାର ହଜାର ଲୋକ। ଶିଷ୍ୟ ବୋଲକରା ର ଛାତି କୁଣ୍ଢେ ମୋଟ।ଆଜି ସତ୍ୟାନାଶଙ୍କର ପ୍ରବଚନ ଶୁଣିବ। ଗୋଟିଏ ବଡ଼ ଉଚ୍ଚା କୂଅ ଉପରେ ଘୋଡେ଼ଇ ହେଇଥବା ମୋଟା ଢାଙ୍କୁଣି ଉପରେ ସତ୍ୟାନାଶଙ୍କର ଆସନ ପଡ଼ି ସାରିଥାଏ।ତାଙ୍କର ନିକଟତର ଶିଷ୍ୟ ମାନେ ସେଇ ଆସନ ପାଖରେ ଭିଡ଼ ଜମେଇ ସାରିଥାନ୍ତି।

              ହଠାତ୍,” ଜୟ ବାବା ସତ୍ୟାନାଶଙ୍କର ଜୟ”, ଧ୍ୱନି ରେ ମଞ୍ଚ ଫାଟି ପଡ଼ିଲା।ବାବା ସତ୍ୟାନାଶ ବେକରେ ମୋଟା ଗଜରା ପକେଇ ସଭା ସ୍ଥଳ ଆଡ଼କୁ ମାଡ଼ି ଆସୁଛନ୍ତି। ଶିଷ୍ୟ ବୋଲକରା ର ଆନନ୍ଦ କହିଲେ ନ ସରେ।ବାବାଙ୍କର ପ୍ରବଚନରେ ମୁଗ୍ଧ ହେଇ ସେ ବାବାଙ୍କୁ ଗୁରୁ ରୂପେ ବରଣ କରି ସାରିଥାନ୍ତି।ବୋଲକରା ସିଧା ଧାଇଁ ଯାଇ ବାବାଙ୍କ ଗୋଡ଼ ତଳେ ଲମ୍ବ ହେଇ ଶୋଇଗଲା।ବାବାଙ୍କୁ ସଭା ମଞ୍ଚକୁ ପାଛୋଟି ଆଣି ଆସନରେ ବସିବାକୁ ଅନୁରୋଧ କଲା।ବାବା ଅତି ଆନନ୍ଦରେ ଆସନ ଅଳଙ୍କୃତ କଲେ।ସମସ୍ତ ବିଧିବିଧାନ ଅନ୍ତେ,ବାବା ତାଙ୍କର ପ୍ରବଚନ ଆରମ୍ଭ କଲେ।

“ପ୍ରିୟ ଭକ୍ତ ବୃନ୍ଦ! ଆଜିର ଦୁନିଆଟା ପୂରା ସ୍ବାର୍ଥପର ହେଇଯାଇଛି।ଶାଗ ଖିଆ ପେଜ ଖିଆକୁ ଦେଖି ପାରୁନି।ଭାଇ ଭାଇ ଭିତରେ ସ୍ବାର୍ଥ ପାଇଁ ଲଢେ଼ଇ ହେଉଛି। ଜଣେ ଆଗକୁ ଗୋଡ଼ ବଢେଇଲେ ଆର ଜଣକ ତଳକୁ ଟାଣୁଛି। ବୁଡି ଯାଉଥିବା ଲୋକକୁ ଉଦ୍ଧାର କରିବା ପରିବର୍ତ୍ତେ,ତା କାନ୍ଧରେ ଗୋଡ଼ ଦେଇ ନିଜେ ବଞ୍ଚିବାକୁ ପ୍ରୟାସ କରୁଛି।ଏହା ମଣିଷ ର ଧର୍ମ ନୁହେଁ।ଦରିଦ୍ର ଙ୍କୁ ସାହାଯ୍ୟ କର।ନିଜ ଜୀବନ କୁ ବିପନ୍ନ କରି, ବୁଡି ଯାଉଥିବା ଲୋକକୁ ଉଦ୍ଧାର କର। ଏହାହିଁ ମଣିଷର ଧର୍ମ।”

    ଏଇ ସମୟରେ ହଠାତ୍, କୂଅର ଘୋଡଣିଟି ଏକ ବିରାଟ ଶଦ୍ଦ କରି ତଳକୁ ଗଳି ପଡ଼ିଲା।ମଞ୍ଚରେ ବସିଥିବା ସମସ୍ତ ବ୍ୟକ୍ତି,ଅଥଳ କୂଅ ଭିତରକୁ ଗଳି ପଡ଼ିଲେ। ବଞ୍ଚିବାର ଆଉ ଉପାୟ ନଥିଲା। 

           ହଠାତ୍ ଗୁରୁ ସତ୍ୟାନାଶ, ଶିଷ୍ୟ ମାନଙ୍କ କାନ୍ଧରେ ଗୋଡ଼ ଦେଇ,ଉପରକୁ ଉଠି, ନିଜେ ବଞ୍ଚିବାକୁ ଆପ୍ରାଣ ଉଦ୍ୟମ କରୁଥାନ୍ତି। ଶିଷ୍ୟ ମାନେ ବିଚରା ଅଣନିଃଶ୍ବାସୀ ହେଇ ପାଣି ଭିତରକୁ ଚାଲି ଯାଉଥାଆନ୍ତି।

               ଶେଷରେ,ସେଠାରେ ଉପସ୍ଥିତ ଥିବା ଲୋକେ, ଆପ୍ରାଣ ଉଦ୍ୟମ କରି, କୂଅ ଭିତରୁ ସମସ୍ତଙ୍କୁ ଉଦ୍ଧାର କଲେ। ଉଦ୍ଧାର ହେବା ପରେ ବୋଲକରା ପଚାରିଲା,

      “ବାବା ସତ୍ୟାନାଶ ! ଟିକିଏ ଆଗରୁ ଆପଣ କହୁଥିଲେ, ନିଜ ଜୀବନ କୁ ବିପନ୍ନ କରି ବୁଡି ଯାଉଥିବା ଲୋକକୁ ଉଦ୍ଧାର କରିବା ଉଚିତ।ମାତ୍ର, ମୁଁ ଦେଖିଛି,ଆମେ ଯେତେବେଳେ ବୁଡି ଯାଉଥିଲୁ, ଆପଣ ସେତେବେଳେ ଆମ କାନ୍ଧରେ ଗୋଡ଼ ରଖି,ଆମରି ଶବ ଉପରେ ,ନିଜର ଜୀବନ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ।ଏହାର କାରଣ କଣ ?”

            ବାବା ସତ୍ୟାନାଶ ଉତ୍ତର ଦେଲେ,” ଆରେ ମୂର୍ଖ। ମୋର ପୂର୍ବ ପ୍ରବଚନକୁ ତୁ ଭୁଲି ଯାଉଛୁ କେମିତି।

         ‘ ନିଜକୁ ପଡ଼ିଲେ ବିପଦ। ଗୁରୁ ବ୍ରାହ୍ମଣ ଶିର ଚ୍ଛେଦ’।”

   ଏଥର ବୋଲକରାର ଅକଲ ଗୁଡୁମ୍। ଆପେ ଆପେ ପାଟିରୁ ବାହାରି ଆସିଲା,

       “ଧନ୍ୟରେ ଦୁନିଆ। ଅନ୍ୟକୁ ପ୍ରବଚନ ଦେଉଥିବା ଲୋକଟା, ଆଖି ପିଛୁଳାକେ ,ପ୍ରବଞ୍ଚକ ସାଜିଯାଉଛି।କହିବା କରିବା ଭିତରେ ତ ବହୁତ ଫରକ”।

ରାଖାଲ ଚନ୍ଦ୍ର ସ୍ବାଇଁ , ନୋଟାରୀ, ଭଦ୍ରକ

 

Related posts

ଆଠ ନମ୍ବର ୱାର୍ଡ କାଉନସିଲର ସକ୍ରିୟ , ନିଜେ ରହି ନାଳି ନର୍ଦ୍ଧମା ସଫା କରାଇଲେ

Sunil Chandra Nayak

ମୁଢି ଉପରେ ବି ସରକାରଙ୍କ ନଜର….

Sunil Chandra Nayak

ଅନ୍ଧାର ଭିତରେ ଦୁଇ ଭାଇ ଭଉଣୀ 

Sunil Chandra Nayak

Leave a Comment

error: Content is protected !!