ଜୟ ଜଗନ୍ନାଥ ଜୟ
ଯେତେ ଦୁଃଖ ମତେ ଦେବୁରେ କାଳିଆ
ସେତେ ମୁଁ ଡାକିବି ତତେ
ଦୁଃଖ ଦେଇ ଦେଇ ଥକିଗଲେ ଦିନେ
କୋଳେଇ ନେବୁ ରେ ମତେ।
ଯେତେ ଦେଉଥିବୁ ସେତେ ନେଉଥିବି
ନ ସରିବ ଇଚ୍ଛା ମୋର
ଏ ଦୀନ ଦୁଃଖି କୁ ଦୟା କରୁଥିବୁ
ତୁ ପରା ବଡ଼ ଠାକୁର।
ତୁହି ବଡ଼ ବୋଲି ମୁଁ ଏକା ଜାଣିନି
ଜଗତେ ପଡ଼ିଛି ହୁରି
ବଡ଼ ଦେଉଳରେ ବସିଛୁ ତୁହି
ଭାଇ ,ଭଉଣୀ ଙ୍କୁ ଧରି।
ସାଗର ଧୋଉଛି ଚରଣ ତୋହର
ଆନନ୍ଦରେ ନାଚି ନାଚି
ତୋ’ ଶରଧାବାଲି ମୁଣ୍ଡରେ ଲଗାଇ
ଦୁଃଖ ମୁଁ ଭୁଲି ଯାଉଛି।
ଚକା ବଇଠିରେ ଭୁଜ ମେଲି ଦେଇ
ସବୁ ଦୁଃଖ ଶୋକ ହରୁ
ଭକତ ହୃଦୟ ଭକତ ମନକୁ
ନିମିଷେ ପଢି ପାରୁ।
ଇଚ୍ଛା ମୟ ହରି ତୋ’ ରୂପ ମାଧୁରୀ
ଜଗନ୍ନାଥ ନାମ ବହି
ଏ ଶଙ୍ଖ କ୍ଷେତ୍ର ରେ ଲୀଳା କରୁଅଛୁ
ଷାଠିଏ ପଉଟି ଖାଇ।
ସେ ଚକାଆଖିକୁ ଦେଖିଦେଲେ ଥରେ
କୋଟିଏ ପାତକ କ୍ଷୟ
ଦୟାମୟ ପ୍ରଭୁ ତୁଣ୍ଡେ ଗାଉଥିବି
ଜୟ ଜଗନ୍ନାଥ ଜୟ।।
ମହାସ୍ମୀତା ଓଝା
ଜଗତସିଂହପୁର ସାହିତ୍ୟ ପରିଷଦ
( ମକର) ସହ-ସମ୍ପାଦିକା

