ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଯାଇଥିଲି ଦିନେ ଯାତରା‌ ଦେଖି 

ଯାଇଥିଲି ଦିନେ ଯାତରା‌ ଦେଖି 

ଅପର୍ତ୍ତି ସେଠୀ

       ‌ (ରମ୍ୟ ରଚନା)
ବାଜିଲାଣି ହନୁମାନ ଚାଳିଶାର
        ରେକର୍ଡ ଯେ ଯାତ୍ରା ମଞ୍ଚେ,
ହାତେ ଖଣ୍ଡେ ଖଣ୍ଡେ ଟିକେଟ ଧରିକି
        ଠେଲାପେଲା ହୋନ୍ତି ଲୋକେ।
ହ‌ଅଲ ଭିତରେ ପ୍ରବେଶ କରନ୍ତି
        ଓହୋଃ କି ସିଏ ଭିଡ଼,
ସେ ଭିଡରେ ବାଜି ସାରିଲାଣି ମୋଠିଁ
        ଦୁଇ ଚାର୍‌ଟା ମୁଥ ମାଡ଼।
କିଏ ବେ ମାଇଲା କହିଛି କି ନାହିଁ
        ଜଣେ କେ ଝାମ୍ପୁଟା ମାରି,
ଦୁଇଶହ ଟଙ୍କାର ଟିକେଟ ମୋହର
        ନେଇଗଲା ଚୋରୀ କରି।
କ‌ଅଣ କରିବି କେମିତି ଦେଖିବି
        ବୁଦ୍ଧି ଜ୍ଞାନ ହଜିଲାଣି,
ମୁଥ ବାଜିଥିବା ଗାଲ ମୋର ଏଣେ
        ଫୁଲିକି‌ ଓହଳିଲାଣି‌।
ଯାତରା‌ ଜାଗାଟା‌ ଏହିଭଳି ଭାଇ
        ଆଗରୁ ଜାଣି ନ ଥିଲି,
ଘରୁ ମୁଁ ଚାଉଳ ଚୋରୀ କରି ବିକି
        ଟିକେଟ‌ଟା କିଣିଥିଲି।
କୋଉ ଭେକାଳିଆ‌ ଟିକେଟ ମୋହାତୁ‌
        ଝାମ୍ପିନେଲା ଦେଖୁ ଦେଖୁ,
ଆଉ ତ ମୋପାଖେ ପ‌ଇସାଟେ ନାହିଁ
         ଚା’ କପେ ପିଇବାକୁ।
କେମିତି ଯାତରା‌ ଦେଖିବି ମୁଁ ଭାଇ
         ମୁଣ୍ଡ ମୋର ଘୂରିଗଲା,
ସାଙ୍ଗେ‌ସାଙ୍ଗେ‌ ଗୋଟେ‌ବୁଦ୍ଧିମୋମୁଣ୍ଡକୁ
         ଆସି ପୁଣି ଜୁଟିଗଲା।
ପେନ୍‌ଟିଙ୍ଗ୍ ରୁମ୍‌ର କଡ଼କୁ ମୁଁ ଯିବି
         ପାଲକୁ‌ ଫୁଟା କରିବି,
ଯାହେଉ ପଛେ ଲୁଚି‌ ଠିଆହୋଇ
         ଯାତରା ନିଶ୍ଚେ ଦେଖିବି।
ଯିଦି‌ ମୋ ଲାଗିଛି ପାଲଫୁଟାରେ ମୁଁ 
         ଦେଖିବି ପ୍ରେମ ମହଲ ,
ଦୈତ୍ୟାରି ପଣ୍ଡାଙ୍କୁ ଦେଖିବାକୁ ମୋର
         ମନ ହୁଏ କଲବଲ।
ଜାତୀୟସଙ୍ଗୀତ ପରେଯେମେଲୋଡି
        ପୁଣି ହୁଏ ରେକର୍ଡ଼ଡ୍ଯାନ୍ସ‌,
ପୁଅଝିଅଙ୍କର ସାହିରୀ କମେଡି
        ବାହାରୁଛି ପ୍ରେମ ରସ।
ପେଣ୍ଡାଲଟା‌ ଫାଟି ପଡୁଛି କିନ୍ତୁ ମୁଁ
        ଗୋଡ଼ ଟେକି ଦେଖୁଅଛି,
ବଡ଼ବଡ଼ କଳାକାରଙ୍କୁ ଦେଖି ମୋ
        ନେତ୍ର ଧନ୍ୟ କରୁଅଛି।
ହଠାତ୍ ମୋପରେ‌ ଚର୍‌ଚର୍‌ ହୋଇ
         ଉଷୁମୁ‌ ପାଣି ପଡ଼ିଲା,
ମେଘ ନାହିଁ ପୁଣି ଉଷୁମିଆ‌ ବର୍ଷା ‌
         କେଉଁଆଡୁ ବର୍ଷିଗଲା‌?
କୋଉଠି ବର୍ଷୁନି ମୋ ଉପରେ ଖାଲି
         ଉଷୁମୁ‌ ବର୍ଷା ବର୍ଷୁଛି‌,
ଦେଖ୍‌ଦେଖ୍ ଗୋଟେଭେଣ୍ଡିଆଟା ପୁଣି
         ମୋପରେ‌ ଏକ କରୁଛି‌।
ତା’ପରେ ପୁଣି ଭକଭକ‌ କରି
         ମୋ ଉପରେ କଲା ବାନ୍ତି,
ଯେଣୁ ତଣ୍ଟି ଯାଏ ପିଇଦେଇ ଥିଲା
         କଣଫୁଟା ଆସ୍‌କାଫର୍ଟି। 
କିହୋଭାଇ ତୋତେ ଦେଖାଯାଉନିକି
          ପଶୁ ନା ତୁହି ମଣିଷ,
ଏତିକି କହିଛି ଯିବି ମୁଁ କୁଆଡେ
          ଆସି ଚଢେଇଲା‌ ମୁଥ।
ପିଠିରେ ମୋହର ନାଦି ଦେଇଗଲା
         ଫୁରୁସତ‌ ଦେଲା ନାହିଁ,
ଅଲଜ୍ଯା‌ କଞ୍ଜୁସ୍‌ ଲୁଚି ଯାତ୍ରା ଦେଖୁ
         ଟିକେଟ ତୋହର କାହିଁ?
ଯାତ୍ରା ନିଶା ମୋର ଛାଡ଼ିଗଲା ‌ଭାଇ
         କାନନାକ‌ ମୋଡ଼ି ହେଲି,
ଫେରିଲା ବେଳେ ମୁଁ ହେମନ୍ତ ଭାଇଙ୍କୁ
         ସେଇଠାରେ ଦେଖିଦେଲି।
ପଚାରିଲେ ଯାତ୍ରା ଭଲ ହେଉନି କି
         ଫେରିଲୁ କିରେ ଅପର୍ତ୍ତି,
ଦେହ ତୋର କାହିଁ ଏମିତି ଗନ୍ଧାଏ‌
         ମୁହଁ ଫୁଲିଲା କେମିତି?
କାନ୍ଦିପକେଇଲି‌ ସବୁ ମୁଁ କହିଲି
         ବିଗିଡିଲେ‌ ପୁଣି ଭାଇ,
କହିଲେ ତୋ ଭଳି ଅକାଳ କୁଷ୍ମାଣ୍ଡ
         ଆଜିଯାଏଁ ଦେଖିନାହିଁ।
ଯା ଯା‌ ଘରେ ଶୋଇବୁ ତୁ ଯାଆ
         ବୁଝେଇ ସେ ବିଦାକଲେ,
ଚା’ପିଇବାକୁ‌ ହେମନ୍ତ ଭାଇ ଯେ
         ଦଶଟଙ୍କା ମୋତେ ଦେଲେ।
ଘରେଫେରୁଥିଲି ସେତେବେଳେ କିନ୍ତୁ
         ଦଶା ମୋ କଟି ନ ଥିଲା,
କୁକୁର ପଲଙ୍କ ହାବୁଡ଼ରେ ପୁଣି
         ଏ ଅଧମ ପଡିଗଲା।
କୁକୁର ଗୁଡାକ ଭୁକୁ‌ଭୁକୁ‌ ଏକ
         ମାଈ‌ କୁତି‌ ଆସିଗଲା,
ଗୋଡ଼କୁ ମୋହର ଖାପୁକିନା‌ କରି
         ପୁଳାଏ ମାଉଁସ ନେଲା‌।
ପୋଡ଼ା ଜଳା କଷ୍ଟ ବୋହୁଛି ରକତ‌
         ଘରେ ଯାଇ ପହଞ୍ଚିଲି,
ସେତେବେଳେ ରାତି ତିନିଟା ବାଜିଛି
         ଯାହା ଅନୁମାନ କଲି‌।
ନଖିବୋଉ ଆଉ ଡାକ କି ଶୁଣିଲା
        ନା, କବାଟ ବି ସେ ଖୋଲିଲା,
ଓଲଟା ସେ ଘର ଭିତରୁ କେବଳ
        ସଂସ୍କୃତ ଶୁଣ‌ଉଥିଲା‌।
ଓଡିଶୀ‌ ଗାଳି ମୁଁ ପେଟେ ଖାଇ ଦେଲି
        ପିଣ୍ଡାରେ ଢୁଳ‌ଉଥିଲି,
ଅଧ‌ଅଧ କିଲେ‌ ମଶାଗୁଡାଙ୍କୁ ମୋ
       ବାକି ରକ୍ତ ପେଉଥିଲି‌।
ସେତେବେଳକୁ କାଉ ରାବିଲେଣି…..

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

   

Related posts

ରାଜ୍ୟରେ ୨ଟି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତିକୁ ହାଇକୋର୍ଟ ବାର୍ ଆସୋସିଏସନ୍ ର ବିରୋଧ

ଜୁନାଗଡ଼ ଥାନାରେ ଦଶହରା ପର୍ବ

Sunil Chandra Nayak

ଧର୍ମଗଡ ଏନଏସି ନିର୍ବାଚନ: କାହାକୁ କେତେ ଭୋଟ

Sunil Chandra Nayak

Leave a Comment

error: Content is protected !!