ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା  ମୁଁ ଅଗଷ୍ଟ ପନ୍ଦର ଛେଳି

 ମୁଁ ଅଗଷ୍ଟ ପନ୍ଦର ଛେଳି

     

    ଅପର୍ତ୍ତି ସେଠୀ

         (ରମ୍ୟ ରଚନା)
ଅଗଷ୍ଟ ପନ୍ଦର ଛେଳିଟିଏ ମୁହିଁ
        ଆଜି ପଡିବି ମୁଁ ବଳି,
କେଇଟା ମୁହୂର୍ତ୍ତ ବିତିଗଲା ପରେ
        ପଡ଼ିଯିବ ମୋର ପାଳି।
ଜାତି ଭାଇ ମୋର ହୁଅନ୍ତି ବିକଳ 
        ଛାଡନ୍ତି ପୁଣି ବୋବାଳି,
ଉପାୟ କି ଅଛି ଖସି ଯାଇହେବ
        ଡାକୁଛି ମୋତେ ଅର୍ଗଳୀ।
ବ୍ରିଟିଶ ଶାସନ ଏହି ଭଳି ଥିଲା
        ଭାରତୀୟ ଥିଲେ ଛେଳି,
ଆଜି ଏ କଂସେଇ ଆମକୁ ମାରନ୍ତି
         ଠିକ୍ ଇଂରେଜୀଙ୍କ ଭଳି।
ଇଂରେଜୀ ଯେପରି ଭାରତୀୟଙ୍କର
         ଦେଖିପାରନ୍ତିନି ଶିରୀ,
କଥା କଥାକରେ କଳା ଲୋକ କହି
        ଚଳାଉ ଥାଆନ୍ତି ଗୁଳି।
ମଣିଷ ବେକରେ ଦ‌ଉଡିକୁ ବାନ୍ଧି
        କାନ୍ଧରେ ଥୋଇ ଜୁଆଳୀ,
ହଳ ଟାଣୁଥିଲେ ଆମ ଦେଶବାସୀ
        ଲାଠି ପାହାରକୁ ଡରି।
ଆଜି କିନ୍ତୁ ଦେଶ ସ୍ବାଧୀନ ହୋଇଛି
        ଆମେ ଅଛୁ ପରାଧୀନ,
ନିରୀହ ଛେଳିଙ୍କ ଭେଳା ବୁଡିଯାଏ
        ସତେ ଇଂରେଜୀ ଶାସନ !
ଆମପରେ ଛାଟ ପାହାରକୁ ଦେଇ
        ଆଜିର ଏହି କଂସେଇ,
ନିରୀହ ଜୀବଙ୍କ ରକତରେ‌ ହୋଲି
        ଆନନ୍ଦରେ ଖେଳେ ସେହି।
ଗାନ୍ଧୀଙ୍କର ଥିଲା ଅହିଂସା ନୀତିଟା
        ଆମେ ଆଜି ମାନୁଅଛୁ,
 କଂସେଇର ଛାଟ ଏପଟେ ଖାଇଲେ
        ଆର ପାଖ ଦେଖ‌ଉଛୁ।
ତିନି ମାଙ୍କଡଙ୍କ ନୀତି ମାନି ଆମେ
        ମୁକ,କାଲ,ଅନ୍ଧ ହେଲୁ,
ନିରୀହ ଦୁର୍ବଳ ପଶୁ ଜନ୍ମ ନେଇ
        ଆୟୂଷ ପୁରିନି ମଲୁ।
ନେତାଜୀ କହିଲେ ମୋତେ ରକ୍ତ ଦିଅ
        ସ୍ଵାଧୀନତା ଦେବି ମୁହିଁ ,
ଆମେ ଛେଳି ଜାତି ତାକୁ ବି ମାନୁଛୁ
        ରକ୍ତ ମାଂସ ଦେଇ ଦେଇ।
ରକ୍ତ ମାଂସ ଦେଲୁ ପରାଧୀନ ହେଲୁ
         ସ୍ଵାଧୀନତା ହରାଇଲୁ,
ଆମକୁ କେବଳ ପାଳୁଛ ହାଣିବ
         ହାଡେ ହାଡେ ଚିହ୍ନିଗଲୁ।
ଆମେ କିନ୍ତୁ ଆମ କଥା ରଖିଦେଲୁ
         ତୁମେ ତ ରଖିଲ ନାହିଁ,
ଅଗଷ୍ଟ ପନ୍ଦର ଖୁସି ମନାଉଛ
         ଆମକୁ ହେ ବଳି ଦେଇ।
ଲକ୍ଷ ଲକ୍ଷ ଛେଳି ବଳି ପଡୁଛନ୍ତି
         ତୁମରି ଆନନ୍ଦ ପାଇଁ,
ସ୍ଵାଧୀନତା ସ୍ଵାଦ ମିଠା କି ଆମ୍ବିଳା
         ଆମେ ତ ଜାଣିଲୁ ନାହିଁ।
ମନ୍ତ୍ରୀ ପୁଅଟିର ବାହାଘର ହେଲା
         ଦୁଇଶହ ଛେଳି ମଲେ,
ସେତେବେଳେ କ’ଣ ମିଡ଼ିଆ ବାଲାକି
         ମଦ ପିଇ ଶୋଇଥିଲେ?
ମନ୍ତ୍ରୀ ଯଦି ଏଠି ଛିଙ୍କିଲା କାଶିଲା
          ସାରା ଦୁନିଆ ଜାଣୁଛି,
କେତେ ଲକ୍ଷ ଛେଳି ଆଜି ବଧ ହେଲା
           ହିସାବ କିଏ ରଖିଛି?        
ଆମ ଜୀବନରେ ନାହିଁ ସ୍ଵାଧୀନତା
           ଆମେ ପରା ବୋକା ପଶୁ,
ରାହାଜାନୀ ଗଣ ଦୁଷ୍କର୍ମ ଦୁର୍ନୀତି
          ସବୁ ଆମେ ଦେଖୁଅଛୁ।
ନୂଆବର୍ଷ,ରଜ, ଅଗଷ୍ଟ ପନ୍ଦର
          ଛାଡଖାଇ,ମେଲଣରେ
ବାହାଘର ହେଉ କିବା ବଡଦିନ
          ମାଂସ ନିଶ୍ଚେ ଲୋଡ଼ା ପଡ଼େ।
ସତେ କି ଯେମିତି ବିନା ଆଇଁଷରେ
         ଏ ସବୁ ହୋଇପାରେନା,
ନିରୀହ ଜୀବଙ୍କ ଭେଳା‌ ବୁଡେଇବା
          କେଉଁ ଶ୍ରଷ୍ଠତ୍ଵରେ‌ ଗଣା?
ଛେଳି କୁକୁଡ଼ାଙ୍କୁ ନିରୀହ ପାଇକି
          ଦିଅ ସିନା ବଧକରି,
ଚାଲନି‌ ଦେଖିବା ମାଂସ ପାଇଁ ବାଘ
         ଆଣି ପାରିବକି‌ ଧରି ?
ହାଏରେ ମଣିଷ ହୋଇଲ ରାକ୍ଷସ
          ଜ୍ଞାନ ତୁମ ହଜିଲାଣି,
ମଦ,ଛେଳିମାଂସ ନାରୀ କଞ୍ଚାମାଂସ
         ଏକାକାର କରିଲଣି।
ନାରୀ ହେଉ ଅବା ପୁରୁଷଟି ହେଉ
         ନିରାପଦ କେହି ନୁହେଁ,
ଟଙ୍କା ପାଇଁ କାର ଆଖି ତଡ଼ା ହୁଏ
          କିଡିନି ବି ଚୋରୀ ହୁଏ।
 କା’ଓଠରେ ହସ ଫୁଟୁ ନାହିଁ ଯେଣୁ
          କାନ୍ଦୁଛି ଭାରତ ମାତା,
ଆମେ ଆମ ତଣ୍ଟି କାଟୁ ଯଦି ଏହା
          କି ପ୍ରକାର ସ୍ଵାଧୀନତା?
ଯେଉଁଦିନ ନାରୀ ରାତି ବାରଟାରେ
          ନିର୍ଭୟେ ଯାଇ ପାରିବ,
ସେହିଦିନ ଦେଶ ସ୍ବାଧୀନ ହୋଇଛି
          ବୋଲି ଜଣାପଡ଼ିଯିବ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

     

Related posts

ଶ୍ରୀମଦ୍ ଭଗବତ୍ ଗୀତାର ତ୍ରୟୋଦଶ ଅଧ୍ଯାୟର ସାରକଥା-୧୩

ସାହିତ୍ୟ ଅଗଣା

Sunil Chandra Nayak

ସନ୍ତୋଷ କୁମାର ପଣ୍ଡା ଙ୍କ କବିତା ଗଜ ଉଦ୍ଧାରଣ ବେଶ

Sunil Chandra Nayak

Leave a Comment

error: Content is protected !!