ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତାକାଲି ଅଗ୍ରପୂଜ୍ୟ ବିଘ୍ନ ବିନାଶନ ଶ୍ରୀ ଗଣେଶଙ୍କ ପୂଜନୋତ୍ସବ

ଧର୍ମଗଡ଼ରେ ଶ୍ରୀ ଗଣେଶଙ୍କ ମୃଣ୍ମୟ ପ୍ରତିମାକୁ ରଙ୍ଗ ତୂଳୀରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ ସଞ୍ଜୟବେହେରା

ଆସନ୍ତା କାଲି ଗଣେଶ ପୂଜା, ବିଘ୍ନ ବିନାଶନ ଶ୍ରୀ ଗଣେଶଙ୍କ ପୁଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଧର୍ମଗଡ ସହର। ବିଶେଷ କରି ଛାତ୍ର ଛାତ୍ରୀ ମାନେ ବେଶି ଉଲ୍ଲସିତ କାରଣ ଦୁଇବର୍ଷ ପରେ ସେମାନେ ନିଜ ନିଜ ସ୍କୁଲ ରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କୁ ଆରାଧନା କରିବେ। କରୋନା କଟକଣା ପାଇଁ ଦୁଇବର୍ଷ ହେଲା ଶିକ୍ଷାନଷ୍ଠାନରେ ପୁଜା ବନ୍ଦ ଥିଲା।ପୂଜା ପାଇଁ ଏବେ ଉତ୍ସବ ମୁଖର ଶିକ୍ଷାନଷ୍ଠାନ, ସଜେଇ ହେଉଛି ଧର୍ମଗତ ସହର।

ଏପଟେ ରଙ୍ଗ ତୂଳୀରେ ମୂର୍ତ୍ତିରେ ଶେଷସ୍ପର୍ଶ ଦେଉଛି ଶିଳ୍ପୀ। କରୋନା କଟକଣା ଲାଗି ମୂର୍ତ୍ତି ଶିଳ୍ପୀ ମଧ୍ଯ ରୋଜଗାର ହରାଇ ବସିଥିଲେ। ଚଳିତ ବର୍ଷ କିନ୍ତୁ ମୂର୍ତ୍ତି ଦୋକାନରେ ବିଘ୍ନ ବିନାଶନ ଙ୍କ ମୂର୍ତ୍ତି ପାଇଁ ଭିଡ ଜମିଛି ବୋଲି ମୂର୍ତ୍ତି ଶିଳ୍ପୀ ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି।

ଗଣେଶ ପୂଜା ଓ ବ୍ରତର ମହତ୍ତ୍ୱ:

ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ କନିଷ୍ଠ ପୁତ୍ର ପ୍ରଭୁ ଗଣେଶ । ହିନ୍ଦୁମାନେ ଜାତି, ଭାଷା, ବର୍ଣ୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିବାର ଅନେକ ନଜିର ରହିଛି ।

ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସ‌ହଜରେ ଚିହ୍ନା ପଡ଼ନ୍ତି । ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହ‌ନ କରାଯାଏ । ତାଙ୍କୁ ପଞ୍ଚଦେବତା ମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ।

ଗଣେଶ ଚତୁର୍ଥୀ, ବିକ୍ରମ ସଂବତର ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ପାଳନ କରାଯାଏ । ଏହି ଶୁଭଦିନକୁ ହିନ୍ଦୁଧର୍ମରେ ଗଣେଶଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଏ । ଏହି ପର୍ବ ଦଶଦିନ ଧରି ଚାଲେ ଓ ଅନନ୍ତ ଚତୁର୍ଦ୍ଦଶୀରେ ସମାପ୍ତ ହେଇଥାଏ ।

ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଦିନ ବିନାୟକ ବ୍ରତ ପାଳିତ ହୁଏ। ବିନାୟକ ବ୍ରତକଥାରେ ଉଲ୍ଲେଖ ରହିଛି ଯେ ଏହି ବ୍ରତର ମାହାତ୍ମ୍ୟ ସ୍କନ୍ଧ ପୁରାଣରେ ବର୍ଣିତ। ଗୋମତୀ ନଦୀ କୂଳରେ ସୂତ ମୁନି ଅନ୍ୟ ଋଷିମାନଙ୍କର ଜିଜ୍ଞାସାକୁ ପ୍ରଶମନ କରି ବିନାୟକ ବ୍ରତ ପାଳନ କଲେ ମନୁଷ୍ୟମାନେ କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି, ସୁତ-ସୌଭାଗ୍ୟ-ସଂପଦ ଲାଭ କରି ପାରିବେ ବୋଲି ଉଲ୍ଲେଖ କରାଯାଇଛି। ଏହି ବ୍ରତର ବିଧିବିଧାନ ସ୍ୱୟଂ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ। ଏହି ବ୍ରତ ପାଳନ କରି ଯୁଧିଷ୍ଠିର ରାଜ୍ୟ ଫେରି ପାଇଥିଲେ। ସେଥିପାଇଁ ଗଣପତିଙ୍କର ନାମ ସିଦ୍ଧି ବିନାୟକ ରହିଥିବା ପୁରାଣରେ ବର୍ଣ୍ଣିତ ରହିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାସ୍ତା ,ପାନୀୟଜଳ ତଥା ବନ୍ଦ ଥିବା ବିଦ୍ୟାଳୟ ଖୋଲିବା ପାଇଁ ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Sunil Chandra Nayak

ନବମୀ ରେ ପୂଜା ମଣ୍ଡପରେ ମା ଦୁର୍ଗା: ଝିପି ଝିପି ବର୍ଷା ରେ ଫିକା ପଡି ଯାଇଛି ପୂଜା ମାହୋଲ୍ 

Sunil Chandra Nayak

ଜାତୀୟ ସଡକ ନିରାପତ୍ତା କ୍ଷୁଦ୍ର ଚଳଚ୍ଚିତ୍ର ରେ କୋକସରା ବ୍ଲକ ଓମ ଙ୍କ କମାଳ

Sunil Chandra Nayak

Leave a Comment

error: Content is protected !!