ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ନୂଆଖାଇ ଜୁହାର

   ନୂଆଖାଇ ଜୁହାର

     

     ଅପର୍ତ୍ତି ସେଠୀ

ପଶ୍ଚିମ ଓଡ଼ିଶା ପୁଅରେ ଆମେ
        ସେ ବୁଢୀ ମାଆର‌୍ ପୁଅ,
ବନ୍ ପାହାଡ଼ର୍ ଲୋକ୍‌ରେ ଆମେ
        ଆମରି ପରି କେ ନୁହଁ‌,
ନାଇଁ ନାଇଁ କଲେ କରୁନା ଢାଲିବ
        ସେଇ ସମଲେଇ ମାଆରେ
ଆମେ ସମଲ୍‌ପୁରିଆ,ଆମେ
         ସମଲପୁରିଆ।୨।)
ଭାଇ,ସମଲପୁରିଆ ହୁଅ କିମ୍ବା ତୁମେ
         ପଶ୍ଚିମ ଓଡିଶା କୁହ,
ଆମେ ଯଦି ହେଲୁ ପୂରୁବ ଅଞ୍ଚଳ
         ତୁମର କି ଆମେ ନୁହଁ?
ତୁମେ ଆମେ ପରା ଏକ ଓ ଅଭିନ୍ନ
        ଗୋଟିଏ ମାଆର ପୁଅ,
ତୁମ ଆମଠାରେ ସମ୍ପର୍କ ନୀବିଡ
        ଯାହା ଭ୍ରାତୃତ୍ଵର ସ୍ନେହ।
ସ୍ନେହ ମମତାର ବନ୍ଧନଟି ପରା
       ଆମେ ସବୁ ଉତ୍କଳୀୟ,
ଆମେପଛେ କେନ୍ଦ୍ରାପଡ଼ିଆକି ତୁମେ
        ସମଲପୁରିଆ ହୁଅ।
ଉତ୍କଳ ମାଟିକୁ ଭାଗ କରି ତୁମେ
       କୋଶଳ ରାଜ୍ୟ ଗଠନେ,
କାହିଁ ପାଇଁ ଭାଇ ମନ ବଳ‌ଉଛ
       କହିବ କେଉଁ କାରଣେ?
ଆମ ପରମ୍ପରା ଆମରି ସଂସ୍କୃତି
       ମିଳିମିଶି ପାଳିବାରେ,
ଅସୁବିଧା କାହିଁ କେଉଁଠି ରହିଲା
       କହିବ କି ଭାଇ ଥରେ?
ବରଂ ନୂଆଖାଇ ରଜ ଦଶହରା
       ପାଳିବାରେ ମିଳିମିଶି,
ଗଣପରବର‌ ସାର୍ଥକତା ହେବ
       ସ୍ନେହ ସେଥିରେ ଲୁଚିଛି।
ଆସଆମେଆଜି କୋଳାକୋଳି‌ହେବା
       ଛାତିରେ ଛାତି ମିଶେଇ,
ଗଣପର୍ବ ନୂଆଖାଇ ଅବସରେ
       ଜୁହାର କରୁଛି ମୁହିଁ।
ତୁମେ ଆମେ ଏକ ମାଆର ସନ୍ତାନ
        ଗୋଟିଏ ବୃକ୍ଷର ଡାଳ,
ଏକ ବଗିଚାର ଆମେ ଯେତେ ଫୁଲ
       ଏକ ସୂତ୍ରେ‌ ଗୁନ୍ଥା ହାର।
ପୁରୂବ ପଶ୍ଚିମ ଉତ୍ତର ଦକ୍ଷିଣ
       ନାହିଁ କିଛି ଭେଦାଭେଦ,
ବରଂ ଭାଇଚାରା ଭାବକୁ ଆଦରି
       ଆସ ପାଇବା ଆନନ୍ଦ।
ତୁମ ଆମ ପର୍ବ ନୁହେଁ ନୂଆଖାଇ
       ଏହା ପରା ଗଣପର୍ବ,
ଜାତି ଅଜାତିର ପ୍ରଶ୍ନ ଊଠେ ନାହିଁ
       ଉତ୍କଳ ଆମର ଗର୍ବ‌।
ଭାଦ୍ରମାସ ଶୁକ୍ଲପକ୍ଷ ପଞ୍ଚମୀରେ
       ନୂଆଖାଇ ଆସିଥାଏ,
କୃଷି ଓ କୃଷକ, ପ୍ରକୃତିର କଥା
      ଏ ପର୍ବ ବୁଝେଇଦିଏ।
ଖିଆପିଆ ନାଚ ଗୀତ ମ‌ଉଜରେ
       ପରମ୍ପରା ରକ୍ଷା ପାଇଁ,
ନୂଆ ଶସ୍ଯ ଭୋଗେ ନୂଆଖାଇ ପର୍ବେ
       ଲାଗିହୋନ୍ତି ସମଲେଇ।
ବଲାଙ୍ଗୀର ଠାରେ ମାଣିକେଶ୍ଵରୀଙ୍କୁ
       ନବାହ୍ନ ବି ଲାଗିହୁଏ,
ଅବଶ୍ୟ ଅଲଗା ଦିବସରେ ସେଠି
       ନୂଆଖାଇ ପଡିଥାଏ।
ନୂଆ ବସ୍ତ୍ର ନୂଆ ଲୁଗା ପରିଧାନ
      ବନ୍ଧୁବାନ୍ଧବଙ୍କ ମେଳେ,
ପନ୍ଦର ଦିନରୁ ପ୍ରସ୍ତୁତି ଆରମ୍ଭ
       ଶେଷଟି ନୂଆଖାଇରେ।
ଦେଶ ବିଦେଶରେ ଏହି ଗଣପର୍ବ
       ପାଳନ ଆଜି ହେଲାଣି,
ପରମ୍ପରା ପ୍ରତି ଆମରି ମାନଙ୍କ
       ଶରଧା ଯେ ବଢିଲାଣି।
ସାରା ଓଡ଼ିଶାକୁ ଗୋଟିଏ ସୂତ୍ରରେ
      ବାନ୍ଧିବାର ଲକ୍ଷ୍ୟ ନେଇ,
ଆମେ ଏ ଉତ୍ସବ ପାଳନ କରୁଛୁ
       ଆସି ଦେଖିଯାଅ‌ ଭାଇ।
ଆଜି ଏଦିନରେ ହିଂସା ଦ୍ଵୈଷ ଛାଡ଼ି
       ନୂଆ ଜ୍ଞାନ ଆହରଣେ,
ସମାଜରେ ପ୍ରେମ ବଣ୍ଟନ କରିବା
       ଏକତା ସୂତ୍ର ବନ୍ଧନେ।
ସଂସାର ହିତର ନୂଆ ନୂଆ ଜ୍ଞାନ 
       ନୂଆଖାଇରେ ଖାଇବା,
ସ୍ନେହ ସୌହାର୍ଦ୍ଦ୍ୟରେ ଦିନ ବିତାଇବା
       ମନରେ ଶପଥ ନେବା।

ପାକକଣା‌,କୋରୋ‌, କେନ୍ଦ୍ରାପଡ଼

 

Related posts

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା କିଏ ଜାଣେ କେବେ 

Sunil Chandra Nayak

ଢେଙ୍କାନାଳ – ବିକାଶ ପୁରୁଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଆଫ୍ରିକା ଗସ୍ତ କାର୍ଯ୍ୟକ୍ରମ

Sunil Chandra Nayak

ଵହଳଦା ବ୍ଳକର ଟାଙ୍ଗରଯୋଡା ଗ୍ରାମରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!