ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ମଣିଷ ଲେଖୁଛି ଆତ୍ମକାହାଣୀ

ମଣିଷ ଲେଖୁଛି ଆତ୍ମକାହାଣୀ

(ରମ୍ୟରଚନା)

ଅପର୍ତ୍ତି ସେଠୀ

ଦିନେ ରଘୁପତି ବହୁ ଭାବିଚିନ୍ତି
      ପରୀକ୍ଷା କରିବେ ବୋଲି,
ମଣିଷ ଓ ଶ୍ଵାନ ଏ ଦୁଇଜଣଙ୍କୁ
       କରିଲେ ନୋଟିସ ଜାରି।
ରାଜଦରବାରେ ହାଜର କରାଇ
       ପ୍ରଭୁ କହିଲେ ବୁଝାଇ,
ଆତ୍ମ କାହାଣୀର ରଚନାଟି ଲେଖ
       ନିଜ ଅନୁଭୂତି ନେଇ।
ମଣିଷ ପ୍ରଥମେ ଆତ୍ମକାହାଣୀ‌ର
       ଲେଖିଲା ନିଜ ରଚନା,
ନିଜର ଲକ୍ଷଣ ତା’ଚାଲିଚଳନ
       କରିଲା ସେଠି ବର୍ଣ୍ଣନା।
ମୁଁ ଯେଣୁ ଗୋଟିଏ ମଣିଷଟି ମୋର
       ଦୁଇଗୋଟି ଗୋଡ଼ ଅଛି,
ନିଜ ସ୍ବାର୍ଥେ ଏଠି ଦ‌ଉଡୁ ଦ‌ଉଡୁ
       ପର ଗୋଡ଼କୁ ଟାଣୁଛି।
ହାତ ଦୁଇଗୋଟି ଅଛିତ ମୋହର
       ଅନ୍ଯ ଥାଳ ଭରେ‌ ନାହିଁ,
ସେ ହାତରେ ଛୁରୀ ବନ୍ଧୁକ ମୁଁ ଧରି
       ଅନ୍ୟ ପ୍ରାଣ ଲୁଟୁଥାଇ।
ଯେଣୁ ଦୁଇଗୋଟି ଆଖି ଅଛି ମୋର
       ଦେଖେ ନାହିଁ କାହା ଶିରୀ,
ବରଂ ପର‌ଦୁଃଖ ପର ଯୁବତୀକୁ
       ଦେଖି ଖୁସି ହୁଏ ଭାରି।
କାନ ଦୁଇଗୋଟି ଅଛି ତ ମୋହର
       ଶୁଣେ ନାହିଁ କାହା କଥା,
ବରଂ ଧନ୍ୟ ହୁଏ ଶୁଣି ପରଚର୍ଯ୍ଯା
       ଆଉ କାହା ଦୁଃଖବାର୍ତ୍ତା।
ମୋ ମୁହଁରେ ଗୋଟେ ସୁନ୍ଦରିଆ ନାକ
       ମୋ ମୁହଁ ଶୋଭା ବଢ଼ାଏ,
ଜ୍ଞାନ ସୁଗନ୍ଧକୁ ଆଘ୍ରାଣ‌ ନ କରି
       ଦୁର୍ଗନ୍ଧ ମୁଁ ଶୁଙ୍ଘୁଥାଏ‌।
ଆଇଁଷ ଲୋଭୀ ଏ ପାଟିଟା‌ ମୋହର‌
       ମିଠା କଥା କହେ ନାହିଁ,
ପରମାଣୁ ଭଳି ଟାଣ କଥା ଗୁଡା
       ଅନ୍ଯଠାରେ‌ ବରଷ‌ଇ।
ସର୍ବୋପରି ଅଛି ଦାମୀ ମୁଣ୍ଡଟିଏ  
       ଯଦି ମୁଁ ମଣିଷଟିଏ,
ବେଇମାନୀ‌,ରାଗ, ହିଂସା,ଦ୍ଵୈଷ ସବୁ
        ସେଥିରେ ମୁଁ ଭରିଥାଏ।
ସାହାଯ୍ୟକାରୀକୁ ଆଗ ଭୁଲେ ମୁହିଁ
        ଅସତ୍ଯକୁ‌ ଭୁଲେ ନାହିଁ,
ପର ସୁଖ ଦେଖି ଦିହ ମୋର ଜଳେ
        ପରଦୁଃଖେ ହସେ ମୁହିଁ।
ମଣିଷଟିଏ ମୁଁ ସବୁଠୁଁ ମହାନ୍
        ସବୁ ଜୀବଠାରୁ‌ ଶ୍ରେଷ୍ଠ,
ଏହି ମୋର ଆତ୍ମ କାହାଣୀ ରଚନା
         ମୁଁ ଅଟେ ବିଶ୍ଵ ସମ୍ରାଟ।
ପୁଣି କୁକୁରଟି ଲେଖେ ତା’କାହାଣୀ
        ପ୍ରଭୁଙ୍କ ପାଦକୁ ଧ୍ଯାୟୀ,
ସହଜେ ପଶୁ ମୁଁ ଛୋଟିଆ ଜୀବଟି
        ବୁଦ୍ଧି ମୋର କିଛି ନାହିଁଁ।
ମୁଁ ଯେଣୁ କୁକୁର ଚାରିଗୋଟି ଗୋଡ
         ପ୍ରଭୁ ମୋତେ ଦେଇଛନ୍ତି,
ମାଲିକ ହୁକୁମ‌ ପାଳନ କରି ମୁଁ
         ତାର ପଛେ ଗୋଡାଉଛି।
ଲାଞ୍ଜଟି ମୋହର ସର୍ବଦା ହଲାଏ
        ମାଲିକର ଦାନା ଖାଏ,
ମାଲିକର ସ୍ନେହ ମୋହ ପାଇଁ ବଡ଼
        ଲକ୍ଷେ ଟଙ୍କା ବଡ଼ ନୁହେଁ।
ଆଖି ଦୁଇଗୋଟି ମୋହର ତ ଅଛି
        ରାତିସାରା ଥାଏ ଚେଇଁ,
ବିଶ୍ଵାସର ମାନେ ବୁଝିଛି ବୋଲି ତ
        ଘର ତାର ଜଗୁଥାଇ।
କାନ ଦୁଇଟା ମୋ ଭାରି ଯେ ପତଳା
        ଡାକରାକୁ ଚାହିଁ ଥାଏ,
ଖଡ୍‌ଖାଡ୍ ଶବ୍ଦଟାଏ‌ ଶୁଣିଦେଲେ
        ଜୀବନ ଲଗେଇ ଦିଏ।
ଭୋ ଭୋ ଭୁକେ‌ ପାଟିଟି ମୋହର
        ମାଲିକ ସୁରକ୍ଷା ପାଇଁ,
ଜୀବନ ମୋ ଯାଉ‌ କଥା ରହିଥାଉ
        ରଘୁବଂଶ ବାକ୍ୟ ଏହି।
ଯାହା ଲୁଣ ଖାଏ ତା’ର ଗୁଣ ଗାଏ
        ଉପକାର ମାନେ ବୁଝେ,
ପ୍ରତି ମୁହୂର୍ତ୍ତରେ ଚେଷ୍ଟା କରି କିଛି
        ଋଣ ତାହାର ମୁଁ ଶୁଝେ।
ମୁଁ ଛାର‌ କୁକୁର ମାଲିକ ଈଶ୍ୱର
        ଏ ଜନ୍ମରୁ ତ୍ରାହୀ ପାଇଁ,
ଧରମ‌ ପାଳୁଛି ବିଶ୍ଵସ୍ତ ହୋଇଛି
        ହୀନ ପଶୁ ଜନ୍ମ ପାଇ‌।
ପ୍ରଭୁ ରଘୁବୀର‌ ପରୀକ୍ଷାର ଫଳ
        ତୁରନ୍ତ ବାହାର କଲେ,
ଶତପ୍ରତିଶତ ନମ୍ବରକୁ ଦେଇ ‌
        କୁକୁରକୁ ମୁକ୍ତି ଦେଲେ।
ମଣିଷର ଗର୍ବ ଚୂନା କଲେ ପ୍ରଭୁ
        ତାକୁବଡ଼ ଶିକ୍ଷା ଦେଲେ,
ମଣିଷ ଜନ୍ମରୁ ପ୍ରମୋଶନ‌ କରି
        ବିଦେଶୀ କୁକୁର କଲେ।
       

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

     

Related posts

ଭୂଷଣ ହତ୍ୟାକାଣ୍ଡ: ଆଉ ୨ ଜଣ କୋର୍ଟ ଚାଲାଣ

Sunil Chandra Nayak

ଅବସରପ୍ରାପ୍ତ ଶିକ୍ଷକଙ୍କ ବୈଠକ

Sunil Chandra Nayak

ଏଣିକି ସବୁ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର, ୧୦୮ରେ କଲ କଲେ ମିଳିପାରିବ ଘରୋଇ ଆମ୍ବୁଲାନ୍ସ ସେବା

Sunil Chandra Nayak

Leave a Comment

error: Content is protected !!