ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଜଡ଼ାଦାଦି କହେ

     ଜଡ଼ାଦାଦି କହେ

     ଅପର୍ତ୍ତି ସେଠୀ

   (ରମ୍ୟ ରଚନା, ସମ୍ଭାବନା)

ସମ୍ଭାବନା ଅଛି ପୁଉଣି ଆଗକୁ 
      ବଡବାତ୍ଯା ଆସିପାରେ,
ପାଞ୍ଚଟି ଜିଲ୍ଲାରେ ଘଡ଼ଘଡ଼ି ସହ
      ଭାରି ବର୍ଷା ହୋଇପାରେ।
ଟିଭି ନ କହୁଣୁ ଜଡାଦାଦି ଆମ
       ଗାଁରେ କଲାଣି ହାଲ୍ଲା,
ଗାଆଁ ସାମ୍ବାଦିକ ଉପାଧି ପାଇଛି
      ଡେଲି ଲଗାଏ ସେ ପାଲା।
ଜଡାଦାଦି କହେ ବାରଶ ବେଗରେ 
       ପବନ ପରା ବହିବ,
ପଚାଶ ଫୁଟରେ ଜୁଆର ଆସିବ
       ଆର ସାହି ଭାସିଯିବ।
ବରଂ ମିଛ ହେଉ ଏକଥାକୁ ଶୁଣି
     ‌ ମୋ ଦେହେ ଛନକା ପଶେ,
ଜଡାଦାଦି କଥା କାଳେ ସତ ହେବ
       ସମ୍ଭାବନା ମନେ ଆସେ।
ଅଜଣା ଭୂତାଣୁ କରୋନା ଭଳିଆ
        ଅସମ୍ଭବ କିଛି ନୁହେଁ,
ମାଳିକା ପ୍ରମାଣ ସମ୍ଭାବନା ନୁହେଁ
       ବାସ୍ତବରେ ଦେଖାଯାଏ।
କେତେକ କୁହନ୍ତି ବାତ୍ୟାଟା ଆସିଲା
       ମନ ଶାନ୍ତି ହେଲାନାହିଁ,
ରିଲିଫ କି ପାଲ କିଛି ମିଳିଲାନି
       କେତେ ଆଶାଥିଲା ଭାଇ।
କିନ୍ତୁ ଜଡା କହେ ଆମ ଗାଁ ଲୋକ 
       ରିଲିଫ୍ ନିଶ୍ଚେ ପାଇବେ,
ଆରସାହି ଲୋକ ସମୁଦ୍ର ଜୁଆରେ
       ସମୁଦ୍ରକୁ ଭାସିଯିବେ।
ବାତ୍ୟା ନାଆଁଶୁଣି ଆମଗାଁ ଦୋକାନୀ
        କହେ ମିଳୁନାହିଁ ଲୁଣ,
କଷ୍ଟେମଷ୍ଟେ ଯଦି ଲୁଣ କିଲେ ଦିଏ
        ନେଉଛି ସେ ଚାରିଗୁଣ।
ଜଡ଼ା କହୁଥିବା କଥା ବେଳେବେଳେ
       ମୋ ମନକୁ ପାଇଯାଏ,
ପ୍ରତି ମଣିଷର କିଛିନା କିଛି ଯେ 
       ଭଲ ଗୁଣ ନିଶ୍ଚେ ଥାଏ।
ଏବେ ପ୍ରତିସାହି ଛକ ଗଛ ମୂଳେ
       ମଣ୍ଡପ ତିଆରି ହୁଏ,
ଗଞ୍ଜେଇ ତାଆସ ମଦ ଫିଷ୍ଟ ହେବ
       ସମ୍ଭାବନା ଦିଶୁଥାଏ।
ଜଡାପୁଣି କୁହେ କରୋନା ବେଳରେ
       ଗଳିରେ ଟାଇଲ ପଡେ,
ଗାଆଁ ପଡ଼ିଆରେ କଂକ୍ରିଟ ଚିଆର
      ମଦୁଆଙ୍କୁ ଆଖିମାରେ।
ଗାଁ ପୋଖରୀର ଚାରିପାଖେ ପୁଣି
      ରଙ୍ଗ ହୁଏ ଭଳି ଭଳି,
ମାଛ କଙ୍କଡ଼ାକୁ ଚିତ୍ରକୁ ଦେଖାଇ
      କୁଜି ନେତା ମାରେ‌ ତାଳି।
ଜଡାଦାଦି କହେ ଅଙ୍ଗନବାଡ଼ିରେ
       ଯେଉଁ ଅଣ୍ଡାଦିଆ ହୁଏ,
ସେ ଅଣ୍ଡା କୁଆଡେ କୁକୁଡ଼ା ଦେଇନି
       ପ୍ଲାଷ୍ଟିକ୍‌ର ଅଣ୍ଡା ସିଏ।
ଟଙ୍କାକିଆ‌ ଯିଏ ଚାଉଳ ନେଉଛ
       ଆମକୁ ଭୋଅଟ‌ ଦେବ,
ମଦଭତ୍ତା ପୁଣି ଭୋଅଟ ବେଳକୁ
       ନିଶ୍ଚୟ ଘୋଷଣା ହେବ।
ନାଁ ସିନା ଜଡ଼ା ଚାଲାଖ ସେ ପରା
      ଲୋକଙ୍କୁ ବନାଏ ବୋକା,
ଗାଁରେ କା’ଘରେ ଫୁଟଣ ଫୁଟିଲେ
      ଜଡ଼ାକୁ ମିଳେ ମ‌ଉକା।
ଦିଲ୍ଲୀଠାରୁ ପଲ୍ଲୀ ସମସ୍ତ ଖବର 
      ଜଡ଼ା ସେଣ୍ଟରରେ ବାଜେ,
ଖଚ ମିଛ ଯେତେ ନ‌ଅ ଛ‌ଅ କଥା
      କହିକହି ମନ ରଞ୍ଜେ।
ଢ଼ିଙ୍କିଶାଳେ ଥାଇ ଢେଙ୍କାନାଳ କଥା
      କହିପାରେ ଜଡ଼ା ଏକା ,
ଅଳପ‌ ଶୁଣିଲେ ହାଇଲାଇଟ୍‌ କରି
       ବୁଲାଏ ଆମକୁ ବାଙ୍କା।
କୋଉ ପୁଅ ଝିଅ ପ୍ରେମ କରୁଛନ୍ତି
      ସେ କଥା ଜଡ଼ାକୁ ଜଣା,
ମାଇପିଙ୍କ ପାଖେ ନସରପସର
      ସତେ ସିଏ ଚନ୍ଦ୍ରସେଣା।
ନଦେଖିଲା ଓଉ ଛ‌ଅଫଡା ପରି 
      ଅସମ୍ଭବ କଥାକୁହେ,
ମିଛ ସତ କହି ଗାଁ ନିଶାପରେ
      ଜୋରିମାନା ପୁଣି ଦିଏ।
ତଥାପି ପ୍ରକୃତି ଛାଡିପାରେ ନାହିଁ
      କୁକୁର ଲାଙ୍ଗୁଡ ବଙ୍କା,
ଏ ଲୋକ କଥାରେ ଅଛି ସମ୍ଭାବନା 
      ଖାଇବଟି ନିଶ୍ଚେ ଧ୍ଵକ୍କା।
ୟାକୁ ଭୁଲି କବି କଲମ ହେ ଧରି
       ହୁଅ ଆଗେ ଅଗ୍ରସର,
ଅନ୍ଯାୟ‌ ,ଦୁର୍ନୀତି,ଅସତ୍ଯ ବିରୁଦ୍ଧେ
       ସ୍ଵର ଉତ୍ତୋଳନ କର।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

   

Related posts

ଅପର୍ତ୍ତି ସେଠୀ ଙ୍କ କବିତା କାକ ସଭା

Sunil Chandra Nayak

ରାଇରଙ୍ଗପୁରରେ କଂଗ୍ରେସ ଅଣ୍ଟା ସଳଖ କରୁଛି

ଲୁହାକାନୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ଵତନ୍ତ୍ର ଗ୍ରାମ ସଭା ଓ ଗାନ୍ଧୀ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!