ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡିରେ ଶକ୍ତି ଉପାସନାର ଅନନ୍ୟ ପରମ୍ପରା “ଶାକ୍ତ ନବ କଳେବର- ମୁଣ୍ଡବସା”

ଅଧୁନା କଳାହାଣ୍ଡି ଭାବରେ ପରିଚିତ ଏହି ଭୂଖଣ୍ଡ ଇତିହାସ ବକ୍ଷରେ କାନ୍ତାର, ମହାକାନ୍ତାର, ଇନ୍ଦ୍ରବନ, ଆଟବିକ ରାଜ୍ୟ, ଚକ୍ରକୋଟ ମଣ୍ଡଳ, କମଳ ମଣ୍ଡଳ, କାରୁଣ୍ଡ ନାମରେ ପରିଚୟ ବହନ କରି ଶେଷରେ କଳାହାଣ୍ଡି ନାମରେ ବିଖ୍ୟାତ ହୋଇଛି। କଳାହାଣ୍ଡିରେ ଶାକ୍ତ ଉପାସନା ର ପରମ୍ପରା ବହୁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସିଛି। ନର୍ଲା ବ୍ଳକ ଅନ୍ତର୍ଗତ ଅସୁରଗଡ଼ ଦୁର୍ଗର ପ୍ରତ୍ନତାତ୍ତ୍ୱିକ ଅବଶେଷ ୨ହଜାର ୭ଶହ ବର୍ଷ ତଳର ଏକ ଉନ୍ନତ ପ୍ରାଚୀନ ନଗର ସଭ୍ୟତାର ସ୍ୱର୍ଣ୍ଣାଭ ସ୍ଵାକ୍ଷର ବହନ କରୁଛି। ଏଠାରେ ପ୍ରତ୍ନତାତ୍ତ୍ୱିକ ଖନନ ପରେ ସ୍ତମ୍ବେଶ୍ୱରୀ ଉପାସନା ର ବଳିଷ୍ଠ ପ୍ରମାଣ ମିଳିଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ କଳାହାଣ୍ଡିରେ ଶକ୍ତି ଉପାସନାର ପରମ୍ପରା ଅତି କମରେ ୩ହଜାର ବର୍ଷର ପ୍ରାଚୀନ ପରମ୍ପରା। ଓଡ଼ିଶାର ଅନ୍ୟ କୌଣସି ସ୍ଥାନରୁ ଏତେ ପ୍ରାଚୀନ ସ୍ତମ୍ବେଶ୍ୱରୀ ଉପାସନାର ପ୍ରମାଣ ଆବିଷ୍କୃତ ହୋଇ ନଥିବାରୁ କଳାହାଣ୍ଡି ସ୍ତମ୍ବେଶ୍ୱରୀ ଉପାସନାର ମୂଳ ପୀଠ ଏବଂ ଏଠାରୁ ସ୍ତମ୍ବେଶ୍ୱରୀ ଉପାସନା ଅନ୍ୟତ୍ର ସମ୍ପ୍ରସାରିତ ହୋଇଥିବା ଐତିହାସିକ ଗବେଷକ ମାନେ ମତପୋଷଣ କରନ୍ତି। ୧୦ମ ଶତାବ୍ଦୀ ବେଳକୁ କଳାହାଣ୍ଡି ଚକ୍ରକୋଟ ମଣ୍ଡଳର ଅଂଶବିଶେଷ ଥିଲା। ଛିନ୍ଦକ ନଗବଂଶୀ ଶାସକ ମାନେ ଚକ୍ରକୋଟ ମଣ୍ଡଳରେ ରାଜୁତି କରୁଥିଲେ। ଛିନ୍ଦକ ନଗବଂଶୀ ଶାସକ ମାନଙ୍କ ଇଷ୍ଟଦେବୀ ଥିଲେ “ମାଣିକ୍ୟ ଦେବୀ”। ପରବର୍ତ୍ତୀ ସମୟରେ ଏହି ମାଣିକ୍ୟ ଦେବୀ ହିଁ କଳାହାଣ୍ଡିରେ ମାଣିକେଶ୍ୱରୀ ରୂପରେ ପୂଜିତା ହେଉଛନ୍ତି। ଏଣୁ ମାଣିକେଶ୍ୱରୀ ସଂସ୍କୃତି ଅନ୍ତତଃ ୧୨ଶହ ବର୍ଷର ଏକ ପ୍ରାଚୀନ ସଂସ୍କୃତି ର ପ୍ରବାହମାନ ଧାରା ଓ ଏହା ଏଠାକାର ଜନସାଧାରଣ ଙ୍କୁ ଆଧ୍ୟାତ୍ମିକ ଚେତନା ରେ ଉଦବୃଦ୍ଧ କରିଆସୁଅଛି। କାଳକ୍ରମେ ମାଣିକେଶ୍ୱରୀ ଙ୍କୁ କଳାହାଣ୍ଡି ଗଡ଼ଜାତ ର ବିଭିନ୍ନ ରାଜବଂଶ ନିଜର ଇଷ୍ଟଦେବୀ ରୂପେ ଗ୍ରହଣ କରିଆସିଛନ୍ତି। କଳାହାଣ୍ଡି ଗଡଜାତର ଶେଷ ରାଜବଂଶ ହେଉଛନ୍ତି ନଗବଂଶୀ ଶାସକ। ନଗବଂଶୀ ଶାସକ ମାନେ ମାଣିକେଶ୍ୱରୀ ଙ୍କୁ ନିଜର ଇଷ୍ଟଦେବୀ ଭାବେ ଗ୍ରହଣ କରି ଦେବୀଙ୍କ ସୁଦୃଶ୍ୟ ମନ୍ଦିର ଭବାନୀପାଟଣାରେ ନିର୍ମାଣ କରାଇ ମାଆଙ୍କ ସେବାକାରୀ ଭାବରେ ତାଙ୍କ ଛତ୍ରଛାୟା ତଳେ ରହିଛନ୍ତି। କଳାହାଣ୍ଡି ର ଇଷ୍ଟଦେବୀ ଭାବରେ ମାଣିକେଶ୍ୱରୀ ଜନସାଧାରଣ ଙ୍କ ଅସ୍ଥା ଓ ବିଶ୍ୱାସର ପ୍ରତୀକ ସାଜିଛନ୍ତି। ଆଦିବାସୀ ସଂସ୍କୃତି ଓ ଆର୍ଯ୍ୟ ସଂସ୍କୃତିର ଅପୂର୍ବ ସଙ୍ଗମ ଘଟି ମାଣିକେଶ୍ୱରୀ ସଂସ୍କୃତି ଏକ ସ୍ୱତନ୍ତ୍ର ଶାକ୍ତ ସଂସ୍କୃତିରେ ପରିଣତ ହୋଇଛି। ମାଣିକେଶ୍ୱରୀ ସଂସ୍କୃତିରେ ଉଭୟ ଆଦିବାସୀ ସଂସ୍କୃତି ଓ ଆର୍ଯ୍ୟ ସଂସ୍କୃତିର ବିଭିନ୍ନ ରୀତିନୀତି ଦେଖିବାକୁ ମିଳିଥାଏ। ଲୋକାଚାର, କୁଳାଚାର ଓ ତନ୍ତ୍ରାଚାର ର ତ୍ରିବିଧ ସଙ୍ଗମ ମାଣିକେଶ୍ୱରୀ ସଂସ୍କୃତିର ଏକ ଅନନ୍ୟ ବୈଶିଷ୍ଟ । ମାଣିକେଶ୍ୱରୀ ଙ୍କ କୌଣସି ବିଗ୍ରହ ନଥିବା ବେଳେ ଏକ ସ୍ତମ୍ଭ ଆକୃତିର ଗୋଲାକାର ପିଣ୍ଡ ଭାବରେ ଦେବୀ ବିରାଜିତା। ଏଣୁ ସ୍ତମ୍ବେଶ୍ୱରୀ ଉପାସନାର ପରିବର୍ତ୍ତିତ ଉପାସନା ମାଣିକେଶ୍ୱରୀ ସଂସ୍କୃତି ବୋଲି କେହି କେହି ଗବେଷକ ମତ ଦିଅନ୍ତି। ତେବେ କଳାହାଣ୍ଡିରେ କେଵଳ ମାଣିକେଶ୍ୱରୀ ନୁହଁନ୍ତି ଡୋକରି ଦେବୀ ବା ଡାକେଶ୍ୱରୀ ମଧ୍ୟ ଏକ ସ୍ତମ୍ଭ ଆକୃତିର ଗୋଲାକାର ପିଣ୍ଡ ଭାବରେ ପୂଜା ପାଉଛନ୍ତି। ପୁରାତନ କଳାହାଣ୍ଡି ଗଡଜାତର ନୂତନ ରାଜଧାନୀ ଭବାନୀପାଟଣା, ପୁରାତନ ଜମିଦାରୀ ଅଂଚଳ ଥୁଆମୂଳ ରାମପୁର ଓ କାଶୀପୁର ରେ ମାଣିକେଶ୍ୱରୀ ରୂପେ ପୂଜା ପାଉଥିବା ବେଳେ ପୁରାତନ ଜମିଦାରୀ ଅଂଚଳ ମଦନପୁର ରାମପୁର ଓ ଜୟପାଟଣାର ତାଳଗୁଡ଼ ଠାରେ ଡୋକରି ଦେବୀ ରୂପେ ପୂଜା ପାଉଛନ୍ତି। ତେବେ ଏହି ସବୁ ସ୍ଥାନରେ ମାଣିକେଶ୍ୱରୀ ଓ ଡୋକରି ଦେବୀ ଏକ ସ୍ତମ୍ବ ଆକୃତିର ଗୋଲାକାର ପିଣ୍ଡ ଭାବରେ ବିଦ୍ୟମାନ। ପୁନଶ୍ଚ ଶାରଦୀୟ ଉତ୍ସଵ ରେ ଏହି ମାଣିକେଶ୍ୱରୀ ଓ ଡୋକରି ଦେବୀଙ୍କ ଶାକ୍ତ ନବକଳେବର-ମୁଣ୍ଡବସା ସମ୍ପୂର୍ଣ୍ଣ ତନ୍ତ୍ର ରୀତିରେ ଅନୁଷ୍ଠିତ ହୋଇଥାଏ। କଞ୍ଚା ମାଟିରେ ନିର୍ମିତ ମୁଣ୍ଡ ବା ମସ୍ତକ ରେ ସୁନା ଓ ରୁପାର ଆଖି, କାନ, ଜିଭ ଆଦି ଖଞ୍ଜି ସୁନା, ରୂପା,ହୀରା, ମୋତି, ମାଣିକ୍ୟ, ବୈଦୁର୍ଯ୍ୟ ଆଦି ର ବିଭିନ୍ନ ରତ୍ନ ଅଳଙ୍କାର ରେ ଏହି ମସ୍ତକକୁ ସଜ୍ଜିତ କରାଯାଇଥାଏ। ମସ୍ତକ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଗୋପନରେ ସମ୍ପାଦିତ ହୋଇଥାଏ। ତାପରେ ନିଶାର୍ଦ୍ଧରେ ତନ୍ତ୍ରାଭିଷିକ୍ତ ବ୍ରାହ୍ମଣ ଙ୍କ ଦ୍ଵାରା ତନ୍ତ୍ର ରୀତିରେ ଦେବୀ ଙ୍କ ସ୍ତମ୍ଭ ଆକୃତିର ଗୋଲାକାର ପିଣ୍ଡ ଉପରେ ଏହି କଞ୍ଚା ମାଟିରେ ନିର୍ମିତ ମସ୍ତକକୁ ସ୍ଥାପନ ବା ମୁଣ୍ଡ ବସାଯାଇଥାଏ। ମସ୍ତକ ନିର୍ମାଣ ଠାରୁ ମସ୍ତକ ସ୍ଥାପନ ସମସ୍ତ କାର୍ଯ୍ୟ ମନ୍ଦିରର ସିଂହଦ୍ଵାର ବନ୍ଦ କରି ସମ୍ପୂର୍ଣ୍ଣ ଗୋପନରେ ସମ୍ପାଦିତ ହୋଇଥାଏ। ଦେବୀଙ୍କ ନୂତନ ମସ୍ତକ ସ୍ଥାପନ ପୂର୍ବକ ଦେବୀଙ୍କ ନବ କଳେବର କରାଯାଇଥାଏ। ଯାହାକୁ ଶାକ୍ତ ନବକଳେବର ବୋଲି ବିଦ୍ୱାନ ମାନେ ବର୍ଣ୍ଣନା କରନ୍ତି। ମସ୍ତକ ସ୍ଥାପନ ବା ମୁଣ୍ଡବସା ପରେ ତନ୍ତ୍ରଚାର ପୂଜାର୍ଚ୍ଚନା ହୋଇଥାଏ। ତାପରଦିନ ସକାଳୁ ଦେବୀଙ୍କର ନବକଳେବର ରୂପ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ କରିବା ସୁଯୋଗ ମିଳିଥାଏ। ତେବେ ଏହି ମୁଣ୍ଡବସା ବା ଶାକ୍ତ ନବକଳେବର ପ୍ରକ୍ରିୟା କଳାହାଣ୍ଡିର ଉପରେ ଆଲୋଚିତ ମାଣିକେଶ୍ୱରୀ ଓ ଡୋକରି ପୀଠ ଗୁଡିକରେ ସମାନ ହୋଇଥିବା ବେଳେ ମୁଣ୍ଡ ବସା ତିଥିରେ ସାମାନ୍ୟ ଭିନ୍ନତା ରହିଛି। ଭବାନୀପାଟଣା ସ୍ଥିତ ମାଣିକେଶ୍ୱରୀ ପୀଠରେ ପ୍ରତିବର୍ଷ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ (ମୂଳାଷ୍ଟମୀ) ତିଥିରେ ନିଶାର୍ଦ୍ଧରେ ଶାକ୍ତ ନବକଳେବର-ମୁଣ୍ଡବସା ପର୍ବ ଅନୁଷ୍ଠିତ ହୋଇଥାଏ ଓ ଦେବୀଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଥାଏ। ତେବେ ଥୁଆମୂଳ ରାମପୁର ସ୍ଥିତ ମାଣିକେଶ୍ୱରୀ ପୀଠ, ପୂର୍ବତନ କଳାହାଣ୍ଡି ଗଡଜାତର ଜମିଦାରୀ ଅଂଚଳ ତଥା ବର୍ତ୍ତମାନର ରାୟଗଡା ଜିଲ୍ଲାର କାଶୀପୁର ସ୍ଥିତ ମାଣିକେଶ୍ୱରୀ ପୀଠ, ଜୟପାଟଣା-ମୁଖୀଗୁଡା ନିକଟସ୍ଥ ତାଳଗୁଡ଼ ସ୍ଥିତ ଡୋକରି ପୀଠରେ ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଶାକ୍ତ ନବକଳେବର-ମୁଣ୍ଡବସା ପର୍ବ ଅନୁଷ୍ଠିତ ହୋଇ ଶାରଦୀୟ ନବଦିନାତ୍ମକ ପୂଜା ଆରମ୍ଭ ହୋଇଥାଏ। ମଦନପୁର ରାମପୁର ଡୋକରି ପୀଠରେ ଆଶ୍ୱିନ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମୁଣ୍ଡବସା ପର୍ବ ଅନୁଷ୍ଠିତ ହୋଇ ଶାରଦୀୟ ଉତ୍ସଵ ଆରମ୍ଭ ହୋଇଥାଏ। କଳାହାଣ୍ଡିର ଏହି ଶକ୍ତି ପୀଠ ଗୁଡିକରେ ମୁଣ୍ଡବସା ପର୍ଵ ଭିନ୍ନ ଭିନ୍ନ ତିଥିରେ ଅନୁଷ୍ଠିତ ହେଉଥିଲେ ହେଁ ସମସ୍ତ ପୀଠରେ ବିଜୟା ଦଶମୀ ନିଶାର୍ଦ୍ଧରେ ଦେବୀଙ୍କ ଏହି ମାଟିର ମସ୍ତକକୁ ସମ୍ପୂର୍ଣ୍ଣ ଗୋପନରେ ଜଳାଶୟ ରେ ବିସର୍ଜନ କରିଦିଆଯାଇଥାଏ। ଶାକ୍ତ ପରମ୍ପରା ରେ ପ୍ଲାବିତ ଶାକ୍ତ ଭୂମି କଳାହାଣ୍ଡିରେ ଅନୁଶୃତ ହେଉଥିବା ଏହି ଶାକ୍ତ ନବକଳେବର-ମୁଣ୍ଡବସା ପର୍ଵ ଭାରତ ବର୍ଷରେ ଅତ୍ୟନ୍ତ ବିରଳ।

                       ସତ୍ୟ ନାରାୟଣ ମହାପାତ୍ର
                                   ଭବାନୀପାଟଣା 

Related posts

ଲେମ୍ବୁ, ଚିକେନ୍ ପରେ ରାଜ୍ୟରେ ଟମାଟୋ ଦର ଏବେ ଅକାଶଛୁଆଁ

ୟୁଥ ଅର୍ଗାନାଇଜେସନ ତରଫରୁ ଦିବ୍ୟଙ୍ଗଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

ନବୀନ ପାଇଲେ ଜୀବନବ୍ୟାପୀ ସାଧନା ସମ୍ମାନ…ଉଲ୍ଲେଖନୀୟ ନେତୃତ୍ୱ ପାଇଁ ସମ୍ମାନୀତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!