ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ଅକ୍ଷରଙ୍କ ହରତାଳ

  ଶବ୍ଦ ଅକ୍ଷରଙ୍କ ହରତାଳ

                ଅପର୍ତ୍ତି ସେଠୀ

ଏକଦିନେ ଶବ୍ଦ ଅକ୍ଷର‌ ଯେତେକ
         ହୋଇଗଲେ ଏକଜୁଟ,
ମା’ସରସ୍ଵତୀଙ୍କ ଦୁଆରେ ପହଞ୍ଚି
        କରିଦେଲେ ଧର୍ମଘଟ।
ଲିଖିତ ଆକାରେ ମା’ବିଣାପାଣୀଙ୍କୁ
        ଅଭିଯୋଗ ଜଣାଇଲେ,
ଆମ ଦୁଃଖ ମାଗୋ ଦୂର କରିଦିଅ 
         ପଡୁଅଛୁ ପାଦତଳେ।
ଆମେ ଯେତେ ଶବ୍ଦ ଅକ୍ଷର ଗୁଡିକ
         ମୁକ୍ତ‌ ଚଢେଇଙ୍କ‌ ଭଳି,
ମୁକ୍ତ ଆକାଶରେ ସୁଖେ ଉଡୁଥାଉ
         ନିଜର କର୍ମ ଆଦରି‌।
କ‌ଅଣ ପାଇଁ କି ଆମରି ମଧ୍ୟରୁ
         ଭଲ ଶବ୍ଦ ବାଛି ଆଣି,
ତୁମ ବରପୁତ୍ର କବି ଓ ଲେଖକ
         ବନ୍ଦୀକରି‌ ରଖିଲେଣି।
ଶବ୍ଦ ଛନ୍ଦିବାନ୍ଧି‌ ହୋଇଗଲେ କବି
         ନାଆଁ ଯେତେ ଅରଜିଲେ,
ଆହୁରି ଅନେକ ଲେଖନୀ ଚଳେଇ
         ଆମ ପଛେ ପଡିଗଲେ।
ବୁଡ଼େଇ ଦେଲେଣି ବ‌ଅଁଶ ଆମର  
         ବାନ୍ଧିଲେଣି ଭାବଜାଲେ,
ବନ୍ଦୀହୋଇ‌ ଅଣନିଃଶ୍ବାସୀ ହେଲୁଣି
        ତାଙ୍କ ହୃଦ କାରାଗାରେ।
କରୋନା ଭୟରେ ଯେମିତି ମଣିଷ
       ଘର କୋଣେ‌ ଲୁଚୁଥିଲେ,
ଆମକୁ ବି ଆଜି ଲ‌ଅକ୍ ଡାଉନ୍
       ମାନିବାକୁ ଏଠି ପଡେ।
ଆମର ଏ ଦାବୀ ମାନ ବାଗ୍ଦେବୀ  
        କର କିଛି ପ୍ରତିକାର,
ନୋହିଲେ ଧାରଣା ଦେଇ ମରିଯିବୁ‌
        ନିନ୍ଦା ହେବ ମା’ ତୁମର।
ସ୍ଵୟଂ ଜ୍ଞାନଦାତ୍ରୀ ଯେ ବିଶ୍ଵଭାରତୀ
        ବୁଦ୍ଧି ବିଦ୍ଯାର ଭଣ୍ଡାର,
କହିଲେ ବୁଝେଇ ହେ ଶବ୍ଦ ଅକ୍ଷର
       ତୁମେମାନେ ଥୟ ଧର।
ତୁମ୍ଭଙ୍କୁ ନେଇ ତ ସାହିତ୍ୟ ବଞ୍ଚିଛି
       ସମାଜର ହିତ ପାଇଁ,
ପରହିତ‌ ପାଇଁ ଦିଏ ଯେ ଜୀବନ‌
       ତା’ଠାରୁ‌ ବଡ଼ କେ ନାହିଁ।
ବନ୍ଦୀ ବୋଲି ତୁମେ ଭାବନି ନିଜକୁ
       ତୁମେ ଭାବର ଆବେଗ,
ବାଟବଣା ଏଇ ଅନ୍ଧ ମଣିଷକୁ
       ଦେଖାଉଛ ନୂଆ ଦିଗ।
ତେଣୁ ମୋର ପ୍ରିୟ ହେ ଶବ୍ଦ ଅକ୍ଷର
        ତୁମକୁ ଆଧାର କରି,
କବି ଲେଖିଯାଏ‌ ମନର ଭାଷାକୁ
        ଲେଖନୀକୁ ତାର ଧରି।
ମା’ ବିଣାପାଣୀଙ୍କ ପଦିଏ କଥାରେ
        ତାଙ୍କ ମନ ବୁଝିଗଲା,
ଶବ୍ଦ ଅକ୍ଷରଙ୍କ କରତାଳିମାଡେ‌
       ସେହି ସ୍ଥାନ କମ୍ପିଗଲା।
ହରତାଳ ଭାଙ୍ଗି ମା’ଙ୍କ ଶ୍ରୀପଦେ
        ପ୍ରଣିପାତ ଜଣାଇଲେ,
ସାହିତ୍ୟର ଜୟ କବିଟିର‌ ଜୟ
       ସ୍ଲୋଗାନ ପକେଇ‌ ଗଲେ।
ଦୂରୁଁ ଏହା ଦେଖି ଲେଖିଲା ଅପର୍ତ୍ତି
       ମା’ବିଣାପାଣୀଙ୍କୁ ଧ୍ଯାୟୀ,
ହେ ଶବ୍ଦ ଅକ୍ଷର କରିବନି ପର
       ପାଖେ ପାଖେ ଥିବ ରହି।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

   

Related posts

ବିଜୁ ସେତୁ ଯୋଜନାରେ ମହା ଦୂର୍ନିତି ଅଭିଯୋଗ

Sunil Chandra Nayak

ଢେଙ୍କାନାଳ କୁକୁଡ଼ା ଚାଷୀ ଙ୍କର ଜରୁରୀ କାଳୀନ ବୈଠକ

Sunil Chandra Nayak

ଲଗାଣ ଲଘୁଚାପ ଜନିତ ବର୍ଷାରେ କାଣିଗୁମା ଗ୍ରା,ପ, ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକଙ୍କ ଘର ଭୂଷୁଡି ପଡିଛି

Sunil Chandra Nayak

Leave a Comment

error: Content is protected !!