ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉର୍ଲାଦନୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧୀୟ ବଗିଚା : ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଉଦାହରଣ

ମ.ରାମପୁର:୨୧/୧୦(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ର ଉର୍ଲଦାନୀ ପଂଚାୟତ କଳାହାଣ୍ଡି ଜିଲ୍ଲାର ଶେଷସୀମା (କନ୍ଧମାଳ) ସୀମାନ୍ତରେ ରହିଥିବା ବେଳେ ଏହି ଅଂଚଳଟି ମ.ରାମପୁରଠାରୁ ଦୂରତା ପ୍ରାୟ ପନ୍ଦର କିଲୋମିଟର । ଆଦିବାସୀଙ୍କ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ୨୦୧୨ ମସିହାରେ ଉର୍ଲଦନୀ ଠାରେ ପ୍ରତିଷ୍ଠା କରାଗଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ମୁଖ୍ୟାଳୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ମୋହନଗିରୀ,ମଦନପୁର ଉର୍ଲାଦାନୀ ଓ ବାରବନ୍ଧାରେ ରହିଛି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର l ଉର୍ଲାଦାନୀ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବରେ ହେମନ୍ତ ସାହୁ ଯୋଗଦେବା ପରେ ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି କେନ୍ଦ୍ର ପରିସରର ପରିବେଶକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇଆସିଛନ୍ତି l ଯାହାର ଜ୍ୱଳନ୍ତ ନମୁନା ହେଉଛି ଏହିଠାରେ ଥିବା ବିଭିନ୍ନ ଔଷଧୀୟ ବୃକ୍ଷ ଲତାର ସମାହାର । ତାଙ୍କର ନିଜସ୍ୱ ଉଦ୍ୟମ ଓ ନିଷ୍ଠା ବଳରେ ଏକ ସୁନ୍ଦର ଔଷଧୀୟ ବଗିଚା ସୃଷ୍ଟି ହୋଇଛି l ଯେଉଁଠି ଅନେକ ମୂଲ୍ୟବାନ ଓ ବିରଳ ଔଷଧୀୟ ଗଛ ସବୁ ତାଙ୍କରି ସେବା ଯତ୍ନ ପାଇ ସୁନ୍ଦର ଓ ସତେଜ ରହିଛନ୍ତି । ସେହିସବୁ ମୂଲ୍ୟବାନ ବୃକ୍ଷରାଜି ମଧ୍ୟରେ ରହିଛି- ଭୃଙ୍ଗରାଜ, ପୁଦିନା, ଡ଼ାଲଚିନି,ତେଜପତ୍ର, ଗୋଲ ମରୀଚ, ଲବଙ୍ଗ, ଅଳେଇଚ, ଗଙ୍ଗଶିଉଳୀ,ଗେଲୋଇ, ବିଶଲ୍ୟାକରଣୀ, ଦେଷଣ୍ଢ, ଏଲୋଭେରା, ଛତାବରୀ, ତୁଳସୀ, ଲେମନ୍ ଗ୍ରାସ୍‌, ଅଶ୍ୱଗନ୍ଧା, ଜୁଆଣି, ହାଡ଼ ଶିକଲୀ, ଗୁଡ଼ମାରୀ, ଅଁଳା, ରିଠା,ଅଦା,ହଳଦୀ ଭଳି ଅନେକ ପ୍ରକାର ଔଷଧୀୟ ଗୁଳ୍ମ ଲତା । କେବଳ ଯେ ଏହି ପରିସରରେ ଔଷଧୀୟ ଗଛ ରହିଛି ତାନୁହେଁ ସେ ଆମ୍ବ,ପଣସ, ଅମୃତଭଣ୍ଡା, କଦଳୀ,କଲରା,ଭେଣ୍ଡି,କାକୁଡ଼ି,ପାଣି କକ୍ଷାରୁ ଭଳି ଫଳ ଓ ପନିପରିବା ଗଛ ଲଗେଇ ମଧ୍ୟ ନିଜ ବୃକ୍ଷ ପ୍ରତି ରହିଥିବା ଅନୁରାଗ ଓ ଭଲପାଇବା ପ୍ରଦର୍ଶନ କରିଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରବେଶ ଦ୍ୱାର ର ଦୁଇ ପାର୍ଶ୍ଵ ରେ ସମସ୍ତଙ୍କୁ ସ୍ୱାଗତ କରନ୍ତି ଜାତିଜାତିକା ଫୁଲରାଜି । ଏକ ପ୍ରକାର ପାର୍କର ଭ୍ରମ ସୃଷ୍ଟି କରୁଛି ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି । ଫାର୍ମାସିଷ୍ଟ ହେମନ୍ତ ସାହୁ ଏହି କେନ୍ଦ୍ରରେ ଯୋଗଦେବା ପରଠାରୁ ପର୍ଯ୍ୟାୟକ୍ରମେ ଏହି ସବୁ ଗଛ ଲଗେଇ ସଜେଇବା ସହିତ ଔଷଧୀୟ ଗଛ ଗୁଡ଼ିକରେ ଗଛର ନାମଫଳକ ବି ଲଗେଇଛନ୍ତି l ଯାହାଫଳରେ ଜଣେ ଗଛ ଚିହ୍ନିବାରେ ଭୁଲ ହେବ ନାହିଁ ଏବଂ ସଠିକ ଗଛରୁ ନିଜ ପାଇଁ ଉପଯୋଗୀ ଗଛର ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ପାରିବ । ଆଦିବାସୀ ଅଧ୍ୟୁଷିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡ଼ାକ୍ତର,ଜଣେ ଫାର୍ମାସିଷ୍ଟ,ଜଣେ ଲାବ୍ରୋଟାରୀ ଟେକ୍ନିସିଅନ ଙ୍କ ସମେତ ଅନ୍ୟମାନେ ରହି ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଦେଉଥିବା ବେଳେ ଆକର୍ଷଣୀୟ ବୃକ୍ଷର ସମ୍ଭାର ପାଇଁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ । ସରକାରୀ ହତା ହେଲେ ମଧ୍ୟ ନିଜ ଘର ଭଳି ଗଛ ଗୁଡ଼ିକର ଯତ୍ନ ପାଇଁ ଫାର୍ମାସିଷ୍ଟ ହେମନ୍ତ ସାହୁଙ୍କ ଅବଦାନକୁ ଅଂଚଳବାସୀ ଭୁରି ଭୁରି ପ୍ରଶଂସା କରୁଛନ୍ତି l ଅନ୍ୟ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକ ଏହି ଉର୍ଲାଦାନୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ କିଛି ଶିଖିବା ଉଚିତ ବୋଲି ଆଲୋଚନା ହେଉଛି l 

ମ.ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଝରାଡିହି କନ୍ୟାଶ୍ରମରେ ବହୁବିଧ ସମସ୍ୟା ନେଇ ମାସା ଆର୍ମି ତରଫରୁ ରାଇରଙ୍ଗପୁର ଆଇଟିଡିଏ ପ୍ରଶାସକଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା କଳ୍ପନା ସାଗର

ମଦଭାଟିକୁ ପଶି ଦୁର୍ବୃତ୍ତ ଟଙ୍କା, ବାଇକ ଛଡ଼ାଇ ଫେରାର

Leave a Comment

error: Content is protected !!