ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଜାଳି ଦିଅ ବାରେ, ହୃଦୟ କନ୍ଦରେ

 ଜାଳି ଦିଅ ବାରେ, ହୃଦୟ କନ୍ଦରେ

   ଜୟ କୁମାର ମିଶ୍ର

ଜାଳିଦିଅ ବାରେ ହୃଦୟ କନ୍ଦରେ 
ପୀରତିର ଦୀପ ଥୋଇ, 
କଳୁଷ ଅନ୍ଧାର, ହୋଇଯାଉ ଦୂର 
ସବୁ ଭେଦଭାବ ନେଇ ll(1)
କର ଦୀପାବଳି, ମନ ଧ୍ୟାନ ଢ଼ାଳି
ଉଦାର, ପଵିତ୍ର ମନେ, 
ଗାଉ ସବୁ କଣ୍ଠ, ସ୍ତୁତି, ସ୍ତବ ପାଠ 
ଝନକୃତ ହେଉ କାନେ ll(2)
ଶାନତି ମଇତ୍ରି, ସଦିଚ୍ଛା ବାରତା 
ଘୁରି ଘୁରି କହି ଯାଉ, 
ହିଂସା ରକ୍ତପାତ, ଦଇତ୍ୟଙ୍କ ମତ୍ତ 
ସବୁଦିନ ବନ୍ଦ ହେଉ ll(3)
ନବ ଆଲୋକରେ, ହେଉ ଆଲୋକିତ 
କାଳ ରାତ୍ରି ଯାଉ ହଟି, 
ରାମ ରାଇଜର, ସପନ ସହର 
ମାନସ କଳିକା ଫୁଟୁ ll(3)
ଚଉରା ମୂଳରେ, କର ପ୍ରଦୀକ୍ଷଣ 
ହାତକୁ ମିଳାଇ ହାତ,
ପୂରୁବ ପୁରୁଷ, ହୋଇବେଟି ତୋଷ 
ଦେଖି ମିଳନର ଚିତ୍ର ll(4)
ଭାତୃତ୍ବ, ବନ୍ଧନ, ଅମର ଅକ୍ଷୁର୍ଣ୍ଣ 
ସଂକୀର୍ଣ୍ଣତା ପରିହରି, 
ନବ ଚେତନାର, ସଂଗୀତର ସ୍ୱର 
ଅନ୍ତରୁ ନିନାଦ ଝରୁ ll(5)
ସଳିତା ପରାଏ ସ୍ୱାର୍ଥ ଜାଳି ଯାଏ 
ପରର ସେବକ ହୋଇ, 
ଜଳି, ଜାଳି ଦିଅ କାମ, ଲୋଭ ମୋହ 
ମାଆ, ମାଟି ସେବା ପାଇଁ ll(6)
ଆୟୁଷ ଇନ୍ଧନ, ରୁଧିର ତର୍ପଣ 
ବିବେକ ପ୍ରଦୀପେ ଢ଼ାଳ, 
ପ୍ରତି ଅସ୍ଥିମଜ୍ଜା, କରମରେ ତାଜା 
ହେଉ ସେ ଚଳଚଞ୍ଚଳ ll(7)
ସେବା ପାଇଁ ମନ, ସେବା ପାଇଁ ଧ୍ୟାନ
କରମରେ ପୂଜା ବ୍ରତ, 
ସଡ଼ରିପୁ ଛାଡି, ଚରିତ୍ର ସଜାଡି 
ସଜାଡ ଆସ୍ତାନ ଚିତ୍ର ll(8)
ଯାଉ ଖେଳି ଯାଉ, ଦୁନିଆଁଟି କହୁ
ଦୀପାବଳି ମହିମା ଗାଥା, 
ଦେଉ ସେ ଶିକ୍ଷା, ଦେଉ ମହା ଦୀକ୍ଷା, 
ଜଗତରେ ପୁଣପୁଣ ll(9)
ଜନମ, ମରଣ ସୁନିଶ୍ଚିତ ଜାଣ
ରୋକି ପାରିବେନି କେହି, 
ଯଶ, ପଉରଷ, ନହେବ ବିନାଶ 
ଇତିହାସ ଝୁରେ କହି ll(10)
ଜ୍ୟୋତିଶିଖା ସରି କୀର୍ତ୍ତିକାନ୍ତି ଧରି 
କରିଦିଅ ଝଲମଲ
ଏଇ ଦୀପାବଳି, ସଦବୁଦ୍ଧି ଢ଼ାଳି
ହେଉ ସେ ଅମୁଲ ମୂଳ ll(11)
ଅଖୁ ରସ ସରି, ସୁମଧୁର ଧରି 
ଭାଷା ଭାବନାଟି ଦେଉ, 
ସମୃଦ୍ଧିର ବାଣ, ଗର୍ଜନରେ ଟାଣ 
ଦୁନିଆଁ, ଚମକି ଯାଉ ll(12)
ଅନୁରାଗ ପିଠା, କରି ଦିଅ ବଣ୍ଟା 
ସଭିଏଁ ଖାଆନ୍ତୁ ନେଇ, 
ମହତ ପଣିଆ, ପୁର କରି ଦିଅ 
ଆଣ ଖୋଜି ତାକୁ ଯାଇ ll(13)
ଗୋଟିଏ ପ୍ରଦୀପ, ଅନ୍ଧକାର ପାପ 
ଜଳି, ଜାଳିଦେଉ ବାରେ, 
ପ୍ରେରଣାଟି ହୋଇ, କୋଟି ଦୀପ ପାଇଁ 
ଜଳାଉ ଘରେ ବାହାରେ ll(14)
ଦୀପାବଳି ମଜ୍ଜା, ହୋଇବ ସେ ରଜା 
ଦେଇ ସେତ ମହାଶିକ୍ଷା, 
ଭୂମିଠାରୁ ଭୂମା, ତାହାର ମହିମା 
ସ୍ମୃତି କାଗଜରେ ଲେଖା ll(15)

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ -ଗୋରିବନ୍ଧା,ମାଧ୍ଯମ-କାଶୀନଗର
ଜିଲ୍ଲା-ଗଜପତି, ଓଡିଶା, 761206

Related posts

ଆମପାଣି ପୋଲିସ ଦ୍ୱାରା ସାର ବୋଝେଇ ମିନିଟ୍ରକ ଅଟକ, ତଦନ୍ତ କଲେ ଜିଲ୍ଲା କୃଷି ଅଧିକାରୀ

Sunil Chandra Nayak

ଆଶା କର୍ମୀଙ୍କର ଦିନିକିଆ ତାଲିମ ଶିବିର

Sunil Chandra Nayak

ଶ୍ରମିକ ଋଷି ଚନ୍ଦନ ମୃତ୍ୟୁ ଘଟଣାରେ ଶକ୍ତି ବିଭାଗ ସଚିବ ଓ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ରିପୋର୍ଟ ତଲବ କଲେ ଏନ୍ଏଚ୍ ଆରସି

Sunil Chandra Nayak

Leave a Comment

error: Content is protected !!