ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟା ଧର ସାହୁ ଙ୍କ ଉପସ୍ଥାପନା ଆଜି ଦୀପାବଳି…

ଆଜି ଦୀପାବଳି…

ଆଲୋକର ପର୍ବ ଦୀପାବଳି। ଏନେଇ ସବୁଆଡେ ଉତ୍ସବର ମାହୋଲ । ଅମାବାସ୍ୟାରେ ସୂର୍ଯ୍ୟପରାଗ ପଡୁଥିବାରୁ ଆଜି ପୟାଶ୍ରାଦ୍ଧ ସହ ବଡବଡୁଆ ଡକାଯିବ। କାଳୀ ପୂଜା ମଧ୍ୟ ହେବ। କରୋନା କଟକଣା ପାଇଁ ୨ ବର୍ଷ ହେଲା ଫିକା ପଡିଥିବା ଦୀପାବଳି ଏବର୍ଷ ବେଶ୍ ଜମିବ । ଆଜି ସିଂହଦ୍ୱାର ସମ୍ମୁଖରେ ପୟାଶ୍ରାଦ୍ଧ ଦେବା ସହ ବଡବଡୁଆ ଡାକିବେ ଶ୍ରଦ୍ଧାଳୁ ।

କାର୍ତ୍ତିକ ଅମାବାସ୍ୟାରେ ଦୀପାବଳୀ ଉତ୍ସବ ପାଳନ କରାଯାଏ।ଏହି ପର୍ବ ପ୍ରାୟ ସମସ୍ତ୍ରେ ପାଳନ କରନ୍ତି । ଘରେ ଘରେ ସେଦିନ ଦୀପ ଜଳେ, ବାଣ ଫୁଟାଯାଏ । ଶ୍ରାଦ୍ଧ କରାଯାଏ । ପିଠାପଣା ହୁଏ । ଦୀପାବଳୀ ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ । ଏହି ଦୀପାବଳୀ ଅମାବାସ୍ୟାକୁ ଲୋକାକ୍ତିରେ ପୟାଅମାବାସ୍ୟା କହନ୍ତି ।

ଜୈନ ଧର୍ମରେ ଏହି ପର୍ବକୁ ମହାବୀର ଜୈନଙ୍କ ମହାପରିନିର୍ବାଣ ଦିବସ ଭାବରେ ପାଳନ କରାଯାଉଥିବା ବେଳେ ଶିଖ ଧର୍ମରେ ଏହି ପର୍ବକୁ ଶିଖଙ୍କ ଷଷ୍ଠ ଗୁରୁ ହରଗୋବିନ୍ଦ ସିଂଙ୍କୁ ଜେଲ୍ ରୁ ଘରକୁ ଫେରୁଥିବା ଖୁସିରେ “ବନ୍ଦୀ ଛୋଡ ଦିବସ” ଭାବରେ ବହୁତ ଖୁସି ଆନନ୍ଦରେ ପାଳନ କରାଯାଇଥାଏ।

ରାମାୟଣ….

ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହିଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି ।

‘ଉତ୍ସବ ତତ୍ତ୍ୱାଭିଧାନ’ ଅନୁଯାୟୀ ଏକଦା କାର୍ତ୍ତିକ(ତୁଳା)ମାସ- ଘନଅନ୍ଧକାର କୃଷ୍ଣପକ୍ଷରେ ଜଣେ ଭବିଷ୍ୟଦ୍ରଷ୍ଟା ଜ୍ୟୋତିଷ ପ୍ରଭୁ ଶ୍ରୀରାମଙ୍କୁ ବିପର୍ଯ୍ୟସ୍ଥ ଦୁର୍ଭାଗ୍ୟ କାଳସର୍ପ ରୂପେ ଅମାରାତିରେ ଦଂଶନକରିବା ପାଇଁ ଲୁଚିଛପି ଆସିବାର ଭବିଷ୍ୟବାଣୀ କରିଥିଲେ । ସତର୍କତାପୂର୍ବକ ଅଯୋଧ୍ୟା ରାଜନଗରୀର କୃଷ୍ଣପକ୍ଷ ସାରା ଉଜ୍ଜଳଆଲୋକ ପ୍ରଜ୍ଜଳନ କରାଯାଇଥିଲା ଏବଂ କାଳସର୍ପ ଦଂଶନର ଚକ୍ରାନ୍ତ ପଣ୍ଡହୋଇଥିଲା ।

ଦୈତ୍ୟ ରାଜା ବଳୀ….

ଦୈତ୍ୟରାଜ ବଳି ମହାଦାନୀ ଥିଲେ । ସେ ଏପରି ଦାନ କଲେ ଯେ ସ୍ୱର୍ଗର ଦେବତାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା , କାରଣ ତାଙ୍କର ପୂଣ୍ୟ ଫଳରେ ସେ ସ୍ୱର୍ଗପୁରର ଅଧିକାରୀ ହେଇପାରନ୍ତି । ଏଣୁ ଦେବତାମାନଙ୍କ କଥା ରକ୍ଷାକରି ବିଷ୍ଣୁ ବାମନ ଅବତାର ଗ୍ରହଣ କରି ବଳିରାଜଙ୍କ ପାଖରେ ପହଞ୍ଚି ତାଙ୍କୁ ତିନିପାଦ ଭୂମି ମାଗିଥିଲେ । ଗୋଟିଏ ପାଦରେ ପୃଥିବୀ, ଗୋଟିଏ ପାଦରେ ସ୍ୱର୍ଗ ଏବଂ ତୃତୀୟ ପାଦରେ ବଳିଙ୍କୁ ପାତାଳକୁ ଚାପିଦେଲେ । ତେଣୁ ସେ ପାତାଳ ପୁରକୁ ଚାଲିଗଲେ । ତା’ ପରେ ବଳିଙ୍କ ପ୍ରାର୍ଥନା ଶୁଣି ପାତାଳରେ ବଳିକୁ ରାଜା କରିଦେଲେ । ବର୍ଷକରେ ଥରେ ମର୍ତ୍ତ୍ୟପୁରକୁ ଆସି ପ୍ରଜାମାନଙ୍କୁ ଦେଖିବାକୁ ବଳି ବର ମାଗନ୍ତେ ବିଷ୍ଣୁ ଏଥିରେ ସମ୍ମତି ଜଣାଇ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ଦିନ ବଳି ମର୍ତ୍ତ୍ୟକୁ ଆସିବାକୁ ତଥାସ୍ତୁ କହିଲେ । ତେଣୁ ସେଦିନକୁ ମର୍ତ୍ତ୍ୟବାସୀ ଆନନ୍ଦର ଦୀପ ଜାଳି ଆଲୋକିତ କରନ୍ତି ।

ଭଗବାନ ବିଷ୍ଣୁ ଭକ୍ତପ୍ରହ୍ଲାଦଙ୍କୁ ଇନ୍ଦ୍ରପଦ ଯାଚିବାରୁ ସେ ବିନୀତଭାବେ ପ୍ରତ୍ୟାଖାନ କରିବାରୁ, ତାଙ୍କର ନାତି ବଳୀରାଜାଙ୍କୁ ଏହିଦିନ ‘ଇନ୍ଦ୍ରପଦ’ ପ୍ରଦାନ କରିଥିଲେ । ତେଣୁ ଦାନବଗଣ ଦୀପଜଳାଇ, ବାଣ, ଆତସବାଜି ଫୁଟାଇ ଉତ୍ସବ ପାଳିଥିଲେ ।

ବିରୋଚନ ପୁତ୍ର ବଳି ଇନ୍ଦ୍ର ଓ ମରୁତଗଣଙ୍କୁ ପରାସ୍ତ କରି ତ୍ରିଭୁବନ ଜୟକରି ପ୍ରଜାପାଳନ କରୁଥିଲେ । ଦାନପାଇଁ ସେ ପ୍ରସିଦ୍ଧ ଥିଲେ ଏବଂ ଯେ ଯାହା ମାଗୁଥିଲେ, ତାହା ଦାନ କରୁଥିଲେ । ତାଙ୍କର ବିକ୍ରମ ଓ ଦାନର ପ୍ରଭାବରେ ସେ ଇନ୍ଦ୍ର ଓ ଦେବତାମାନଙ୍କୁ ନିଷ୍ପ୍ରଭ କରିବାକୁ ବସିଲେ । ଏଥିରେ ଇନ୍ଦ୍ର ଓ ଦେବଗଣ ଭୟଭୀତ ହେଲେ । ବଳି ଏକ ପ୍ରସିଦ୍ଧ ଯଜ୍ଞ କଲେ । ଏହି ଯଜ୍ଞ ଶେଷହେଲେ ଇନ୍ଦ୍ର ଓ ଦେବଗଣଙ୍କର ସମସ୍ତ ଶକ୍ତି ଓ ତେଜ ଚାଲିଯିବ । ଏହାର ଆଶୁ ନିରାକରଣ ପାଇଁ ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହେଲେ । ବିଷ୍ଣୁ ବାମନ ରୂପରେ ବଳିଙ୍କଠାରୁ ତିନିଲୋକ ପ୍ରାପ୍ତହେଲେ । ଦାନପ୍ରଦାନ ଛଳରେ ମାୟାବୀବିଷ୍ଣୁ ଗର୍ବୀବଳିଙ୍କୁ ତୃତୀୟପାଦରେ ପାତାଳ ଚାପି ଦେଲେ । କଥା ଦେଲେ ଯେ ବଳି ବର୍ଷରେ ଥରେ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ପୃଥ୍ୱୀଲୋକକୁ ଆସିପାରିବ । ତାଙ୍କ ଆଗମନରେ ଭୂଲୋକବାସୀ ଆନନ୍ଦ ଉଲ୍ଲାସରେ ପ୍ରଦୀପ ଜାଳି ତାଙ୍କୁ ସମ୍ବର୍ଦ୍ଧିତ କରିବେ । ସେହି ଆଲୋକ ସମ୍ବର୍ଦ୍ଧନା କାଳକ୍ରମେ ଦୀପାବଳି ଉତ୍ସବରେ ରୂପାନ୍ତରିତ ହେଲା

ଶ୍ରୀକୃଷ୍ଣ ଓ ନରକାସୁର….

ଶ୍ରୀକୃଷ୍ଣ ଅତ୍ୟାଚାରୀ ନରକାସୁରକୁ କୃଷ୍ଣ ଚତୁର୍ଦଶୀ ଦିନ ବଧ କରିଥିଲେ ତେଣୁ ଖୁସିରେ ଆଲୋକର ଉତ୍ସବ ପାଳିତ ହେଇଥିଲା । ଏହି ଦିନକୁ ନରକ ଚତୁର୍ଦ୍ଦଶୀ କୁହଯାଏ । ଏ ଦିନ ସୂର୍ୟୋଦୟ କାଳରେ ସମସ୍ତ ଶରୀରରେ ସୁଗନ୍ଧ ତୈଳ ଲଗାଇ ଗାଧୋଈବାର ପ୍ରଥା ଅଛି ।

ଦ୍ୱାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାରକଲା ପରେ ଇନ୍ଦ୍ରମାତାଙ୍କୁ ନରକାଦ୍ୱାରା ଅପହୃତ ମଣିକୁଣ୍ଡଳକୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ୱର୍ଗକୁ ଯାଇଥିଲେ । ସତ୍ୟଭାମାଙ୍କ ଅନୁରୋଧରେ ପାରିଜାତ ବୃକ୍ଷର ଚାରାଟିଏ ଆଣିବାକୁ ଗଲାବେଳେ ଇନ୍ଦ୍ରଙ୍କ ସହିତ ସମସ୍ତଦେବତା ବାଧାଦେବାରୁ ଏକାକି ସବୁଦେବତାଙ୍କୁ ପରାସ୍ତ କରି ପାରିଜାତ ବୃକ୍ଷ ସହ ଅନେକ ଧନରତ୍ନ ନେଇ ଏହିଦିବସରେ ଦ୍ୱାରକା ଫେରିଥିଲେ । ତେଣୁ ଦ୍ୱାରକାବାସୀ ପ୍ରଭୁଙ୍କୁ ସ୍ୱାଗତ ଜଣାଇ ସମଗ୍ରନଗରୀକୁ ଦୀପମାଳାରେ ସଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ 

ଋକ ବେଦ…..

ଋକ୍ ବେଦରୁ ସୂଚନା ମିଳେ ଯେ, ପୃଥିବୀ ଏକଦା ଘୋର ଅନ୍ଧକାର ଭିତରେ ବୁଡି ରହିଥିଲା । କାଳ କ୍ରମେ ସୂର୍ଯ୍ୟଙ୍କର କିରଣ ପାଇ ପୃଥିବୀ ଦିନେ ଆଲୋକିତ ହେଲା । ଏହାକୁ ମନେ ରଖିବା ପାଇଁ ଦୀପାବଳି ଉତ୍ସବ ପାଳନ କରାଯାଏ ।

ଇତିହାସ…..

ମୋଗଲ ଯୁଗର ପ୍ରସିଦ୍ଧଐତିହାସିକ ଆବୁଲ ଫଜୀଲ ତାଙ୍କର ଆଇନ ଆକବରୀରେ ମୋଗଲ ଶାସନକାଳୀନ ବଣିକ, ଆଲୋକ ଜ୍ଜଳନ୍ତ ଓ ଅକ୍ଷକ୍ରୀଡା ନାମକ ଦୀପାବଳି ଆଧାରିତ ମନୋଜ୍ଞ ଉପକଥାର ଉଲ୍ଲେଖ କରିଛନ୍ତି । ଆଲବରୁଣୀରେ ମୋଗଲ ସମ୍ରାଟଙ୍କ ଲମ୍ବା ବାଉଁଶ ପୋତି ତା’ର ଅଗରେ ଶିକାରେ ଆକାଶପ୍ରଦୀପ ଜାଳିବାକଥା ବରୋଦା ସଂଗ୍ରହାଳୟରେ ରଖାଯାଇଥିବା ପ୍ରାଚୀନ ଆକାଶପ୍ରଦୀପ ଅତୀତରେ ଦୀପାବଳି ପାଳନ କରାଯାଉଥିବାର ପ୍ରମାଣ ଦିଏ।

ଚାଣକ୍ୟ ଓ ଚୋଳବଂଶକାଳୀନ ଉତ୍ସବ ପରମ୍ପରାରେ ଦୀପାବଳିପାଳନ ହେଉଥିବାର କନୌଜବଂଶୀୟ ରାଜା ହର୍ଷବର୍ଦ୍ଧନଙ୍କ କାଳଜୟୀ ଅମରକୃତି ନାଟକ ନାଗାନନ୍ଦରୁ ଜଣାପଡେ ।

ଗୁପ୍ତବଂଶୀୟ ସମ୍ରାଟ ଦ୍ୱିତୀୟଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ, ପବିତ୍ର ଦୀପାବଳି ତିଥିରେ ସିଂହାସନ ଆରୋହଣ କରିଥିବାରୁ ତା’ର ସ୍ମାରକୀ ରୂପେ ଦୀପାବଳି ଦିନଠାରୁ ଗୁପ୍ତାଦ୍ଧର ପ୍ରଚଳନ ହୋଇଥିଲା ।

ପୟାଶ୍ରାଦ୍ଧ…..

ଓଡ଼ିଶାରେ ଏହି ଦିନ ବଡ଼ବଡୁଆ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜାଳନ୍ତି । କାଉଁରିଆ କାଠି ଜାଳିବାବେଳେ ଉଚ୍ଚାରଣ କରନ୍ତି:

ବଡ଼ବଡୁଆ ହୋ

ଅନ୍ଧାରରେ ଆସ ଆଲୁଅରେ ଯା’,

ପୁରୁଷୋତ୍ତମରେ ମହାପ୍ରସାଦ ଖାଇ

ବାଇଶି ପାବଛେ ଗଡ଼ଗଡାଉ ଥା’ ।

ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି । ଅସଂଖ୍ୟ ଭକ୍ତ ସେଦିନ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ବି ଜାଳନ୍ତି । ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି ।

ପିତୃ ଲୋକଂ ପରିତାଜ୍ୟ

ଆଗତା ଯେ ମହାଳୟେ

ଇଜ୍ଜ୍ୱଳେ ଜ୍ୟୋତିଷାଂ ମାର୍ଗେ

ପ୍ରପଦ୍ୟନ୍ତୋ ବ୍ରଜନ୍ତୁତେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ପ୍ରକୃତି କବି ଗଙ୍ଗାଧର

Sunil Chandra Nayak

ରାଉରକେଲାରେ ପ୍ରଜାତନ୍ତ୍ର ର ଅମୃତ ମହୋତ୍ସବ ପାଳନ

Sunil Chandra Nayak

ବିଜେଡିର ବାଜିମାତ୍ – କଂଗ୍ରେସ ଓ ବିଜେପିକୁ ମିଳିଛି କେବଳ ଗୋଟିଏ   ଗୋଟିଏ ୱାର୍ଡ

Sunil Chandra Nayak

Leave a Comment

error: Content is protected !!