ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ – ନିଆଁଖୁଣ୍ଟା’ ମହାପାତ୍ର , ଗୋଦାବରୀଶ ମହାପାତ୍ର

    ନିଆଁଖୁଣ୍ଟା’ ମହାପାତ୍ର 

               ଗୋଦାବରୀଶ ମହାପାତ୍ର

ସକାଳର ପ୍ରଥମ ସୁନେଲି କିରଣ ସଦୃଶ ମୋତି ପରି ଚିକ୍ ମିକ୍ କରୁଥିବା ଜୀବନର ଆରମ୍ଭ ହୁଏ ମଣିଷର | ସଂଘର୍ଷର ପଥ ନୂଆ ଆଶା ଆଉ ନୂଆ ସ୍ବପ୍ନକୁ ନେଇ ସମୟର ଗତି ସହିତ ପାଦ ମିଶାଇ ବାଟ ଚଲାଏ | କେତେବେଳେ ଝୁଣ୍ଟି ପଡ଼ିବାର ଅବା ବାଟବଣା ହେବାର ଭୟ ବି ଥାଏ | ‘ନିଆଁଖୁଣ୍ଟା’ ମହାପାତ୍ର ଭାବେ ସୁପରିଚିତ ଗୋଦାବରୀଶ ମହାପାତ୍ର ଅନେକ ବାଧାବିଘ୍ନର ପାହାଡକୁ ପାରି କରି ସମୟ ସହିତ ଚାଲିବା ହେଉଛି ମଣିଷର ଜୀବନ | 

ଏହି ସଂଘର୍ଷମୟ ଜୀବନରେ ‘ନିଆଁଖୁଣ୍ଟା’ ମହାପାତ୍ର ଭାବେ ସୁପରିଚିତ ଗୋଦାବରୀଶ ମହାପାତ୍ର ଥିଲେ ଜଣେ ସାରସ୍ଵତ ସାଧକ। ସେ ଥିଲେ ଏକାଧାରରେ କବି, କଥାକାର, ଔପନ୍ୟାସିକ, ପ୍ରାବନ୍ଧିକ, ନାଟ୍ୟକାର ଓ ଶିଶୁ ସାହିତ୍ୟିକ । ‘ଉଠ କଙ୍କାଳ’ କବିଙ୍କର ଏକ ଦେଶାତ୍ମବୋଧକ କବିତା ମୋର ସର୍ବଦା ମନେ ପଡେ |

ହେ ମୋର କଲମ, ପ୍ରଭାତ କୁସୁମ, କଣ୍ଟା ଓ ଫୁଲ, ହାଣ୍ଡିଶାଳର ବିପ୍ଳବ, ବଙ୍କା ଓ ସିଧା, ଯେ ଫୁଲ ଫୁଟିଥିଲା ଓ ରୂପରେଖ ଆଦି କବିତା ସ°କଳନ କବିଙ୍କର ଶ୍ରେଷ୍ଠତ୍ବ ପ୍ରତିପାଦିତ କରେ ।

 ଜନଜୀବନର ସମସ୍ୟାକୁ ନିଚ୍ଛକ ଉପସ୍ଥାପନ କରି ସେ ନିଜକୁ କଥାକାର ଭାବରେ ପରିଚୟ ଦେଇଛନ୍ତି ।

   ଅନେକ କ୍ଷୁଦ୍ର ଗଳ୍ପ ଓ ଛ‌ଅଟି ଉପନ୍ୟାସ ମାଧ୍ୟମରେ ଗୋଦାବରୀଶ ସମକାଳୀନ ସମାଜ ବ୍ୟବସ୍ଥା, ସା°ସ୍କୃତିକ ଓ ରାଜନୈତିକ ଚିତ୍ରକୁ ରୂପ ଦେଇଛନ୍ତି । ସ°ସ୍କାରଧର୍ମୀ ତାଙ୍କର ସାରସ୍ଵତ ସାଧନା ଓଡ଼ିଆ ସାହିତ୍ୟ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି । 

ସେ ‘ନିଆଁଖୁଣ୍ଟା’ ର ନିଆଁରେ କୁସ°ସ୍କାର, ଅପସ°ସ୍କୃତି, କୁବ୍ୟାପାର ସବୁକୁ ଧ୍ବ°ସ କରିବା ନୂତନ ଚିନ୍ତା ଚେତନା ବାଣ୍ଟିବାରେ ସକ୍ଷମ ହୋଇଛନ୍ତି ।   

    ତାଙ୍କର କ୍ଷୁଦ୍ରଗଳ୍ପ ଗୁଡ଼ିକ ମଧ୍ୟରେ ନୀଳ ମାଷ୍ଟରାଣୀ, ମାଗୁଣିର ଶଗଡ଼, ଶବ ସ°ସ୍କାର, ବ୍ରତଭିକ୍ଷା,ଏ ଜନ୍ମର ତୀର୍ଥକ୍ଷେତ୍ର ଆଦି ଗଳ୍ପ ବହୁତ ଭାବପୂର୍ଣ୍ଣ ଓ ହୃଦୟସ୍ପର୍ଶୀ ହୋଇ ପାରିଛି |

   ଗୋଦାବରୀଶ ଥିଲେ ମାନବିକତାର ଜଣେ ମୁଗ୍ଧ ଉପାସକ । ତାଙ୍କ ଗଳ୍ପ ଗୁଡ଼ିକରେ ଭରି ରହିଛି ମାନବ ଜାତିର ବନ୍ଦନା । ତାଙ୍କ ବିଷୟରେ ପଦ୍ମଶ୍ରୀ ବିନୋଦ କାନୁନଗୋ କହିଛନ୍ତି –

    “ଗୋଦାବରୀଶଙ୍କ କଲମ ଉପରେ ଷୋଳ‌ଅଣା ଭରସା ଥିଲା । କଲମକୁ ଯଦି କେହି ପୋଷା ମନାଇ ପାରିଥିଲେ, ସେ ହେଉଛନ୍ତି ଗୋଦାବରୀଶ ମହାପାତ୍ର ।”

‘ଏବେ ମଧ୍ୟ ବଞ୍ଚିଛି’ ଗଳ୍ପଟି ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟକୁ ଉପସ୍ଥାପିତ କରିବା ସଙ୍ଗେ ସଙ୍ଗେ ବ୍ୟକ୍ତିର ମାନବିକ ଓ ନୈତିକ ମୂଲ୍ୟବୋଧକୁ ଦର୍ଶାଇଛି । ଓଡ଼ିଆ ଯୁବକର ସ୍ବାଭିମାନ ତା’ର ଜୀବନ ଠାରୁ ଅଧିକ ମୂଲ୍ୟବାନ ବୋଲି ବର୍ଣ୍ନନା କରିଛନ୍ତି ସେ ଗଳ୍ପରେ । ନିଶା ସେବନ କିପରି ଓଡ଼ିଆ ଜନଜୀବନକୁ କଳୁଷିତ କରିଛି, ଓଡ଼ିଆ ସମାଜର ଅଧୋଗତି ଓ ଆଦର୍ଶ ଦାମ୍ପତ୍ୟ ଜୀବନର ସୂକ୍ଷ୍ମ ଝଲକ ଗଳ୍ପ ‘ପଣ୍ଡିତଙ୍କ ସିଦ୍ଧି ଲାଭ’ ରେ ଦେଖିବାକୁ ମିଳେ ।

 ‘ମାଗୁଣିର ଶଗଡ଼’ ଗଳ୍ପରେ ଯାନ୍ତ୍ରିକ ସଭ୍ୟତାର କୁପ୍ରଭାବ ପ୍ରତ୍ୟକ୍ଷ ଓ ପରୋକ୍ଷ ରୂପେ କିପରି ଓଡ଼ିଆ ଜୀବନକୁ ପ୍ରଭାବିତ କରିଛି, ତା’ର ରୂପକଳ୍ପ ଅଙ୍କିତ ହୋଇଛି ।

   ‘ନୀଳ ମାଷ୍ଟରାଣୀ’ ଗଳ୍ପରେ ଲେଖକ ବାଲ୍ୟ ବିବାହର କରୁଣ ପରିଣତି, ଯୁବତୀ ଅବସ୍ଥାରେ ବୈଧବ୍ୟର ଅନ୍ତର୍ଦ୍ବନ୍ଦ ଓ ବିଳାପ ପରିପ୍ରକାଶ କରିଛନ୍ତି ।

   ମୁଠାଏ ଖାଇବାକୁ ନପାଇ ମାଗୁଣିର ମୃତ୍ୟୁ ମାନବିକ ସମ୍ବେଦନା ସୃଷ୍ଟି କରେ | ସମୟ ବଦଳେ, ଆଉ ତା ସହ ବଦଳି ଯାଏ ଜୀବନର ଗତିପଥ। ଫୁଲ ଭରା ରାସ୍ତାରେ ବାଟ ଚାଲୁ ଚାଲୁ କେତେବେଳେ କଣ୍ଟକିତ ପଥରେ ପାଦ ପଡ଼ିଯାଏ ଜାଣି ହୁଏନା। ପରିବର୍ତ୍ତନଶୀଳ ସମୟ ଆଉ ସମାଜ ଭିତରେ ନିଜକୁ ଉପହାସର ପାତ୍ର ସଜାଇ ଠିଆ କରିବାକୁ ପଡ଼େ। ସାମାଜିକ ପରମ୍ପରା ବିରୋଧରେ ନୀଳ ମାଷ୍ଟରାଣୀର ବିଦ୍ରୋହ ଘୋଷଣା ନାରୀ ମନର ସ୍ବାଧୀନ ଚିନ୍ତାଧାରା ପ୍ରକାଶ କରେ । ନୀଳ ଜାତିଭେଦର ଉତ୍ତୁଙ୍ଗ ପ୍ରାଚୀରକୁ ଡେଇଁ ମଦନା ସେଠୀର ହାତ ଧରି ଚାଲିଯିବା ଘଟଣା ଜାତିପ୍ରଥାକୁ ଏକ ଶକ୍ତ ଧକ୍କା ଦେଇଛି ।

                             ଚିତ୍ତ ରଞ୍ଜନ ନନ୍ଦ

                                        ଜଗତପୁର, କଟକ 

 

Related posts

କୋକସରା ବ୍ଲକର ବିଭିନ୍ନ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ ସୁରଭି ’ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ରଖେ ହରି ତ ମାରେ କିଏ ? ଅଳ୍ପକେ ବଞ୍ଚିଗଲା ଚାରି ଜୀବନ

Sunil Chandra Nayak

Leave a Comment

error: Content is protected !!