ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାନକୀ ମହାନ୍ତ ଙ୍କ କବିତା ପଦ୍ମାଳୟା ବିଷ୍ଣୁପ୍ରିୟା

 ପଦ୍ମାଳୟା ବିଷ୍ଣୁପ୍ରିୟା

 ରାଗ -ନଟବାଣୀ
 

 ଜାନକୀ ମହାନ୍ତ

ଅଯୋନୀ ସମ୍ଭୁତା ହେ ସାଗର ସୁତା
ସାଗର ମନ୍ଥନୁ ହେଲ ଆବିର୍ଭୂତା।
ନମସ୍ତେ ବିମଳା ସୁଶୀଳା ଚଞ୍ଚଳା
ଅହ୍ୟ ସୁଲକ୍ଷଣୀ ପଦ୍ମିନୀ କମଳା ।
ହରିପ୍ରିୟା ପଦ୍ମାସନା ବିଷ୍ଣୁପ୍ରିୟା
ହରିଙ୍କ ମନକୁ ନ ବୁଝ ଗୋ କିଆଁ?
ଲକ୍ଷ୍ମୀ ଠାକୁରାଣୀ ବିଷ୍ଣୁଙ୍କ ଘରଣୀ
ହରିଙ୍କ ବିନା କି ନଗ୍ର ବୁଲ ରାଣୀ ।
ଶକ୍ତି ସ୍ୱରୂପିଣୀ ଐଶ୍ୱର୍ଯ୍ୟ ଦାୟିନୀ
ସ୍ୱାମୀ ଦେଢ଼ଶୁରେ ଦଣ୍ଡିଲ ମାନିନୀ।
ଦାରିଦ୍ର୍ୟ ଭଞ୍ଜନୀ ସୌଭାଗ୍ୟ ବର୍ଦ୍ଧିନୀ
ଶ୍ରୀୟା ଚଣ୍ଡାଳୁଣୀ ମୋହିଲା ମୋହିନୀ।
ଆଜି ବି ଅନେକ ଶ୍ରୀୟା ଶୁଦ୍ଧମନେ
ପୂଜନ୍ତି ମା’ତୋତେ ଆକୁଳ କ୍ରନ୍ଦନେ ।
ଆଦିମାତା ରାଣୀ ସନ୍ତାପ ହାରିଣୀ
ଗରୀବ ସମ୍ଭ୍ରାନ୍ତ ର ସୃଷ୍ଟି କାରିଣୀ ।
ସାଗର ନନ୍ଦିନୀ କୃପା କଲ୍ଲୋଳିନୀ
ତେଲିଆ କୁ ତେଲ ଦେଉ ହିଲ୍ଲୋଳିନୀ ।
ନେତା କୁଜୀ ନେତା ମାରେ ବାହାସ୍ଫୋଟ
ତୋର ଦୟାବଳେ କିଣି ଥାନ୍ତି ଭୋଟ।
କ୍ଷୀରୋବ୍ଧିତନୟା ମାତା କୃଷ୍ଣ ପ୍ରିୟା
ଓଡ଼ିଶାର ଘରେ ଘରେ ବନ୍ଦନୀୟା ।
ଚଞ୍ଚଳେ ଚଞ୍ଚଳା ଆସ ନାରାୟଣୀ
ଶ୍ୟାମ ବିନୋଦିନୀ ପ୍ରୀତି ବୈତରଣୀ।
ଅନ୍ନ ଦାତ୍ରୀ ମାତା ଚାରୁ ପଦ୍ମମୁଖୀ
ଶଶାଙ୍କ ଭଗିନୀ ମା’ଗୋ ଚନ୍ଦ୍ରମୁଖୀ।
 
ବଳରାମ ଦାସ ରଚିଲେ ପୁରାଣ
ନାରୀର ଚରିତ୍ର କରିଲେ ବଖାଣ।
ପୁରୁଷ ଚରିତ୍ର ଭୁଲିଗଲେ ଜାଣ 
ବଳଭଦ୍ର କଲେ କଳିର ଭିଆଣ ।
ଭ୍ରାତାମତେ ପତ୍ନୀ କେ କରେ କି ତ୍ୟାଗ
ତାଙ୍କ ସ୍ତ୍ରୀ କଥା ପଚାର ହେ ଆଗ ।
କରାଗ୍ରେ ବସତି ମାତା ତୁହି ଲକ୍ଷ୍ମୀ
ଷୋଳକୋଠି ପଦ୍ମ ପ୍ରିୟ ଆଦିଲକ୍ଷ୍ମୀ।
ପୁରୁଷ ଶ୍ରୀହୀନ ନାରୀଙ୍କ ବିହୁନେ
ନାରୀର ଦୁର୍ଗତି ନରର ତାଡ଼ନେ ।
ବୈକୁଣ୍ଠ ବାସିନୀ ରାଜୀବ ଲୋଚନୀ
ଅଧମାକୁ କ୍ଷମା କର ଗୋ’ ଜନନୀ।
ନମସ୍ତେ ପଦ୍ମିନୀ ମାତା ପଦ୍ମାଳୟା
ଘେନ ଦଣ୍ଡବତ ମୋର କାହ୍ନୁପ୍ରିୟା ।
 ରାଜ୍ୟ ଉପ-ସଭାପତି
ଓଡ଼ିଶା ସାହିତ୍ୟିକ ସଂଗଠନ
 ଭୁବନେଶ୍ୱର, ଓଡ଼ିଶା
ବେଙ୍ଗାଲୁରୁ

Related posts

ଚଳିତ ବର୍ଷ ଧର୍ମଗଡ଼ ସହରରେ ନୂତନ ଭାବେ ସ୍ଥାପିତ ଏକ୍ସଲେନ୍ସ କୋଚିଂ ସେଣ୍ଟର ର ସଫଳତା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବର ଆସୁଛି ଦେଖ

Sunil Chandra Nayak

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!