Uncategorizedଅପର୍ତ୍ତି ସେଠୀ ଙ୍କ କବିତା ଯାହାକୁ ଯିଏ by Sunil Chandra NayakDecember 5, 20220126 Share0 ଯାହାକୁ ଯିଏ ଅପର୍ତ୍ତି ସେଠୀ ସୁନ୍ଦର ମାନଇ ଅଜା ସହ ଆଈ ମାମୁଁ ସଙ୍ଗେ ପୁଣି ମାଇଁ, ଯୋଡିଟି ସୁନ୍ଦର ବାପା ବୋଉଙ୍କର କେହି ତାଙ୍କ ପରି ନାହିଁ। ଭଉଣୀ ସହିତେ ସୁନ୍ଦର ଭିଣୋଇ ଭାଉଜକୁ ଆମ ଭାଇ, ପିଇସି ନାନୀଙ୍କୁ ପିଇସା ସୁନ୍ଦର ଗଢ଼ିଛନ୍ତି ପରା ବିହି। ମଉସା ମାଉସୀ ଆସିଲେ ଘରକୁ ପୁରିଯାଏ ଆମ ଘର, ପୁତୁରା ଝିଆରୀ ଆମେ ଯେତେ କିନ୍ତୁ କରୁଁ ତାଙ୍କୁ ନମସ୍କାର। ସାଙ୍ଗ ହୋଇ ଯେବେ ଆମ ଦାଦାଖୁଡି ବଜାରକୁ ଯାଉଥାନ୍ତି, ଫେରିଲା ବେଳକୁ ଆମପାଇଁ କେତେ ଜିନିଷ କିଣି ଆଣନ୍ତି। ଜେଜ ବାପା ସଙ୍ଗେ ଆମ ବୁଢି ମାଆ ଚବିଶ ଘଣ୍ଟିଆ କଳି, ମଜାରେମଜାରେ ତାଙ୍କ କଳି ଦେଖି ଆମେ ମାରୁଥାଉ ତାଳି। ଏଇତ ସମ୍ପର୍କ ଓଡ଼ିଆ ଘରର ନିରନ୍ତରେ ସ୍ନେହ ବନ୍ଧା, ଯେଉଁଠି ରହିଛି ଗୁରୁଜନେ ଭକ୍ତି ଲଘୁଜନେ ପୁଣି ଶ୍ରଦ୍ଧା। ପବିତ୍ର ସମ୍ବନ୍ଧ ମଧ୍ୟରୁ ସମୁଦି ସମୁଦୁଣୀ ହୋଇଥାନ୍ତି, ପୁତ୍ର କନ୍ୟା ବିଭା କି ଉପମା ଦେବା ଧନ୍ୟ ଆମରି ସଂସ୍କୃତି। ଲାଜ ଆମ ଘର ଏରୁଣ୍ଡି ବନ୍ଧ ଲୋ ଇଜ୍ଜତ ଦାଣ୍ଡ ଦୁଆର, ସ୍ନେହ ଆମ ବୋଉ ପଣତ କାନି ଲୋ ଓଢ଼ଣୀ ଭୂଆଷୁଣୀର। ଭାଇ ବୋଉ ପୁଣି ଦେଢ଼ ସୁର ଛାଇ ମାଡିବା ହୋଇଛି ମନା, ମଳାସୁର ସହ ଭାଣିଜୀବୋହୂର କଥାକୁହା କଟକଣା। ଏଥିରେ ରହିଛି ଓଡ଼ିଆ ସଂସ୍କୃତି ଚଳଣୀର ପବିତ୍ରତା, ନିଜ ନିଜ ସ୍ଥାନେ ସଭିଏଁ ସୁନ୍ଦର ଏଇତ ସମ୍ପର୍କ ମିଠା। ସଂସାରର ତତ୍ତ୍ଵ ସମ୍ପର୍କରେ ପୂର୍ଣ୍ଣ ଯେହ୍ନେ କ୍ଷୀର ସଙ୍ଗେ ନୀର, ଫଗୁଣର ଆମ୍ବକୁଞ୍ଜ ଗହଳରୁ ଶୁଭେ କୋଇଲିର ସୁର। ଏବେ ଶୁଭିଲାଣି ଡାଡି ମମି ଆଉ ଅଙ୍କଲ ଆଣ୍ଟିର ଡାକ, ଆମେ ଓ ବିଦେଶୀ ବୋଉ ଆଉ ମମି ଏଥିରେ ବହୁ ପ୍ରାର୍ଥକ୍ଯ। ସମ୍ପର୍କ ଏଭଳି ମମତାର ମୋହ ଏନ୍ତୁଡିରୁ ସ୍ଵର୍ଗଦ୍ଵାରେ, କବିର ସମ୍ପର୍କ କଲମ ସାଥିରେ ସ୍ନେହ ବାଣ୍ଟେ କବିତାରେ। ପାଳକଣା, କୋରୋ, କେନ୍ଦ୍ରାପଡ଼ା