【ସ୍ୱାଭିମାନ ଅଞ୍ଚଳର ଭିତିରି କଥା】
ନିଖୋଜ ନାୟିକାର ଇତିବୃତ୍ତି
ବାଲାଜି ସେଠୀ
ପୂର୍ବଭାସ:-
ସିଏ ଯଦି ତାଙ୍କର ନିଜ ମାଆ ହେଇଥାନ୍ତା ତାହେଲେ କଣ ତାକୁ ଛାଡି ଚାଲି ଯାଇ ପାରିଥାନ୍ତା ! ଅଟକି ଗଲେ ଜିତୁ ସାର୍।ଫେରେଇଦେଲେ ବସ୍ ର ଅଗ୍ରୀମ ଟିକେଟ,,,,,,,
ତାପରେ,
ମେଡ଼ିକାଲ କେଂଟିନବଏ ଆସି ରୋଗୀ ପାଇଁ ଉଦ୍ଧିଷ୍ଟ କ୍ଷୀର ଓ ପାଉଁରୁଟି ଦେଇଗଲା।ରାଧିକା ତା ବାଈ (ଆଈମାଆ)ର ଗୋଡ଼ ଆଉଁସି ଆଉଁସି କେତେବେଳେ ସେଇ ଗୋଡ଼ ଉପରେ ମୁଣ୍ଡ ରଖି ଢୁଳେଇ ପଡ଼ିଛି ଜଣାନାହିଁ । ଆହା ବିଚାରୀ ! ତାର ନୁଖୁରା ମୁଣ୍ଡକୁ ସ୍ନେହରେ ଆଉଁସି ଦେଇ ତାକୁ ଉଠେଇଲେ ଜିତୁ ସାର୍ । ତାକୁ ଆଶ୍ୱାସନା ଦେଲେ । ଦନାଇର କିଛି ହବନି । ସେ ଖୁଵ ଶୀଘ୍ର ଭଲ ହେଇଯିବ ବୋଲି ବୁଝେଇଲେ। କ୍ଷୀର ଓ ପାଉଁରୁଟିରୁ କିଛି ଖାଇବାକୁ କହିଲେ। ରାଧିକା ମନା କରୁଥିଲା।ସାର୍ ବାଧ୍ୟ କରିବାରୁ ଖାଇଲ। ଜିତୁ ସାର୍ ବେଡ଼ ର ଧାରକୁ ଆଉଜି ବସିଲେ।ମେଡ଼ିସିନ ମିଶ୍ରିତ ସଲାଇନ ଦ୍ରବଣ ଟୋପା ଟୋପା ହେଇ ଦନାଇ ର ଶିରା ପ୍ରଶିରାରେ ପ୍ରବେଶ କରୁଛି।ଦନାଇ ର ମୁହଁକୁ ଚାହିଁଲେ ଜିତୁ ସାର୍।ମନେ ପଡୁଥିଲା ଦନାଇ ର ସ୍ନେହ ବୋଳା କଥା।
ସ୍କୁଲ ଛୁଟି ପରେ ବେଳେବେଳେ ଦନାଇ ଘରକୁ ଯାଆନ୍ତି ଜିତୁ ସାର୍।ତାର ରୋଷେଇ ପଲ୍ଲା ରେ ବସନ୍ତି।ଦନାଇ ଶିଝେଇ ରଖିଥିବା ଜଙ୍ଗଲୀ କନ୍ଦାରୁ ଖଣ୍ଡେ ଦିଏ।କେବେକେବେ ଶିମ୍ବ ମଞ୍ଜି ନହେଲେ ମକା ମଞ୍ଜି ଭାଜିଦିଏ ଦନାଇ।ଭଲମନ୍ଦ ପଚାରେ।ରାଧିକା ଚତୁର୍ଥ ଶ୍ରେଣୀ ରେ ପଢ଼େ।ଭଲ ପାଠ ପଢ଼େ।ଶ୍ରେଣୀରେ ପ୍ରଥମ ହୁଏ।ମଧୁର କଣ୍ଠରେ ଗୀତ ଗାଏ।ଢେମସା ନାଚରେ ବାଟ କଢେଇ ସାଥୀ ମାନକ ସହିତ ନାଚ କରେ। ପରଜା ସମ୍ପ୍ରଦାୟର ହେଲେ ମଧ୍ୟ ସିଏ ଦେଶିଆ ଭାଷା ସହିତ କୁଇ ଭାଷା ଓ ଓଡ଼ିଆ ଭଲଭାବରେ କହିପାରେ।ତେଣୁ ସ୍କୁଲରେ ସବୁ ପିଲାଙ୍କ ସହିତ ଭଲଭାବରେ ମିଶିପାରେ। ସମସ୍ତେ ତାକୁ ଭଲ ପାଆନ୍ତି।
ବେଳେବେଳେ ଗୋଟିଏ ପ୍ରଶ୍ନ ଉଙ୍କିମାରେ ଜିତୁ ସାର୍ ଙ୍କ ମନରେ।ଏତେଦିନ ଜନ୍ତୁରାଇ ରେ ରହିବା ଭିତରେ ଥରୁଟିଏ ବି ରାଧିକା ର ମାଆ କିମ୍ବା ବାପାଙ୍କୁ ତ ଦେଖି ନାହାନ୍ତି ସେ। କେବେ ବି କଣ ମନେ ପଡିନି ତାର ପେଟ ଚିରି ଜନ୍ମକଲା ଝିଅକୁ ? ନା ବହୁସନ୍ତାନର ଜଞ୍ଜାଳ ଯୋଗୁଁ ତାକୁ ବାରଣ କରିଛି ସମୟ ! ନା ଆଉ କିଛି କାରଣ ଥାଇପାରେ,,,,!!
ଦିନେ ଶୀତୁଆ ସଞ୍ଜବେଳେ ଦନାଇର ଘର ଆଗରେ ଥିବା ଆମ୍ବ ଗଛ ମୂଳେ ଧୁନି ଜଳାଇ ନିଆଁ ପୁଉଁଥିଲେ ଜିତୁ ସାର୍। ଶୁଖିଲା ଯାଇଲ ମଞ୍ଜିକୁ ଭାଜି ତାକୁ ଲୁଣ ମରିଚ ଦେଇ ପାଣିରେ ଫୁଟେଇଥିବା ସୁଆଦିଆ ଭଜା ମଞ୍ଜିକୁ ଶିଆଡି ପତ୍ରର ଦନାରେ ଆଣିଲା ଦନାଇ। ଜିତୁ ସାର୍ ଙ୍କ ହାତକୁ ବଢ଼ାଇ ଦେଲା। ନିଜେ ଅନ୍ୟ ଏକ ଦନାରେ ଜଙ୍ଗଲ ମୁଲକର ସେଇ ସ୍ୱାଦିଷ୍ଟ ଦ୍ରବ୍ଯ ଧରି ବସିଗଲା ଧୁନି ପାଖରେ। ସୁଆଦିଆ ଯାଇଲ ମଞ୍ଜି ଭଜାର ପ୍ରଶଂସା କରି ଜିତୁ ସାର୍ କହିଲେ, ” ନିନିମା ତୋ ହାତରେ ଯାଦୁ ଅଛି। ବିନା ମସଲାରେ ବି ତୋର ଦେଶିଆ ଶାଗ (ତରକାରୀ) ଭାରି ସୁଆଦ ଲାଗେ।” ଦନାଇ ହସିଲା।ମନ ଖୋଲି ହସିଲା।ବହୁତ ହସିଲା। ହଠାତ ହସ ବନ୍ଦ କରି ସିଏ ଗୁମସୁମ ହେଇଗଲା। ତା ଆଖିରେ ଲୁହ ଜକେଇ ଆସିଲା। ବହୁତ ଦିନ ପରେ ତା ହାତରନ୍ଧାର ପ୍ରଶଂସା ଶୁଣି ତା ମନଟା ଗଦଗଦ ହେଇଗଲା ସିନା ତା ହୃଦୟର ଅଳିନ୍ଦ ନୀଳୟ ରୁନ୍ଧି ହେଇଗଲା। ଧମନୀର ରୁଧିର ଆଖିରେ ଲୁହ ହେଇ ନିଗିଡି ପଡିଲା। କେଇ ବୁନ୍ଦା ଲୁହ ଟୋପା ରଡ଼ ନିଆଁରେ ପଡି ଚଁ ଚଁ ଶବ୍ଦ କରି ବାଷ୍ପ ହେଇଗଲା। ଜିତୁ ସାର୍ ଅପଲକେ ଚାହିଁଥାନ୍ତି ନିନିମାଆର ଲୋତକ ଭିଜା ମୁହଁକୁ। ତାକୁ ସାମାନ୍ୟ ପ୍ରଶଂସା କରି ତାର ଅତୀତ ରୋମନ୍ଥନ କରିବାକୁ ବୋଧେ ବାଧ୍ୟ କରିଦେଲେ ! ଦନାଇ ପ୍ରକୃତିସ୍ଥ ହେଲା। କାନିରେ ଆଖି ପୋଛିଲା। ଜିତୁ ସାର୍ ବାଧ୍ୟ କରିବାରୁ ବଖାଣି ବସିଲା ଅତୀତର ଲୋମଟାଙ୍କୁରା କାଳ ରାତିର କଳା କାହାଣୀ।
ଦୈତାରୀ ଶିସା ।ଥିଲା ଜଣେ ହାଟାକାଟା ସୁଦର୍ଶନ ଯୁବକ। ତାର ଦେହରେ ଦୁଇଟା ମରଦର ବପୁ । ବାଦାମୀ ରଙ୍ଗର ଚେହେରା। ମୁଣ୍ଡରେ କୁଂଚୁକୁଞ୍ଚିଆ ଗୋଛେ ବାଦାମୀ ଚୁଟି। ବଡ଼ ଆଖି।ଭାରି ଶାନ୍ତ ସ୍ୱଭାବର ମଣିଷଟେ ଥିଲା। ସବୁ କାମକୁ ପରିବାର। ଗାଁ କମିଟିର ମୁଖିଆ, ପୂଜା କମିଟିର ମୁଖିଆ, ପଂଚାୟତ କମିଟିର ବି ମୁଖିଆ ଥିଲା ସିଏ। ଓଡ଼ିଶାର ଏହି ଭୂଖଣ୍ଡଟି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ବିଛିନ୍ନାଂଚଳ ହୋଇଥିବାରୁ ଲାଲଗଡ଼ର କୁଖ୍ୟାତି ଅର୍ଜ୍ଜନ କରିଛି। ଗ୍ରାମ ପଞ୍ଚାୟତ ଅଛି,,, ହେଲେ ଏଠିକାର ଲୋକମାନେ ଭୋଟ ଦେବାର ଜାଣି ନାହାଁନ୍ତି। ପଞ୍ଚବାର୍ଷିକ ଯୋଜନାର ଅଧିକାଂଶ ଥର ମାଓ ନେତାଙ୍କ ନିର୍ଦ୍ଦେଶ ରେ ସରପଙ୍କ ବଛା ହୁଏ।ବେଳେବେଳେ ତାହା ବି ହୁଏନାହିଁ। ବିନା ସରପଞ୍ଚରେ ପଂଚାୟତ ଚାଲେ। ଏଠି ସବୁ ସମସ୍ୟା କାଙ୍ଗାରୁକୋର୍ଟରେ ହିଁ ଫଇସଲା ହୁଏ। ନାମକୁ ମାତ୍ର ପଂଚାୟତ ଅଫିସ ଠିଆ ହେଇଛି।ଉନ୍ନୟନ ମୂଳକ କାର୍ଯ୍ୟ ସବୁ ଠପ । ଏଇ ଅଞ୍ଚଳର ସମସ୍ତ ଅଧିବାସୀ ଆଦିବାସୀ ଗରିବ ସମ୍ପ୍ରଦାୟର ହୋଇଥିଲା ବେଳେ ଅଧିକାଂଶ ଲୋକଙ୍କୁ ବି ପି ଏଲ କାର୍ଡ ଖଣ୍ଡେ ମିଳିନି। ବାର୍ଦ୍ଧକ୍ୟ ଭତ୍ତା କି ବିଧବା ଭତ୍ତା ପାଇଁ ଲୋକେ କୁଡୁମୁଲୁଗୁମ୍ମା ପ୍ରାୟ ଶହେ କିଲୋମିଟର ଦୌଡ଼ନ୍ତି।ତାହା ପୁଣି ଅର୍ଦ୍ଧେକ ବାଟ ଜଳଯାତ୍ରା କରି।ଅଶିକ୍ଷା,ଅସଚେତନ ଯୋଗୁଁ ସେଠି ବି ଶୋଷଣର ଶିକାର ହୋଇ ବେଡି ଉପରେ କୋରଡ଼ା ଖାଆନ୍ତି।ବାଲିମେଳା ଜଳ ଭଣ୍ଡାର, ଯାହାକୁ ନେଇ ଆଜି ଆମେ ଗର୍ବ ଅନୁଭବ କରୁଛେ ତାର ନିର୍ମାଣ ହେତୁ ଶତାଧିକ ବସ୍ତି ବାସ୍ତୁହୀନ ହୋଇଥିଲେ।ହଜାର ହଜାର ମେଗାୱାଟ ବିଜୁଳି ଉତ୍ପାଦନ ହେଉଛି ଅଥଚ ବେଘର ହୋଇଥିବା ଘରେ ଆଲୁଅ ନାହିଁ। ଶିକ୍ଷା ଆଉ ସ୍ୱାସ୍ଥ୍ୟ ସେବା ନ କହିବା ଭଲ।ପ୍ରତିବର୍ଷ ଡ୍ୟାମ ରେ ଜଳସ୍ତର ବୃଦ୍ଧି ଯୋଗୁଁ ଧନ ଖନ୍ଦ ବୁଡିରେ ନଷ୍ଟ ହେଇଯାଏ।ସରକାରୀ ବାବୁମାନେ ଜଣେ କେହି ବି ଦେଖବାକୁ ଆସନ୍ତି ନାହିଁ। କ୍ଷତି ପୂରଣ ମିଳିବା କଥା ଚିନ୍ତା କରିବା ପାପ।ଗାଁ କୁ ଗାଁ ସବୁ ଦିନିଆ ରାସ୍ତାଟିଏ ନାହିଁ ।
ଋତୁ ବଦଳିବା ପରି ବଦଳି ଯାଏ ପାଦଚଲା ରାସ୍ତା। ପ୍ରକୃତିର ଆଦିମ ଜନଜାତି ସଭ୍ୟତା ସବୁଜ ସବୁଜିମା ପ୍ରକୃତିର କୋଳ ଦରାଣ୍ଡି ଉଦରର ତାଣ୍ଡବକୁ କ୍ଷାନ୍ତ କରେ।ସୁଆଁ କ୍ଷୀରି ଅମୃତ ପାଲଟେ।ମାଣ୍ଡିଆ ପେଜ ରୁଧିର ହେଇ ପ୍ଲାବନ କରେ ଧମନୀ।ଶୁଖିଲା ବାଉଁଶ କରଡି, ଜଙ୍ଗଲୀ କନ୍ଦା ଆଉ ତେନ୍ତୁଳି ବ୍ୟଞ୍ଜନ ର ମୁଖ୍ୟ ଉପାଦାନ।ମାଆ ର ଶୁଖିଲା ଥନକୁ ଝୁଣି ହେଉଥିବା ଅପପୁଷ୍ଟି ଶିଶୁର ପୌଷ୍ଟିକ ଆହାର ପାଲଟେ ଆମ୍ବ ଟାକୁଆର ଛତୁଆ । ଯୁବକ ମାନଙ୍କ ମୁଖ୍ୟ ଜୀବିକା ହେଲା ଶିକାର।କୁଟୁରା କି ସମ୍ବର ଟିଏ ଶିକାର ମିଳିଗଲେ ଗାଁ ରେ ଢେମସା ର ତାଳେ ତାଳେ କଟିରେ ହାତ ଛନ୍ଦି ପାଦରେ ପାଦ ମିଳାଇ ନାଚନ୍ତି ସଲପ ନିଶାରେ ଚୁର୍ ହୋଇଥିବା ଯୁବକ ଯୁବତୀ ମାନେ। ପୁସ ପରବରେ ଗାଁ ଗାଁ ବୁଲି ବୁଡ଼ିଆ ମଗାରେ ମନ ଦିଆନିଆ ହୁଏ ଧାଙ୍ଗଡା ଧଙ୍ଗିଡୀ ଭିତରେ। ମାଘ ପରବରେ ପ୍ରେମ ହୁଏ।ଚଇତି ପରବରେ ପ୍ରେମ ର ଦୃଢତାକୁ ପ୍ରତିପାଦନ କରେ ଆଦିବାସୀ ମରଦ ପୁଅ ଶିକାର ଜରିଆରେ। ଶିବରାତ୍ରି, ହୋଲି ଆଦି ଯାନିଯାତ୍ରା ରେ ମିଳନ ହୁଏ ନବ ଜୁଆନ ପ୍ରେମୀ ଯୁଗଳ ମାନଙ୍କର।ତାପରେ ଉଦୁଲିଆ ଯାଇ ବୈବାହିକ ଜୀବନ ଆରମ୍ଭ କରନ୍ତି।ଏମିତି ଦିନେ ଦନାଇ ଚାଲି ଆସିଥିଲା ଦୈତାରୀର ହାତ ଧରି।ଦୁଇ ବର୍ଷ ପରେ “ସରିତା” ର କୁଆଁ କୁଆଁ ରଡ଼ିରେ ଦନାଇର ଘର କୋଳାହଳ ରେ ପୂରି ଉଠିଲା। ଝିଅକୁ ପାଇ ଦୈତାରୀ ଭାରି ଖୁସି ହୋଇଥିଲା।
,,,,କ୍ରମଶଃ
ଚିତ୍ରକୋଣ୍ଡା, ମାଲକାନଗିରି