ନିଃସଙ୍ଗ ଅଶିଣ
ନଳିନୀ ପ୍ରଭା ମିଶ୍ର
ତୁଟି ଯାଇଛି ବର୍ଷାର ପ୍ରକୋପ, ଓହ୍ଲାଇ ଆସିଛି ଶରତ ଋତୁ ଧରା ପୃଷ୍ଠକୁ,,କି ! ଜଳ କି! ସ୍ଥଳ ,କି! ଆକାଶ ଚାରିଆଡେ ଶାରଦୀୟ ଶୋଭା ସମ୍ଭାର।ଏ ଶୋଭା ସମ୍ଭାର ରେ ପ୍ରଲୁବଧା ହେଲା ମାନସୀ,ତନୁ ବଲ୍ଲରୀରେ ଖେଳିଗଲା ଅପୂର୍ବ ସିତ୍କତା।ମନ ଖୋଜୁ ଥିଲା ସେହି ଶିଶିର ଭିଜା ଲାଜ ସାଥୀ ସମୀରକୁ।
ଆ଼ଃ ! ଆଜି ଯଦି ସମୀର ତା’ ପାଖରେ ଥାଆନ୍ତେ ନା——–।
ସେ ଅନେକ କଥା ସ୍ମୃତି ର ପେଟିକା ,ଅତଳ ଗହ୍ଵର ର ହୃଦୟର ଉଲ୍ଲାସ, କେତେବେଳେ କାହାରି ବିଜନ ବେଳାର ସାଥୀ ଟିଏ ସେ, ସାଉଁଟି ଆଣିଲେ କିଛି ହଜାଇ ଥିବାର ଦୁଃଖ କୁ ବାରି ହୁଏ। ବନ ପୋଡି-ଗଲେ ସିନା ସଭିଏଁ ଜାଣନ୍ତି,କିନ୍ତୁ ମନ ପୋଡିଗଲେ କିଏ ବା ! ଜାଣେ ?
କେବଳ ହୃଦୟ ତଳର ମର୍ମ ବେଦନା ଚାପି ହୋଇଯାଏ, ନିଭୃତତା ରେ କରୁଣର ବାରିଧାରା ହୋଇ ନିଗିଡ଼ି ପଡେ ଚକ୍ଷୁ କୋଣରୁ।
ଠିକ୍ ଏମିତି ଏକ ଅଶିଣ ସନ୍ଧ୍ୟା ରେ ପରିଚିତ ହୋଇଥିଲା ସମୀର ଙ୍କ ସହିତ।ସମୀର ଥିଲେ ଭାଉଜଙ୍କ ଦୂର ସମ୍ପର୍କୀୟ ଭାଇ, ଯୋବ୍ରା କଲେଜରେ+୩ ଶେଷ ବର୍ଷର ଛାତ୍ର। ବେଳେ-ବେଳେ ଆସନ୍ତି,ଭାରି ମେଳାପୀ ,ଶାନ୍ତ ଶିଷ୍ଟ ।ତାଙ୍କ ବ୍ୟବହାର ଭାରି ଭଲ ଲାଗେ ମାନସୀକୁ,ତାଙ୍କୁ ନେଇ କେତେ କଥା ଭାବି ହୁଏ ହୃଦୟରେ।
ସାମ୍ନାକୁ ଯିବାକୁ ସାହସ ହୁଏ ନାହିଁ। ଯେତେ ହେଲେ ପଢୁଆ ପିଲା ବଡ଼ ଲୋକ ଘର ପୁଅ। କାହିଁକି କେଜାଣି ଓଠ ଖୋଲି କିଛି କହି ହୁଏ ନାହିଁ।
ଦଶହରା ଆଉ ଅଳ୍ପ ଦିନ ବାକି ଥାଏ, ଗାଁ କୁ ଆସିଛନ୍ତି ସମୀର ଭାଇ ଭାଉଜ ଘର ଜଞ୍ଜାଳ ରେ ବ୍ୟସ୍ତ ରହୁଥିବାରୁ ତାକୁ ସମୀର ଭାଇଙ୍କ ପରିଚର୍ଯ୍ୟାର ଦାୟିତ୍ଵ ଦିଆ ଯାଇ ଥାଏ। ତା’ରି ହାତ ରନ୍ଧା କୁ ଭାରି ତାରିଫ୍ କରୁଥିଲେ ସମୀର ଭାଇ।
ସଞ୍ଜ ନଇଁ ଆସିଛି,ବାରି ଗଛର ପତ୍ର ଫାଙ୍କରୁ ଝରି ପଡୁଛି ରଜତ କିରଣ। ହାସ୍ୟ ମୟୀ , ଲାସ୍ୟମୟୀ ପୃଥିବୀ କରୁଛି ଜ୍ୟୋତ୍ସ୍ନା ବିହାର।ବାରି ପାହାଚରେ ବସିଛି ମାନସୀ ,ଭାବନାର ଜୁଆର ଭିତରେ ଭାସି ବୁଲୁଛି,କେତେବେଳୁ ଆସି ସମୀର ଭାଇ ତା’ର ପଛପଟେ ଠିଆ ହୋଇଛନ୍ତି ତାକୁ ଜଣାନାହିଁ।କିଛି ସମୟ ନୀରବତା ପରେ ଓଠରୁ ବାହାରିଲା କଥା ପଦେ,”ଯଦି ମୋ ଭାବନାର କେନ୍ଦ୍ର ବିନ୍ଦୁରେ କେହି କେବେ ଆସେ ,ତେବେ ସେ ଜଣକ ହେଉଛ ତୁମେ ଓ ମୁଁ ତୁମକୁ ବିବାହ କରିବି ମାନି”। ଲାଜେଇ ଗଲା ମାନସୀ , ସାନ୍ଧ୍ୟ ଆକାଶ ରେ ଅଶିଣର ବର୍ଣ୍ଣ ବିଭା ଧରି ଧରଣୀ ରାଣୀ ସୌନ୍ଦର୍ଯ୍ୟ ରେ ଉବୁଟୁବୁ ହେଉଥିଲା , ଚନ୍ଦ୍ର ର ଆଗମନ ଦେଖି ନୀଳ କଇଁ ତା’ର ମୁଦ୍ରିତ ନୟନ କୁ ଉନ୍ମୀଳନ କରୁଥିଲା।ମାନସୀ ଭାବୁ ଥିଲା ସତରେ ସମୀର ଭାଇ କେଡେ ଉଦାର, ତା’ ପରି ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର ଗାଉଁଲି ଝିଅକୁ ବିନା ଦ୍ବିଧାରେ ବିବାହ କରିବାକୁ ସ୍ଵତଃପ୍ରବୃତ୍ତ ହୋଇ ଉଠିଛନ୍ତି।
ଏ ଭିତରେ ଅନେକ ଦିନ ବିତି ଯାଇଛି, ପୂର୍ବପରି ଆଉ ସମୀର ଭାଇଙ୍କ ଆଗମନ କ୍ରମେ କ୍ରମେ ହ୍ରାସ ପାଇ ଆସିଲାଣି। ଯେଉଁ ସମୀର ଭାଇଙ୍କ ପାଇଁ ସେ ପ୍ରତିଦିନ ଗାଁ ମନ୍ଦିରରେ ଦୀପଟିଏ ଜାଳି ମଙ୍ଗଳ କାମନା କରି ନିଜର ମନ ପ୍ରାଣ ତାଙ୍କ ନିକଟରେ ଉତ୍ସର୍ଗ କରି ଦେଇଛି,ସେ କିପରି ଭୂଲି ଗଲେ ତାକୁ।ପ୍ରତି ସପ୍ତାହରେ ଚିଠି ଖଣ୍ଡେ ଆସେ,ଚିଠି ନୁହେଁ ତ ! ଗୋଟିଏ ଉପନ୍ୟାସ।ପ୍ରତି ଚିଠି ରେ ” ମୁଁ ତୁମକୁ ଭଲ ପାଏ ମାନି”,ମୋ ହୃଦୟର ରାଣୀ”,କିନ୍ତୁ ବର୍ତ୍ତମାନ ସପ୍ତାହ ବ୍ୟତୀତ ମାସ ମାସ ବିତିଗଲେ ସୁଦ୍ଧା ଚିଠି ଆସିବା ପୂରାପୂରି ବନ୍ଦ।ଏହାର କାରଣ କ’ଣ ବା ହୋଇପାରେ, ଅନେକ ଆଶଙ୍କା ଭିତରେ ମନ ଦୋଦୁଲ୍ୟମାନ ହୋଇ ଉଠେ,ଅନେକ ବିବାହ ପ୍ରସ୍ତାବ ଆସିଛି,କିନ୍ତୁ ଏ ସମୀର ଭାଇ ପାଇଁ ସେ ସବୁ ପ୍ରସ୍ତାବ କୁ ପ୍ରତ୍ୟାଖ୍ୟାନ କରି ଦେଇଛି।ସମୀର ଭାଇ ହିଁ ଥିଲେ ତା’ର ହୃଦୟ ମନ୍ଦିର ର ଆରାଧ୍ୟ ଦେବତା,ଆଜି ସମୀର ଭାଇ ସୁଦୂର ସହରରେ। ଚାକିରୀ କରି ଖୁବ୍ ଖୁସିରେ ଅଛନ୍ତି,ଜଣେ ଧନୀ ଘରର ଉଚ୍ଚ ଶିକ୍ଷିତା ଦୁଲାଳୀ କୁ ବିବାହ କରିଛନ୍ତି।ମାନସୀ ଭାବୁଥିଲା ସତରେ ଏ ଦୁନିଆ ଟା କେଡେ ସ୍ଵାର୍ଥପର।ମଣିଷ ବଦଳି ଯାଏ ପ୍ରାଚୁର୍ଯ୍ୟତାର ମୋହରେ। ପ୍ରତିଶ୍ରୁତି ସବୁ ପାଣିରେ ଗାର ହୋଇଯାଏ।ଜୀବନର ରଣ କ୍ଷେତ୍ରରେ ସେ ଆଜି ଜଣେ ପରାଜିତା ନାୟିକା। ଅଶିଣ ର ମାଦକତା ତାକୁ ଆନନ୍ଦ ଦେଇ ପାରୁ ନାହିଁ।ନି଼ଃସଙ୍ଗତାର ଅନ୍ତର ଦାହରେ ଗୁଡାଏ ନୈରାଶ୍ୟ ର ଦୀର୍ଘ ଶ୍ବାସ ବାହାରି ମିଳାଇ ଯାଉଥିଲା ସାନ୍ଧ୍ୟ ଆକାଶରେ।