ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜୟ କୁମାର ମିଶ୍ର ଙ୍କ କବିତା// “ଦାଦନଙ୍କ ଦୁଃଖ”

“ଦାଦନଙ୍କ ଦୁଃଖ”

ଜୟ କୁମାର ମିଶ୍ର 

ଦାଦନଙ୍କ ଦୁଃଖ, କରଇ ବିମୁଖ 
ହୃଦୟ ଥରାଇ ଦିଏ, 
ବିବେକର ଆଖି, ସବୁକୁ ପରଖି
ଲୁହ କୋହ ସହ ରୁହେ ll
ପେଟ ଓ ପାଟଣା, ଭବିଷ୍ୟ ଠିକଣା 
ଆଶା ବସା ମନ ଘର, 
ଗରିବ ଅଭାବୀ, ସବୁ କଥା ଭାବି 
ଯାଏ ଦୂର ଦୁରାନ୍ତର ll
କାଖେ କୁନିପିଲା,ସାଥି ସାଙ୍ଗ ହେଲା 
ନବ ଯୁବା ବାଳ, ଵାଳା, 
ପାଠ, ପଢ଼ା କାଳେ, ମଥା ପରେ ବଳେ, 
ଘର କଥା ବୋଝ ହେଲା ll
ଘରର ଘରଣୀ, ମରଦଟି ପୁଣି 
ବୁଢ଼ା, ବୁଢ଼ୀ, ହୋଇ ମେଳି, 
ଛାଡି ଘର ଦ୍ୱାର, ସୁଖର ସଂସାର 
ଶ୍ରମ ପାଇଁ ଯାଏ ଚଳି ll
କେତେ ହନ୍ତସନ୍ତ, ଅକୁହା କଥାତ
ନିର୍ଯ୍ୟାତିତ କେତେ ଅବା, 
ଆଖି ଥାଉ ଥାଉ, ଅନ୍ଧ କେହି ଆଉ 
ସବୁ ଦେଖି ନଦେଖିବା ll
ଅନ୍ଧାର ରଜନୀ, ମଉକାକୁ ଘେନି 
ଯଉବନ ହୁଏ ଚୋରି, 
ଆଚାର ନାଚାର, ଲାଭ ଲୋଭ ଘୋର, 
ସମର୍ପିତ ଡରି ମରି ll
ପୁଞ୍ଜିପତିଙ୍କ ର, ବିଳାସ, ବେଭାର 
ମନମାନି କାରବାର, 
ପରିସ୍ଥିତି ଦାସ, ବିଳାସ ଓ ରାସ
କାମୁକ ପିପାସୀ ନର ll
ସମ୍ପର୍କ ବୟସ, ବିଚାର ବିମର୍ଷ 
ପାପୀ ମନ ବୁଝେ ନାହିଁ, 
ଲଲୁପ ନୟନ, ଦେଖି ଯଉବନ 
ହେଉଥାଏ ହାଇଁ ଫାଇ ll
ଆଖି କଥା କୁହେ, ଓଠ ଭାଷା ଥୁଏ 
ନିଝୁମ ବେଳାକୁ ଡାକେ, 
ନିଲାମ ବେପାର, କେତେ କାରବାର  
ଅନ୍ଧ ଅନ୍ଧାରଟି ଦେଖେ ll
କାହାର ତ ଖେଳ, ଦାଦନଙ୍କୁ କାଳ 
ଦଲାଲଗିରୀର ମେଳ,  
ଲୁହୁ ଲୁହାଣର, ମୂଲ୍ୟ ବାଟବଣା 
ଆପ୍ପତ୍ତି, ବିପତ୍ତି, କାଳ ll
ଖୋଲା ଆକାଶଟି, ସାହା ଭରସାଟି 
ନିବାସର ସାଥି ହୋଇ,  
ଭାଗ୍ୟକୁ ଆଦରି, ବାଧକରେ ବରି 
ଏଠି ସେଠି ବିତୁଥାଇ ll
ପଥ ପ୍ରାନ୍ତ କଡ଼, ରେଳ ବସ ଷ୍ଟାଣ୍ଡ 
ଦୟାର୍ଦରେ ଜଡ଼ସଡ,  
ଶୀତଳ କାକର, ବରଷାଟି ଜୋର 
ଗ୍ରୀଷ୍ମ ଦହନଟି ବଡ଼ ll
ଶ୍ରମ କରି, ସାରି, ସଭିଏଁତ ଫେରି
ତା କୋଳେ ଆଶ୍ରିତ ହୋଇ 
ନିଘୋଡ଼ ନିଦ୍ରାରେ, ନିଦ୍ରିତଟି ବାରେ
ଗାଆଁ ଘର ଧ୍ୟାୟୀ ଧ୍ୟାୟୀ ll 

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି 
ଓଡିଶା, 761206

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା = ବାପାଙ୍କ ଜନ୍ମଦିବସ ଉପଲକ୍ଷେ

masiha

ଜୟ କୁମାର ମିଶ୍ର ଙ୍କ କବିତା “ଗାଆଁ ଦୁହିତା, ଉଦାରି ସୀତା”

Sunil Chandra Nayak

Leave a Comment

error: Content is protected !!